କଲେଜ ଛାତ୍ରମାନଙ୍କ ପ୍ରତି
ଗୋପବନ୍ଧୁ ଦାସ
ରେଭେନ୍ସା ବିଶ୍ୱବିଦ୍ୟାଳୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
କେତେ ଦିନ
ତଳେ 'ସମାଜ'ରେ 'କଲେଜରେ ସ୍ୱର୍ଗପ୍ରାପ୍ତି' ବୋଲି ଗୋଟିଏ ଲେଖା ବାହାରି ଥିଲା ।
ସେ ବିଷୟ ନେଇ ଓଡିଶାର ଛାତ୍ର
ମହଲରେ ଓ ସମ୍ୱାଦପତ୍ର ମଧ୍ୟରେ
ଟିକିଏ ଚହଳ ପଡ଼ି ଯାଇ ଥିବାରୁ
ଜଣା ଯାଏ । କଲେଜ ଛାତ୍ରଙ୍କ ମଧ୍ୟରୁ
ଅଧିକାଂଶ ଓଡ଼ିଆ କାଗଜ ପଢ଼ନ୍ତି
ନାହିଁ, ପଢ଼ିବାର ସୁବିଧା ପାଆନ୍ତି
ନାହିଁ । ସମାଜ ଲେଖାରେ ସେମାନଙ୍କର
ଦୃଷ୍ଟି ପଡ଼ିଥିବା ଭାଗ୍ୟର କଥା ।
ସେ ଲେଖାରେ କେତେକ କଲେଜ ଛାତ୍ରଙ୍କ
ମନରେ କ୍ରୋଧ ଆସି ଥିବାର ଜଣା ଯାଏ ।
କେତେ ଜଣ ଉପାଧିଧାରୀ ଛାତ୍ରଙ୍କ
ମନରେ କ୍ରୋଧ ଆସି ଥିବାର ଜଣା ଯାଏ ।
କେତେ ଜଣ ଉପାଧିଧାରୀ ଛାତ୍ର ତହିଁର
ଏକ ପ୍ରତିବାଦ ଦୀପିକାରେ ପ୍ରକାଶ
କରି ଥିଲେ । ଉକ୍ତ ଲେଖାଟି ସମ୍ପାଦକୀୟ
ସ୍ତମ୍ଭରେ ବାହାରି ଥିଲେ ସୁଦ୍ଧା, ସେମାନେ ମତେ ବ୍ୟକ୍ତିଗତ ଆକ୍ରମଣ
ଓ କଟାକ୍ଷ କରିଛନ୍ତି । ମୁଁ ସେଥିରେ
ଲେଶ ଦୁଃଖିତ ନୁହେଁ, ବରଂ ଓଡ଼ିଶାର
ଛାତ୍ରମାନଙ୍କୁ ନିସ୍ତେଜ ନିଷ୍କ୍ରଭ
ଏବଂ ମ୍ରିୟମାଣ ଦେଖିଲେ ମୋର
ଦୁଃଖ ଓ ଗ୍ଲାନି ହୋଇ ଥାଏ । ସତ୍ୟବାଦୀ
ସ୍କୁଲରେ ଛାତ୍ରମାନଙ୍କର
ଉତ୍ଫୁଲ୍ଲତା ଓ ସ୍ଫୂର୍ତ୍ତି
ନିମନ୍ତେ ଆମ୍ଭେମାନେ ନାନା ପ୍ରକାର
ବିଧି ବ୍ୟବସ୍ଥା କରି ଥିଲୁ ।
ପ୍ରୋକ୍ତ ପ୍ରବନ୍ଧରେ ବିଳାସିତାର
ନିନ୍ଦା କରା ଯାଇ ଥିଲା । ଏବେ ସୁଦ୍ଧା
ମୁଁ ସହସ୍ର ମୁଖରେ ବିଳାସିତାର
ନିନ୍ଦା କରୁ ଅଛି । ବିଳାସିତା
ଛାତ୍ର ଜୀବନରେ ସର୍ବଥା ପରିହାର୍ଯ୍ୟ, ବିଶେଷତଃ ଓଡ଼ିଶାର ବର୍ତ୍ତମାନ
ଅବସ୍ଥାରେ ଦେଶର ଆଶା ଭରସାର ସ୍ଥଳ
ଛାତ୍ରମାନଙ୍କ ପକ୍ଷେ ଏହା ଦୂଷଣୀୟ ।
ଛାତ୍ରମାନଙ୍କୁ ମୁଁ ଯେତେ ଦୋଷୁ
ନାହିଁ, ଶିକ୍ଷାନୀତି ଓ ପ୍ରଣାଳୀକି
ଦୋଷୁଛି । ପ୍ରବନ୍ଧଟିକୁ ପଢ଼ି
ନାହାନ୍ତି । ସେଥିରେ
ଗଣେଶ ପୂଜାର ନାମ ଗନ୍ଧ ନାହିଁ ।
ଗଣେଶପୂଜା ଉପଲକ୍ଷେ କରାଯାଇଥିବା
ନାଟକ ଅଭିନୟର ବିଷୟ ଆଦୌ ଲେଖା ନାହିଁ ।
ଗଣେଶପୂଜା ବା ସେହି ପରି ଅନ୍ୟାନ୍ୟ
ଜାତୀୟ ଉତ୍ସବରେ ନିର୍ଦୋଷ ଆମୋଦ
ପ୍ରମୋଦ କରିବା କଦାପି ଦୋଷାବହ
ନୁହେଁ, ବଡ଼
ବଡ଼ କଲେଜ ଛାତ୍ରମାନଙ୍କ ପକ୍ଷେ
ଏଭଳି ଘଟନାରେ ନାଟକ ଅଭିନୟ ଶିକ୍ଷାର
ଏକ ଅଙ୍ଗ ବୋଲି ମୁଁ ମନେ କରେ ।
ଗଣେଶପୂଜା ଓ ସରସ୍ୱତୀ ପୂଜା
ସମାରୋହରେ ସତ୍ୟବାଦୀ ସ୍କୁଲରେ
ହେଉ ଥିଲା । ପଦ୍ୟାବୃତ୍ତି ଅଭିନୟ
ପ୍ରଭୃତି ସାହିତ୍ୟିକ ଆମୋଦ ଏ
ଉତ୍ସବରେ ପ୍ରଧାନ ଅଙ୍ଗ ରଖା ଯାଇ ଥିଲା ।
ଛାତ୍ର ସମାଲୋଚକମାନେ ନ ବୁଝି
ନ ପଢ଼ି ଯେପରି ଅନ୍ଧାରରେ ଚେକା
ମାରିଛନ୍ତି, ଓଡ଼ିଶାର କୌଣସି
କୌଣସି ସମ୍ୱାଦପତ୍ର ମଧ୍ୟ ସେହିପରି
ସମାଜ ଲେଖାର ପ୍ରତିବାଦ କରିଛନ୍ତି ।
ଯେପରି ଦେଖୁଛି, ଛାତ୍ରମାନଙ୍କ
ମନକୁ ସେ ଲେଖାରେ ଗୋଟିଏ କଥା
ବଡ଼ ବାଧିଛି । କିନ୍ତୁ, ଓଡ଼ିଶାରେ
ବାପ ଭାଇ ଖୁଡୁତା ଏପରିକି ମା' ମାନେ
ଅନେକ ସମୟରେ ପୁଅ ଭାଇ ପୁତୁରାମାନଙ୍କ
ପ୍ରତି କୌଣସି କାର୍ଯ୍ୟରେ ବିରକ୍ତି
ବା ଅସନ୍ତୁଷ୍ଟ ହେଲେ ପ୍ରାୟ
କହିଥାନ୍ତି, କୁଳକ୍ଷୟ
ବେଳକୁ ଘୋଡ଼ାମୁହଁ। ଜାତ । ଏ
କଥାଟାର ବ୍ୟବହାର ଦେଶରେ ଏତେ
ସାଧାରଣ ଯେ, କେହି ପ୍ରାୟ ତେତେ
ଛଳ କରନ୍ତି ନାହିଁ ।
ଯଦି ଏହା ଦ୍ୱାରା
କୌଣସି ଛାତ୍ରମନରେ ଆଘାତ ହୋଇଥାଏ
ସେଥିଲାଗି ମୁଁ ବିଶେଷ ଦୁଃଖିତ
ଏବଂ ତାଙ୍କୁ ସରଳ ଭାବରେ କହୁଛି, ଏହା ସେମାନଙ୍କ ପ୍ରତି ମୋର
କ୍ରୋଧ ନୁହେଁ ସ୍ନେହ ଓ ଆଦରର
ପରିଚୟ । ମୁଁ ସେମାନଙ୍କୁ ନିଜର
ବୋଲି ଭାବେ । ଆପଣାର ପୁଅ ପୁତୁରା
ଭାଇ ଭଣଜା ଦୃଷ୍ଟିରେ ଦେଖେଁ ବୋଲି
ଏପରି ଭାବରେ କହି ପକାଇ ଥିଲି ।
ଦୀପିକାରେ ପ୍ରକାଶିତ ପ୍ରତିବାଦରେ
ସେମାନେ ନିଜର ମିତବ୍ୟୟିତାର
ପ୍ରମାଣରେ ଗୋଟାଏ ହିସାବ
ଦେଖାଇ ଅଛନ୍ତି । ଦରକାର ନ ଥିଲା, ତେବେ ମିତବ୍ୟୟିତାର ଆବଶ୍ୟକ
ସେମାନେ ବୁଝିଛନ୍ତି, ଏହା ହିଁ
ମୋ ପକ୍ଷରେ ଆହ୍ଲାଦ ।
ଏ ପ୍ରତିବାଦ ସହ, ଆଉ ଏକ ପ୍ରତିବାଦ ବହୁସଙ୍ଖ୍ୟକ
କଲେଜ ଛାତ୍ରଙ୍କ ସ୍ୱାକ୍ଷରରେ
ଦୀପିକାରେ ବାହାରିଛି । କଟକର
କେତେକ ସ୍କୁଲର ଛାତ୍ର ମଧ୍ୟ
ସେମାନଙ୍କୁ ସମର୍ଥନ କରି ଅଛନ୍ତି ।
ମୋ ପ୍ରତି କଲେଜ ଛାତ୍ରମାନେ
କଟାକ୍ଷ କରି ଥିବାରୁ ଏମାନେ ଦୁଃଖ
ପ୍ରକାଶ କରିଛନ୍ତି। ଛାତ୍ରସମାଜର
ଏ ସ୍ନେହ ଆଦରକୁ ମୁଁ ପରମ ବିପଦ
ବୋଲି ମଣୁଛି । କିନ୍ତୁ ମୋ ମତରେ
ଏ ପ୍ରତିବାଦ ଆବଶ୍ୟକ ନ ଥିଲା।
ଛାତ୍ରସମାଜର ଯେ ମତେ ଯାହା କହନ୍ତୁ
ନିନ୍ଦା କରନ୍ତୁ ବା ପ୍ରଶଂସା
କରନ୍ତୁ । ଆଦର କରନ୍ତୁ ବା ଅପମାନ
କରନ୍ତୁ, ସେ ସମସ୍ତେ ମୋ ନିଜର।
ମୋ ନିଜ ପୁଅ ପୁତୁରାଙ୍କଠାରୁ
ଯେ କୌଣସି ପ୍ରକାର ବ୍ୟବହାର ପାଇଲେ
ସୁଦ୍ଧା ସେମାନଙ୍କୁ ଯେପରି ଭଲ ପାଇ
ମୁଁ ରହି ନ ପାରେ, ଛାଡ଼ି
ଅଲଗା ହୋଇ ନ ପାରେ,
ଛାତ୍ରସମାଜ
ମୋତେ ଯେ ଦୃଷ୍ଟିରେ ଦେଖୁ ପଛକେ
ମୁଁ ସେମାନଙ୍କୁ ହୃଦୟରୁ ଅନ୍ତର
କରି ପାରିବି ନାହିଁ ।
ଉତ୍କଳର
ଭବିଷ୍ୟତ ଲାଗି ମୁଁ ସବୁବେଳେ
ଯୁବକ ଶିକ୍ଷିତ ଯୁବକ ସମାଜ ଆଡ଼କୁ
ସତୃଷ୍ଣ ନୟନରେ ଅନାଇ ରହି ଅଛି ।
ଏ ହାହାକାରମୟ ତମସାଚ୍ଛନ୍ନ ଦେଶରେ
ସେହିମାନେ ଏକା ଆଶାର ଆଲୋକ ରେଖା ।
ପ୍ରଭୁ ସେମାନଙ୍କୁ ଆୟୁ, ବଳ, ବୀର୍ଯ୍ୟ
ଉତ୍ସାହ, ସାଧନା, ଶକ୍ତି, ସୁବିଚାର
ଦିଅନ୍ତୁ; ସେମାନେ ଦେଶର କୃତିସନ୍ତାନ ହୋଇ ଏ ଜାତିର କଲ୍ୟାଣ
ସାଧାନରେ ସଦା ନିରତ ହୁଅନ୍ତୁ; ଏହା, ମୋର ଆନ୍ତରିକ କାମନା ।
(ସମାଜ
୮ମ ଭାଗ,୨ୟ
ସଂଖ୍ୟା ତା ୯-୧୦-୧୯୨୬)
No comments:
Post a Comment