Sunday, September 16, 2018

ଚରିତ୍ରଂ ହି ପରଂ ବଳଂ” - ୫


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉଦ୍ଦେଶ୍ୟହୀନ ହୋଇ କେହି କର୍ମ କରି ପାରନ୍ତି ନାହିଁ । ଭଗବାନ ତାହା କରି ନାହାନ୍ତି । ମାନବ ମଧ୍ୟ ତାହା କୌଣସି ପ୍ରକାରେ ପାରେ ନାହିଁ । ଭଲ ହେଉ ମନ୍ଦ ହେଉ, ନୀଚ ହେଉ ଉଚ୍ଚ ହେଉ, ଗର୍ହିତ ହେଉ ବା ଗୌରବମୟ ହେଉ, ସବୁ କାର୍ଯ୍ୟରେ ତାହାର ଉଦ୍ଦେଶ୍ୟ ଅଛି । ଯେତେବେଳେ ସେ ଚୋରି କରେ, ଯେତେବେଳେ ମଦ୍ୟପାନ କରେ, କିମ୍ୱା ଅନ୍ୟ କୈଣସି ସେହିପରି କୁତ୍ସିତ କ୍ରିୟାର ଅନୁଷ୍ଠାନ କରିବାକୁ ଯାଏ, ସର୍ବଦା ସେ ତାହାର ଗୋଟିଏ ଲକ୍ଷ୍ୟସାଧନ କରେ, ଗୋଟିଏ ଉଦ୍ଦେଶ୍ୟ ଅନୁସରଣ କରେ । 

ଚୋରି କରିବାକୁ ଯିବା ପୂର୍ବରୁ ସେ ଯୁକ୍ତି କରେ । ଏହି ପରି କଲେ ମୁଁ ବଞ୍ଚିବି, ସୁଖରେ ରହିବି ବା ଧନୀ ହେବି ଇତ୍ୟାଦି । ଏହି ଭଳି ଯୁକ୍ତି କରି ବିବେଚନାରେ କ୍ରିୟାଟିକୁ ଉଦ୍ଦେଶ୍ୟର ଅନୁକୂଳ ବୋଲି ସ୍ଥିର କରେ । ତତ୍‌ପରେ କାର୍ଯ୍ୟରେ ପ୍ରବୃତ୍ତ ହୁଏ । ଉଚିତ ବୋଲି ଅନ୍ତତଃ ଆପାତଃ ବିଚାର ନ କଲେ ମାନବ କୌଣସି କାର୍ଯ୍ୟ କରି ପାରିବ ନାହିଁ । 

ତୁମ୍ଭେ ଥରେ ମନେ କର, ନିଜ ନିଜ ଜୀବନରେ କେତେ କାର୍ଯ୍ୟ କରି ସାରି ପରେ ଅନୁତପ୍ତ ହୋଇ ଅଛ । ପରେ ଅନୁତପ୍ତ ହୋଇ ଅଛ ସତ, କିନ୍ତୁ କାର୍ଯ୍ୟଟି କଲା ବେଳେ ଅନୁତପ୍ତ ବୋଲି ବିଚାରି ଥିଲ କି ? ବିଚାରି ଥିଲେ କରି ପାରି ଥାଆନ୍ତ କି ? ଭଲ କରି ଭାବି ଦେଖ । ହୁଏତ ପ୍ରଥମେ କର୍ମଟି ପାଇଁ ଇଚ୍ଛା ହେଲା ବେଳେ କାର୍ଯ୍ୟଟି ଅନୁଚିତ ବୋଲି ମନେ ପଡ଼ିଛି, ନିବୃତ୍ତ ହେବା ପାଇଁ ମନ ବଳିଛି । କିନ୍ତୁ, ପ୍ରଲୋଭନ ବା ପ୍ରବର୍ତ୍ତଦାନିରେ ସେଥି ପ୍ରତି ତୁମ୍ଭର ସ୍ପୃହା ହେଲା ବେଳକୁ ଅନ୍ତତଃ ସେହି ମୁହୂର୍ତ୍ତ ପାଇଁ ତୁମ୍ଭେ ତାହାକୁ ଉଚିତ ବୋଲି ସ୍ଥିର କରି ସାରିଅଛ । 

କାଲିକି ପାଠ ତିଆରି କରିବାକୁ ହେବ । କରିବା ଉଚିତ । ତୁମ୍ଭର ହୁଏତ ପ୍ରବୃତ୍ତି ହେଉ ନାହିଁ । ଅଲକ୍ଷିତ ଭାବରେ ମନରେ ହୁଏ, ଆଚ୍ଛା ବର୍ତ୍ତମାନ ଶୋଇବାକୁ ଇଚ୍ଛା ହେଉ ଅଛି, ଶରୀର ଅସୁସ୍ଥ ହେବ । ସାମାନ୍ୟ ପଢ଼ା ପାଇଁ ସ୍ୱାସ୍ଥ୍ୟ ନଷ୍ଟ କରିବି ? ଟିକିଏ ଶୋଇ ପଡ଼ିଲେ ହୁଏତ ପୁଣି ଉଠିଲା ବେଳକୁ ମନ ଥଣ୍ଡା ଓ ସ୍ୱଚ୍ଛ ହେବ । ଏହା ଭାବି ତୁମେ ଶୋଇପଡ଼ । ବେଳେବେଳେ ଶୋଇ କରି ପଢ଼ିବି ବୋଲି ବିଚାର । ଅଯଥା ଅସମୟରେ ବିଶ୍ରାମ ନାମରେ ଆଳସ୍ୟକୁ ପ୍ରଶ୍ରୟ ଦିଅ । ଫଳରେ ଶୋଇ ପଡ଼ । ପଢ଼ା ହୁଏ ନାହିଁ । 

ଭାଙ୍ଗ ଖାଇବା ଉଚିତ ନୁହେଁ । ଆଜି ଗୋଟିଏ ପର୍ବ ଦିନ । କେହି ଟିକିଏ ଖାଇବାକୁ ପ୍ରବର୍ତ୍ତାଇଲା । ପ୍ରଥମରୁ ମନ ହେଲା ନାହିଁ । ହଠାତ୍ କାହୁଁ କାହୁଁ ମନକୁ ଯୁକ୍ତି ଆସିଲା । ପ୍ରତ୍ୟେକ ଜାତିରେ ଏହି ପରି ବିଧି ଅଛି, ଲୋକେ ପର୍ବ ଦିନ ମାନଙ୍କରେ ଆମୋଦ ନିମନ୍ତେ ଟିକିଏ ଲଘୁମାଦକ ସେବନ କରି ଥାଆନ୍ତି । ଏ ବଡ଼ ନିରୀହ ଆମୋଦ । 

ବୈଦିକ ଋଷିମାନେ ତ ସୋମରସ ପିଉ ଥିଲେ । ଇଂଲଣ୍ଡରେ ମଧ୍ୟ ପର୍ବ ଦିନରେ ସମସ୍ତେ ଟିକିଏ ଟିକିଏ ମଦ ପିଇ ରାଜାଙ୍କର ସ୍ୱାସ୍ଥ୍ୟ କାମନା କରନ୍ତି । ଟିକିଏ ଭାଙ୍ଗ ଖାଇ ଦେଲେ କଣ ଚରିତ୍ର ନଷ୍ଚ ହୋଇ ଯାଏ ? ବରଂ ଟିକିଏ ଖାଇ ଜାଣିବା ଉଚିତ ଭାଙ୍ଗଟି କି ଜିନିଷ ଇତ୍ୟାଦି ପ୍ରକାରରେ ଯୁକ୍ତିରେ ଅଲକ୍ଷିତ ଭାବରେ ମନ ମଧ୍ୟରେ କେତେ ବେଳେ ଭାଙ୍ଗ ଖାଇବାର ଔଚିତ୍ୟ ସ୍ଥିର ହୋଇଥାଏ । 

ତୁମ୍ଭେ ଭାଙ୍ଗ ଖାଅ । ହୁଏ ତ ପରେ ପରିତାପର ସୀମା ରହେ ନାହିଁ । କିନ୍ତୁ ଖାଇଲା ବେଳେ ସେ ଆଦର୍ଶ ଥିଲା, ତାହା ପରିତାପ ବେଳର ଆଦର୍ଶ ନୁହେଁ । ଭଲ କରି ଭାବି ଦେଖ । ପରିତାପ ବେଳର ଆଦର୍ଶ ଜୀବନରେ ଏହି ପରି କୌଣସି ନା କୌଣସି ଦୁର୍ବଳତାରେ ପଡ଼ି ଥିବ । ମୁହୂର୍ତ୍ତ ବିଶେଷରେ ଅନୀତିରେ ପଶି କାର୍ଯ୍ୟ କଲା ବେଳେ ହୋଇ ନ ଥାଆନ୍ତା; କାର୍ଯ୍ୟ କରିବା ପାଇଁ ହାତ ଉଠି ନ ଥାଆନ୍ତା ।

ମନୁଷ୍ୟର ଏ ସବୁ ଆପାତସୁଖ ଉଦ୍ଦେଶ୍ୟରେ କାର୍ଯ୍ୟ । ବୁଝି ପାରୁଥିବ, ଏ ସବୁ କ୍ରିୟାବିଧାନରେ ମନୁଷ୍ୟ ପ୍ରାୟ ଇତର ଜନ୍ତୁ ସଙ୍ଗେ ସମାନ । ଏ ଜୀବ ମାତ୍ରର ସହଜ ଚରିତ୍ର । ଭୌତିକ ପିଣ୍ଡର ସୁଖ ହିଁ ଜୀବମାତ୍ରର ଇଚ୍ଛା । ଏ ଚରିତ୍ରରେ ମନୁଷ୍ୟର ତାହା ହିଁ ଉଦ୍ଦେଶ୍ୟ କହିଲେ ଚଳେ । 

କିନ୍ତୁ ଏହିଠାରେ ଗୋଟିଏ କଥା ମନେ ରଖିବାକୁ ହେବ । ମନୁଷ୍ୟ କେବଳ ବଞ୍ଚିବା ପାଇଁ ବଞ୍ଚି ନାହିଁ । କେବଳ ଶରୀର ଧାରଣ ରୂପ ଭୌତିକ, ଜୀବନକ୍ରିୟାରେ ତାହାର ଜୀବନ ପରିସମାପ୍ତ ନୁହେଁ । କେବଳ ଆହାର ବିହାର ନିଦ୍ରା ଆମୋଦ ପ୍ରଭୃତି ଶାରୀରିକ କ୍ରିୟାରେ ସୁଖ ଲୋଡ଼ି ଜୀବନ କଟାଇବା ଏ ଜଗତରେ ତୁମ୍ଭର ଉଦ୍ଦେଶ୍ୟ ନୁହେଁ । ଏକଥା ସମସ୍ତେ ଅନୁଭବରେ ଜାଣ । ତେଣୁ ବୁଝାଇବାର ବିଶେଷ ପ୍ରୟୋଜନ ନାହିଁ ।

ମନ ହିଁ ମାନବର ବିଶେଷତ୍ୱ । ଶାରୀରିକ ଜୀବନ କ୍ରିୟାରେ ମନୁଷ୍ୟ ଗୋଟିଏ ଇତର ଜନ୍ତୁ ପରି । ମାନସ ପ୍ରକ୍ରିୟା ଓ ବିଚାରଶକ୍ତି ତାହାର ଅଧିକ । ତାହାର ଅତୀତର ସ୍ମୃତି ଥାଏ, ଏବଂ ସେ ଭବିଷ୍ୟତ କଳ୍ପନା କରି ଦେଖେ । ଇତର ଜନ୍ତୁମାନଙ୍କର ଜୀବନକ୍ରିୟା ଜୀବନମାତ୍ରର ସହଜ ଚରିତ୍ର । ବର୍ତ୍ତମାନରେ ସୀମାବଦ୍ଧ । ଅର୍ଥାତ୍ ଯେତେବେଳେ ଯାହା ଆଗରେ ପଡ଼େ, ତାହା ହିଁ ସେମାନେ କରି ଯାଆନ୍ତି ଭୂତ ଭବିଷ୍ୟତ ସେମାନେ ବୁଝନ୍ତି ନାହିଁ । କିନ୍ତୁ ମନୁଷ୍ୟର କ୍ରିୟା ବିସ୍ତୀର୍ଣ୍ଣ । ମନୁଷ୍ୟର ଜୀବନ ଏକ ବିରାଟ ବସ୍ତୁ । 

ଏତିକି ନୁହେଁ, ମାନବଜୀବନ ଏତିକି ମାତ୍ର ଅତୀତ ଓ ଭବିଷ୍ୟତରେ ସୀମାବଦ୍ଧ ନୁହେଁ । ଏହି ଅତୀତ ଫଳରେ ଓ ଭବିଷ୍ୟତ କଳ୍ପନା ସଙ୍ଗେ ତୁମ୍ଭର ପରିବାର ଅଛି, ସମାଜ ଅଛି, ଜାତି ଅଛି, ଧର୍ମ ଅଛି । ତୁମ୍ଭେ ନିଜେ ନିଜ କଥା ଭାବିଲା ବେଳେ, କେବଳ ନିଜ କଥା ଭାବ ନାହିଁ । ଏ ସମସ୍ତଙ୍କ କଥା ମଧ୍ୟ ଭାବ । ସମସ୍ତଙ୍କ ପ୍ରତି ତୁମ୍ଭର କର୍ତ୍ତବ୍ୟ ଅଛି ବୋଲି ମନେ କର । ମୋ ଦ୍ୱାରା ପରିବାରର ଗୌରିବ ହେବ, ଜାତିର ମହତ୍ତ୍ୱ ବଢ଼ିବ, ସମାଜର ମଙ୍ଗଳ ହେବ, ପ୍ରଭୃତି କଳ୍ପନା ପଦେ ପଦେ ତୁମ୍ଭ ଜୀବନକୁ ଅନୁପ୍ରାଣିତ କରି ରଖି ଅଛି ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

No comments:

Post a Comment