Tuesday, June 26, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ନିଜ ପିଲାଙ୍କ ପାଠ-ପଢ଼ା'

ଅନୁବାଦ - ଚିତ୍ତରଞ୍ଜନ ଦାସ


ତଲସ୍ତୟ ଫାର୍ମରେ ମହାତ୍ମା ଗାନ୍ଧୀ (୧୯୧୦ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଡରବାନ୍‌ରେ ଘର କରିଥିଲି କିନ୍ତୁ ସେଥିରେ ଫେରପାର୍ ତ କରୁଥାଏ । ବହୁତ ଖର୍ଚ୍ଚ କଲେ ସୁଦ୍ଧା ମତିଗତି ସରଳ ଜୀବନ ଆଡ଼କୁ ଥିଲା । ମାତ୍ର ଜୋହାନ୍‌ସବର୍ଗଠାରେ ‘ସର୍ବୋଦୟ'ର ବିଚାରଧାରା ବେଶୀ ପରିବର୍ତ୍ତନ କରେଇ ଥିଲା । ଜଣେ ବାରିଷ୍ଟର ଘରେ ଯେତେ ଦୂର ସାଦାସିଧା କଥା ଚଳେଇ ହେବ, ସେତେ ଦୂର ପରିବର୍ତ୍ତନ ମୁଁ କରିଦେଇ ଥିଲି । ତଥାପି କେତେକ ଆସବାବପତ୍ର ଛଡ଼ା ଚଳିବା ସମ୍ଭବ ନ ଥିଲା । ପ୍ରକୃତ ସରଳତା ତ ମନ ଭିତରେ ବଢ଼ିଥିଲା । ପ୍ରତ୍ୟେକ କାମ ନିଜ ହାତରେ କରିବାର ଶ୍ରଦ୍ଧା ବଢ଼ିଥିଲା ଏବଂ ସେଥିରେ ପିଲାମାନଙ୍କୁ ମଧ୍ୟ ପକାଇବାକୁ ମୁଁ ଉଦ୍ୟମ ଆରମ୍ଭ କରିଥିଲି ।

ଦୋକାନରୁ ପାଉଁରୁଟି କିଣିବା ପରିବର୍ତ୍ତନରେ ଡ଼ାକ୍ତର ଜୁନେଙ୍କ ପ୍ରଣାଳୀରେ ଘରେ ବିନା ମହୀରେ ରୁଟି ତିଆରି କରିବାକୁ ଆରମ୍ଭ କରିଦେଲୁ । ଏଥିରେ କଳ ଅଟା କାମରେ ଆସୁ ନ ଥିଲା । ଉପରନ୍ତୁ କଳ ଅଟାଠାରୁ ହାତପେଷା ଅଟା ବ୍ୟବହାର କରିବାରେ ସରଳତା, ସ୍ୱାସ୍ଥ୍ୟ ଓ ଖର୍ଚ୍ଚ ବେଶି ରକ୍ଷା ହେବ ବୋଲି ବିଚାରଥିଲୁ । ମୁଁ ଶହେ ପାଞ୍ଚ ଟଙ୍କା ଦେଇ ଗୋଟିଏ ହାତପେଷା ଚକି କିଣିଥିଲି । ଚକି ଦି’ ପଟ ଭାରି ଥିଲା । ତା'କୁ ବୁଲେଇବାକୁ ଦୁଇ ଜଣକୁ ସହଜ ହେଉଥିଲା କିନ୍ତୁ ଜଣକୁ ଭିଡ଼ ହେଉଥିଲା ମୁଁ ପୋଲକ ଓ ପୁଅମାନେ ଏ କାମରେ ଲାଗୁଥିଲୁ । ରୋଷେଇ ସମୟ ଚକିପେଷା ସମୟ ସଙ୍ଗେ ପଡ଼ୁଥିଲେ ସୁଦ୍ଧା କସ୍ତୂରବା ମଝିରେ ମଝିରେ ଆସି ସାହାଯ୍ୟ କରୁଥିଲା । ଏବେ ମିସେସ୍ ପୋଲକ ଆସିବା ପରେ ସେ ମଧ୍ୟ ଯୋଗ ଦେଇଥିଲା । ଚକିପେଷା ପରିଶ୍ରମ ପିଲାଙ୍କୁ ଭାରି ଉପକାର କରୁଥିଲା । ଏ କାମ ବା ଅନ୍ୟ କୌଣସି କାମ ତାଙ୍କ ଉପରେ ମୁଁ କେବେହେଲେ ଲଦୁ ନଥିଲି । ବରଂ ସେମାନେ ଖେଳ ଭଳି ଏଥିରେ ଆସି ଯୋଗ ଦେଉଥିଲେ ଓ ଥକି ପଡ଼ିଲେ ଚାଲିଯିବା ପାଇଁ ତାଙ୍କୁ ଅନୁମତି ଥିଲା । ମୋ ପିଲାମାନେ ତଥା ଅନ୍ୟ ଯେଉଁମାନଙ୍କ କଥା ପରେ ମୁଁ କହିବି, ସମସ୍ତେ କେଉଁ କାରଣରୁ କେଜାଣି ମତେ ସବୁବେଳେ ଖୁବ୍ କମ୍ ନିରାଶ କରି ଦେଇଛନ୍ତି । ଅବଶ୍ୟ ମୋ କପାଳକୁ ତେଢ଼ା ପିଲା ଜୁଟୁଥିଲେ । କିନ୍ତୁ ଅଧିକାଂଶ ତାଙ୍କୁ ଦିଆଯାଇ ଥିବା କାମ ଆନନ୍ଦର ସହିତ କରୁଥିଲେ । 'ଥକି ପଡ଼ିଛି', ଏପରି ଆପତ୍ତି ସେ ସମୟର କମ୍ ପିଲା କରୁଥିବେ ବୋଲି ମୋର ମନେ ପଡ଼େ ।

ଘର ସଫା କରିବା ପାଇଁ ଆମେ ଗୋଟିଏ ଚାକର ନିଯୁକ୍ତ କରିଥିଲୁ । ସେ ପରିବାରର ଲୋକ ଭଳି ରହୁଥିଲା ଓ ପିଲାମାନେ ତା' କାମରେ ପୂରା ସାହାଯ୍ୟ କରୁଥିଲେ । ମ୍ୟୁନିସିପାଲିଟି ମେହେନ୍ତର ମଇଳା ସଫା କରି ନେଉଥିଲା । ମାତ୍ର ପାଇଖାନା ଘରଟା ସଫା କରିବା, ବୈଠକ ଧୋଇବା ପ୍ରଭୃତ କାମ ଆମେ ନିଜେ ନିଜେ କରୁଥିଲୁ । ଚାକରକୁ କେବେ କରିବାକୁ କହୁ ନ  ଥିଲୁ, କି ତା' ଠାରୁ ସେ କାମ ପ୍ରତ୍ୟାଶା ବି କରୁ ନ ଥିଲୁ । ଏଥିରୁ ପିଲାମାନେ ଶିକ୍ଷା ମଧ୍ୟ ପାଇଥିଲେ । ଫଳରେ ମୋର କୌଣସି ପୁଅ କେବେ ପାଇଖାନା ସଫା କାମ କରିବାକୁ ଘୃଣା ବୋଧ କରିନାହି ଏବଂ ସେମାନେ ସ୍ୱାସ୍ଥ୍ୟର ସାଧାରଣ ନିୟମ ସହଜରେ ଶିଖିଛନ୍ତି । ଜୋହାନସ୍‌ବର୍ଗରେ କେହି କ୍ୱଚିତ୍ ବେମାର ପଡ଼ୁଥିଲେ ମାତ୍ର ବେମାର ହେଲେ ପିଲାମାନେ ସେବା ଶୁଶୃଷା କରୁଥିଲେ ଏବଂ ଏ କାମ ସେମାନେ ଆନନ୍ଦରେ କରୁଥିଲେ ।

ତାଙ୍କୁ ଅକ୍ଷର ଜ୍ଞାନ ଦେବା ବିଷୟରେ ମୁଁ ଅବହେଳା କରିଥିଲି ବୋଲି କହିବି ନାହିଁ । ତେବେ ଅକ୍ଷର ଶିକ୍ଷାକୁ ଚଳି ଦେବାକୁ ମୁଁ କୁଣ୍ଠିତ ହୋଇ ନାହିଁ ଏବଂ ଏତିକି ଅଭାବ ଯୋଗୁଁ ମୋ ବିରୁଦ୍ଧରେ ମୋ ପୁଅମାନଙ୍କର ଅଭିଯୋଗ କରିବାର କାରଣ ରହି ଯାଇଛି । କେତେ ଥର ସେମାନେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ଏବଂ କେତେକ ପରିମାଣରେ ସେଥିପାଇଁ ମୁଁ ନିଜକୁ ଦୋଷୀ ମାନୁଛି । ତାଙ୍କୁ ଅକ୍ଷର ଜ୍ଞାନ ଦେବାକୁ ମୋର ବହୁତ ଆଗ୍ରହ ଥିଲା । ମୁଁ ନିଜେ ତାହା ଦେବାକୁ ଚେଷ୍ଟା ମଧ୍ୟ କରିଥିଲି । କିନ୍ତୁ ସବୁବେଳେ କିଛି ନା କିଛି ବିଘ୍ନ ଆସି ପହଞ୍ଚି ଯାଉଥିଲାଘରେ ପଢ଼େଇବାର ଅନ୍ୟ କୌଣସି ବନ୍ଦୋବସ୍ତ କରି ନ ଥିବାରୁ ତାଙ୍କୁ ଅଫିସକୁ ସଙ୍ଗରେ ଚଲେଇ ନେଉଥିଲି । 

ଅଫିସ ଅଢ଼େଇ ମାଇଲ ଦୂର ଥାଏ । ସକାଳ ସଞ୍ଜ ମିଳି କମସେ କମ ପାଞ୍ଚ ମାଇଲ ପରିଶ୍ରମ ତାଙ୍କୁ ଓ ମତେ ମିଳିଯାଇ ଥିଲା । ମୋ ସହିତ ଅନ୍ୟ କେହି କଥାବାର୍ତ୍ତା କରିବାକୁ ନ ଥିଲେ । ଏତକ ବାଟ ଯିବା ଆସିବା ବେଳେ ମୁଁ ତାଙ୍କୁ ଶିଖେଇବାକୁ ଚେଷ୍ଟା କରୁଥିଲି । ଅଫିସରେ ସେମାନେ ମହକିଲ ଓ ମୋହରିରଙ୍କ ସଙ୍ଗେ ମିଶନ୍ତି, କିଛି କିଣାକିଣି ଥିଲେ ତାହା କରନ୍ତି । ମୋର ବଡ଼ ପୁଅ ହରିଲାଲ ଭାରତର ରହି ଯାଇଥିଲା । ଅନ୍ୟ ସମସ୍ତେ ଜୋହାନ୍‌ସ୍‌ବର୍ଗରେ ଏହି ପରି ଶିକ୍ଷା ପାଇ ବଢ଼ିଥିଲେ ମୁଁ ଯଦି ତାକୁ ନିୟମିତ ରୂପେ ଅନ୍ତତଃ ଘଣ୍ଟାଏ ଲେଖାଏଁ ବହି ପାଠ ପଢ଼େଇ ପାରି ଥାଆନ୍ତି, ମୋ ବିଚାରରେ ମୁଁ ତାଙ୍କୁ ଆଦର୍ଶ ଶିକ୍ଷା ଦେଇଥାନ୍ତି । କିନ୍ତୁ ମୋର ଓ ତାଙ୍କର ଦୁଃଖ ରହିଗଲା ଯେ, ଏଭଳି ଉଦ୍ୟମ ମୁଁ କରି ନ ଥିଲି । ବଡ଼ ପୁଅ ତ ତା'ର ମନଦୁଃଖ ମୋ ଆଗରେ ତଥା ବାହାରେ ପ୍ରକାଶ କରିଛି । ଅନ୍ୟ ପୁଅମାନେ ଉଦାର ଭାବରେ ମୋର ଏ ଦୋଷକୁ ଅନିବାର୍ଯ୍ୟ ବୋଲି କ୍ଷମା କରିଛନ୍ତିମୁଁ ସେଥିପାଇଁ ଅନୁତପ୍ତ ନୁହେଁ ଏବ‌ଂ ଯଦିବା ଦୁଃଖ ଥାଏ, ତାହା ଏତିକି ଯେ, ମୁଁ ଆଦର୍ଶ ପିତା ହୋଇ ପାରିନାହିଁ । ମୋର ମତ ଯେ ସେମାନଙ୍କର ପୁସ୍ତକଗତ ଶିକ୍ଷା ମୁଁ ସେତେବେଳେ ଅଜ୍ଞାନରେ ହେଉ ପଛେ ଯାହାକୁ ସମାନସେବା ବୋଲି ମନେ କରୁଥିଲି, ତାହାର ପାଇଁ ବଳି ଦେଇଥିଲି । ତାଙ୍କ ଚରିତ୍ର ଗଢ଼ିବା ପାଇଁ ଯାହା ଉଚିତ, ମୁଁ ସେଥିରେ ତୃଟି କରି ନାହିଁ ବୋଲି କହି ପାରେ ଏବଂ ମୋ ମତରେ ପ୍ରତ୍ୟେକ ପିତାମାତାଙ୍କର ଏହା ଅତ୍ୟାବଶ୍ୟକ । ମୋର ଧୃବ ବିଶ୍ୱାସ ଯେ ମୋର ପରିଶ୍ରମ ସତ୍ତ୍ୱେ ପୁଅମାନଙ୍କ ଚରିତ୍ରରେ ଯଦି କୌଣସି ଦୋଷ ଦେଖା ଦେଇଛି, ତାହା ଦମ୍ପତ୍ତିଙ୍କର ଦୋଷର ପ୍ରତିବିମ୍ୱ ଅଟେ ।

ପିଲାମାନେ ତାଙ୍କର ପିତାମାତାଙ୍କର ଆକାର-ପ୍ରକାର ଯେପରି ପାଇଥାନ୍ତି, ସେମିତି ସେମାନେ ତାଙ୍କର ଦୋଷଗୁଣର ଉତ୍ତରାଧିକାରୀ ମଧ୍ୟ ହୋଇଥା'ନ୍ତି । ଚାରିଆଡ଼େ ଆବହାଉଆ ଯୋଗୁ ଅନେକ ପ୍ରକାର ଉନ୍ନତି ଅବନତି ହୋଇଥାଏ ସତ, କିନ୍ତୁ ମୂଳଧନ ଯେ ବାପ ଅଜାଙ୍କଠାରୁ ମିଳିଥାଏ ଏହା ମଧ୍ୟ ଏକଦମ୍ ସତ । ମୁଁ ଦେଖିଛି ଯେ, କେତେକ ପିଲା ବାପମାଆଙ୍କର ମୌରସି ଦୋଷରୁ ନିଜକୁ ବଞ୍ଚେଇ ନେଇଥା'ନ୍ତି । ଏହା ଆତ୍ମାର ମୌଳିକ ସ୍ୱଭାବ । ସେତକ ତା'ର ବାହାଦୁରୀ ।

ଏ ପିଲାଙ୍କର ଇଂରାଜୀ ଶିକ୍ଷା ନେଇ ପୋଲକ୍ ଓ ମୋ ଭିତରେ ଅନେକ ଥର ବହୁତ ଗରମ ଆଲୋଚନା ହୋଇଛି । ମୋର ମୂଳରୁ ବିଶ୍ୱାସ ଯେ, ଯେଉଁ ଭାରତୀୟ ବାପ ମା' ପିଲାମାନଙ୍କୁ ପିଲାଦିନୁ ଇଂରାଜୀ କହିବାକୁ ଶିଖେଇ ଥାଆନ୍ତି ,ସେମାନେ ପିଲାଙ୍କର ତଥା ଦେଶର ଦ୍ରୋହ କରିଥା'ନ୍ତି । ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ, ଏହା ଫଳରେ ପିଲାମାନେ ଜାତିର ସାମାଜିକ ଓ ଆଧ୍ୟାତ୍ମିକ ଉତ୍ତରାଧିକାରରୁ ରହିତ ହୋଇଥାନ୍ତି ଓ ସେତିକି ପରିମାଣରେ ସେମାନେ ଦେଶ କଥା ଦୁନିଆର ସେବା ପାଇଁ କମ୍ ଉପଯୁକ୍ତ ହୋଇ ଥାଆନ୍ତି । ମୋର ଏଭଳି ବିଶ୍ୱାସ ଯୋଗୁଁ ମୁଁ ସବୁବେଳେ ପିଲାଙ୍କ ସଙ୍ଗେ ଜାଣିଶୁଣି ଗୁଜୁରାତିରେ କଥାବାର୍ତ୍ତା କରୁଥିଲି । ପୋଲକ୍ ତାହା ପସନ୍ଦ କରୁ ନ ଥିଲେ । ସେ ବିଚାରୁଥିଲେ ଯେ, ତଦ୍ଦ୍ୱାରା ମୁଁ ସେମାନଙ୍କର ଭବିଷ୍ୟତ ବିଗାଡ଼ି ଦେଉଛି । ପୋଲକ୍ ଆଗ୍ରହ ଓ ସ୍ନେହସହକାରେ ମତେ ବୁଝାନ୍ତି ଯେ, ପିଲାମାନ ପିଲାଦିନୁ ଇଂରାଜୀ ଭଳି ଗୋଟିଏ ବ୍ୟାପକ ଭାଷା ଶିଖିଗଲେ ସେମାନେ ସହଜରେ ଦୁନିଆରେ ଚଳନ୍ତି-ଜୀବନ-ଯୁଦ୍ଧରେ ଅନ୍ୟମାନଙ୍କ ଠାରୁ ବହୁତ ଆଗେଇ ଯିବେ । କିନ୍ତୁ ସେ ଯୁକ୍ତି ମୋ ମନକୁ ପାଉ ନ ଥିଲା । ମୋର ମତର ଯଥାର୍ଥତା ମୁଁ ତାଙ୍କୁ ବୁଝେଇ ପାରିଥିଲି । କିମ୍ୱା ମୋର ଜିଦ୍ ଦେଖି ସେ ତୁନି ପଡ଼ିଥିଲେ, ସେ କଥା ମୋର ଠିକ ମନେ ନାହିଁ । ଏ ପ୍ରାୟ କୋଡ଼ିଏ ବର୍ଷର କଥା । ତଥାପି ସେତେବେଳେର ବିଶ୍ୱାସ ମୋର ଅଭିଜ୍ଞତା ସଙ୍ଗେ ସଙ୍ଗେ ବେଶି ଦୃଢ଼ ହୋଇଅଛି, ଯଦ୍ୟପି ମୋର ପୁଅମାନେ ଅକ୍ଷର ଜ୍ଞାନରେ କଞ୍ଚା ରହି ଯାଇଛନ୍ତି ।

ତଥାପି ମାତୃଭାଷାର ସାଧାରଣ ଜ୍ଞାନ ସହଜରେ ଯାହା ପାଇଥିଲେତା' ଫଳରେ ତାଙ୍କ ଦେଶର ଓ ଆପାଣର ନିଶ୍ଚୟ ଲାଭ ହୋଇଛି ଏବ‌ଂ ଏବେ ସେମାନେ ପରଦେଶୀ ଭଳି ହୋଇ ରହି ନାହାନ୍ତି । ସେମାନେ ସହଜରେ ଦୋଭାଷୀ ହୋଇ ଯାଇଥିଲେ । କାରଣ, ପ୍ରତ୍ୟହ ଅନେକ ଇଂରେଜ ବନ୍ଧୁଙ୍କ ସମ୍ପର୍କରେ ଆସିବା ଫଳରେ ସେମାନେ ଇଂରାଜୀ କହି ପାରିଥିଲେ ଓ ସାମାନ୍ୟ ଲେଖି ପାରିଥିଲେ ।

[ବି.ଦ୍ର. - ଏହି ଲେଖାଟି 'ଗାନ୍ଧୀ ରଚନାବଳୀ ୫ ଖଣ୍ଡ - ଶିକ୍ଷା' ଶୀର୍ଷକ ପୁସ୍ତକରୁ ନିଆଯାଇଅଛି । ଅନୁବାଦ କରିଥିଲେ ଚିତ୍ତରଞ୍ଜନ ଦାସ ଓ ଅନ୍ୟମାନେ । ବହିଟି କଟକସ୍ଥ 'ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଂସ୍ଥା' ଛପାଇଥିଲେ । ପ୍ରକାଶନର କାଳ ଉଭୟ ୧୯୬୯ ଓ ୧୯୮୬ ବୋଲି ଦିଆଯାଇଅଛି ]

No comments:

Post a Comment