Monday, April 30, 2018

ଉଚ୍ଚ ଶିକ୍ଷାରେ ଗରିବଙ୍କ ସ୍ଥାନ କାହିଁ ?

ଗୋପବନ୍ଧୁ ଦାଶ


କଟକସ୍ଥ ରାଭେନ୍‌ସ କଲେଜ (ୱିକିମିଡିଆ କମନ୍ସ୍)

କଟକରେ ଅଧିକ କଲେଜ ବସିବ ବା ବିଶ୍ୱବିଦ୍ୟାଳୟ ହେବ ଏ କଥା କହିବା ବେଳେ ହଠାତ୍ ମନେ ହୁଏ ଆମ୍ଭେମାନେ କି ପାଗଲ ? ‌ଆମ୍ଭେମାନେ କି ସ୍ୱପ୍ନରେ ବିଳିବିଳାଉଛୁ ? କେଉଁଠାରେ ଲାଟସାହେବ ବକ୍ତୃତାରେ ତ କେତେ କଥା କୁହାଯାଏ । ବିହାର-ଓଡ଼ିଶା ପ୍ରଦେଶରେ ଓଡ଼ିଶା ସରକାରଙ୍କ ଆଦର ଅନୁଗ୍ରହରୁ ଅଧେ ପାଇବ ବୋଲି ବକ୍ତୃତାରେ କୁହା ହୋଇଥିଲା ପରା ? କେତେ ପାଇଲା ? ଏ ପ୍ରଦେଶର ପ୍ରଥମ ଲାଟ୍ ଦେଲି ସାହେବ କଟକରେ କହିଥିଲେ ପରା ରାଭେନ୍‌ସା ସାହେବ ତାଙ୍କର ପୁରାତନ ବନ୍ଧୁ, ଯେ କଲେଜ ସଙ୍ଗେ ତାଙ୍କ ନାମ ଯୋଗ ରହିଛି ତହିଁ ପ୍ରତି ସେ ବିଶେଷ ମନଯୋଗ ଦେବେ ଏବଂ ତହିଁର ଉନ୍ନତି କରିବେ ? ଖଣ୍ଡେ ଇଞ୍ଜିନିୟରିଂ ସ୍କୁଲ ହେବ ହେବ ବୋଲି ତ ଆଜି କି ପନ୍ଦର ସତର ବର୍ଷ ଚାଲିଗଲା, ତଥାପି ହୋଇପାରି ନାହିଁ ? ତେବେ ଆଉ କଟକରେ ବିଶ୍ୱବିଦ୍ୟାଳୟର ଆଶା କାହିଁକି ? ରାଭେନ୍‌ସା କଲେଜରେ ଆଗେ ଯେ ସବୁ ବିଷୟ ପଢ଼ାଯାଉଥିଲା ଏବେ ତ ସେଥିରୁ କେତେକ ନାହିଁ । ପୁଣି ପିଲା ମଧ୍ୟ ଦିନୁଁଦିନ କମୁଛନ୍ତି । ଗଲା ଥର ଲାଟ ସାହେବଙ୍କ ସଭାରେ ମାନ୍ୟବର ଗୋପବନ୍ଧୁ ଦାଶଙ୍କ ପ୍ରଶ୍ନର ଉତ୍ତରରେ ସରକାର ତରଫରୁ ଯେ ଉତ୍ତର ମିଳିଥିଲା, ସେଥିରୁ ଦେଖାଯାଏ ୧୯୧୭ ମସିହାରେ କଲେଜର ପ୍ରଥମ ବର୍ଷ ଶ୍ରେଣୀରେ ଛାତ୍ର ଥିଲେ ୨୨୩୧୯୧୮ରେ ୧୯୬ ପୂର୍ବ ବର୍ଷଠାରୁ ୨୭ଜଣ କମ୍ । ତହିଁ ପରବର୍ଷ ଅର୍ଥାତ୍ ବର୍ତ୍ତମାନ ସେହି ଶ୍ରେଣୀରେ ଛାତ୍ର ସଂଖ୍ୟା ୧୮୪, ଗଲା ବର୍ଷଠାରୁ ଆହୁରି ୧୨ଜଣ କମ୍ । ତୃତୀୟ ବର୍ଷ ଶ୍ରେଣୀରେ ୧୯୧୭୧୯୧୮ ଏବଂ ୧୯୧୯ ସାନମାନଙ୍କର ଛାତ୍ର ସଙ୍ଖ୍ୟା କ୍ରମାନ୍ୱୟରେ ୮୫୭୩, ଏବଂ ୬୭ । ଏ ସଙ୍ଖ୍ୟାମାନଙ୍କରେ ଦେଶରେ ଉଚ୍ଚ ଶିକ୍ଷା ବଢ଼ୁଛି ବୋଲି କୁହାଯିବ କି ? ତଥାପି କଲେଜ କ୍ଲାସମାନଙ୍କରେ ଦରମା ବଢ଼ୁଛି । ବେଶି ଦୁଃଖର କଥା ଯେ, ଏହି ଦୁର୍ଭିକ୍ଷ ବର୍ଷରେ ଦରମା ବଢ଼ିବାକୁ ଥିଲା । ଚାରି ଟଙ୍କା ଜାଗାରେ ସାତ ଟଙ୍କା ପର୍ଯ୍ୟନ୍ତ ହୋଇଅଛି । ବେଡ଼ି ଉପରେ କୋରଡ଼ା । କଟକ କଲେଜର ଛାତ୍ରମାନଙ୍କ ମଧ୍ୟରୁ ଅଧିଂକାଶଙ୍କର ଅବସ୍ଥା ଯେପରି, ସେଥିରେ ମାସ ମୁଣ୍ଡରେ ଅଧିକ ଟଙ୍କାଏ ଖର୍ଚ୍ଚ ଚଳାଇପାରିବା ସେମାନଙ୍କର ପକ୍ଷେ ଅସମ୍ଭବ । କର୍ତ୍ତାମାନେ କହିବେ ଏପରି ଗରିବମାନଙ୍କ ନିମନ୍ତେ କଲେଜ କି ଦରକାର ? ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନୂଆ କଲେଜ ଘର ତିଆରି କାହିଁକି ? କେତେ ଜଣ ସେଠାରେ ପଢ଼ିବେ ?

(ସମାଜ ତା ୧୧-୧୦-୧୯୧୯)

No comments:

Post a Comment