Friday, June 22, 2018

ପିଲାଙ୍କ ପାଇଁ କବିତା - 'ଟୁପୁରୁ ଟୁପୁ'

କବି - ଅନନ୍ତ ପଟ୍ଟନାୟକ 


'ଆଡ଼୍‌ଭେଞ୍ଚର୍ସ୍ ଅଫ୍ ପିନୋକିଓ' ବହିର କଥାକୁହା ଝିଣ୍ଟିକା
ଚିତ୍ରକର - ଏନ୍ରିକୋ ମଜ୍ଜାନ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଟୁପୁରୁ ଟୁପୁ ବରଷେ ମେଘ
ଅଗଣାଯାକ ପାଣି,
ଆଆରେ ଆଆ ! ପାଣି ଫୋଟକା
ହାତରେ ନେବା ଛାଣି !
ଆହା ରେ ସେ ତ ନ ଛୁଉଁ ଛୁଉଁ
ମିଳାଇ ଯ।ଏ କାହିଁ ?
ତାକୁଇ ସିନା ପାରିଲେ ଧରି
ଅସଲ ମଜା, ଭାଇ !

ଟୁପୁରୁ ଟୁପୁ ପତର ଝଡ଼େ
ସୁଲୁସୁଲିଆ ବାଆ !
ଛକିଛକିକା ପତର ଚକି
ଉଡ଼ାଇ ଦେବା, ଆଆ !
ଗୋଟିକ ପରେ ଗୋଟିଏ ଯିବ,
ରହିବା କି ରେ ଚାହିଁ ?
ପବନ ସୁଏ ଭାସିଭାସିକା
ଧରିବା ନିକି ଧାଇଁ ?

ଖୁପୁରୁ ଖୁପୁ ବେଙ୍ଗ ଡିଏଁ
ଝରିଆ ପୋକ ଉଡ଼େ,
ଭିଜିଭିଜିକା କଙ୍କିଟିଏ
ହୁଡ଼େ କି ବାଟ, ହୁଡ଼େ !
ପିଢ଼ାରେ ଅନା ! କଖାରୁଫୁଲ,
ସୁନାର ଦୀପ ଅବା !
ଚାଳିଆ ତଳେ ଚିଇଁ ଚିଇଁକା
ଚଢ଼େଇକୁଳ ସଭା ।

ସୁରୁସୁରିଆ ପତର ନାଆ
ନାଇଁରେ ତାର ଛାତ,
ଝିଣ୍ଟିକାଟି, ଗୋଡ଼ରେ ତା'ର
ମାରୁଚି ବସି କାତ !
ଆଆରେ ଆଆ ! କାଗଜେ ଗଢ଼ି
ଜାହାଜ ଦେବା ଛାଡ଼ି,
ଆଣିବା ଯାଇ ମାଣିକ ମୋତି
ଦରିଆ-ପୁର ଝାଡ଼ି !

ଟୁପୁରୁ ଟୁପୁ ଡାକୁଚି ମେଘ,
ବାହାରେ କେତେ ସାଥୀ !
ଆଆରେ ଆଆ ! ସବୁର ମେଳେ
ଖେଳିବା ଆଜି ମାତି !
ଥାଉରେ ଥାଉ, କାଞ୍ଜିପଟା
କଉଡ଼ି ଖେଳ, ଥାଉ !
କ୍ୟାରମ୍-ଗୋଟି ଯାଉରେ ଗଡ଼ି,
କଣକୁ କାହିଁ, ଯାଉ !

ବି. ଦ୍ର. - ଏହି କବିତାଟି କଟକର ପ୍ରକାଶକ କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର୍ ୧୯୯୧ ମସିହାରେ ଛାପିଥିବା ବହି 'ଅନନ୍ତ ବିଚିତ୍ରା' ବହିଟିରୁ ନିଆଯାଇ ଅଛି ।

No comments:

Post a Comment