Monday, October 01, 2018

ଚରିତ୍ରଂ ହି ପରଂ ବଳଂ” - ୧୦

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏତିକିରେ ତୁମ୍ଭ ସଙ୍ଗେ ଆଜିର କଥା ଶେଷ ହୁଅନ୍ତା । କିନ୍ତୁ ଯେଉଁ ମାନ ଲାଗି ମନୁଷ୍ୟ ଏତେ ବଡ଼, ସେହି ମନ ସମ୍ୱନ୍ଧରେ ଦୁଇଟି ଗୋଟିଏ କଥା ଏଠାରେ କହିବି । ସେଥିରେ ତୁମ୍ଭ ଜୀବନର ଉଦ୍ଦେଶ୍ୟ ଓ ଚରିତ୍ରର ନିଗୂଢ଼ କଥା ଅଛି । ତୁମ୍ଭେମାନେ ସମସ୍ତେ ହୁଏତ ଏଠାରେ ତାହା ଭଲ ବୁଝି ପାରିବ ନାହିଁ । ତଥାପି ଶୁଣି ରଖ । ମନ କି ବ୍ୟସ୍ତ ତାହା ବର୍ଣ୍ଣନା କରି ପାରିବା କଠିନ । 

କିନ୍ତୁ ମନୁଷ୍ୟ ଯେତେ ଦୂର ଆଲୋଚନା କରି ପାରେ, ସେଥିରେ ମନ ଭିତରେ ତିନୋଟି ବିଭିନ୍ନ ବିଭାବ ଲକ୍ଷ୍ୟ କରା ଯାଇ ପାରେ । ସେଥି ମଧ୍ୟରୁ ଗୋଟିଏ ଅନୁଭବ, ଅପରଟି ଜ୍ଞାନ, ତୃତୀୟଟି ଇଚ୍ଛା; ଏ ତିନୋଟି ବିଭାବ ମନରେ କେହି କାହାକୁ ଛାଡ଼ି ଏକାକୀ ଦେଖା ଦିଅନ୍ତି ନାହିଁ ।  କିନ୍ତୁ ବେଳେବେଳେ ଗୋଟିଏକର ପ୍ରାଧାନ୍ୟ ଥାଏ । 

ଅନୁଭବରେ ଜ୍ଞାନ ଅଛି ଓ ଇଚ୍ଛା ସେଥିରେ ବାହାରେ । ଜ୍ଞାନରେ ଅନୁଭବ ଅଛି ଏବଂ ଇଚ୍ଛାର ମଧ୍ୟ ସେହିଠାରେ ଉଦ୍ରେକ । ଇଚ୍ଛାରେ ଅନୁଭବ ଓ ଜ୍ଞାନ ରହି ଅଛି । ଅଭାବରୁ ଇଚ୍ଛା  ହୁଏ । ଅଭାବ ଗୋଟିଏ ଅନୁଭବ । ସେ ଅନୁଭବର ଜ୍ଞାନ ହେଲେ ଇଚ୍ଛା ଜାତ ହୁଏ । ଅର୍ଥାତ୍, ଆମ୍ଭେ ଅଭାବ ଦୂର କରିବାକୁ ଯାଉ । ଗୋଟିଏ ପୋକକୁ ଛୁଇଁ ଦେଲେ ସେ ସଙ୍କୁଚିତ ହୁଏ । ପ୍ରଥମେ ତାହାର ସ୍ପର୍ଶ ଅନୁଭବତତ୍‌ପରେ ଅନ୍ୟ ବସ୍ତୁ ସମ୍ପର୍କର ଜ୍ଞାନ ଓ ପରେ ଇଚ୍ଛା ଏବଂ ଫଳରେ ଶରୀର ସଙ୍କୋଚ ରୂପ କ୍ରିୟା । ଇତର ପ୍ରାଣୀମାନଙ୍କ ମଧ୍ୟରେ ଏ ତିନୋଟିର କ୍ରମ ଏହିପରି ଦେଖା ଯାଏ । ମାତ୍ର ବୁଝିବାକୁ ହେବ, ଏ ଚିନୋଟି ମଧ୍ୟରୁ କେବଳ ଇଚ୍ଛାରେ ମନ ସ୍ପଷ୍ଟତଃ କ୍ରିୟାବାନ୍ ଜ୍ଞାନରେ ତାଦୃଶ ନୁହେଁ, ଅନୁଭବରେ ଆଦୌ ନୁହେଁ। 

ଗୋଟିଏ ସୁନ୍ଦର ଘୋର ମହୀୟାନ ବସ୍ତୁ ବା ଦୃଶ୍ୟ ଦେଖିଲେ ମନ ଅନୁଭୂତିରେ ଅଭିଭୂତ ହୁଏ । ସେଠାରେ ମନ କିଛି କାର୍ଯ୍ୟ କରେ ନାହିଁ । ଯେଉଁ ସୌନ୍ଦର୍ଯ୍ୟରେ ମନ ଅଭିଭୂତ ହୁଏ, ସେହି ସୌନ୍ଦର୍ଯ୍ୟ ମନ ଉପରେ ପଡ଼ି ଥାଏ । ମନ ନିର୍ଦ୍ଧିଷ୍ଟ ହୋଇ ସେଥିରେ ବିହ୍ୱଳ ହୁଏ । ତତ୍ପରେ ବସ୍ତୁଟିର ଯେଉଁ ଜ୍ଞାନ ହୁଏ, ସେଥିରେ ମନର କ୍ରିୟା ସାମାନ୍ୟ ମାତ୍ର ଦେଖା ଯାଏ । ମନ ତାହା ଜାଣେ । ପରେ ହୁଏତ ବସ୍ତୁଟିକୁ ପୁନଃ ପୁନଃ ଦେଖିବାକୁ ଇଚ୍ଛା ହୁଏ । ଏହିଠାରେ ମନ ସ୍ପଷ୍ଟତଃ ଓ ସମ୍ପୂର୍ଣ୍ଣ ।

ଏହି ଇଚ୍ଛାର କ୍ରିୟା ହିଁ ମନର ଉନ୍ନତତମ ବିକାଶ ଓ ମହାଶକ୍ତି । ଏହା ହିଁ ଜଗତରେ ଏକମାତ୍ର ଶକ୍ତି । ଏହି ଇଚ୍ଛାରୁ ହିଁ ମାନବର ମାନସ ବିକାଶ ହୁଏ । ଟିକିଏ ଭିତରକୁ ପଶି ଦେଖିଲେ ଦେଖା ଯିବ, ସମସ୍ତ ଜଗତ ମଧ୍ୟ ଗୋଟିଏ ଅନନ୍ତ ଇଚ୍ଛା ଶକ୍ତିର ବିକାଶ । ସେଥି ପାଇଁ ଭଗବାନ ଅନନ୍ତ ଇଚ୍ଛାମୟ ବୋଲି କଥିତ ହୁଅନ୍ତି । ଅନନ୍ତ ସୃଷ୍ଟିର କର୍ମରେ ଚଳୁ ଅଛି । ସୃଷ୍ଟି ଗୋଟିଏ ଅନନ୍ତ କ୍ରିୟା । ଏହା ବିଧାତାଙ୍କ ଇଚ୍ଛା ଅବତାର । ଏହି ଇଚ୍ଛାରୁ ଅନନ୍ତ ଜ୍ଞାନ ଓ ଅନନ୍ତ ଅନୁଭାବର ଉଦ୍‌ଭବ । 

ସୂର୍ଯ୍ୟ କିରଣ ଦେବେ, ଜଗତ ଜାଗିବ, ବର୍ଷା ଆସିବ, ଶସ୍ୟ ହେବ । ବସନ୍ତ ଆସିବ, ଫୁଲ ଫୁଟିବ । ଏହି ଭଳି ସଂସାରର ଯାବତୀୟ କ୍ରିୟା କାହାର ଇଚ୍ଛାରେ ଯେପରି କି ନିତ୍ୟନିୟତ ବର୍ମରେ ଚାଲି ଅଛି । ସୂର୍ଯ୍ୟ ସୃଷ୍ଟିରେ ଭାତି ଉଠିଲା । କାହାର ମଙ୍ଗଳମୟ ଇଚ୍ଛା ଯେପରି କି କାର୍ଯ୍ୟରେ ପ୍ରକାଶିତ ହେଲା । ଏହି ପରି ଅନନ୍ତ ସର୍ଗ ଗୋଟିଏ ଅନନ୍ତ ଇଚ୍ଛାର ସ୍ୱଭାବ ବିକାଶ । ସେ ଇଚ୍ଛା ଯେପରି କି ମହା ଆଦର୍ଶର ନିୟତ ପଥରେ ସର୍ବଦା ଚାଲି ଅଛି । ଜଗତରେ ଯାହା ଅଛି, ଅର୍ଥାତ ଯାହା ସତ୍, ତାହା ସେହି ଇଚ୍ଛା । ସେହି କେବଳ ସୃଷ୍ଟିର ମୂଳାଧାର । ସେହି ବିଧାତା ।

ଅନନ୍ତ ଇଚ୍ଛାର ବିକାଶ ଏହି ସୃଷ୍ଟି ପୁଣି ଜ୍ଞାନମୟ । ସୃଷ୍ଟିରେ ସବୁ ଯେପରି କି ଏକ ଆଦର୍ଶରେ ଚାଲି ଅଛି । ଗ୍ରହମାନେ ଯେଝାବାଟେ ନିୟମରେ ଚାଲନ୍ତି । କେହି କାହାର ସଙ୍ଗେ ବାଜେ ନାହିଁ । ସକାଳ ହେଲେ ସୂର୍ଯ୍ୟ ଯେପରି ଜାଣିଲା ପରି ଆମ୍ଭଙ୍କୁ ଶେଯରୁ ଡ଼ାକି ଉଠାଏ । ଏପରି କି କାଠ ଭିତର ପୋକ ପାଇଁ ମଧ୍ୟ ଖାଇବାକୁ ରଖା ହୋଇ ଥାଏ । ଘାସ ଉପରେ ଯେଉଁ ଝିଣ୍ଟିକାଟି ଅଛି, ଶତୃମାନେ କାଳେ ଜାଣି ତାହାକୁ ଖାଇଯିବେ, ସେଥି ପାଇଁ ତାହାର ରଙ୍ଗ ଘାସ ପରି ଯେପରି କି ଜାଣି କରି କିଏ କରି ଅଛି । ଇତ୍ୟାଦି ଅନନ୍ତ କ୍ରିୟାରେ ଅନନ୍ତ ଉଦ୍ଦେଶ୍ୟର ଅନନ୍ତ ଜ୍ଞାନ ଓ ଅନନ୍ତ ପୁରୋଦୃଷ୍ଟି ପ୍ରକାଶ ପାଉ ଅଛି । ସେହି କ୍ରିୟାମୟ ସତ୍ ପୁଣି ଅନନ୍ତ ଜ୍ଞାନ ବା ଚତ୍ ରୂପରେ ଜଗତରେ ବିଭାସିତ ରହି ଅଛନ୍ତି।

ସେହି ସତ୍ ଚିତ୍‌ର ବିକାଶ ଏହି ସୃଷ୍ଟିରେ ସମସ୍ତେ ନିଜ ନିଜର ମଙ୍ଗଳ ଲାଭ କରୁ ଅଛନ୍ତି । ଫଳରେ ଅନନ୍ତ ଶାନ୍ତି, ଅନନ୍ତ ସାମଞ୍ଜସ୍ୟ ଓ ଅନନ୍ତ ପ୍ରୀତି ସଂସାରରେ ବିରାଜ କରୁ ଅଛି । ସ୍ଥିତିର ପ୍ରେମ ଆନନ୍ଦରେ ଯେପରି କି ଜଗତ୍ ବିହ୍ୱଳ ହୋଇ ସର୍ବଦା ବୁଡ଼ି ରହିଛି । ଏହି ସତ୍‌ଚିଦାନନ୍ଦର ଅନନ୍ତ ବିକାଶରେ ଜଗତର ସ୍ଥିତି । ନିଶ୍ଚଳ, ସବଳ, ଜଡ଼, ଜନ୍ତୁ, ସମସ୍ତେ ଏହି ନିତ୍ୟ ନିୟମରେ ଅଧୀନ । 

ମାତ୍ର ମନେ ରଖ ସେହି ବିଶ୍ୱନିୟମରେ ତୁମ୍ଭର ସ୍ୱତନ୍ତ୍ର ଇଚ୍ଛାର ବିକାଶ । ତୁମ୍ଭ ମନରେ ମଧ୍ୟ ଏହି ବିଶ୍ୱବୀଜ ନିହିତ ଅଛି । ଜନ୍ମ ବେଳୁ ଅନନ୍ତ ପ୍ରବୃତ୍ତିର ଉଦ୍ରେକରେ ତୁମ୍ଭେ ଜୀବନର କ୍ରିୟା-ପରମ୍ପରା ଆରମ୍ଭ କଲ, ହାତ ଗୋଡ଼ ଛାଟିଲ, ଯାହା ଇଚ୍ଛା ତାହା ଖାଇବାକୁ ଧରିବାକୁ ଲାଗିଲ । କ୍ରମେ ଜ୍ଞାନର ବିକାଶ ହେଲା । ତୁମ୍ଭର ଇଚ୍ଛା ତଥା କ୍ରିୟା ଶୃଙ୍ଖଳାରେ ପଡ଼ିଲା । ବିବେଚନା ବଢ଼ିଲା । ତୁମ୍ଭ ଆଗରେ ଜୀବନର ଉଦ୍ଦେଶ୍ୟ ଉନ୍ମୃକ୍ତ ହେଲା । ପୁରୋଦୃଷ୍ଟିରେ ପ୍ରାଣିତ ହୋଇ ତୁମ୍ଭେ ଇଚ୍ଛା ସଂଯତ କଲ । ଚରିତ୍ର ଗଠିତ ହେଲା । 

ଏହି ଚରିତ୍ର ତୁମ୍ଭର ସ୍ଥିର ହେଲେ ତୁମ୍ଭେ ଜୀବନର କର୍ତ୍ତବ୍ୟ ସମାଧାନ କରି ଅନନ୍ତ ଶାନ୍ତି ଓ ଆନନ୍ଦ ପାଇବ । ତୁମ୍ଭର ଇଚ୍ଛା, ଜ୍ଞାନ ଓ କର୍ମ ଏକ ହୋଇ ଯିବ । ତୁମ୍ଭେ ଜୀବନର ଆନନ୍ଦରେ ବିହ୍ୱଳ ହେବ । ଏକ କଥାରେ କହିଲେ, ତୁମ୍ଭେ ସଚ୍ଚିଦାନମୟ ହେବ । ତୁମ୍ଭେ ମନୁଷ୍ୟ, ଏ ଅଧିକାର ତୁମ୍ଭର ଅଛି । ଚରିତ୍ର ଗଠନରେ ହିଁ ତୁମ୍ଭେ ଏ ଅଧିକାର ନିଜର କରିବ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

No comments:

Post a Comment