Friday, July 20, 2018

ପିଲାଙ୍କ ଇତିହାସ ପାଠ - 'ଗୌତମ ବୁଦ୍ଧ'


କେଦାରନାଥ ମହାପାତ୍ର 


ବମ୍ବେ ଉପକଣ୍ଠସ୍ଥ କହ୍ନେରି ଗୁମ୍ଫା ନଂ ୩୪ରେ ଅଙ୍କିତ ବୁଦ୍ଧଙ୍କର କାନ୍ଥଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରାଚୀନ କାଳରେ ହିମାଳୟର ପାଦଦେଶରେ କପିଳବାସ୍ତୁ ନାମକ ଗୋଟିଏ ନଗରୀ ଥିଲା । ସେଠାରେ ଶାକ୍ୟବଂଶ ରାଜତ୍ୱ କରୁଥିଲେ । ଗୌତମ ବା ସିଦ୍ଧାର୍ଥ ସେହି ଶାକ୍ୟବଂଶୀୟ ରାଜା ଶୁଦ୍ଧୋଦନଙ୍କର ପୁତ୍ର ଥିଲେ । ବାଲ୍ୟକାଳରେ ତାଙ୍କ ପିତା ତାଙ୍କୁ ସକଳ ପ୍ରକାର ଶିକ୍ଷା ଦେଇଥିଲେ ଏବଂ ସୁଖ ଓ ବିଳାସରେ ବଢାଇଥିଲେ, କିନ୍ତୁ ପିଲାଦିନୁ ସେ ସଂସାର ବିଷୟରେ ଚିନ୍ତା କରୁଥିଲେ । ତାଙ୍କର ପିତା ତାଙ୍କୁ ଯଶୋଧାରା ନାମ୍ନୀ ସୁନ୍ଦରୀ ରାଜକନ୍ୟା ସହିତ ବିବାହ କରାଇ ଥିଲେ । ତାଙ୍କର ଗୋଟିଏ ପୁତ୍ର ମଧ୍ୟ ହୋଇଥିଲା । ସଂସାରରେ ଲୋକେ ଯାହାକୁ ସୁଖ ବୋଲି କହନ୍ତି ଗୌତମଙ୍କର ସେ ସମସ୍ତ ଥିଲା । ଧନ, ମାନ, ଯୌବନ, ରାଜ୍ୟ, ସ୍ତ୍ରୀ, ପୁତ୍ର, ବନ୍ଧୁ ପ୍ରଭୃତି ତାଙ୍କର ସକଳ ଥିଲା । ତଥାପି ସେ ସଂସାର ସୁଖରେ ଭୁଲି ଯାଇ ନ ଥିଲେ । ସଂସାରର ଦୁଃଖ, ଶୋକ, ରୋଗ, ମୃତ୍ୟୁ ପ୍ରଭୃତି ଦେଖି ତାଙ୍କର ହୃଦୟ କାନ୍ଦିଲା । ଲୋକମାନଙ୍କର ଦୁଃଖ ଦୂର କରିବା ପାଇଁ ତାଙ୍କର ପ୍ରାଣ ଆକୁଳ ହେଲା । ତେଣୁ ସେ ସଂସାରର ସମସ୍ତ ସୁଖରେ ଜଳାଞ୍ଜଳି ଦେଇ ଅନ୍ଧାର ରାତ୍ରିରେ ଘରୁ ପଳାଇଗଲେ । ଗୃହସଂସାର ଛାଡି ସେ ପ୍ରଥମେ ବୈଶାଳୀରେ ଥିବା ଜଣେ ବ୍ରାହ୍ମଣ ପଣ୍ଡିତଙ୍କର ଶିଷ୍ୟ ହେଲେ ଓ ପରେ ରାଜଗୃହରେ ଅନ୍ୟ ଜଣେ ବ୍ରାହ୍ମଣ ପଣ୍ଡିତଙ୍କଠାରୁ ଶିକ୍ଷାଲାଭ କରିଥିଲେ । ସେମାନଙ୍କର ଶିକ୍ଷାରେ ସନ୍ତୋଷ ଲାଭ ନ କରିବାରୁ ସେ ଉରୁବିଲ୍ୱ ନାମକ ସ୍ଥାନରେ ଛଅ ବର୍ଷ କାଳ କଠୋର ତପସ୍ୟା କଲେ । ତପସ୍ୟା କରି ତାଙ୍କର ଦେହ ଏକାବେଳକେ କ୍ଷୀଣ ହୋଇଗଲା । ତହୁଁ ସେ ସଂସାର ବିଷୟରେ ଗଭୀର ଚିନ୍ତା କରି ଦିବ୍ୟ ଜ୍ଞାନ ଲାଭ କରିଥିଲେ ଓ ବୁଦ୍ଧ ନାମରେ ଅଭିହିତ ହେଲେ । ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମର ନାମ ବୌଦ୍ଧ ଧର୍ମ ।

ସେ ପ୍ରଥମେ ବାରାଣସୀ ବା କାଶୀରେ ବୌଦ୍ଧ ଧର୍ମ ପ୍ରଚାର କଲେ । ଚାହୁଁ ଚାହୁଁ ତାଙ୍କର ଯଶ ଚାରିଆଡ଼େ ବ୍ୟାପିଗଲା ଓ ଶତ ଶତ ଲୋକ ତାଙ୍କ ଧର୍ମ ଗ୍ରହଣ କଲେ । ମଗଧ ସମ୍ରାଟ ବିମ୍ୱିସାର ତାଙ୍କ ସଙ୍ଗେ ବହୁ ଆଲୋଚନା କରି ତାଙ୍କ ଧର୍ମ ଗ୍ରହଣ କଲେ । ବିମ୍ୱିସାରଙ୍କ ପୁତ୍ର ଅଜାତଶତୃ ମଧ୍ୟ ତାଙ୍କର ଶିଷ୍ୟ ହେଲେ । ଶାକ୍ୟବଂଶର ଅଧିକାଂଶ ଲୋକ ମଧ୍ୟ ତାଙ୍କର ଧର୍ମ ଗ୍ରହଣ କଲେ । କାଶୀ, ବୈଶାଳୀ, ରାଜଗୃହ, ଗୟା, ଶ୍ରାବସ୍ତି ପ୍ରଭୃତି ବୌଦ୍ଧ ଧର୍ମ ପ୍ରଚାରର କେନ୍ଦ୍ର ହେଲା । ଏହି ପରି ବହୁ କାଳ ଧର୍ମ ପ୍ରଚାର କରି, ସେ ୮୦ ବର୍ଷ ବୟସରେ କୁଶୀ ନଗରରେ ପ୍ରାଣତ୍ୟାଗ କଲେ । ପୃଥିବୀରେ ମହାପୁରୁଷମାନଙ୍କ ମଧ୍ୟରେ ବୁଦ୍ଧ ସର୍ବଶ୍ରେଷ୍ଠ । ସେ ମରି ଯାଇ ଅଛନ୍ତି ସତ୍ୟ, କିନ୍ତୁ ଆଜି ସୁଦ୍ଧା ପୃଥିବୀର ୫୦ କୋଟି ଲୋକ ତାଙ୍କର ଧର୍ମମତ ଅନୁସରଣ କରନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment