Saturday, October 13, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ସ୍ୱାଧୀନତା ଓ ସ୍ୱାବଲମ୍ୱନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଗିଜୁଭାଇଙ୍କର ଏକ ବହିର ମଲାଟ (ୱିକିମିଡିଆ କମନ୍ସ୍)


ଗିଜୁଭାଇଙ୍କର ଶିକ୍ଷା ଦର୍ଶନରେ ଦ୍ୱିତୀୟ ମୁଖ୍ୟ ବିନ୍ଦୁ ହେଲା ସ୍ୱାଧୀନତା । ପିଲାଟିଏ ଜନ୍ମ ନେବା ପରଠାରୁ ସ୍ୱାଧୀନ ଭାବରେ ତାହାର କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ । ପିଲାଙ୍କର ବସିବା, ଚାଲିବା, କଥା କହିବା, ପଢ଼ିବା, ଲେଖି ଶିଖିବା ଓ ଅନ୍ୟକୁ ଶିଖାଇବା ଆଦି ସବୁ କାର୍ଯ୍ୟରେ ସେମାନଙ୍କର ସ୍ୱାଧୀନ ଇଚ୍ଛା ନିହିତ ଥାଏ ।

ଆମେ ବଡ଼ମାନେ କିନ୍ତୁ ପ୍ରାୟ ସବୁବେଳେ ପିଲାଙ୍କର ସ୍ୱାଧୀନତାକୁ ଏଡାଇ ଯାଇ ଥାଉ । ପିଲାଟିଏ ହାତରେ ଖାଇବାକୁ ଇଚ୍ଛା କଲା ବେଳେ ଆମେ ତାକୁ ବାଧ୍ୟ କରି ଖୁଆଇ ଦେଉ । ନିଜ ଇଚ୍ଛାରେ ପାଣି ପିଇବାକୁ ଚାହୁଁ ଥିଲା ବେଳେ, ଆମେ ତାହାର ହାତ ନ ପାଇବା ଭଳି ଜାଗାରେ ପାଣି ରଖି ଥାଉ । ନିଜ ପସନ୍ଦରେ ସେ ପୋଷାକ ପିନ୍ଧୁ (ବା ଫୁଙ୍ଗୁଳା ଦେହରେ ବୁଲୁ) ଏ ସୁଯୋଗ ଆମେ ତାକୁ ଦେଇ ନ ଥାଉ ।

ଗିଜୁଭାଇ କହୁ ଥିଲେ, ପିଲାମାନଙ୍କୁ ସେମାନେ ନିଜେ ନିଜେ ସବୁ କରିବାକୁ ସୁଯୋଗ ଦେବା ଉଚିତ । ଚାଲିବା, ଦୌଡ଼ିବା, ସିଡ଼ି ଚଢ଼ିବା, ଗାଧୋଇବା, ପିନ୍ଧିବା, ସତ କହିବା, ସ୍ପଷ୍ଟ ଭାବରେ ନିଜକୁ ପ୍ରକାଶ କରିବା, ଆଦି ସବୁଥିରେ ଆମେ କେବଳ ସେମାନଙ୍କର ସହାୟକ ହେବା ଉଚିତ । ସେମାନେ ଯେପରି ତାଙ୍କ ଆବଶ୍ୟକତା ପୂରଣ କରି ପାରିବେ ଏବଂ ନିଜର ଇଚ୍ଛା ପୂରଣ ହେଉ ଥିବାରୁ ଖୁସି ହେବେ । ସେତିକି ଯାଏଁ ଆମେ ତାଙ୍କୁ ସାହାଯ୍ୟ କରିବା । ଆଉ ଏହାକୁ ହିଁ ପ୍ରକୃତ ସ୍ୱାଧୀନତା କୁହାଯିବ । ସେଥି ପାଇଁ ଯେଉଁ ଶିକ୍ଷା ସ୍ୱାଧୀନ ଭାବରେ ଆଗେଇବା ପାଇଁ ପିଲାକୁ ସାହାଯ୍ୟ କରେ, ତାକୁ ପ୍ରାଣଗତ ଶିକ୍ଷା କୁହାଯାଏ ।

ସ୍ୱାଧୀନତା ଦେବା ବହୁତ ଭଲ କଥା । କିନ୍ତୁ ଏଥିରେ ଅସୁବିଧା ବି ରହିଛି । ପିଲାଙ୍କୁ ତାଙ୍କ ନିଜ କାମ କରିବାକୁ ଶିଖାଇବା ବହୁତ କଷ୍ଟକର, କିନ୍ତୁ ଉପଯୋଗୀ । ଏଥି ପାଇଁ ବହୁତ ଧୈର୍ଯ୍ୟ ଦରକାର । ଗିଜୁଭାଇଙ୍କ ମତରେ ଆବଶ୍ୟକତା ନ ଥାଇ ସାହାଯ୍ୟ କଲେ ତାହା ପିଲାର ସ୍ୱାଭାବିକ ବିକାଶରେ ବାଧା ପହଞ୍ଚାଏ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment