ଶ୍ରମ ଓ ଶିକ୍ଷା - ୨
ଗୋପବନ୍ଧୁ ଦାସ
୧୯୧୫ରେ ଆମେରିକାର ଏକ କଲେଜରେ କାଠ କାମ ଶିକ୍ଷା (ୱିକିମିଡିଆ କମନ୍ସ୍) |
ଆମେରିକାରେ
ଶୁଣାଯାଏ, ଛାତ୍ରମାନେ ପରିଶ୍ରମ
କରି ଆପଣାର ଜୀବିକା ଓ ଶିକ୍ଷା
ବ୍ୟୟ ଅର୍ଜନ କରିଥା'ନ୍ତି । ତେବେ
ଏହା ଯେ କେତେ ଦୂର ସେ ଦେଶରେ
ବ୍ୟାପିଛି ଏବଂ ଛାତ୍ରମାନେ କିପରି
ଏହାକୁ ଗ୍ରହଣ କରୁଛନ୍ତି, ତାହା
କୁହା ଯାଇ ନ ପାରେ । ଭାରତରେ ଏ
ବ୍ୟବସ୍ଥାର ପ୍ରବର୍ତ୍ତନ ଯେ ଏକାନ୍ତ
ଆବଶ୍ୟକ, ତାହା ସମସ୍ତେ ସ୍ୱୀକାର
କରିବେ । ଭାରତର ଅବସ୍ଥା ଏହା
ଲୋଡୁଛି ।
ଭାରତ
ମଧ୍ୟରେ ଯେବେ କୌଣସି ଠାରେ ସର୍ବାଗ୍ରେ
ଏହା କାର୍ଯ୍ୟରେ ପରିଣତ ହେବା
ଦରକାର, ତାହା ଓଡ଼ିଶାରେ । ଅର୍ଥାଭାବରେ
ଆଜି କେତେ ଛାତ୍ର ପଢ଼ିବାର ସୁଯୋଗ
ନ ପାଇ ପଲ୍ଲୀର ଜଡ଼ତା ଅନ୍ଧାକାରରେ
ସଢ଼ୁ ଅଛନ୍ତି । କେତେ
ଅନ୍ୟର ସାହାଯ୍ୟ ଲୋଡ଼ିବାରେ
ମ୍ରିୟମାଣ ହେଉଛନ୍ତି । କେତେ ବହୁ
କଷ୍ଟରେ ଖଣ୍ତେ ଦୂର ଯାଇ ଥକି
ପଡ଼ୁଛନ୍ତି । ସର୍ବଦା ଚିନ୍ତା
ଉଦ୍ବେଗ ଓ ଅଭାବର ତାଡ଼ନାରେ
ସେମାନେ ଦବି ଯାଉଛନ୍ତି । ହୃଦୟଗତ
ଭାବର ବିକାଶ ହେଉ ନାହିଁ, ପ୍ରାଣର
ସ୍ଫୂର୍ତ୍ତି ହେଉ ନାହିଁ । ଏଭଳି
ଅବସ୍ଥାରେ କିଛି ପାଠ ପଢ଼ି, କେବଳ
ଶ୍ୱାନଜୀବିକା ଚାକିରୀରେ ପେଟ
ପୋଷିବା ଅପେକ୍ଷା, ପାଠ ନ ପଢି
ବିଲରେ କୋଡ଼ି ହାଣି ବଞ୍ଚିବା
ଶତଗୁଣ ଶ୍ରେୟସ୍କର ।
ଅବଶ୍ୟ
ଶ୍ରମ ଓ ଶିକ୍ଷାର ସଂଯୋଗ ବଡ଼
ସହଜ କଥା ନୁହେଁ । ବର୍ତ୍ତମାନ
ଶିକ୍ଷା ବିଧାନରେ ଏହା କେତେ ଦୂର
ସମ୍ଭବ ବା ସୁସାଧ୍ୟ, ସହଜରେ କହି
ହେଉ ନାହିଁ । ପଟାଭେଲ
ସାହେବ ଏ ବିଷୟରେ ସେତେ ଦୂର
କୃତକାର୍ଯ୍ୟ ହୋଇ ନାହାନ୍ତି । ଏଥି ମଧ୍ୟରେ ଭାରତର କୌଣସି ସ୍ଥାନରେ
ଶିକ୍ଷା ଓ ଶ୍ରମର ସମ୍ମିଳନ ଲାଗି
ଚେଷ୍ଟା ଉଦ୍ୟମ କରା ହୋଇ ଥିଲା ।
ଚାଷ, ବଗିଚାକାମ, ଲୁଗା ଓ ସତରଞ୍ଜିବୁଣା, ବଢେଇ କାମ, ଆଦି ପିଲାମାନେ କରି ତାଙ୍କୁ ପଇସା
ମିଳୁ ଥିଲା । ଏପରି କି ରେଳଷ୍ଟେସନରୁ
ଯାତ୍ରୀମାନଙ୍କର ବୋଝ ବୋହିବାରେ ସେମାନେ କୁଣ୍ଠିତ
ହେଉ ନ ଥିଲେ । ଦୁଃଖର କଥା, ଏ ପରୀକ୍ଷାରେ
ଅଧିକ ଦୂର ଅଗ୍ରସର ହେବା ଲାଗି
ସମୟ ଓ ସୁବିଧା ମିଳିଲା ନାହିଁ ।
କୌଣସି
ନୂତନ ବିଷୟର ପରୀକ୍ଷା କରିବାକୁ
ହେଲେ, ସେଥିରେ ବହୁ ଅର୍ଥ ନଷ୍ଟ
କରିବାକୁ ହେବ । ପ୍ରଥମେ କୃତକାର୍ଯ୍ୟ
ହେଲେ ସୁଦ୍ଧା, ପଛଘୁଞ୍ଚା ଦେବାକୁ
ହେବ ନାହିଁ । ଏତକ ଦମ୍ଭ ଧୈର୍ଯ୍ୟ
ସାହସ ନ ଥିଲେ ନୂତନ ବିଷୟକ ପରୀକ୍ଷାରେ
ପ୍ରବର୍ତ୍ତନ ବୃଥା । ସତ୍ୟବାଦୀ
ବିଦ୍ୟାଳୟ ସରକାରୀ ବିଶ୍ୱବିଦ୍ୟାଳୟ
ସମ୍ପର୍କରେ ନ ଆସି ବରାବର ପୂର୍ଣ୍ଣ
ଜାତୀୟ ବିଦ୍ୟାଳୟ ହୋଇ ରହିଥିଲେ, ଏ ପରୀକ୍ଷା ଲାଗି ବୋଧ ହୁଏ ଆଉ
ଟିକିଏ ସୁବିଧା ଓ ସୁଯୋଗ ମିଳି ଥାଆନ୍ତା ।
(ସମାଜ,
ତା
୨୯-୧-୧୯୨୭)
No comments:
Post a Comment