Friday, September 07, 2018


ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୧'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ସ୍ପେନ ଦେଶର ସ୍ଥାପତ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଗାନ୍ଧୀଜୀଙ୍କର ଏହି ଭାଷଣକୁ ଏକ ବକ୍ତୃତା ପରିବର୍ତ୍ତେ ହୃଦୟଗ୍ରାହୀ କଥୋପକଥନ ବୋଲି କୁହା ଯାଇ ପାରେ । ଛାତ୍ରମାନଙ୍କ ଉପରନ୍ତୁ ସାଧାରଣ ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ଜନସାଧାରଣ ଗାନ୍ଧୀଜୀଙ୍କ ପୂର୍ଣ୍ଣ ବିଶ୍ୱାସ-ଭାଜନ ହୋଇ ପାରି ଥିଲେ । କାରଣ ,ସେମାନେ ଯେ କେବଳ ଗାନ୍ଧୀଜୀଙ୍କର ବକ୍ତୃତା ଶୁଣୁଥିଲେ, ତାହା ନୁହେଁ, ହୃଦୟର ସେହି ନୀରବ ଭାଷା ବୁଝୁ ଥିଲେ । ତାଙ୍କର ସେହି କଥୋପକଥନ ନାନା ବୈଚତ୍ର୍ୟହୃଦୟର ବ୍ୟାକୁଳତା ଓ ଆତ୍ମଜୀବନ ନାନା ଉଦାହରଣରେ ଭରପୁର ହୋଇଥିଲା । 

ସେ ଆରମ୍ଭରୁ ଆଶା କରିଥିଲେ ସ୍ନାତକମାନେ ସେଦିନ ଯେଉଁ ଶପଥ ଗ୍ରହଣ କରିଛନ୍ତି, ସେହି ଅନୁସାରେ ଜୀବନଯାପନ କରିବେ । ଗୁଜୁରାତ ବିଦ୍ୟାପୀଠର ସମାବର୍ତ୍ତନ ଉତ୍ସବ ସମୟରେ ସେ ଯେପରି କହିଥିଲେଯଦି ସେହିପରି ଏ ବିଦ୍ୟାପୀଠ ଜଣେ ମାତ୍ର ଆଦର୍ଶଛାତ୍ର ଓ ଜଣେ ମାତ୍ର ଆଦର୍ଶ ଶିକ୍ଷକ ବାହାର କରି ପାରେ, ତେବେ ତାହାର ତିଷ୍ଠି ରହିବା ଯଥାର୍ଥତାର ଅଧିକ ପ୍ରତିପାଦିତ ହୋଇ ଯିବ, ନୋହିଲେ ଏପରି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ତେବେ କଣ ? ଯେତେ କମ୍ ହେଉ ପଛକେ, ସେହି ପବିତ୍ର ପ୍ରଶାନ୍ତ ରତ୍ନମାନଙ୍କୁ ଆବିଷ୍କାର କରିବା ଏହାର କାର୍ଯ୍ୟ ନୁହେଁ କି ? ତାହା ପରେ ସେ ତାଙ୍କର ଦକ୍ଷିଣ ଆଫ୍ରିକାର ଗୋଟିଏ ସ୍ମୃତି ଉଦ୍ଧାର କରି କହିଲେ ।

ମୁଁ ଆଫ୍ରିକାରେ କୋଡ଼ିଏ ବର୍ଷ ରହିଲି । ସେଠାରେ ଥିବା ହୀରାଖଣ ଦେଖି ଯିବାକୁ ଥରେ ହେଲେ ଭାବି ନାହିଁ । କାରଣ ଭୟ ଥାଏ, କାଳେ ମୋତେ ଅସ୍ଫୁଶ୍ୟ ବୋଲି ଅନୁମତି ମିଳିବ ନାହିଁ, ଫଳରେ ଅପମାନ ପାଇବି । କିନ୍ତୁ,ଯେତେବେଳେ ଗୋଖଲେ ସେଠାରେ ଥିଲେ, ,ତାଙ୍କୁ ସେଠିକାର ପ୍ରଧାନ ଶିଳ୍ପସମ୍ପଦ ଦେଖାଇବାର କର୍ତ୍ତବ୍ୟ ମୁଁ ଅନୁଭବ କଲି । ତାଙ୍କର ଅପମାନିତ ହେବାର ଭୟ ନ ଥିଲା । ତେଣୁ, ଆମେ ସବୁଠାରୁ ବଡ଼ ଖଣିକୁ ଯାଇଥିଲୁ । 

ସେଠାରେ ଯାହା ଦେଖିଲି ମୁଁ ତାହା ଏ ପର୍ଯ୍ୟନ୍ତ ଭୁଲି ଯାଇ ନାହିଁ । ପର୍ବତ ସମାନ ଗଦା ଗଦା ହୋଇ ମାଟି ଓ ପଥର ରହିଛି ମାତ୍ର ହୀରା ନାହିଁ । ଲକ୍ଷ ଲକ୍ଷ ମହଣ ମାଟି-ପଥର ଖୋଲି ଲକ୍ଷଲକ୍ଷ ଲୋକଙ୍କ ଶକ୍ତି-କ୍ଷୟ ହେଲା ପରେ ହାତଗଣତି କେତେଟା ମୂଲ୍ୟବାନ ପଥର ମିଳେ । କେତେ ବର୍ଷର ପରିଶ୍ରମ ଫଳରେ ଲକ୍ଷଲକ୍ଷ ସ୍ୱର୍ଣ୍ଣମୁଦ୍ରାର ବ୍ୟୟରେ ଜାରଙ୍କ ମୁକୁଟରେ ଶୋଭିତ ହୀରକ ଓ କୋହୀନୁର ହୀରକଠାରୁ ବଡ଼ ଏକ ପ୍ରସ୍ତରଖଣ୍ତ ଯେତେବେଳେ କଲୀନନ୍ ପାଇଲେ ଓ ନିଜ ନାମ ଅନୁସାରେ ତାହାର ନାମକରଣ କଲେ, ସେତେବେଳେ ତାଙ୍କର ଆନନ୍ଦ କେତେ ହୋଇଥିବ, ତୁମେ ଅନୁମାନ କର । ସେ ମନେ କଲେ ଯେପରି ଜୀବନର କର୍ତ୍ତବ୍ୟ ଶେଷ ହୋଇଗଲା । 

ଆମେ ଯଦି ଏକ କୃତ୍ରିମ ସମ୍ପଦର ଆହରଣରେ ଏତେ ଶ୍ରମ ଓ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନୋହୁଁ, ତେବେ ମାନବରତ୍ନ ଆହରଣରେ ଆମକୁ କେତେ ଖର୍ଚ୍ଚ କରିବାକୁ ବା ନ ପଡ଼ିବ ଏହିପରି ମନୋଭାବ ରଖି ଆମମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ

ଏହା ଗୋଟିଏ ଭଲ ଉପମା ରସ୍କିନ୍‌ଙ୍କର “ଆତ୍ମର ନିର୍ମାଣ” ଏହି ଶବ୍ଦ ପୁଞ୍ଜି କରିବାଠାରୁ ଏହା ଆହୁରି ଉପାଦେୟ । କେବଳ ଈଶ୍ୱରଙ୍କ ଶକ୍ତିରେ ଆତ୍ମା ତିଆରି ହୋଇ ପାରିବ । ଯ।ହା ଭଗବାନଙ୍କର ଗନ୍ତାଘରରେ ଆଗରୁ ସଞ୍ଚିତ ରହିଛି, ତାହାକୁ କେବଳ ଖୋଜି ବାହାର କରିବା ଈଶ୍ୱର ମଣିଷର କାର୍ଯ୍ୟ ।

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦--୧୯୨୭ରିଖରେ ଛପାଯାଇଥିଲା । 

No comments:

Post a Comment