Tuesday, October 31, 2017

ଗଣତାନ୍ତ୍ରିକ ସରକାର


୨୦୦୭ ମସିହାର ଫରାସୀ ରାଷ୍ଟ୍ରପତୀୟ ନିର୍ବାଚନରେ ମତଦାନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ଗୋଟିଏ ଗଣତନ୍ତ୍ର ଅଟେ । ଭାରତୀୟ ଜନଗଣଙ୍କର ଦୀର୍ଘ ଓ ଘଟଣାବହୁଳ ଲଢ଼େଇର ଫଳ ଭାବରେ ଆମେ ଏହା ହାସଲ କରିବାରେ ସଫଳ ହୋଇଛୁ । ପୃଥିବୀର ଅନ୍ୟାନ୍ୟ ଜାଗାରେ ମଧ୍ୟ ଲୋକେ ଗଣତାନ୍ତ୍ରିକ ସରକାର ଲାଭ କରିବା ପାଇଁ ଲଢିଆସିଛନ୍ତି । ତୁମେ ଜାଣିଛ କି ନିଜର ନେତା ନିର୍ବାଚନ କରିବା ଗଣତନ୍ତ୍ରମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲକ୍ଷଣ ଓ ବୈଷିଷ୍ଚ୍ୟ ଅଟେ ? ଏଣୁ ଗୋଟିଏ ଭାବରେ ଦେଖିବାକୁ ଗଲେ, ଗଣତନ୍ତ୍ରର ଅର୍ଥ ହେଲା, ଲୋକଙ୍କର ନିଜର ନେତା ନିର୍ବାଚନ କରିବାର ଅଧିକାର । ଏହାର ଏକ ମୌଳିକ ଅର୍ଥ ହେଲା ଯେ, ଲୋକେ ନିଜେ ଯେଉଁ ନିୟମମାନଙ୍କ ଦ୍ୱାରା ଚଳନ୍ତି, ସେଗୁଡ଼଼ିକ ତିଆରି କରିବାରେ ସେମାନେ ନିଜେ ଅଂଶଗ୍ରହଣ କରନ୍ତି ।

ଆମର ଯୁଗରେ, ଗଣତାନ୍ତ୍ରିକ ସରକାରକୁ ସାଧାରଣତଃ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ବିଚାର କରାଯାଇଥାଏ । ପ୍ରତିନିଧିମୂଳକ ଗଣତନ୍ତ୍ରରେ ଲୋକେ ନିଜେ ସିଧାସଳଖ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ । ପରନ୍ତୁ ସେମାନେ ଗୋଟିଏ ନିର୍ବାଚନୀ ପ୍ରକ୍ରିୟାରେ ନିଜର ପ୍ରତିନିଧିମାନଙ୍କୁ ବାଛନ୍ତି । ଏହି ପ୍ରତିନିଧି୍ମାନେ ସମ୍ମିଳିତ ହୋଇ ସମଗ୍ର ଜନସଙ୍ଖ୍ୟା ପାଇଁ ନିଷ୍ପତ୍ତି ନିଅନ୍ତି । ସାର୍ବଜନୀନ ସାବାଳକ ମତଦାନର ଅଧିକାର ନଥିଲେ, ବର୍ତ୍ତମାନର ଯୁଗରେ କୌଣସି ଦେଶ ଗଣତାନ୍ତ୍ରିକ ଭାବରେ ଗଣାଯାଇ ପାରିବ ନାହିଁ । ସାର୍ବଜନୀନ ସାବାଳକ ମତଦାନର ଅଧିକାରର ମାନେ ହେଲା ଯେ, ଦେଶର ସବୁ ସାବାଳକ ଲୋକଙ୍କର ମତଦାନର ଅଧିକାର ଅଛି ।

ମାତ୍ର ଆଗରୁ ସବୁଦିନେ ଏହି ଅବସ୍ଥା ନଥିଲା । ତୁମେ ବିଶ୍ୱାସ କରିପାରିବ କି, ଏପରି ଯୁଗ ମଧ୍ୟ ଥିଲା ଯେବେ ସରକାରମାନେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଅନୁମତି ଦେଉନଥିଲେ ? ଗଣତନ୍ତ୍ରର ଆଦି କାଳରେ ସରକାରମାନେ କେବଳ ଶିକ୍ଷିତ, ସମ୍ପତ୍ତିର ମାଲିକ ହୋଇଥିବା ପୁରୁଷ ଲୋକମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ । ଏହାର ଅର୍ଥ ହେଲା, ସ୍ତ୍ରୀଲୋକେ, ଗରୀବ ଲୋକେ, ସମ୍ପତ୍ତିହୀନ ଜନମାନେ, ଏବଂ ଶିକ୍ଷାବିହୀନ ଆଦି ଜନଗଣ ଭୋଟ ଦେବାର ଅଧିକାରରୁ ବଞ୍ଚିତ ଥିଲେ । ଅଳ୍ପ କେତେ ଜଣ ପୁରୁଷମାନେ ତିଆରି କରୁଥିବା ନୀତି ଓ ନିୟମ ଅନୁସାରେ ଦେଶ ଚାଲୁଥିଲା ।

ସ୍ୱାଧୀନତା ପୂର୍ବରୁ ଗୋଟିଏ କ୍ଷୁଦ୍ର, ସଙ୍ଖ୍ୟାଲଘୁ ଗୋଷ୍ଠୀର ଭୋଟ ଦେବାର ଅଧିକାର ଥିଲା । ସେମାନେ ଏକତ୍ର ହୋଇ ବହୁସଙ୍ଖ୍ୟକ ଲୋକଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ । ଗାନ୍ଧିଜୀଙ୍କ ସମେତ ଅନେକ ଲୋକେ ଏହି ଅନ୍ୟାୟ ରୀତି ଦ୍ୱାରା ଚକିତ ହୋଇଥିଲେ । ସେମାନେ ସମସ୍ତ ସାବାଳକମାନଙ୍କ ପାଇଁ ମତାଧିକାରର ଦାବୀ କରୁଥିଲେ । ଏହାକୁ ସାର୍ବଜନୀନ ସାବାଳକ ମତଦାନର ଅଧିକାର କୁହାଯାଏ ।

୧୯୩୧ ମସିହାରେ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ, ମୁଁ ଏହା ସହିପାରେନା ଯେ ଜଣେ ସମ୍ପତ୍ତିବାନ ଲୋକ ପାଖରେ ଭୋଟ ଦେବାର ଅଧିକାର ରହିବ । ମାତ୍ର, ଜଣେ ଚରିତ୍ରବାନ ଲୋକ ଯାହା ପାଖରେ ଧନ ବା ସାକ୍ଷରତା ନାହିଁ, ସେ ଏହି ଅଧିକାରରୁ ବଞ୍ଚିତ ହେବ । ନିଜ ମୁଣ଼୍ଡ ଝାଳ ତୁଣ୍ଡରେ ମାରି ଦିନରାତି ପରିଶ୍ରମ କରି ସଚ୍ଚୋଟ ଉପାୟରେ ଜୀବିକା ନିର୍ବାହ କରୁଥିବା ଜଣେ ଲୋକ ଭୋଟଦାନର ଅଧିକାରରୁ ବଞ୍ଚିତ ହେବା ମୋ ପାଇଁ ଅସହ୍ୟ ଅଟେ ।'

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର.ଟି. ଛାପିଥିବା ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ ଆଣ୍ଡ ପଲିଟିକାଲ ଲାଇଫ - ୧' ର ତୃତୀୟ ଅଧ୍ୟାୟର ସମ୍ପାଦିତ ଅଂଶର ଅନୁବାଦ ଅଟେ ।

No comments:

Post a Comment