Thursday, May 11, 2017

ଗାଁର ଚାଷ


ଗୋପୀନାଥ ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ଗ୍ରାମ ସଙ୍ଗଠନ କାମ ଘମାଘୋଟ ଚାଲିଲା । ପଦାରୁ ଫାରମରୁ ଲୋକ ଆସି ଚାଷବାସ ବିଷୟରେ ଅନେକ କଥା ଶିଖାଇ ଦେଇଗଲେ । ସବୁଠାରୁ ବଡ଼ କଥା ହେଉଛି, କେଉଁ ଫସଲ ପରେ କେଉଁ ଫସଲ ଲଗାଇଲେ ଫସଲ ଭଲ ହେବ, ଜମି ପଡ଼ିଆ ପଡ଼ିବ ନାହିଁ, ଅଥଚ ଜମି ଉର୍ବର ହେବ । ଏ କଥା ସେମାନଙ୍କୁ ଖୁବ୍ ଭଲକରି ବୁଝାଇ ଦିଆହେଲା । ସେହି ଅନୁସାରେ ଚାଷ କାର୍ଯ୍ୟ ଚାଲିଲା ।

ଡ଼ିହ ଜମି :- ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ପର୍ଯ୍ୟନ୍ତ ନଳିତା, ବିଆଳି ଧାନ, ମାଣ୍ଡିଆ, କୋଳଥ କିମ୍ବା ମକା । ଭାଦ୍ରବ ଶେଷରୁ ମାର୍ଗଶିର ଅଧା ବିରି । କାର୍ତ୍ତିକଠାରୁ ଫାଲଗୁନ ଅଧ ପର୍ଯ୍ୟନ୍ତୁ ବିଲାତି ଆଳୁ ବା ଶୀତଦିନିଆ ପନିପରିବା, ଫାଲଗୁନ ଅଧରୁ ବୈଶାଖ ଶେଷ ପର୍ଯ୍ୟନ୍ତ ଖରାଦିନିଆ ପିଆଜ । ନୋହିଲେ ଜ୍ୟେଷ୍ଠ ଶେଷରୁ କାର୍ତ୍ତିକ ଅଧ ଚିନାବାଦାମ ।

ଲଘୁଧାନ ଜମିରେ ଜ୍ୟେଷ‌୍ଠରୁ କାର୍ତ୍ତିକ ଶେଷ ଲଘୁଧାନ, କାର୍ତ୍ତିକ ମାର୍ଗଶିର ମାସରେ ଆଖୁ ହୁଏ ।

ଖାଲ ଜମି :- ଖାଲ ଜମିରେ ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ନଳିତା, ଭାଦ୍ରବ ଅଧରୁ ପୌଷ ଶେଷ ଧାନ, ମାଘ ଅଧରୁ ବୈଶାଖ ଶେଷ ମୁଗ କରନ୍ତି ।

ପ୍ରଥମ କଥା ହେଉଛି, ସାର ଓ ଖତ କଥା । ସମସ୍ତେ ଗୁହାଳ ପାଖେ ଗୋଟିଏ ଖାତ କରନ୍ତି, ଗୁହାଳରୁ ନାଳି କାଟି ଦିଅନ୍ତି, ଯେପରି ଗୋରୁ ମୂତ ପ୍ରଭୃତି ଯାହା କିଛି ସବୁ ଗଡ଼ିଯାଇ ଗାତ ଭିତରେ ପଡ଼ିବ । ଏଣେ ଘର ଓଳେଇ ଅଳିଆ, ଗୋବର ସବୁ ପକାଇ ଦିଅନ୍ତି ସେ ଗୋବର ଖାତରେ । ତା ଉପରେ ଗୋଟାଏ ଘୋଡ଼ଣି ଘୋଡ଼ାଇ ଦିଆଯାଏ । ଏହିପରି ଗୋବର ସବୁ ଜମାଇ ଏକାଠି ବହୁତ ଦିନ ସଢ଼ିଗଲେ ସେଠୁ ଉଠାଇ ନେଇ ଜମିରେ ପକାଇ ଦଅନ୍ତି ।

ଫାରମ୍ ଲୋକଙ୍କ ଶିକ୍ଷାରେ ଅନେକ ନୂଆ ନୂଆ ଉପକାରୀ ସାର ବ୍ୟବହାର କରାଗଲା, ଯାହାର ଗୁଣ ଗୋବର ଖତ ପରି । ଜମିରେ ଫସଲ ହେବାର ଏକମାସ ପୂର୍ବରୁ ସେଠି ଧଣ୍ଡିଚା ବା ଛଣପଟ ବୁଣି ଗଛ ଦେଢ଼ଫୁଟ ଉଚ୍ଚ ହୋଇଗଲେ ତାକୁ ଲଙ୍ଗଳ ଓ ମଇ ଦେଇ ଜମିରେ ସଢ଼ାଇଦିଅନ୍ତି । ଧାନ ରୋଇବା ପାଇଁ ବୈଶଖ ଜ୍ୟେଷ୍ଠରେ ଧଣ୍ଡିଚା ବୁଣି ଏକ ମାସ ପରେ ତାକୁ ଚଷି ସଢ଼ାଇଦିଅନ୍ତି । ସାତ ଆଠ ଦିନ ପାଣିରେ ସଢ଼ିଗଲେ ହଳ ଓ ମଇ ଦେଇ ଧାନ ରୁଆ ହୁଏ ।

ଯେଉଁ ଜମିରେ ସାର କମିଯାଇଥାଏ, ସେଠି ଚିନାବାଦାମ, ମୁଗ, ବରଗୁଡ଼ି ଚାଷ କରନ୍ତି । କାରଣ ତାହା ଦ୍ୱାରା ଜମିର ଉର୍ବରା ଶକ୍ତି ବଢେ଼ ।

ଫାର୍ମ ଲୋକେ ଘର ଘର କରି ବୁଝାଇଲେ, ଅଳିଆକୁ ଫୋପାଡ଼ି ଦିଅ ନାହିଁ । କାରଣ ଅଳିଆ ଅତି ସୁନ୍ଦର ସାର । ପ୍ରତ୍ୟେକ ଗୃହସ୍ଥ ଦଶ ହାତ ଲମ୍ବା, ପାଞ୍ଚହାତ ଚୌଡ଼ା, ଦୁଇହାତ ଗଭୀର ଗାତ ଖୋଳି ରଖନ୍ତି । ତହିଁରେ ଘାସ, ଅଳିଆ, ପଚାପତ୍ର, ନଡ଼ା ପ୍ରଭୃତି ଯାହା କିଛି ସବୁ ପ୍ରତିଦିନ ପକାଇଦିଅନ୍ତି । ଦୁଇ ତିନି ଫୁଟ ଉଚ୍ଚ ହେଲେ ତାକୁ ଚୌରସ କରି ଦେଇ ତା ଉପରେ ଗୋରୁମୂତ ଓ ଗୋବର ପାଣି ଛିଞ୍ଚି ଦିଅନ୍ତି । ପୁଣି ଅଳିଆ ଜମା ହୁଏ । ତିନି ଚାରି ମାସ ରହି ସଢ଼ିଲା ପରେ ସେ ଖତକୁ ଆଖୁ, ଆଳୁ ଚାଷ ପ୍ରଭୃତିରେ ଦିଅନ୍ତି ।


ଗାଁରେ ପନିପରିବା ପୂର୍ଣ ହୋଇଗଲା । ଯେ ଯେଉଁଠି ବାରିସବୁ ପଡ଼ିଆ ପକାଇ ରଖିଥିଲେ, ସମସ୍ତେ ନୂଆ ଉତ୍ସାହରେ ଲାଗି ପଡ଼ିଲେ ।


ବାଲିଆ ଅଥଚ ଉର୍ବରା ମାଟି ଓ ପୋଖରୀ ହୁଡ଼ା ଦେଖି କଦଳୀ ଗଛମାନ ପଡ଼ିଗଲା । କାର୍ତିକ ଓ ଜ୍ୟେଷ୍ଠ ମାସରେ ସାତହାତ ଛାଡ଼ି ହାତେ ଗହୀର ଗାତ ସବୁ ଖୋଳା ହୁଏ । ତହିଁରେ ପାଉଁଶ, ଖତରା ମାଟି ଓ ଚଷୁ ପ୍ରଭୃତି ଦେଇ କଦଳୀପୁଆ ପକାନ୍ତି । ଗଛ ବଡ଼ ହୋଇଗଲେ ତଳେ ବେଶୀ ପୁଆ ରଖାଇ ଦିଅନ୍ତି ନାହିଁ ।

ପୂର୍ବେ ଏ ଗାଁରେ କୋବି କୋବି ଚାଷ ପ୍ରାୟ ଦେଖା ନ ଥିଲା, ଅଥଚ କୋବିରୁ ବେଶୀ ଲାଭ ମିଳେ । ଏଥର ପ୍ରଚୁର କୋବି-ଚାଷ ଆରମ୍ଭ ହେଲା । ଶ୍ରାବଣ ଶେଷ ଓ ଭାଦ୍ରବ, ଆଶ୍ୱିନ ମାସରେ ହାଣ୍ଡିମାନଙ୍କରେ ମାଟି ପୂରାଇ ତହିଁରେ ହୁଙ୍କାମାଟି, ଖତ ଓ ପିଡ଼ିଆ ମିଶାଇ ଦେଇ ମଞ୍ଜି ବୁଣନ୍ତି ଓ ତାହା ଉପରେ କିଛି ଗୁଣ୍ଡିମାଟି ଛିଞ୍ଚିଦେଇ ପାଣି ଛିଞ୍ଚନ୍ତି । ତିନି ଚାରି ଦିନ ପରେ ଅନ୍ୟ ସ୍ଥାନକୁ ତଳିଗୁଡ଼ିକୁ ଉଠାଇ ନିଅନ୍ତି । ତା ନ କଲେ ବର୍ଷାପାଣିରେ ଚାରା ନଷ୍ଟ ହୋଇଯିବ । ଯେତେ କାକର ପଡେ଼, ଚାରା ସେତେ ବଢେ଼ । ଚାରା ମୂଳରେ ପିମ୍ପୁଡ଼ି ହେଲେ ପାଉଁଶ ପକାନ୍ତି । ମଞ୍ଜି ବୁଣିବାର ମାସେ ପରେ ଚାରାକୁ କ୍ଷେତକୁ ଉଠାଇ ଦିଅନ୍ତି । କ୍ଷେତରେ ଖତ, ପିଡ଼ିଆ ଓ ସାର ଦିଆ ହୋଇଥାଏ । ଗଛ ବଡ଼ ହେଲେ ପିଡ଼ିଆ, ଛେଳିଲଣ୍ଡି ଓ ପାରାଗୁହ ସଢ଼ାଇ କରି ଦିଅନ୍ତି । ଫୁଲ ଓ ବନ୍ଧାକୋବି ଦୁଇ ଦୁଇ ଫୁଟ ଦୂରରେ ଓ ଓଲକୋବି ଫୁଟେ ଲେଖାଁଏ ଦୂରରେ ଲଗାନ୍ତି । ରୋଇବା ପରେ ଅଳ୍ପ ଅଳ୍ପ ପାଣି ଦିଆହୁଏ । ରୋଇବା ପରଦିନଠାରୁ ଚେର ଧରିବା ପର୍ଯ୍ୟନ୍ତି ଚାରାକୁ ବଡ଼ ବଡ଼ ପତ୍ର ବା ଖରାରେ ଖରାବେଳେ ଢ଼ାଙ୍କିଦିଅନ୍ତି । ପାଣି ମଡ଼ାଇ କାର୍ତିକ ମାସରେ ପିଡ଼ିଆ ଦେଇସାରି ହୁଡ଼ା ଟେକିଦିଅନ୍ତି । ପ୍ରୟୋଜନ ଅନୂସାରେ ପାଣି ଦିଆଯାଏ । ଲଗାଇବା ଦିନଠାରୁ ତିନି ଚାରି ମାସରେ କୋବି ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଏ ।

ଯେଉଁ ଫୁଲକୋବି ମଞ୍ଜି ରଖାଟାଏ, ତାକୁ ଫୁଲ ଫୁଟିବାର କିଛିଦିନ ପୂର୍ବରୁ କ୍ଷେତରୁ ଓପାଡ଼ି ନେଇ ଭଲ ସାରମାଟି ଦେଇ ଅନ୍ୟ ସ୍ଥାନରେ ଲଗାଇଦିଅନ୍ତି । ତହିଁରୁ ଯେଉଁ ବିହନ ହୁଏ, ତାହା ଭାରି ସତେଜ ।

ଗାଁରେ ଆହୁରି ଗୋଟିଏ ନୂଆ ଫସଲ ହେଲା । ତାହା ହେଉଛି ପୋଟଳ । ଫାରମରୁ ପୋଟଳ ଚେର ଅଣାହୋଇ ବଣ୍ଟାହେଲା । ଆଶ୍ୱିନ, କାର୍ତ୍ତିକ ମାସରେ ଚାରି ଚାରି ହାତ ଛାଡ଼ି ହାତେ ଓସାର ଓ ହାତେ ଗହୀର ଗାତରେ ଚାରି ପାଞ୍ଚଖଣ୍ଡ ପୁରୁଣା ଗଛର ସରୁ ଡ଼ଙ୍କ ପୋତି ମାଟି ଘୋଡ଼ାଇଦିଅନ୍ତି ଓ ଚେର ଉଷୁମ ପାଇବ ବୋଲି ଉପରେ କୁଟା ଢ଼ାଙ୍କି ଦିଅନ୍ତି । କୁଟା ଉପରେ ପାଣି ଢ଼ଳାଯାଏ । ପନ୍ଦର କୋଡ଼ିଏ ଦିନ ପରେ ଯେତେବେଳେ ଗଛ ବାହାରେ, ସେତେବେଳେ କୁଟା କାଢ଼ିନିଅନ୍ତି ଓ ହୁଡ଼ା କରିଦିଅନ୍ତି । ପୋଟଳ ଭୁଇଁରେ ବି ମାଡେ଼, ରଞ୍ଜାରେ ବି ଲଟାଏ । ତଳୂ ଯତ୍ନକରି ଘାସ ଓପାଡ଼ି କିଆରୀକୁ ସଫା ରଖନ୍ତି । ଡ଼ଙ୍କ ବହଳ ହେଲେ କଅଁଳ ଡ଼ାଳକୁ ଭାଙ୍ଗିଦେଇ ମୂଳ ନାଳକୁ ବଢ଼ିବାକୁ ଦିଅନ୍ତି, ନ ହେଲେ ଫଳ ଝଡ଼ିପଡ଼ିବ । ଚୈତ୍ର ମାସରେ ଫଳ ଫଳେ । ପୋଟଳ ଗଛ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରହେ । ଏଥିରେ ଯାହା ଖର୍ଚ୍ଚ ହୁଏ, ତାହାର ଚାରି ପାଞ୍ଚ ଗୁଣ ଲାଭ ହୁଏ । ଗାଁରେ ଯେଉଁଠି ଉର୍ବର ମାଟି, ସେଠି ପୋଟଳ ଚାଷ ହେଲା ।

ଅଙ୍ଗୁର ଡ଼ାଳ ପୋତିଲେ ଗଛ ହୁଏ । ଶୀତଦିନେ ନାଳକୁ କାଟି ଲଗାଯାଏ; ଚେର ହେଲେ ବର୍ଷା ପୂର୍ବରୁ ଜମିରେ ଲଗାଯାଏ । ଭାଡ଼ି କରାଯାଏ । ଚୈତ୍ରଠାଣୁ ଆଷାଢ଼ ପର୍ଯ୍ୟନ୍ତ ଏହାର ଫଳ ମିଳେ । ମାର୍ଗଶିର ଓ ପୌଷମାସରେ ଅଙ୍ଗୁର ଗଛର ଚେର କାଟି କୋଡ଼ିଏ ଏକୋଇଶ ଦିନ ମୂଳକୁ ଖୋଲା ପକାନ୍ତି । ପରେ ଶୁଖୁଆସାର ପ୍ରଭୃତି ଦେଇ ଗାତକୁ ବନ୍ଦ କରିଦିଅନ୍ତି । ପ୍ରୟୋଜନ ଅନୁସାରେ ଡ଼ାଳ ଓ ଚେର ଛାଣ୍ଟି ଦିଆଯାଏ । ଗାଁରେ ଅନେକ ଅଙ୍ଗୁର ଗଛ ଲଗାହେଲା ।

ଛାଇତଳ ବାରିରେ ସପୁରି ଲଗାହେଲା । ଜ୍ୟେଷ୍ଠ ଆଷାଢ଼ ମାସରେ ପୁଆ ପୋତାହୁଏ । ମାର୍ଗଶିର ମାସରେ ଗଛ ମୂଳ କୋଳି ସଢ଼ା ଗୋବର ଦିଆଯାଏ । ଫଳ ଉପରେ ଥିବା ପୁଆ ଅପେକ୍ଷା ଗଛମୂଳରେ ଥିବା ପୁଆ ବେଶୀ ଲଗାହେଲା । କାରଣ ତହିଁରେ ଶୀଘ୍ର ଫଳ ଫଳେ ।

କେହି କେହି ଡ଼ାଳିମ୍ବ ବଗିଚା କଲେ । ଜମିରେ ଚୂନ ମିଶାଇ ଦିଅନ୍ତି ଓ ଗୋବରଖତ, ପିଡ଼ିଆ ଦିଅନ୍ତି । ଗଛଗୁଡ଼ିକୁ ଛାଡ଼ି ଛାଡ଼ି ଲଗାଇଥାନ୍ତି ।
ଅନେକ ମିଠାଲେମ୍ବୁ ଳଗାଇଲେ । ଶୀଘ୍ର ଫଳିବ ବୋଲି ଗଛଗୋଟିକ ଟ୦.୧ ଠାରୁ ଟ ୦.୫ ପର୍ଯ୍ୟନ୍ତ ଦେଇ ଫାରମରୁ କଲମିଗଛ କିଣି ଆଣିଲେ । ଦୋରସା ମାଟିରେ ନିଗଡ଼ା ଭୂଇଁରେ ଲେମ୍ବୁ ଲାଗିଲା । ମାଟିରେ ଚୂନ ମିଶାହେଲା । ଦଶପନ୍ଦର ହାତ ଛାଡ଼ି ଛାଡ଼ି ଦୁଇ ହାତ ଚଉଡ଼ା ଦୁଇ ହାତ ଗହୀର ଗାତ ସବୁ ଖୋଳାହେଲା । ଗାତ ଭିତର ଘସି-ନିଆଁରେ ପୋଡ଼ା ହେଲା । କାରଣ ଏଥିରେ ଉଇରୁ ରକ୍ଷା ମିଳିପାରିବ । ପରେ ବାଲି ଓ ଖାରମାଟି, ପୁରୁଣା ଗୋବରଖତ ଓ ଛେଳିଲଣ୍ଡି ମିଶାଇ ମାଟି ପୂରାଇ ଦିଆହେଲା । ବର୍ଷା ପୂର୍ବରୁ ଗାତ ଖୋଳା ହୋଇ ରହିଥାଏ । ଯେପରି କି ତହିଁରେ ଥିବା ମାଟି ଦବିଯିବ । ତା ପରେ ଆଶ୍ୱିନ କାର୍ତ୍ତିକରେ ତହିଁରେ କଲମି-ଗଛ ଲଗା ହୁଏ ।

ବର୍ଷକ ପରେ ଗଛ ଚାରିପାଖ ଖୋଳି ସଢ଼ା ଗୋବରଖତ ଓ ଆମୋନିଆ ସାର ଦିଆ ହୁଏ । ପୁଣି ଦୁଇ ବର୍ଷରେ ଫସପେଟ୍ ସାର, ଶୁଖୁଆସାର ଓ ଗୋବରଖତ ଦିଆହୁଏ । ବର୍ଷାଦିନେ ପାଣି ଯିବା ପାଇଁ ମନ୍ଦାରୁ ନାଳି କଟା ହୁଏ ।

ଖରାଦିନେ ଗଛମୂଳ ଖୁସାଇ ପାଳ ବା ଶୁଖିଲା ପତ୍ର ବିଛାଇ ଦେଲେ ମାଟିରୁ ଶୀଘ୍ର ବତର ଚାଲିଯାଏ ନାହିଁ । ନାଗପୁର ଲେମ୍ବୁ ସାଧାରଣତଃ ବର୍ଷକେ ଦୁଇଥର ଫଳେ; ଥରେ ମାଘ ଫାଲଗୁନରେ ଫୁଲ ଧରେ, ପୁଣି ଥରେ ଜ୍ୟେଷ୍ଠ ଆଷାଢ଼ରେ । ମାଘ ଫାଲଗୁନର ଫୁଲରୁ ଯେଉଁ ଫଳ ହୁଏ, ତାହା ଖରା ଲାଗି ଝଡ଼ି ପଡ଼ିବାର ଦେଖିଲେ, ଗଛ ମୂଳରେ ଅଧିକ ପାଣି ଦିଆ ହୁଏ ଓ ପିଚକାରୀରେ ଉପରକୁ ପାଣି ଫୋପଡ଼ା ହୁଏ । ବର୍ଷା ସମୟରେ ଯେଉଁ ଫୁଲ ହୁଏ ତାର ଫଳ ମାଘଠାରୁ ଚୈତ୍ରମାସ ଭିତରେ ପାଚେ । ଏ ଫଳ ଅଧିକ ମିଠା ହୁଏ ।

ଚାଷର ଉନ୍ନତି ସଙ୍ଗେ ସଙ୍ଗେ ଗୋ-ଜାତିର ଉନ୍ନତି ଦିଗରେ ମଧ୍ୟ ଚେଷ୍ଟା ହେବାକୁ ଲାଗିଲା ।

ଗୋରୁର ଖାଦ୍ୟ ବଢ଼ାଇବା ପାଇଁ ଯତ୍ନ କରାହେଲା । ଫାରମରୁ ବଡ଼ ଘାସର ମଞ୍ଜି ଅଣାହୋଇ ଲଗା ହେଲା । ଏଥିପୂର୍ବରୁ ଲୋକଙ୍କର ଧାରଣା ନ ଥିଲା ଯେ, ଘାସ ଚାଷ କରା ହୋଇପାରେ । ଖରାଦିନେ ଘାସ ଉଣା ହୋଇ ଗୋରୁଙ୍କର ବଡ଼ କଷ୍ଟ ହୁଏ । ତେଣୁ ଫାର୍ମ ଲୋକଙ୍କ ଶିକ୍ଷାରେ ପୂର୍ବରୁ ଘାସକୁ ଗାତରେ ଖଣି ପଖାଇ ଢ଼ାଙ୍କି ସାଇତି ରଖାହୁଏ । ତାହା ଛଡ଼ା ଗୋରୁମାନଙ୍କୁ ପ୍ରଚୁର ପରିମାଣରେ ଭୁଷି, ପିଡ଼ିଆ, କୋଳଥ, କୁଳୁଚି ଓ କପାମଞ୍ଜି ଦିଆହୁଏ । ଏହିପରି ସମସ୍ତେ ଗୋଜାତି ପ୍ରତି ଦୃଷ୍ଟି ଦେଲେ ।

ବି.ଦ୍ର. - ଏହି ଲେଖାଟି ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।

No comments:

Post a Comment