Monday, September 24, 2018

ଚରିତ୍ରଂ ହି ପରଂ ବଳଂ” - ୯

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଚରିତ୍ରର ବଳ ଅନନ୍ତ । ସେ ବଳ ପାଖେ ଅନ୍ୟ ବଳ ବଳ ନୁହେଁ । ମନୁଷ୍ୟ ଯାହା ହେବ ବା ଯାହା କରିବ, ସବୁ ତାହାର ଚରିତ୍ରର ଅନ୍ତର୍ଗତ; ଚରିତ୍ରରେ ସ୍ଥିତି, ଚରିତ୍ରରେ ମୁକ୍ତି, ଅର୍ଥାତ୍ ମାନବ ଜୀବନର ସାର୍ଥକତା । ମନୁଷ୍ୟର ଆଉ କି ବଳ ଲୋଡ଼ା ? ଶରୀର ମନର ଅଧୀନ । କ୍ରିୟା ଇଚ୍ଛାର ଦାସ । ଶରୀର ବଳ ବଳ ନୁହେଁ । ଶାରୀରିକ କର୍ମ କର୍ମ ନୁହେଁ । ସବୁ ବଳର ଆଧାର ମନରେ । କାର୍ଯ୍ୟ ହିଁ ବଳର ଅଭିବ୍ୟକ୍ତି । କାର୍ଯ୍ୟର କେନ୍ଦ୍ର ଇଚ୍ଛାରେ ପ୍ରଭାବରେ ସାଂଘାତିକ ଆଘାତ ପାଇ ମଧ୍ୟ ସୈନିକ ଜାଣି ନପାରି ଅନନ୍ତ ଉତ୍ସାହରେ ଯୁଦ୍ଧରେ ମାତି ରହି ଥାଏ । 

ଯୋଗୀମାନେ ସେହି ମନକୁ ଅଧୀନ କରିଥାନ୍ତି ବୋଲି, ଶରୀରରେ ଉପଦ୍ରବ ହେଲେ ଜାଣି ପାରନ୍ତି ନାହିଁ । ତୁମ୍ଭେ‌ ଜାଣିଥିବ, ବେଳେବେଳେ ଗଭୀର ଭାବରେ ଚିନ୍ତା କଲା ବେଳେ, ଅମିତ ମନୋନିବେଶ ସହିତ ଅଙ୍କ କଷିଲା ବେଳେ, ଚିମୁଟି ଦେଲେ ତୁମ୍ଭଙ୍କୁ ଜଣା ପଡ଼େ ନାହିଁ । ଶରୀର ମନର ସମ୍ପୂର୍ଣ୍ଣ ଅଧୀନ ଓ ଦାସ । ଅଭ୍ୟାସରେ ଚରିତ୍ରବଳରେ ତାହା ସମ୍ୟକ୍ ରୂପେ ସିଦ୍ଧ କରି ନେବାକୁ ହୁଏ ।ଚରିତ୍ର ଗଠିତ ହେଲେ, ଏଥିରେ ଆଉ ଆୟାସ ବା ଅସୁବିଧା ରହେ ନାହିଁ ।

ଅତଏବ ଏହି ଚରିତ୍ର କଥାଟିରେ ଜୀବନର ସମସ୍ତ ନୀତି ସମସ୍ତ ଆଦର୍ଶ ନିହିତ ଅଛି । ତୁମ୍ଭେମାନେ ବାଳକ । ହୁଏତ ଜୀବନର ନୀତି ଓ ଆଦର୍ଶ ସମ୍ୱନ୍ଧରେ ସ୍ପଷ୍ଟ କିଛି ତୁମ୍ଭଙ୍କୁ ବୁଝାପଡ଼ୁ ନ ଥିବ । ସେଥି ପାଇଁ କହେ, ଯାହା ତୁମ୍ଭର ନୀତି, ତୁମ୍ଭର ଆଦର୍ଶ ବୋଲି ତୁମ୍ଭଙ୍କୁ କୁହା ଯାଉ ଅଛି, ସେ ସବୁ ଆଗ୍ରହରେ ସମସ୍ତ ପ୍ରାଣର ସହିତ ଗ୍ରହଣ କର । ସେସବୁକୁ ଏହି ବୟସରୁ ଜୀବନର ଅଙ୍ଗୀଭୂତ କର । ଉପଦେଶ ଗ୍ରହଣ କରିବାକୁ ପ୍ରାଣ ସର୍ବଦା ପିପାସିତ ଓ ଉନ୍ମୁଖ ରଖ । ଯାହା କାର୍ଯ୍ୟରେ କରୁଅଛ, ଇଚ୍ଛାକୁ ସର୍ବଦା ସର୍ବତୋଭାବରେ ତାହାର ଅନୁଗାମୀ କରି ରଖ । 

ଥରେ ଇଚ୍ଛାର ସଂଯମରେ ସିଦ୍ଧ ହେଲେ, ଜ୍ଞାନ ବଳରେ ତୁମ୍ଭର ଯେ ଉଦ୍ଦେଶ୍ୟ ଫିଟୁ, ଇଚ୍ଛା ଅତି ସହଜରେ ସେ ଆଡ଼କୁ ଯିବ । ପ୍ରତିଷ୍ଠିତ ଚରିତ୍ର ପକ୍ଷରେ ସେ କଥା କଷ୍ଟକର ନୁହେଁ । ଇଚ୍ଛାକୁ ଅଧୀନ କରିବା ହିଁ କଷ୍ଟ । ଥରେ ଅଧୀନ କରିବାକୁ ପ୍ରକଟ କରି ନେଲେ, ଚରିତ୍ର ଆସିଲା । ଆଉ ଚିନ୍ତା ନାହିଁ । ନିଜେନିଜେ ପ୍ରାଣରେ ପ୍ରେମ ଓ ବିସ୍ତୀର୍ଣ୍ଣତା ଆସିବ । ଜୀବନ ପୂର୍ଣ୍ଣ ଓ ମହନୀୟ ହେବ । ମାନବତ୍ୱ ତୁମ୍ଭ ଭିତରେ ଫୁଟି ଉଠିବ । ବିଧାତା ତୁମ୍ଭ ପ୍ରତି ବରଦ ହେବେ । ତୁମ୍ଭର ପଶୁତ୍ୱ ଛିନ୍ନ ହେବ  ଜୀବନ ଦେବତ୍ୱରେ ଉଦ୍‌ଭାସିତ ହେବ ।

ଏହି ଚରିତ୍ର ହିଁ ମାନବର ମାନବତ୍ୱ ଓ ମହତ୍ୱ, ନିଜର ନିଜତ୍ୱ ଓ ବ୍ୟକ୍ତିତ୍ୱ । ମାନବ ମଧ୍ୟରେ ଏହା ମହାଶକ୍ତି । ସେ ଚରିତ୍ର ମାନବର ନିଜର । ସେଥିରେ ଅନ୍ୟର ଦାବୀ ବା ଅଧିକାରୀ ନାହିଁ । ତୁମ୍ଭର ଆଚରଣ ଲୋକେ ସମାଲୋଚନା କରନ୍ତି । କିନ୍ତୁ ଚରିତ୍ର ତୁମ୍ଭ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଚରିତ୍ରର ଆଧାର ହେଲା ଇଚ୍ଛା । ତୁମ୍ଭ ଇଚ୍ଛା ତୁମ୍ଭର । ତାହା କେବଳ ତୁମ୍ଭେ ଜାଣ ଆଉ ବିଧାତା ଜାଣନ୍ତି । ସେଥି ପାଇଁ ତୁମ୍ଭେ କେବଳ ତୁମ୍ଭ ପାଖେ ଓ ଈଶ୍ୱରଙ୍କ ପାଖେ ଦାୟୀ । 

ସେ ଇଚ୍ଛାର ସଂଯମ ପାଇଁ ଭଗବାନ ତୁମ୍ଭଙ୍କୁ ବୁଦ୍ଧି ଓ ବଳ ଦେଇଛନ୍ତି । ତୁମ୍ଭେ ଅତିନ୍ଦ୍ରିୟ ଆଗ୍ରହ ଓ ପରିଶ୍ରମରେ ସେ ଇଚ୍ଛା ସଂଯତ କରି ଶିଖିବ । ତୁମ୍ଭେ ଏହା କରି ପାରିବ । ମାତ୍ର ନ କଲେ ଆଉ କେହି କରି ଦେବେ ନାହିଁ । ମନେ ଥିବ ତୁମ୍ଭଙ୍କୁ କେତେ ଥର କହି ଅଛି, ପଢ଼ାରେ ମନ ନ ଲାଗିବା ଚରିତ୍ର ଦୋଷ । କେହି କେହି କହନ୍ତି, ମୋତେ ପ୍ରବୃତ୍ତି ହେଉ ନାହିଁ । ମୁଁ କହେ ସେ ସବୁ ତୁମ୍ଭମାନଙ୍କର ଚରିତ୍ର ଦୋଷ । 

ଜୀବନର ଉଦ୍ଦେଶ୍ୟ ତଥା କର୍ତ୍ତବ୍ୟ ଦୃଷ୍ଟିରେ ଇଚ୍ଛାକୁ ଚଳାଇବା ତୁମ୍ଭ ହାତରେ ଅଛି । ଆମ୍ଭ ଉପଦେଶ ଦେବୁ । ମାତ୍ର, କିନ୍ତୁ ତୁମ୍ଭ ଇଚ୍ଛାର ଚଳାଇ ପାରିବୁ ନାହିଁ । ସେ ଇଚ୍ଛା ତୁମ୍ଭେ ଚଳାଇବ । ନ ଚଳାଇବା ତୁମ୍ଭର ପାପ ହେବ । ବିଧାତାଙ୍କ ରାଜ୍ୟରେ ତୁମ୍ଭେ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ଭ୍ରଷ୍ଟ ହୋଇ ନଷ୍ଟ ହେବ । ତୁମ୍ଭର ମାନବ ଚରିତ୍ର ଫୁଟିବ ନାହିଁ । ତୁମ୍ଭେ କାର୍ଯ୍ୟରେ ଇତର ଜନ୍ତୁଠାରୁ ହୀନ ହେବ । ଅତଏବ ତୁମ୍ଭେ ମାନବ ସନ୍ତାନ । ଚରିତ୍ର, ଅନନ୍ତ ବଳରେ ତୁମ୍ଭର ଅଧିକାର । ସେ ଅଧିକାର ନିଜର କର । ସଂଯତ ଇଚ୍ଛା ଶକ୍ତିରେ ଜୀବନକୁ ମିଶାଇ ଦିଅ । କର୍ତ୍ତବ୍ୟ ବେଳେବେଳେ କଷ୍ଟକର ହେଉଥିବ । ଜୀବନର ଉଦ୍ଦେଶ୍ୟ ବୁଝି, ସେ କଷ୍ଟକୁ ସୁଖ ବିଚାର । ଚରିତ୍ର ଫୁଟିବ, ଆନନ୍ଦ ମିଳିବ । ଜୀବନ ମାନବ ଜୀବନରେ ପରିଣତ ହେବ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ ।  

No comments:

Post a Comment