ନିଖିଳ ଓଡ଼ିଶାର ଛାତ୍ର ସମ୍ମିଳନୀ
ଗୋପବନ୍ଧୁ ଦାଶ
ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯୋଦ୍ଧାଙ୍କ ପାଇଁ ସ୍ମୃତିସ୍ତମ୍ଭ ପଣ୍ଡିଚେରୀ ଠାରେ ସ୍ଥିତ (ୱିକିମିମିଡିଆ କମନ୍ସ୍) |
ଗତ
ଅପ୍ରେଲ ମାସରେ ଉତ୍କଳ ସମ୍ମିଳନୀ
ଅଧବେଶନ ସଙ୍ଗେ ସଙ୍ଗେ କଟକରେ
ନିଖିଳ ଓଡିଶାର ଛାତ୍ର ସମ୍ମିଳନୀ
ଅଧିବେଶନ ହୋଇଥିଲା । ପୁରୀର
ସୁପରିଚିତ ଶ୍ରଦ୍ଧେୟ ବାବୁ ଜଗବନ୍ଧୁ
ସିଂହ ସଭାପତି ହୋଇଥିଲେ । ଏ
ଅନୁଷ୍ଟାନର ନାମ କାର୍ଯ୍ୟତଃ
ଯଥାର୍ଥରେ ଏଥର ସାର୍ଥକ ହୋଇଅଛି ।
ଛାତ୍ରମାନଙ୍କ ମଧ୍ୟରେ ପୂର୍ବବର୍ଷମାନଙ୍କ
ପରି କୌଣସି ପ୍ରକାର ଭେଦବାଦ ଦଳଗତ
ମତାନ୍ତର ବା ଅନୈକ୍ୟ ଅଧିବେଶନରେ
ଦେଖାଯାଇ ନଥିଲା । ଆଗରୁ ଯେ କେତେକ
ସ୍ୱତନ୍ତ୍ର ଅନୁଷ୍ଠାନ ଥିଲା, ସେ
ସବୁ ଏହି ସମ୍ମିଳନୀର ଅନ୍ତର୍ଭୁକ୍ତ
ହୋଇଥିଲା । ଓଡିଆଭାଷୀ ପ୍ରଦେଶର
ଯେ କୌଣସି ଛାତ୍ର ବର୍ଣ୍ଣ, ଧର୍ମ, ଜାତି
ନିର୍ବିଶେଷରେ ଏହି ସମ୍ମିଳନୀର
ସଭ୍ୟ ହୋଇପାରିବେ । ଏହାଦ୍ୱାରା
ଯୁବକମାନଙ୍କ ହୃଦୟରେ ବିଦ୍ୟାଳୟରୁ
ଓଡ଼ିଆଭାଷୀ ଅଞ୍ଚଳର ଏକତ୍ୱ
ସମ୍ୱନ୍ଧେ ଦୃଢ଼ ଧାରଣା ଓ ପ୍ରବଳ
ଆକାଂକ୍ଷା ଯେ ଜାଗ୍ରତ ହେଉଅଛି
ଏହା ବୋଲିବା ବାହୁଲ୍ୟ । ମାତ୍ର
ଏହା ବୋଲି ଛାତ୍ର ସମ୍ମିଳନୀ
ଅବଶ୍ୟ ରାଜନୈତିକ ଆନ୍ଦୋଳନ
ନୁହେଁ । ନିଖିଳ ଉତ୍କଳର ଛାତ୍ରମାନଙ୍କ
ମଧ୍ୟରେ ସ୍ନେହ ସୌନ୍ଦର୍ଯ୍ୟ ଏବଂ
ଏକତା ଜନ୍ମାଇବା ଏହାର ମୁଖ୍ୟ
କାର୍ଯ୍ୟ । ଏଥର ଅଧିବେଶନରେ
ସମ୍ମିଳନୀର ଗଠନ ଏବଂ କାର୍ଯ୍ୟ
ନିର୍ବାଦ ନିମନ୍ତେ କେତେକ ନିୟମ
ପ୍ରଣୟନ କରାଯାଇଅଛି । ଛାତ୍ରମାନଙ୍କ
ଛଡ଼ା ସ୍କୁଲ କଲେଜ ଶିକ୍ଷକ ଓ
ଅଧ୍ୟାପକ ଏବଂ ବାହାରେ କେତେକ
ଶିକ୍ଷାନୁରାଗୀ ବ୍ୟକ୍ତି
କାର୍ଯ୍ୟନିର୍ବାହିକା ସଭାରେ
ନିଆଯାଇ ଅଛନ୍ତି । ସ୍ଥୁଳରେ ଛାତ୍ର
ସମ୍ମିଳନୀର ଉଦାରତା ଏବଂ ସାମ୍ୟବାଦ
ନୀତି ଅତୀବ ପ୍ରଶଂସନୀୟ ।
ଆଜକୁ
ପ୍ରାୟ ବାର ବର୍ଷ ପୂର୍ବ ଛାତ୍ରମାନଙ୍କ
ଦ୍ୱାରା କଟକରେ ଉତ୍କଳ ଯୁବକ ସମିତି
ଗଠିତ ହୋଇଥିଲା । ପ୍ରଥମ ତିନି
ଚାରି ବର୍ଷ ଏହାଦ୍ୱାରା କେତେଗୁଡ଼ିଏ
ଦେଶହିତକର ସାଧାରଣ କାର୍ଯ୍ୟ
ସମ୍ପାଦିତ ହୋଇଥିଲା । ମାତ୍ର
ନାନା ଘଟଣା ପ୍ରବାହରେ ଏହାର ମୌଳିକ
ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା
ରହି ପାରିଲା ନାହିଁ । ଏହା କଲେଜରେ
ଏକ ନୀରସ ଆଲୋଚନା ସମିତିରେ ପରିଣତ
ହେଲା । ଓଡ଼ିଶାର ନାନା ସ୍ଥାନରେ
ଏହାର ଶାଖା ସମିତିମାନ ସ୍ଥାପିତ
ହୋଇଥିଲା । ମାତ୍ର
କେନ୍ଦ୍ର ସମିତିର ତିରୋଧାନ
ସେଗୁଡି଼କ କ୍ରମେ ଅନୁସାରଣ କଲେ
ସମସ୍ତେ ଅକୁଣ୍ଠିତ ଚିତ୍ତରେ
ସ୍ୱୀକାର କରିବେ । ଆମ୍ଭମାନଙ୍କର
ଧାରଣା ଯେଡ଼େ ସାମାନ୍ୟ ଏବଂ
ସ୍ୱଳ୍ପକାଳ ସ୍ଥାୟୀ ହେଲେ
ସୁଦ୍ଧା, କୌଣସି
ସଦନୁଷ୍ଠାନ ଏକାବେଳକେ ଧ୍ୱଂସ
ପାଏ ନାହିଁ ଏହା ଭାଙ୍ଗିଗଲେ ପୁଣି
ନୂତନ ଓ ଉନ୍ନତତର ଆକାରରେ ଅନ୍ୟ
ଅନୁଷ୍ଠାନର ସୂତ୍ରପାତ ହୁଏ ।
ପୂର୍ବ ଅନୁଷ୍ଠାନ ଏହି ପରବର୍ତ୍ତୀ
ଅନୁଷ୍ଠାନ ନିୟାମକ ଏବଂ ପଥ
ପ୍ରଦର୍ଶକ ।
ନିଖିଳ
ଓଡ଼ିଶାର ଛାତ୍ରସମ୍ମିଳନୀ ଛ' ବର୍ଷ
ହେଲା ହୋଇଥିଲା ସୁଦ୍ଧା ଏ
ପର୍ଯ୍ୟନ୍ତ ତାହାର ମୂଳଭିତ୍ତି
ଦୃଢ଼ ହୋଇନଥିଲା । ଏ ପର୍ଯ୍ୟନ୍ତ
ଏହା ସାର୍ବଜନୀନ ଆଦର ଓ ସହାନୁଭୂତି
ପାଇ ନଥିଲା । ବ୍ୟକ୍ତିଗତ ଅହଙ୍କାର
ବିବାଦ ବିଦ୍ୱେଷରେ ଏହା କଳୁଷିତ
ହୋଇଥିଲା । ଯଥାର୍ଥାରେ ଏହି
ବର୍ଷ କଟକରେ ଏହାର ପ୍ରାଣ ପ୍ରତିଷ୍ଠା
ହୋଇଅଛି । ଉତ୍କଳ ଯୁବକ ସମିତି
ପ୍ରାରମ୍ଭରେ କେନ୍ଦ୍ରାପଡ଼ା
ଯାଜପୁରର ଦୁର୍ଭିକ୍ଷରେ ସାହାର୍ଯ୍ୟ
କରି କଠିନ ସାଧନାରେ ପ୍ରାଣ
ପ୍ରତିଷ୍ଠା କରିଥିଲେ । ନିଖିଳ
ଓଡିଶାର ଛାତ୍ର ସମ୍ମିଳନୀ ମଧ୍ୟ
ବର୍ତ୍ତମାନ ସେହିପରି ଗୁରୁତର
ସାଧନାର ସମ୍ମୁଖୀନ । ଦେଶବ୍ୟାପୀ
ଭୀଷଣ ଦୁର୍ଭିକ୍ଷରେ ଯଥା ସାଧ୍ୟ
ସାହାଯ୍ୟ କରିବା ନିମନ୍ତେ ସ୍ଥାନେ
ସ୍ଥାନେ ଛାତ୍ର ସମାଜ ଆଜି ବଦ୍ଧପରିକର
ହୋଇଅଛନ୍ତି । ଛାତ୍ରମାନଙ୍କର
ଅର୍ଥବଳ ନାହିଁ । ଆପାଣାର ଶକ୍ତି, ସମୟ
ଓ ଜୀବନକୁ ଦେଶବାସୀଙ୍କ କାର୍ଯ୍ୟରେ
ଲଗାଇବା ନିମନ୍ତେ ଅଛି କେବଳ ପ୍ରବଳ
ଆକାଂକ୍ଷା । ଏ ପବିତ୍ର ଆକାଂକ୍ଷା
ଚରିତାର୍ଥ କରିବାରେ ଦେଶବାସୀ
ସେମାନଙ୍କର ସହାୟ ନ ହେଲେ ସେମାନଙ୍କର
ଆଉ ଚାରା କଅଣ ?
ଏବ ର୍ଷ
ଛାତ୍ର ସମ୍ମିଳନୀ କେତେଗୁଡିଏ
କାର୍ଯ୍ୟର ପ୍ରସ୍ତାବ କରିଅଛନ୍ତି ।
ତାହିଁ ମଧ୍ୟରୁ ଦୁଇଟି ମୁଖ୍ୟ - ଓଡିଶାର
ଶିକ୍ଷା କେନ୍ଦ୍ର କଟକରେ ଏକ
ସାଧାରଣ ପାଠାଗାର ସ୍ଥାପନ ଏବଂ
ସାମରିକ ଶିକ୍ଷାରେ ଛାତ୍ରମାନଙ୍କର
ଯୋଗଦାନ । ଆମ୍ଭେମାନେ ଦୁଇ
ପ୍ରସ୍ତାବକୁ ଅନ୍ତରରେ ସହିତ
ସମର୍ଥନ କରୁଅଛୁଁ । କଟକରେ ଏକ
ସାଧାରଣ ପାଠାଗାରର ଅଭାବ ବହୁ ଦିନ
ହେଲା ଅନେକେ ଉପଲବ୍ଧି କରୁଅଛନ୍ତି ।
ସ୍କୁଲ କଲେଜ ଛଡ଼ା ଏପରି କୌଣସି
ସ୍ଥାନ ନାହିଁ ଯେଉଁଠାରେ ବୟସ୍କ
ଛାତ୍ରମାନେ ସ୍ୱଚ୍ଛନ୍ଦରେ
ମିଳିମିଶି ଜ୍ଞାନ ଆଲୋଚନା
ସଦାଳାପ, ବା
ଅନ୍ୟ କୌଣସି ପ୍ରକାର ନିର୍ଦ୍ଦୋଷ
ଅଥଚ ସରସ ଆମୋଦରେ ବିଶ୍ରାମ ସମୟ
କଟାଇ ପାରିବେ । ଅନ୍ୟାନ୍ୟ ବଡ଼ବଡ଼
ସହରରେ ଏପରି ବହୁ ଅନୁଷ୍ଠାନ
ରହିଅଛି । ଏହି ଅନୁଷ୍ଠାନମାନ
ଛାତ୍ରମାନଙ୍କର ଜ୍ଞାନର ସ୍ୱଚ୍ଛନ୍ଦ
ସମ୍ପ୍ରସାରଣରେ ବହୁ ସାହାଯ୍ୟ
କରେ । କେତେ ସୂତ୍ରରେ କେତେ ଉପାୟରେ
ଆଜିକାଲି ଯେ ସଭ୍ୟଦେଶମାନଙ୍କରେ
ଜ୍ଞାନର ବିକିରଣ ହେଉଅଛି, ତହିଁର
ଇୟତ୍ତା ନାହିଁ । ଓଡିଶାରେ ଏବେ
ସ୍କୁଲ କଲେଜ ସଂଖ୍ୟା ଯଥେଷ୍ଟ
ନୁହେଁ ପୁଣି ତାହା ଛଡ଼ା
ଜ୍ଞାନ ପ୍ରସାରର ଅନ୍ୟ କୌଣସି
ପ୍ରକାରର ପନ୍ଥାନାହିଁ । ଏଥିରେ
ଆମ୍ଭମାନଙ୍କ ଛାତ୍ରମାନେ ଅନ୍ୟାନ୍ୟ
ପ୍ରଦେଶର ଛାତ୍ରମାନଙ୍କ ପରି
ଉନ୍ନତି ନ ଦେଖାଇ ପାରିବା ତ
ଆଶ୍ଚର୍ଯ୍ୟ ନୁହେଁ । ଛାତ୍ର ସମ୍ମିଳନୀ
ଛାତ୍ର ସମାଜର ଏ ଅଭାବ ହୃଦୟଙ୍ଗମ
କରିବା ଅତ୍ୟନ୍ତ ଆଶାର ବିଷୟ ।
ମାତ୍ର ସାଧାରଣଙ୍କର ଆର୍ଥିକ
ସାହାଯ୍ୟ ବିନା ଏ ଉଦ୍ୟମ କେବଳ
ପ୍ରସ୍ତାବରେ ପର୍ଯ୍ୟବସିତ
ହେବ ।
ସାମରିକ
ଶିକ୍ଷା ସମ୍ୱନ୍ଧୀୟ ପ୍ରସ୍ତାବରେ
ଛାତ୍ରମାନେ ସାଧାରଣ ସାହାଯ୍ୟ
ଉପରେ ନିର୍ଭର କରିବା ପ୍ରୟୋଜନ
ନାହିଁ । ପ୍ରତ୍ୟେକ ବ୍ୟକ୍ତି
ପକ୍ଷରେ ସାମରିକ ଶିକ୍ଷା ଯେ
ଆବଶ୍ୟକ ଏହା ଭାରତୀୟ ରାଜନୈତିକ
ନେତାମାନେ ବହୁ କାଳ ହେଲା ସରକାରଙ୍କୁ
କହି ଆସୁଥିଲେ ସୁଦ୍ଧା ଇଂରାଜୀ
ଗଭର୍ଣ୍ଣମେଣ୍ଟ ତହିଁରେ କର୍ଣ୍ଣପାତ
କରି ନ ଥିଲେ । ଇଉରୋପର ମହାଯୁଦ୍ଧରେ
ଏ ଆବଶ୍ୟକତା ବିଶେଷ ଭାବରେ ଅନୁଭୂତ
ହୋଇଅଛି । ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍ସ
ପ୍ରଭୃତି ଦେଶର କେତେ ପ୍ରତିଭାଶାଳୀ
ଯୁବକ ଜାତୀୟ ସମ୍ମାନ ରକ୍ଷା
ନିମନ୍ତେ ଶିକ୍ଷା ପ୍ରକୋଷ୍ଠ ଛାଡ଼ି ଭୀଷଣ ସମରପ୍ରାଙ୍ଗଣରେ ଅବତୀର୍ଣ୍ଣ
ହୋଇଥିଲେ ତାହାର ସଙ୍ଖ୍ୟା ନାହିଁ ।
ସେମାନଙ୍କର ମଧ୍ୟରୁ ଅନେକେ ପିତା
ମାତା ପରିବାରବର୍ଗଙ୍କୁ ଚିରଦିନ
ଲାଗି ଶୋକସାଗରରେ ଭସାଇ
ସ୍ୱର୍ଗରାଜ୍ୟକୁ ପ୍ରୟାଣ
କରିଅଛନ୍ତି, ଆଉ
କେତେକ ହୁଏତ ଚିରଜୀବନ ଅକର୍ମଣ୍ୟ
ହୋଇଅଛନ୍ତି, କେହି
ବିଜୟ ଗୌରବରେ ଅଳଙ୍କୃତ ହୋଇ
ଫେରି ଅଛନ୍ତି । ସେ ଯାହା ହେଉ ଏ
ଯୁବକମାନଙ୍କର ଆତ୍ମୋତ୍ସର୍ଗ
ଜାତୀୟ ଉନ୍ନତିର ପ୍ରକୃଷ୍ଟ
ଉପାଦାନ । ଆତ୍ମାରକ୍ଷା କରିବାର
ଯାହାର ଶକ୍ତି ନାହିଁ ସେ ମନୁଷ୍ୟ
ନୁହେଁ । ସେହିପରି ଅନ୍ୟର ଆକ୍ରମଣରୁ
ରକ୍ଷା ପାଇବା ନିମନ୍ତେ ଯେଉଁ
ଜାତିର ସମ୍ୱଳ ବା ସାମର୍ଥ୍ୟ ନାହିଁ
ସେ ଜାତି ନୁହେଁ । ଆମ୍ଭେମାନେ
ଜାତୀୟ ଜୀବନର ଯେତେ ଆସ୍ଫାଳନ
କରେ ପଛକେ ଆତ୍ମରକ୍ଷା କରିବା ଲାଗି
ସକ୍ଷମ ନ ହେବା ଯାଏ ଭାରତବାସୀ
ଜାତି ବୋଲି କଦାପି ପରିଗଣିତ
ହେବେ ନାହିଁ । ଇଂରେଜ ସରକାର ବର୍ତ୍ତମାନ
ଯୁଦ୍ଧ ଶିକ୍ଷା ଲାଗି ଭାରତୀୟ
ଯୁବକମାନଙ୍କୁ କେତେକ ସୁବିଧା
ଦେବାର ଆଶା ଦେଖାଯାଉଅଛି । ଏହା
ଭାରତ ପକ୍ଷରେ ତଥା ବ୍ରିଟିଶ
ସାମ୍ରାଜ୍ୟ ପକ୍ଷେ ଅଶେଷ କଲ୍ୟାଣକର
ହେବ । ଏ ସୁଯୋଗ ଛାଡ଼ିବା
ଆମ୍ଭମାନଙ୍କ ପକ୍ଷେ ନିତାନ୍ତ
ଅଦୂରଦର୍ଶିତା ହେବା । ମଧ୍ୟ ଇଂରେଜ
ସରକାର ଅକୁଣ୍ଠିତ ଭାବରେ ଶୀଘ୍ର
ଭାରତୀୟ ଯୁବକମାନଙ୍କ ମଧ୍ୟରେ
ସାମରିକ ଶିକ୍ଷା ବିସ୍ତାରର
ବ୍ୟବସ୍ଥା ନ କଲେ ପରେ ଅନୁତାପ
କରିବାକୁ ପଡ଼ିବା ବିଚିତ୍ର ନୁହେଁ ।
ଭାରତୀୟ ଯୁବକମାନଙ୍କର ଅସ୍ତ୍ରଶସ୍ତ୍ର
ଶିକ୍ଷା ଲାଗି ଏ ଦେଶର ପ୍ରତ୍ୟେକ
ପ୍ରଦେଶରେ କଲେଜ ସ୍ଥାପନ ବର୍ତ୍ତମାନ
ଆବଶ୍ୟକ ହୋଇଅଛି । ଆମ୍ଭମାନଙ୍କର
ଆଶା ଏଭଳି କଲେଜ ଅନ୍ତତଃ ଦୁଇ ଏକ
ପ୍ରଧାନ କେନ୍ଦ୍ର ସ୍ଥାନରେ ଶୀଘ୍ର
ବସିବ । ସେଥିରେ ପ୍ରବେଶ କରିବା
ଲାଗି ଉତ୍କଳୀୟ ଯୁବକ ଆଗହିଁ
ପ୍ରସ୍ତୁତ ହୁଅ । ଯଥା ସମୟରେ
କାର୍ଯ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ
ନ ହୋଇ ଓଡ଼ିଶା ସକଳ ବିଷୟରେ
ପଶ୍ଚାତ୍ପଦ ହୋଇ ପଡ଼ିଅଛି ।
ଏଣିକି ପ୍ରତ୍ୟେକ କାର୍ଯ୍ୟରେ
ଆଗଭର ହେବା ଦରକାର । 'ନ ସାହସ
ମନାରୁହ୍ୟ ନରୋ ଭଦ୍ରାଣି ପଶ୍ୟତି', ଏହି ସାଧାରଣ ପ୍ରାଚୀନ ପ୍ରବଚନକୁ
ଆମ୍ଭମାନଙ୍କର ସର୍ବଦା ମନେ ରଖିବା
ଉଚିତ ।
ବିହାର
ଛାତ୍ର ସମ୍ମିଳନ ଉତ୍କଳ ଯୁବକ
ସମତିର ସମସାମୟିକ । ଏହା ବାର ବର୍ଷର
ଅନୁଷ୍ଠାନ ମାତ୍ର । ମାତ୍ର କାର୍ଯ୍ୟ
ଶୃଙ୍ଖଳା ଏବଂ କର୍ମଠତା ଯୋଗୁଁ
ଏହି ଅଳ୍ପ ସମୟ ମଧ୍ୟରେ ଏହା ବିହାର
ଛାତ୍ର ସମାଜର ଏକ ସୁପରିଚାଳିତ
ଶକ୍ତିଶାଳୀ ଦଳଗତ ଉଦ୍ୟମରେ ପରିଣତ
ହୋଇଅଛି । ଏହି ସମ୍ମିଳନୀ କି
ପ୍ରାଦେଶିକ ଭିତ୍ତି ଉପରେ ସ୍ଥାପନ
କରିବା ବିହାରୀ ଛାତ୍ରମାନଙ୍କର
ଏକାନ୍ତ ଇଚ୍ଛା । ସୁତରାଂ ସେମାନେ
ଏଥିରେ ଓଡିଶାର ଛାତ୍ରମାନଙ୍କର
ସହଯୋଗିତା ଏବଂ ସାହଚର୍ଯ୍ୟ
ଲୋଡ଼ନ୍ତି । ଆମ୍ଭେମାନେ ବରାବର
କହୁ ନିଜର ସ୍ୱାତନ୍ତ୍ର୍ୟ ରଖି
ଓଡିଆମାନେ ଯେତେ ବିସ୍ତୀର୍ଣ୍ଣ
ଉଦାର କ୍ଷେତ୍ରରେ କାର୍ଯ୍ୟ କରିବାର
ସୁଯୋଗ ପାଆନ୍ତି ତେତେ ଶ୍ରେୟ ।
ବିହାର ଛାତ୍ର ସମାଜର ଆହ୍ୱାନ
ଉତ୍କଳ ଛାତ୍ର ସମ୍ମିଳନୀ କଦାପି
ଉପେକ୍ଷା କରିବେ ନାହିଁ, ଏହା
ଆମ୍ଭେମାନେ ଆଶା କରୁଁ । ମାନ୍ଦ୍ରାଜ
ଏବଂ ବମ୍ୱେଇ ପ୍ରଦେଶରେ ଛାତ୍ରମାନଙ୍କର
ଏକ ମହାସମ୍ମିଳନୀର ପ୍ରସ୍ତାବ
କରନ୍ତି । ବର୍ତ୍ତମାନ ସମସ୍ତଙ୍କ
ମନକୁ ମହାଭାରତୀୟ ଭାବ ଯାଇଅଛି ।
କ୍ରମେ ଏ ଭାବ ପରିପୁଷ୍ଟ ହେଉଅଛି ।
ଆମ୍ଭମାନଙ୍କର ପ୍ରାଚୀନ ପୁଣ୍ୟ
ପର୍ବ ଆଦି ନାନାବିଧ ଧର୍ମ ଏବଂ
ସମାଜଗତ ବିଧାନ ଓ ଅନୁଷ୍ଠାନଦ୍ୱାରା
ଯେଉଁ ମହାଭାରତଭାବ ହୃଦୟରେ ଜୀବିତ
ଥିଲା ଇଂରେଜ ଶାସନର ନାନା ରାଷ୍ଟ୍ରୀୟ
କ୍ରିୟା ଦ୍ୱାରା ତାହା ଅଧିକ ଜାଗ୍ରତ
ହେଉଅଛି । ମହାଭାରତ ଛାତ୍ର ସମ୍ମିଳନୀ
କାର୍ଯ୍ୟରେ ପରିଣତ ହେଲେ ଭାରତ
ଜାତୀୟତାର ଭବିଷ୍ୟତ ବହୁ ପରିମାଣରେ
ଉଜ୍ଜ୍ୱଳ ଏବଂ ସୁନିଶ୍ଚିତ ହେବ ।
ଉତ୍କଳୀୟ ଛାତ୍ରମାନେ ଏହି ମହାମିଳନରେ
ଯଥୋଚିତ ସ୍ଥାନ ଏବଂ ଅଧିକାର
ପଇବାର ଦେଖିଲେ ଆମ୍ଭେମାନେ
କୃତକୃତ୍ୟ ହେବୁ ।
(ସତ୍ୟବାଦୀ-୧୯୧୮)
No comments:
Post a Comment