ପ୍ରାଦେଶିକ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା
ଗୋପବନ୍ଧୁ ଦାଶ
୧୯୦୫ ମସିହାରେ ଉତ୍ତୋଳିତ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ସିନେଟ ହାଉସର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ଯେ କୌଣସି
ଜାତିର ଶିକ୍ଷା ସେହି ଜାତିର ନିଜ
ଭାଷାରେ ନ ହେବା ଯାଏ ତାହା ଜାତୀୟ
ଶିକ୍ଷା ନୁହେଁ । ଭାଷା ଭାବ ପ୍ରକାଶର
ଉପାୟ ମାତ୍ର ସତ କିନ୍ତୁ ଯେଉଁ
ଭାଷା ମନୁଷ୍ୟର ନିଜ ଭାଷା ଯେଉଁ
ଭାଷାର ବେଷ୍ଟନୀ ମଧ୍ୟରେ ସେ
ଜନ୍ମଦିନୁ ଲାଳିତ ପାଳିତ ସେ
ଭାଷାରେ ଭାବ ଯେପରି ସୁବୋଧ୍ୟ
ହୁଏ ଅନ୍ୟ ଭାଷାରେ ସେପରି ହୁଏ
ନାହିଁ । ଇଂରାଜୀ ଶିକ୍ଷା ଏ ଦେଶରେ
ବହୁ ଦିନ ହେଲା ଚଳିଲାଣି । ଦେଶୀୟ
ଲୋକଙ୍କ ମଧ୍ୟରୁ ଅନେକେ ଇଂରାଜୀରେ
ବ୍ୟୁତ୍ପନ୍ନ ପଣ୍ଡିତ ହୋଇ
ଅଛନ୍ତି, ବଡ଼ବଡ଼
ଗ୍ରନ୍ଥ ଲେଖୁଅଛନ୍ତି,
ବକ୍ତୃତା
ଦେଉଅଛନ୍ତି, ଦୈନିକ
ଖବର ଚଳାଉଛନ୍ତି ମାତ୍ର ନିଜ
ମାତୃଭାଷା କହିଲାବେଳେ ଯେତେ ସହଜ
ଓ ସ୍ୱଚ୍ଛନ୍ଦ ଲାଗେ ଇଂରାଜୀ
କହିଲାବେଳେ ସେପରି ବୋଧ କରନ୍ତି
କି ? ଆମ୍ଭେମାନେ
କୌଣସି ବିଦେଶୀୟ ଭାଷା ଲେଖିଲା ବେଳେ
ବା କହିବା ବେଳେ ସଙ୍ଗେ ସଙ୍ଗେ
ମନେ ମନେ ସେହି ଭାଷାରେ ମାତୃଭାଷାର
ଅନୁବାଦ କରିଥାଉ । ଅବଶ୍ୟ ଯେଉଁମାନେ
ଅତି ଶୈଶବ କାଳରୁ ବୈଦେଶିକ
ଭାଷାବେଷ୍ଟନୀ ମଧ୍ୟରେ ବଢ଼ିଛନ୍ତି
ସେମାନଙ୍କ କଥା ସ୍ୱତନ୍ତ୍ର ।
ଇଂରାଜୀ ବର୍ଣ୍ଣପରିଚୟଠାରୁ
ଆରମ୍ଭ କରି ବିଶ୍ୱବିଦ୍ୟାଳୟ
ଉଚ୍ଚ ଉପାଧି ପର୍ଯ୍ୟନ୍ତ ଯେଉଁମାନେ
ପଢ଼ୁଅଛନ୍ତି ଅନେକେ ବଳବୟସ ବ୍ୟୟ
କରି କେବଳ ଇଂରାଜୀ ଭାଷା ଶିଖୁଅଛନ୍ତି
କହିଲେ ଚଳେ। ବହୁତ ଗୁଡିଏ ଇଚ୍ଚ
ଶ୍ରେଣୀର ଗ୍ରନ୍ଥ ପଢ଼ନ୍ତି ସତ
ମାତ୍ର ସେ ସବୁର ଭାବରାଶି ସମ୍ପୂର୍ଣ୍ଣ
ରୂପେ ସେମାନଙ୍କର ନିଜସ୍ୱ ହୋଇପାରେ
ନାହିଁ । ଏହି କାରଣରୁ ବିଲାତ
ବିଶ୍ୱବିଦ୍ୟାଳୟ ବି.ଏ.
ଉପାଧିଧାରୀମାନେ
ଭାରତରେ ବି.ଏ. ଏମ.ଏ. ଉପାଧିଧାରୀମାନଙ୍କର ଅଧ୍ୟାପକ
ହୋଇପାରୁଛନ୍ତି ଏବଂ ଭାରତୀୟ
ଉପାଧିଧାରୀମାନେ ଅନ୍ୟାନ୍ୟ ଦେଶର
ଉପାଧିଧାରୀମାନଙ୍କ ସଙ୍ଗେ ସମକକ୍ଷ
ହୋଇପାରୁ ନାହାନ୍ତି -
ବିଶ୍ୱବିଦ୍ୟାଳୟ
କମିଶନ ବସୁ, ଛାତ୍ରବାସ ସହ କଲେଜ
ବ୍ୟବସ୍ଥା ହେଉ
ବା ଆଉ ଯାହା କିଛି ହେଉ । ବିଦେଶୀୟ
ଭାଷା ଆୟତ୍ତ କରିବାରେ ଭାରତୀୟ
ଛାତ୍ରମାନଙ୍କର ଯେତେ ଦିନ ଏହି ପରି
ରକ୍ତମାଂସ କ୍ଷୟ ହେଉଥିବ,
ସେତେ ଦିନ
ଯାଏ ଏ ଦେଶରେ ଉଚ୍ଚଶିକ୍ଷାର
ଆଶାନୁରୂପ ଫଳ କଦାପି ଦେଖାଯିବ
ନାହିଁ ।
ସ୍କୁଲ କଲେଜରେ ଅଧିକାଂଶ ଛାତ୍ରଙ୍କଠାରୁ ଶୁଣାଯାଏ, ଇଂରାଜୀରେ ପାସ୍ କଲେ ପାସ୍ କରିଯିବି । ଅଥଚ ଅନ୍ୟାନ୍ୟ ବିଷୟ ଅପେକ୍ଷା ଇଂରାଜୀରେ ପ୍ରାୟ ସମସ୍ତ ଛାତ୍ର ଅଧିକ ମନଧ୍ୟାନ ଦେଇଥାଆନ୍ତି । ଇଂରାଜୀରେ କେହି ସୁନ୍ଦର ଦୁଇ କଥା କହିଲେ ବା ଲେଖିଲେ ଶିକ୍ଷିତ ସମାଜରେ ତାଙ୍କର ଅତ୍ୟଧିକ ଖାତିର ହୋଇଥାଏ । ମୋଟ କଥା ଆମ୍ଭେମାନେ ଭାବ ଛାଡ଼ି ଭାଷାରେ ସମସ୍ତ ଶକ୍ତି ଅପଚୟ କରୁଅଛୁ । ନ କରି ଗତି କାହିଁ ?
ଭାରତୀୟ
ଛାତ୍ରମାନଙ୍କର ଏହି ଦୁର୍ଗତିକି
ଲକ୍ଷ୍ୟ କରି ଭାରତ ବଡ଼ଲାଟ
ଲର୍ଡ ଚେମସ୍ଫୋର୍ଡ ଶିକ୍ଷା
ବିଭାଗୀୟ ଡ଼ାଇରେକ୍ଟରମାନଙ୍କ
ସମ୍ମିଳନୀରେ କହିଥିଲେ ବିଦେଶୀୟ
ଭାଷା ସାହାଯ୍ୟରେ ଭାରତୀୟ ଛାତ୍ରମାନେ
ଅତି ସୁକଠିନ ଗଭୀର ବିଷୟମାନଙ୍କର
ଆଲୋଚନା କରନ୍ତି ଏବଂ ଅନେକ ସ୍ଥଳେ
ସେହି ଭାଷାରେ ସେମାନଙ୍କର ସମୁଚିତ
ଜ୍ଞାନ ଅଭାବରୁ ସମଗ୍ର ପାଠ୍ୟପୁସ୍ତକକୁ
ଆମ୍ଭେମାନେ ତୀବ୍ର ଭାବରେ
ସମାଲୋଚନା କରିଥାଉଁ । ମାତ୍ର
ମୁଁ ମନେକରେ ଭାରତୀୟ ଛାତ୍ରମାନେ
ଜ୍ଞାନ ଅନୁଶୀଳନୀ ଛାଡ଼ି ନ ଦେଇ
ବୁଝି ନ ବୁଝି ସମଗ୍ର ପୃଷ୍ଠା ଏବଂ
ସମଗ୍ର ପୁସ୍ତକ ମାନ ଯେ ମୁଖସ୍ଥ
କରନ୍ତି ଏହା ସେମାନଙ୍କର ଧୈର୍ଯ୍ୟ
ଓ ଉତ୍ସାହ ପକ୍ଷେ ଅତ୍ୟନ୍ତ ପ୍ରଶଂସାର
ବିଷୟ । ମାତ୍ର ଏହା ଯେ ଶିକ୍ଷାର
ବିକୃତି ଏଥିରେ କୌଣସି ସନ୍ଦେହ
ନାହିଁ ।"
ବାସ୍ତବିକ ଏହି ବିଦେଶୀୟ ଭାଷା ସାହାଯ୍ୟରେ ଶିକ୍ଷାଲାଭ କରିବା ଦ୍ୱାରା ଆମ୍ଭମାନଙ୍କର ବୁଦ୍ଧିବୃତ୍ତି ଯେ କେବଳ ଅପଚିତ ହେଉଅଛି, ତାହା ନୁହେଁ, ଶାରୀରିକ ଶକ୍ତି, ସ୍ୱାସ୍ଥ୍ୟ ଏବଂ ସମୟ ବିସ୍ତର ନଷ୍ଟ ହେଉଅଛି ।
ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶିକ୍ଷା ଦେଶୀୟ ଭାଷା ସାହାଯ୍ୟରେ ଦିଆଯିବା ଭାରତୀୟ ଶିକ୍ଷାନୀତିର ଲକ୍ଷ୍ୟ ହେବା ଉଚିତ । ଏକାଦିନକେ ଏ ଲକ୍ଷ୍ୟ ସାଧିତ ହେବ ବୋଲି କେହି କହୁ ନାହିଁ । ପ୍ରାଦେଶିକ ଭାଷାରେ ଉପଯୁକ୍ତ ପୁସ୍ତକର ଅଭାବ ଏଥିରେ ପ୍ରଧାନ ଅନ୍ତରାୟ । ମାତ୍ର ଲକ୍ଷ୍ୟ ଗୃହୀତ ହେଲେ ଏବଂ ଏହାର ସାଧନ ନିମନ୍ତେ ସରକାରଙ୍କର ତଥା ଦେଶର ଶିକ୍ଷିତ ସାଧାରଣଙ୍କର ଯତ୍ନ ହେଲେ ଏ ବାଧା ଅତିକ୍ରମ କରିବାକୁ ବେଶି ଦିନ ଲାଗିବ ନାହିଁ । ଜାପାନ ତାହାର ଆଧୁନିକ ଜ୍ଞାନ ସକଳ ପାଶ୍ଚାତ୍ୟ ଦେଶମାନଙ୍କଠାରେ ଗ୍ରହଣ କରିଅଛି ତ ? ମାତ୍ର ଏହି ଅଳ୍ପ କେତେ ବର୍ଷ ମଧ୍ୟରେ ସେ ସବୁ ଜାପାନର ନିଜସ୍ୱ ହୋଇଯାଇଅଛି । ଜାପାନର ବାଳକ ବାଳିକାମାନେ ସେ ସବୁକୁ ନିଜ ଘର ଜିନିଷ ପରି ଅତି ଅନାୟାସରେ ଗ୍ରହଣ କରୁଅଛନ୍ତି, ପିଲାଦିନୁ ବାପମାଆଙ୍କଠାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଠାରୁ ନିଜ ଘର ଭାଷାରେ ଅବଲୀଳାକ୍ରମେ ଶିଖି ଯାଉଅଛନ୍ତି । ଇଂରାଜୀ ଭାଷା ଯେଉଁ ଦିନୁ ଏ ଦେଶର ଶିକ୍ଷାବିଭାଗରେ ଚଳିଲାଣି, ଏହି ଲକ୍ଷ୍ୟରେ କାର୍ଯ୍ୟ ହୋଇଥିଲେ ଦେଶୀୟ ଭାଷାମାନଙ୍କରେ ଆଜି ପୁସ୍ତକର ଅଭାବ ନ ଥାଆନ୍ତା । ଉତ୍କୃଷ୍ଟ ଇଂରାଜୀ ପୁସ୍ତକମାନଙ୍କର ଅନୁବାଦ ହୋଇ ସାରନ୍ତାଣି । ମାତ୍ର ଇଂରାଜୀ ସାହାଯ୍ୟରେ ଶିକ୍ଷା ବରାବର ଚାଲିଲେ ଦେଶୀୟ ଭାଷାମାନଙ୍କର ଏ ସୌଭାଗ୍ୟ କଦାପି ଘଟିବ ନାହିଁ । ଅବଶ୍ୟ କେହି କେହି ସାହିତ୍ୟାନୁରାଗୀ ଇଂରାଜୀ ଭାଷାର ପୁସ୍ତକ ଖଣ୍ଡେ ଖଣ୍ଡେ ନିଜ ଭାଷାରେ ଅନୁବାଦ କରୁଅଛନ୍ତି ବା ଇଂରାଜୀ ଭାବ ଅବଲମ୍ୱନରେ ନିଜ ଭାଷାରେ ନୂତନ ପୁସ୍ତକ ଲେଖୁଅଛନ୍ତି । ସେମାନଙ୍କ ସଙ୍ଖ୍ୟା କେତେ ? ଅନ୍ୟ ପ୍ରେରଣା ଥିଲେ ଅଧିକ ସଙ୍ଖ୍ୟକ ଶିକ୍ଷତ ବ୍ୟକ୍ତି ଏ ଦିଗରେ ଉଦ୍ୟମ କରୁଥାଆନ୍ତେ ।
ଇଂରାଜୀରେ ଶିକ୍ଷା ଦେବାର ଉଦ୍ଦେଶ୍ୟ ସରକାରୀ ଚାକିରି ଲାଗି ଲୋକ ପ୍ରସ୍ତୁତ କରିବା। ସମସ୍ତଙ୍କର ଇଂରାଜୀ ପଢ଼ିବାର ଅବସ୍ଥା ନାହିଁ, ତେଣୁ ଯେଉଁମାନେ ପଢ଼ୁଅଛନ୍ତି, ସାଧାରଣଙ୍କଠାରୁ ସେମାନଙ୍କର କିଛି ବିଶେଷତ୍ୱ ଅଛି ବୋଲି ସେମାନେ ମନେ କରନ୍ତି ଏବଂ ସେହି ଚାକିରି ଛଡା ଅନ୍ୟ କୌଣସି ଉଦ୍ଦେଶ୍ୟ ସେମାନଙ୍କର ନ ଥାଏ । ପ୍ରାଦେଶିକ ଭାଷାରେ ଶିକ୍ଷା ଦିଆଗଲେ ଉଚ୍ଚଶିକ୍ଷା ପରିସର ବଢ଼ିବ । ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କଲାପରେ ଶିକ୍ଷିତ ଯୁବକମାନଙ୍କର ନୂତନ ବିଷୟର ଆଲୋଚନା ଓ ଅନୁସନ୍ଧାନ ଲାଗି ନିଜ ଭାଷାର ସମୃଦ୍ଧି ବିଧାନ ଲାଗି ଯଥେଷ୍ଟ ଶକ୍ତି ଏବଂ ଉତ୍ସାହ ଥିବ । ପାଶ୍ଚାତ୍ୟ ରାଜ୍ୟରେ ବିଶ୍ୱବିଦ୍ୟାଳୟରୁ ବାହାରିବା ପରେ ପ୍ରକୃତ ଜ୍ଞାନ ଆଲୋଚନା ଆରମ୍ଭ ହୁଏ । ମାତ୍ର ଆମ୍ଭମାନଙ୍କର ଦେଶରେ କଲେଜରୁ ବାହାରିବା ସଙ୍ଗେ ସଙ୍ଗେ ପୋଥି ବନ୍ଧା ହୁଏ । ଏହାର କାରଣ ବିଦେଶୀୟ ଭାଷାର ଅସୁବିଧା ହେତୁ କଲେଜରେ ଆମ୍ଭମାନଙ୍କର ସମସ୍ତ ଶକ୍ତି ନିଃଶେଷ ହୋଇଥାଏ, ଥାଏ କେବଳ ଚାକିରିର ତୃଷ୍ଣା ଏବଂ ବିଶ୍ୱବିଦ୍ୟାଳୟର ଉପାଧି ସଙ୍ଗେ ସଙ୍ଗେ ଶରୀରରେ କିଛି ଗୋଟାଏ ବ୍ୟାଧି ।
ନିଜ ଭାଷାରେ ଉନ୍ନତ ଜ୍ଞାନ ଲାଭ କଲା ପରେ ବିଦେଶୀୟ ଭାଷା ପଢ଼ି ଭାବ ଅବରୋଧ କରିବା ଅପେକ୍ଷାକୃତ ସହଜ । ମାନବର ମନୋବୃତ୍ତି ବିକାଶ ନିମନ୍ତେ ଜ୍ଞାନଲାଭର ଏହା ହିଁ ନୈସର୍ଗିକ ପନ୍ଥା । ଯେକୌଣସି ଆଡ଼ୁ ଦେଖିଲେ ଶିକ୍ଷା କାର୍ଯ୍ୟରେ ମାତୃଭାଷାର ପ୍ରୟୋଜନୀୟତା ସୁସ୍ପଷ୍ଟ ହେବ। ଏହା ଅବଶ୍ୟ ଏକ ଗୁରୁତର ସମସ୍ୟା । ଏହାର ସୁମୀମାଂସା ଉପରେ ଭାରତର ଭବିଷ୍ୟତ ନିର୍ଭର କରେ। ମାତ୍ର ଭାରାତୀୟ ଯୁବକମାନଙ୍କ ସ୍ୱାସ୍ଥ୍ୟ, ଶାନ୍ତି, ସ୍ୱାଧୀନ ଚିନ୍ତା ନିମନ୍ତେ ଶକ୍ତି ଓ ଉତ୍ସାହ ସମ୍ପାଦନ ଲାଗି ଦେଶୀୟ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା ଦିଆଯିବା ଯେ ଆବଶ୍ୟକ, ଏହା କଦାପି ଅସ୍ୱୀକାର କରାଯାଇ ନ ପାରେ ।
(ସତ୍ୟବାଦୀ,
୩ୟ
ଖଣ୍ଡ, ୫ମ
ଓ ୬ଷ୍ଠ ସଂଖ୍ୟା-୧୯୧୮)
No comments:
Post a Comment