Thursday, October 18, 2018

ଶ୍ରମ ଓ ଶିକ୍ଷା - ୩

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବର୍ତ୍ତମାନ ସମୟର ଶିକ୍ଷା ବିଧାନରେ ଶ୍ରମ ଓ ଶିକ୍ଷାର ସଂଯୋଗ ଲାଗି ତେତେ ସୁବିଧା ନାହିଁ । ବିଶ୍ୱବିଦ୍ୟାଳ ପରୀକ୍ଷାରେ ପାସ ହେଲା ମୁଖ୍ୟ ଲକ୍ଷ୍ୟ । ବିଶ୍ୱବିଦ୍ୟାଳୟ ପୁଣି ଏତେ ବିଷୟରେ ପାଠ୍ୟ ପୁସ୍ତକ ନିରୂପଣ କରିଛନ୍ତି, ବିଶେଷ ଭାଗ ଶିକ୍ଷା ଦିଆ ଯାଇଛି ବିଦେଶୀ ଭାଷାରେ । ତେଣୁ, ପାଠକୁ ଆୟତ୍ତ କରିବାରେ ଛାତ୍ରର ଅଧିକାଂଶ ସମୟ ଯାଉଛି । ଛାତ୍ରର ମତିଗତି ବୁଝି ପାଠ ନିରୂପଣ କରିବା ଶିକ୍ଷକଙ୍କ କ୍ଷମତାରେ ନାହିଁ । ନିରୂପିତ ପାଠକୁ ପ୍ରତ୍ୟେକ ଛାତ୍ରଙ୍କୁ ପଢ଼ିବାକୁ ହେବ ।

ଏହି ସବୁ କାରଣରୁ ବର୍ତ୍ତମାନ ସମୟରେ ଆମ ଦେଶ ଛାତ୍ରଙ୍କର ବହୁ ସମୟ ଯାଉଛି ଏବଂ ଶକ୍ତିକ୍ଷୟ ହେଉଛି । ଶ୍ରମ କରିବାକୁ ସେମାନଙ୍କର ବେଳ ନାହିଁ କି ମନ ବଳୁ ନାହିଁ । ସର୍ବାପେକ୍ଷା ଅଧିକ ଅନ୍ତରାୟ ଯେ ଏବେ ଛାତ୍ର ଜୀବନରେ ପୂର୍ବ ବ୍ରହ୍ମଚାର୍ଯ୍ୟର ତେଜସ୍ୱିତା ନାହିଁ । ସେ ଧୈର୍ଯ୍ୟ, ସହିଷ୍ଣୁତା, ନିରଭିମାନ, ସେବା, ବିନୟ ଓ ଆଜ୍ଞାନୁବର୍ତ୍ତିତା ନାହିଁ । ସ୍କୁଲ କଲେଜର ଅଧିକାଂଶ ଯୁବକଙ୍କୁ ବିଳାସିତା, ଶୈଥିଲ୍ୟ, ଆଳସ୍ୟ ଓ ଅହଙ୍କାର ଗ୍ରାସ କରିଛି ।

ଶିକ୍ଷା ଓ ଶ୍ରମର ସଂଯୋଗ ଉଦ୍ୟମକୁ କୃତକାର୍ଯ୍ୟ କରିବାକୁ ହେଲେ, ବର୍ତ୍ତମାନ ପ୍ରଣାଳୀ ଓ ପଦ୍ଧତି ବଦଳାଇବାକୁ ହେବ । ପରେ ବିଷୟ, ସମୟ, ସ୍ଥାନ ଓ ପରିସର ବଦଳାଇବାକୁ ହେବ । ସେପରି ବିଶ୍ୱାସୀ ନିଷ୍ଠାପର ଶିକ୍ଷିକ ମଧ୍ୟ ଲୋଡ଼ା, ଯାହାଙ୍କ ପ୍ରଭାବରେ ସ୍କୁଲମାନ ପବିତ୍ର ପ୍ରେମମୟ ଗୁରୁଗୃହରେ ପରିଣତ ହେବ । ଏହା ହିଁ ଯଥାର୍ଥରେ ଆମ୍ଭମାନଙ୍କର ଜାତୀୟ ବିଦ୍ୟାଳୟ । ଜାତୀୟ ବିଦ୍ୟାଳୟରେ କେବଳ ବହି ପଢ଼ିବାକୁ ହେବ ନାହିଁ । ତହିଁ ସଙ୍ଗେ ସଙ୍ଗେ ହାତ, ଗୋଡ, ଆଖି, ନାକ, କାନ, ଆଦିର ଚାଳନା କରିବାକୁ ହେବ । ମନୁଷ୍ୟ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟର ଶକ୍ତିକୁ କାର୍ଯ୍ୟରେ ଲଗାଇବା ଲାଗି ପ୍ରସ୍ତୁତ ହେବ । ଏହା ହେଲେ ସେ ଅଭୁତ ସାଧନ କରି ପାରେ ।

ଜୀବିକା ଲାଗି ମହାତ୍ମା ଗାନ୍ଧି ଏତେ ଜୋରରେ କହୁଛନ୍ତି, ଏହା ହିଁ ତାହାର ଉଦ୍ଦେଶ୍ୟ । ସୂତାକଟା ସଙ୍ଗେ କପାଚାଷ, ଅରଟ ତିଆରି, ତୁଳାଭିଣା, ଲୁଗାବୁଣା, ରଙ୍ଗ ତିଆରି, ଆଦି ଚଷା, ବଢ଼େଇ, କମାର, ରଙ୍ଗଣୀ, ତନ୍ତି, ପ୍ରଭୃତି ଭିନ୍ନଭିନ୍ନ ଜାତିର ବ୍ୟବସାୟର ସମ୍ପର୍କ ରହି ଅଛି । ତୁଳାଭିଣା, ସୂତାକଟା, ଏ ସବୁ କାର୍ଯ୍ୟର ଉପଲକ୍ଷଣ ମାତ୍ର । ଫଳ କଥା, ପୁସ୍ତକଗତ ଶିକ୍ଷା ସଙ୍ଗେ, କର୍ମଶିକ୍ଷାର ଅର୍ଜନ ଜାତୀୟ ବିଦ୍ୟାଳୟର ପ୍ରଧାନ ଉଦ୍ଦେଶ୍ୟ । ସତ୍ୟବାଦୀ ପୁଣି ଜାତୀୟ ବିଦ୍ୟାଳୟ ଭାବେ ଆରମ୍ଭ ହୋଇ ଅଛି । ପୂର୍ବେ ଏ ବିଷୟରେ ସେଠାରେ ଯେ ପରୀକ୍ଷା ହୋଇ ଥିଲା, ଆଜି ମଧ୍ୟ ସେ ପରୀକ୍ଷା ଲାଗି ପୂର୍ବର ଯଥେଷ୍ଟ ଉପାଦାନ ଥିବ । ପୂର୍ବର ସଂସ୍କାର ଓ ସୁନାମ ମଧ୍ୟ ଅଛି ।

ତେଣୁ ବୋଲିବା ବାହୁଲ୍ୟ, ଓଡିଶାରେ ପଟାଭେଲଙ୍କ ପରୀକ୍ଷା ଲାଗି ସତ୍ୟବାଦୀ ପ୍ରଶସ୍ତ କ୍ଷେତ୍ର । ଦେଶର ବର୍ତ୍ତମାନ ଅବସ୍ଥା ଦୃଷ୍ଟିରେ ପଟାଭେଲଙ୍କ ପ୍ରସ୍ତାବ ଓ ପରାମର୍ଶମାନ କାର୍ଯ୍ୟରେ ଲଗାଇବା କେତେ ଦୂର ଆବଶ୍ୟକ, ଓଡିଶାର ଛାତ୍ରସମାଜ ପକ୍ଷେ ଏହା ଗୁରୁତର ବିବେଚନାର ବିଷୟ । ଅନ୍ତତଃ କେତେଜଣ ପ୍ରୟୋଜନୀୟ ନିଷ୍ଠା ଓ ହୃଦୟର ବିଶ୍ୱାସ ଧରି ଏ ପରୀକ୍ଷାରେ ପ୍ରବୃତ୍ତ ନ ହୋଇ ପାରିଲେ, ସମ୍ମିଳନୀର ଉଦ୍ୟମ ବୃଥା, ପଟାଭେଲଙ୍କ ସଭାପତି ହେବା ଅକାରଣ । ଯେଉଁମାନେ ଅଗ୍ରସର ହେବେ, ସତ୍ୟବାଦୀର ଜାତୀୟ ବିଦ୍ୟାଳୟ ଯେ ସେମାନଙ୍କ ନିମନ୍ତେ ଉପଯୁକ୍ତ କ୍ଷେତ୍ର ହେବ, ଏଥିରେ ସନ୍ଦେହ ନାହିଁ ।

(ସମାଜ, ତା ୨୯--୧୯୨୭)

No comments:

Post a Comment