Monday, October 22, 2018


ମୌର୍ଯ୍ୟବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ

 କେଦାରନାଥ ମହାପାତ୍ର


ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଏକ ଆଧୁନିକ ପ୍ରତିମୂର୍ତ୍ତି (ୱିକିମିଡିଆ କମନ୍ସ୍)

ନନ୍ଦବଂଶର ଶେଷ ରାଜାଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମଗଧର ସିଂହାସନରେ ଆରୋହଣ କରି ଥିଲେ । କେତେକଙ୍କ ମତରେ ସେ ନନ୍ଦରାଜାଙ୍କର ରକ୍ଷିତା ‘ମୁରା’ ନାମ୍ନୀ ସ୍ତ୍ରୀଙ୍କର ପୁତ୍ର ଥିବାରୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ମୌର୍ଯ୍ୟବଂଶ । କିନ୍ତୁ ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ ପିପ୍ପଳବନ ନାମକ ସ୍ଥାନରେ ମୌର୍ଯ୍ୟ ନାମକ କ୍ଷତ୍ରିୟକୁଳ ବାସ କରୁଥିଲେ । ଚନ୍ଦ୍ରଗୁପ୍ତ ସେହି ବଂଶର ପ୍ରଥମ କ୍ଷମତାଶାଳୀ ରାଜା ଥିବାରୁ ଏହି ବଂଶର ନାମ ମୌର୍ଯ୍ୟବଂଶ ହେଲା ।

ନନ୍ଦବଂଶର ଅତ୍ୟାଚାରରେ ଲୋକମାନେ ବଡ ଅସନ୍ତୁଷ୍ଟ ହେଉ ଥିଲେ । ନନ୍ଦରାଜା ତକ୍ଷଶିଳାର ଚାଣକ୍ୟ ବା କୌଟିଲ୍ୟ ନାମକ ଜଣେ ବ୍ରାହ୍ମଣ ପଣ୍ଡିତଙ୍କୁ ଅପମାନ ଦେଇ ଥିଲେ । ଚାଣକ୍ୟ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ସେ ନନ୍ଦରାଜାଙ୍କ ଅପମାନର ପ୍ରତିଶୋଧ ନେବାପାଇଁ ଅଟଳ ପ୍ରତିଜ୍ଞା କରିଥିଲେ । ସେ ଚନ୍ଦ୍ରଗୁପ୍ତଙ୍କୁ ସାହାଯ୍ୟ ଦେଇ ନନ୍ଦବଂଶର ଧ୍ୱଂସ ସାଧନ କରି ଥିଲେ । ନନ୍ଦରାଜାଙ୍କୁ ମାରି ଚନ୍ଦ୍ରଗୁପ୍ତ ଖ୍ରୀ: ପୂ ୩୨୨ରେ ମଗଧର ସମ୍ରାଟ ହେଲେ । ଆଲେକଜାଣ୍ଡରଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଗୁପ୍ତ କେତେକ ପାହାଡ଼ିଆ ଜାତିଙ୍କ ସାହାଯ୍ୟରେ ଗ୍ରୀକ୍‌ମାନଙ୍କୁ ପଞ୍ଜାବରୁ ତଡ଼ି ଦେଇ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରି ଥିଲେ ।

ଆଲେକଜାଣ୍ଡରଙ୍କ ମୃତ୍ୟୁ ପରେ ତାଙ୍କର ସେନାପତି ସେଲିଉକସ୍ ପୁନର୍ବାର ପଞ୍ଜାବ ଜୟ କରିବା ପାଇଁ ଚେଷ୍ଟା କରି ଥିଲେ । କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରି ଥିଲେ । ଗ୍ରୀକ୍ ସେନାପତି ବାଧ୍ୟ ହୋଇ ସନ୍ଧି କରି ଥିଲେ । ଏହି ସନ୍ଧି ଫଳରେ ସେ ତାଙ୍କ ରାଜ୍ୟର ଚାରୋଟି ପ୍ରଦେଶ, ଅର୍ଥାତ୍ ଆଧୁନିକ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ଚନ୍ଦ୍ରଗୁପ୍ତଙ୍କ ଛାଡ଼ି ଦେଇ ଥିଲେ । ସେ ନିଜ କନ୍ୟାଙ୍କୁ ଚନ୍ଦ୍ରଗୁପ୍ତଙ୍କ ସହିତ ବିବାହ କରାଇ ଥିଲେ ଓ ମେଗାସ୍ଥନିସ୍ ନାମକ ଗ୍ରୀକ୍ ଦୂତଙ୍କୁ ତାଙ୍କ ସଭାକୁ ପଠାଇ ଥିଲେ । ଗ୍ରୀକ୍ ଦୂତ ମୌର୍ଯ୍ୟ ରାଜସଭାରେ ବହୁ ଦିନ ରହି ଥିଲେ । ଚନ୍ଦ୍ରଗୁପ୍ତ ଗ୍ରୀକ୍‌ମାନଙ୍କ ହସ୍ତରୁ ଭାରତକୁ ରକ୍ଷା କରି ଥିଲେ ଓ ସର୍ବପ୍ରଥମେ ଭାରତରେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ଥିଲେ ।

ସମଗ୍ର ଉତ୍ତର ଭାରତ ଓ ସୌରାଷ୍ଟ୍ର (କାଠିଆବାଡ଼) ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ମହୀଶୂର ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ବିସ୍ତୃତ ଥିବାର କେତେକ କିମ୍ୱଦନ୍ତୀରୁ ଜଣା ଯାଏ । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ନୃପତି ଏପରି ବିଶାଳରାଜ୍ୟ ଶାସନ କରୁ ଥିବାର ଜଣା ଯାଏ ନାହିଁ । କିନ୍ତୁ ତାଙ୍କ ସମୟରେ ଆମ୍ଭ ଓଡିଶା ଦେଶ ସ୍ୱାଧୀନ ଥିଲା । ଚାଣକ୍ୟ ତାଙ୍କର ମନ୍ତ୍ରୀ ଥିଲେ । ସେ ଅର୍ଥଶାସ୍ତ୍ର ନାମକ ବିରାଟ ଗ୍ରନ୍ଥରେ ରାଜନୀତି ସମ୍ୱନ୍ଧରେ ଅନେକ କଥା ଲେଖି ଅଛନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।


No comments:

Post a Comment