Tuesday, October 02, 2018

ଚରିତ୍ରଂ ହି ପରଂ ବଳଂ” - ୧୧


ଗୋପବନ୍ଧୁ ଦାସ

ସପ୍ତମ ଦିବସକୁ ଆଶୀର୍ବାଦରତ ଈଶ୍ୱରଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)
ଚିତ୍ରକର - ୱିଲିଅମ ବ୍ଲେକ୍ (୧୭୫୭-୧୮୨୭)


ଅନନ୍ତ ବିଶ୍ୱ ଇଚ୍ଛାମୟଙ୍କର ଅନନ୍ତ ଲୀଳା । ଏହା ପ୍ରେମପୂର୍ଣ୍ଣ । ସେହି ପ୍ରେମରୁ ତିଳେ ଲଭି ମାନବର ଆତ୍ମା ଜୀବିତ । ମାନବ ସେ ପ୍ରେମ ବିଶ୍ୱରେ ଦେଖେ ଏବଂ ଅନୁକରଣ କରେ । ସେଥିରେ ହିଁ ସମାଜ, ଜାତି, ପରିବାର ପ୍ରଭୃତିରେ ସେ ଆତ୍ମାକୁ ବିସ୍ତୀର୍ଣ୍ଣ ଦେଖେ । ବିଧାତାଙ୍କର ଅନନ୍ତ କରୁଣା ଅନୁକରଣ କରି ସେ ଜୀବନରେ ଦୟା କରେ । 

ତୁମ୍ଭେ ବଡ଼ ହେଲେ ବୁଝିବ, ବର୍ତ୍ତମାନ ହୁଏତ ଜାଣିଥିବ, ତୁମ୍ଭେ ଭଲ ମନୁଷ୍ୟ ହୋଇ ସମାଜ ଓ ଜାତିରେ ନିଜର କ୍ରିୟା ସ୍ଥିର କଲ। ପରେ ମଧ୍ୟ ଅନୁଭବ କରିବ, ତଥାପି କି ଏକ ଅଭାବ ଯେପରି ପ୍ରାଣରେ ରହିଗଲା । ସେହି ଅଭାବର ଜ୍ଞାନ ମାନବ ପ୍ରାଣରେ ନିତ୍ୟ ଏବଂ ସେହି ସୂତ୍ରରେ ସେ ଦେବତା ହେବାକୁ ପାଏ । ବିଶ୍ୱତନ୍ତ୍ରରେ ମିଶି ଯିବାକୁ ଆକାଂକ୍ଷା ରଖେ ।

ଆପାତ ପ୍ରବୃତ୍ତି ଚରିତାର୍ଥ କରି ସେ ଯେଉଁ ସୁଖ ପାଏ, ଚରିତ୍ର ଗଠିତ ହୋଇ ଉଠିଲେ ସେ ସେଥିରେ ଆଉ ପ୍ରୀତି ପାଏ ନାହିଁ । ସେ ବୋଧ କରେ, ଯେପରି କି ଏକ ଅଭୁତ ଶାନ୍ତି ଓ ଦିବ୍ୟ ଆନନ୍ଦର ଅପେକ୍ଷାରେ ତାହାର ଆତ୍ମା ଉନ୍ମୃକ୍ତ ରହି ଅଛି । ପ୍ରାଣ ଫେଡ଼ି ଦେଖି ପାରିଲେ, ସମସ୍ତେ ବୁଝିବେ ସତ୍ୟ କହିବା, ସତ୍ କାର୍ଯ୍ୟ କରିବା, ପର ପାଇଁ ପ୍ରାଣ ଦେବା, ଜୀବନକୁ ଉପଯୋଗୀ କରିବା, ପ୍ରଭୃତି, ସବୁଥିରେ ମାନବର ସେହି ଅନନ୍ତ ଶାଶ୍ୱତ ଶାନ୍ତି ଓ ଆନନ୍ଦ ଲାଭର ଉଦ୍ୟମ । 

ଆତ୍ମା ସର୍ବଦା ସେ ଶାନ୍ତିର ଆରାମ ଲୋଡ଼ୁ ଅଛି । ସେହି ଆନନ୍ଦ ପାଇଲେ ବୋଲି କର୍ମ କରୁଅଛି । ଅନନ୍ତ ବିଚିତ୍ର ବିଶ୍ୱରେ ବିଧାତାଙ୍କୁ ଦେଖି ବିଧାତାଙ୍କ ସଙ୍ଗେ ଏକ ହୋଇ ଯିବାକୁ ଯେପରି କି ବିଚାରୁଛି । ସେହି ଶାନ୍ତି, ସେହି ଆନନ୍ଦ ପାଇବା ପାଇଁ ଯୋଗୀମାନେ ଚିରତପସ୍ୟା କରନ୍ତି । ସେଥିପାଇଁ ମନୁଷ୍ୟ ଭଲ ମନୁଷ୍ୟ ହୁଏ । ଶେଷରେ ସେହି ଭଲ ମନୁଷ୍ୟତା ହିଁ ଜୀବନର ଉଦ୍ଦେଶ୍ୟ ତାହାରି ନାମ ମୁକ୍ତି । ତାହା ହିଁ ପ୍ରତ୍ୟେକ ମାନବର ଚରମ ଲକ୍ଷ୍ୟ । ଏ ଉଦ୍ଦେଶ୍ୟ ଥରେ ହସ୍ତଗତ ହେଲେ, ଏ ଚରିତ୍ର ଥରେ ସ୍ଥିର ହେଲେ, ଇଚ୍ଛା ଆଉ ଅନ୍ୟ ଦିଗରେ ଯାଏ ନାହିଁ । ମାନବ ନିର୍ବିକଳ୍ପରେ କର୍ମ କରିଯାଏ, ଫଳାଫଳ କଥା ଭାବେ ନାହିଁ । ସେତିକି ବେଳେ ସେ ହୃଦୟ ଖୋଲି କହି ପାରେ ।

ତ୍ୱୟା ହୃଷୀକେଶ ହୃଦିସ୍ଥିତେନ
ଯଥା ନିୟୁକ୍ତୋସ୍ମି ତଥା କରୋମି।”
ଅର୍ଥାତ୍ 
"ହେ ଅନ୍ତଯାର୍ମୀ ବିଧାତା ତୁମ୍ଭେ ମୋର ଜୀବନର ଉଦ୍ଦେଶ୍ୟ ଓ ଆଦର୍ଶ । 
ତୁମ୍ଭେ ଯାହା କରାଉଛ, ମୁଁ ତାହା ହିଁ କରୁ ଅଛି ।"

ବାସ୍ତବିକ ଏ ଆଦର୍ଶ ଜୀବନରେ ଥରେ ସ୍ଥିର ହେଲେ ସତ୍ୟ ବୋଲ, ସତ୍‌କାର୍ଯ୍ୟ ବୋଲ, ଦୟା ବୋଲ, ମୈତ୍ରୀ ବୋଲ, ସବୁ ନିଜେ ନିଜ ଚରିତ୍ରର ଅଙ୍ଗ ହୋଇ ଯିବ । ଆଉ ଆୟାସ ନାହିଁ, ସମସ୍ତ ଆୟାସ ଆନନ୍ଦରେ ସ୍ଥିର ହେବ । ପ୍ରାଣରେ ଅନନ୍ତ ବିଭୁପ୍ରେମ ବିକଶିତ ହେବ ଓ ମାନବ ସଚ୍ଚିଦାନନ୍ଦର ପୁଣ୍ୟ ଅନୁଭବରେ ବିହ୍ୱଳ ହେବ । ମନେ ରଖ, ଚରିତ୍ର ହିଁ ଏ ସମସ୍ତର ପୀଠ । ତେଣୁ ଚରିତ୍ର ହିଁ ମାନବର ସର୍ବସ୍ୱ, ମାନବର ମାନବତ୍ୱ ଓ ଦେବତ୍ୱ । ଏହି ଚରିତ୍ର ହିଁ ମାନବର ସମ୍ୱଳ ଓ ପରମ ବଳ ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପାଯାଇଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ ।

No comments:

Post a Comment