Thursday, July 12, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ଅକ୍ଷର ଜ୍ଞାନ'

ଅନୁବାଦ - ଟିତ୍ତରଞ୍ଜନ ଦାସ


୧୮୯୫ ମସିହାରେ ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କର ଆଲୋକଚିତ୍ର


ଟଲଷ୍ଟୟ ଫାର୍ମରେ ଆମେ ଶରୀର ଗଠନ ତଥା ହାତ କାରିଗରୀ ଶିକ୍ଷା କେମିତି ଆରମ୍ଭ କରିଥିଲୁସେ କଥା ଗଲା ଅଧ୍ୟାୟରେ ଆମେ କେତେକ ପରିମାଣରେ ଦେଖି ସାରିଛୁ । ଯଦ୍ୟପି ମୋ ମନ ମାନିଲା ଭଳିସେ କାମ ହୋଇପାରି ନ ଥିଲା, ତଥାପି ତାହା ଅଳ୍ପ ବହୁତ ସଫଳ ହୋଇଥିଲା ।

କିନ୍ତୁ ଅକ୍ଷର ଜ୍ଞାନ ହେବା ଅଧିକ କଠିନ ବିଷୟ ଥିଲା । ସେ କାମ ତୁଳେଇବାକୁ ମୋ ପାଖରେ ଆବଶ୍ୟକ ସାଧନ ନ ଥିଲା । ଯେତେ ସମୟ ଦେବାକୁ ଇଚ୍ଛା ହେଉଥିଲାସେତେ ସମୟ ମୋ ପାଖରେ ନ ଥିଲା, ସେତେ ଜ୍ଞାନ ମଧ୍ୟ ମୋର ନ ଥିଲା । ଦିନଯାକ ଶରୀରଶ୍ରମ କରି ଥକି ପଡ଼ୁଥିଲି ଏବଂ ଯେତେବେଳେ ଟିକିଏ ବିଶ୍ରାମ ପାଇଁ ମନ ଡାକେ, ସେତିକି ବେଳେ ପିଲାଙ୍କୁ ପଢ଼େଇବାକୁ ପଡ଼ୁଥିଲା । ଫଳରେ ପାଠ ପଢ଼େଇବା ପାଇଁ ସତେଜ ରହିବା ପରିବର୍ତ୍ତେ ଜୋର କରି ଆପଣାକୁ ଚିଆଇଁ ରଖୁଥିଲି । ସକାଳଟା ଚାଷବାସ କାମ ତଥା ଘରଧନ୍ଦାରେ କଟୁଥିଲା । ଅତଏବ ଦି ପହରେ ଖାଇସାରି ପାଠଶାଳା ବସୁଥିଲା । ଏହା ଛଡ଼ା ପାଠଶାଳା ପାଇଁ ଅନ୍ୟ ସୁବିଧା ସମୟ ନ ଥିଲା ।

ଆମେ ଲେଖାପଢ଼ା ପାଇଁ ଖୁବ୍ ବେଶୀ ହେଲେ ତିନି ଘଣ୍ଟା ରଖିଥିଲୁ । ପୁଣି ଶ୍ରେଣୀରେ ହିନ୍ଦି, ତାମିଲ, ଗୁଜୁରାଟୀ ଓ ଉର୍ଦ୍ଦୁ ଶିଖାଇବାକୁ ପଡ଼ୁଥିଲା । ପ୍ରତ୍ୟେକ ପିଲାକୁ ତାହାର ମାତୃଭାଷା ସାହାଯ୍ୟରେ ଶିକ୍ଷା ଦିଆଯିବାର ଇଚ୍ଛା ଥାଏ । ଅଧିକନ୍ତୁ ଇଂରେଜୀ ମଧ୍ୟ ସମସ୍ତଙ୍କୁ ଶିଖାଉଥିଲୁ । ପୁଣି ଗୁଜରାତୀହିନ୍ଦୁ ପିଲାଙ୍କୁ ଟିକିଏ ସଂସ୍କୃତ ଓ ସମସ୍ତଙ୍କୁ କିଛି ହିନ୍ଦୀର ପରିଚୟ କରାଇ ଦେବା: ଇତିହାସ, ଭୂଗୋଳ ତଥା ପାଟିଗଣିତ ସମସ୍ତଙ୍କୁ ଶିଖାଇବା, ଏହା ଥିଲା ପାଠ୍ୟକ୍ରମ ।

ମୁଁ ତାମିଲ ଓ ଉର୍ଦ୍ଦୁ ପଢ଼େଇବା ଭାର ନେଇଥିଲି । ମୋର ତାମିଲ ଜ୍ଞାନ ଜାହାଜରେ ଓ ଜେଲରେ ହୋଇଥିଲା । ପୋୟଙ୍କ ତାମିଲ ସ୍ୱୟଂଶିକ୍ଷକ ବହି ଉପରକୁ ମୁଁ ଯାଇ ନ ଥିଲି । ଥରେ ଜାହାଜ ଯାତ୍ରାରେ ଯାହା ଉର୍ଦ୍ଦୁ ଅକ୍ଷର ଶିଖିଥିଲି, ମୋର ଉର୍ଦ୍ଦୁଜ୍ଞାନ ସେତିକିରେ ରହୁଥିଲା ଏବଂ ମୁସଲମାନ ବନ୍ଧୁମାନଙ୍କ ସଙ୍ଗେ ମିଶିବାକୁ ବିଶେଷ ଆରବୀ ପାର୍ଶୀ ଯେତିକି ଶବ୍ଦ ଶିଖିଥିଲି, ସେହିଥିରେ ବନ୍ଦ । ହାଇସ୍କୁଲରେ ଯେତିକି ସଂସ୍କୃତ ଶିଖିଥିଲି ସେତିକି । ଗୁଜୁରାତୀ ମଧ୍ୟ ଚାଟଶାଳୀ ଯାଏ ।

ଏତିକି ମୂଳପାଣ୍ଠିରେ ମତେ କାମ ଚଳେଇବାକୁ ହେଉଥିଲା, ଏବଂ ସେଥିରେ ମୋର ସହକର୍ମୀମାନେ ମୋଠାରୁ କମ୍ ପଣ୍ତିତ ଥିଲେ । କିନ୍ତୁ ଦେଶର ଭାଷାମାନଙ୍କର ପ୍ରତି ମୋର ପ୍ରେମ ମୋର ଶିକ୍ଷକତା ଶକ୍ତିରେ ଆତ୍ମାବିଶ୍ୱାସ ମୋର ଛାତ୍ରମାନଙ୍କ ମୁଖପଣିଆ ତଥା ତେଣ ବଢ଼ି ଯାଉଥିବା ଉଦାରତା ଏସବୁ ମୋର ଭାରି କାମରେ ଆସିଥିଲା ତାମିଲ ପିଲାଗୁଡ଼ିକ ଦକ୍ଷିଣ ଆଫ୍ରିକାରେ ଜନ୍ମ । ତେଣୁ ତାମିଲ ଭାଷା ଅଳ୍ପ ଜାଣିଥିଲେ । ତାମିଲ ଅକ୍ଷର ତ ଆଦୌ ଚିହ୍ନି ନ ଥିଲେ । ଅତଏବ ମତେ ତାଙ୍କୁ ବର୍ଣ୍ଣପରିଚୟ ତଥା ପ୍ରାଥମିକ ବ୍ୟାକରଣ ଶିଖାଇବାକୁ ହୋଇଥିଲା । ସେତକ ସହଜ ଥିଲା । ମୋର ଛାତ୍ରମାନେ ଜାଣିଥିଲେ ଯେ, ସେମାନେ ତାମିଲ କଥାବାର୍ତ୍ତାରେ ମତେ ସହଜରେ ହରେଇ ଦେବେ ଏବଂ ତାମିଲମାନେ କେହି ଯେତେବେଳେ ମୋ ମତେ ଆସୁଥିଲେ ମୋ ପିଲାଏ ମୋର ଦୋଭାଷୀ କାମ କରୁଥିଲେ । ମୁଁ କାମ ବେଶ ଚଳେଇଥିଲି, କାରଣ ମୁଁ ମୋର ଅଜ୍ଞତା କେବେ ପିଲାଙ୍କଠାରୁ ଲୁଚେଇବାକୁ ଚେଷ୍ଟା କରୁ ନ ଥିଲି । ସବୁ ବିଷୟରେ ମୁଁ ପ୍ରକୃତରେ ଯେମିତି ଥିଲି ଠିକ୍ ସେମିତି ମୋର ପିଲାମାନେ ମତେ ଜାଣିଥିଲେ । ସେଥି ଯୋଗୁଁ ତାମିଲ ଭାଷାରେ ମୋର ଗଭୀର ଅଜ୍ଞତା ସତ୍ତ୍ୱେ ମୁଁ କେବେହେଁ ତାଙ୍କର ସ୍ନେହ ଓ ଆଦରରୁ ବଞ୍ଚିତ ହୋଇ ନ ଥିଲି । ମୁସଲମାନ ପିଲାଙ୍କୁ ଉର୍ଦ୍ଦୁ ଶିଖାଇବା ଅପେକ୍ଷାକୃତ ସହଜ ଥିଲା । ସେମାନେ ଅକ୍ଷର ଚିହ୍ନିଥିଲେ । କେବଳ ପଢ଼ିବାରେ ତାଙ୍କର ଉତ୍ସାହ ବଢ଼େଇବାରେ ଓ ତାଙ୍କର ହସ୍ତାକ୍ଷର ଭଲ କରିବାରେ ମତେ ଉଦ୍ୟମ କରିବାକୁ ପଡୁଥିଲା ।

ପିଲାଗୁଡିକ ତ ଅଧିକାଂଶ ନିରକ୍ଷର ଥିଲେ । ଚାଟଶାଳୀ ମାଡ଼ି ନ ଥିଲେ । ତାଙ୍କର ଅଳସୁଆମୀ ଛଡ଼େଇବା ଓ ତାଙ୍କୁ ନିଜେ ନିଜେ ପଢ଼ି ଶିଖେଇବା ଓ ତାଙ୍କର ପଢ଼ାପଢ଼ିରେ ପହରା ଦେବା ହିଁ ବଡ଼ କାମ ଥିଲା । ମୁଁ ଏତିକିରେ ସନ୍ତୁଷ୍ଟ ଥିଲି ଓ ସେଥିପାଇଁ ଭିନ୍ନଭିନ୍ନ ପାଠ ପଢ଼ୁଥିବା ପିଲାଙ୍କୁ ଏକାଘରେ ବସେଇ କାମ ନେଇ ପାରୁଥିଲି ।

ପାଠ୍ୟପୁସ୍ତକ କଥା ତ ଆମେ ବହୁତ ଶୁଣିଥାଉ, କିନ୍ତୁ ସେ ଅଭାବ ଦିନେ ହେଲେ ମୁଁ ଅନୁଭବ କରି ନ ଥିଲି । ଯେତିକି ବହି ଥିଲା ତହିଁରୁ ମଧ୍ୟ ବହୁତ ବ୍ୟବହାର କରିଥିବା ମୋର ମନେ ପଡ଼ୁନାହିଁ । ମୁଁ ପ୍ରତ୍ୟେକ ପିଲାକୁ ଗୁଡ଼ିଏ ବହି ଦେବାର ଆବଶ୍ୟକତା ଅନୁଭବ କରୁ ନ ଥିଲି । ପିଲାଙ୍କର ପ୍ରକୃତ ପାଠ୍ୟପୁସ୍ତକ ’ସ୍ୱୟଂ ଶିକ୍ଷକ' ଏହା ମୁଁ ଉପଲବ୍‌ଧ କରିଛି । ମୋ ଶିକ୍ଷକମାନେ ମତେ ଯାହା ବହିରୁ ପଢ଼ାଇଥିଲେ, ସେଥିରୁ ଅତି ଅଳ୍ପ ମୋର ମନେ ଅଛି । ମାତ୍ର ମୁହଁରୁ ଯାହା ଶିଖେଇଥିଲେ, ତାହାର ସୃତି ଆଜି ମଧ୍ୟ ରହିଛି ।

ପିଲାମାନେ ଆଖିଠାରୁ କାନ ସାହାଯ୍ୟରେ ଅଧିକ କଥା ଅଳ୍ପ ଶ୍ରମରେ ଗ୍ରହଣ କରି ଥାଆନ୍ତି । ମୁଁ ପିଲାଙ୍କ ସାଙ୍ଗରେ କୌଣସି ଖଣ୍ତେ ବହି ଏ ମୁଣ୍ତରୁ ସେ ମୁଣ୍ତଯାଏ ପଢ଼ିଥିବାର ମନେ ହେଉ ନାହିଁ । କିନ୍ତୁ ଅନେକ ବହିରୁ ଯାହା ସାର ଗ୍ରହଣ କରିଥିଲି, ସେହି ସବୁ ବିଷୟ ମୁଁ ଆପଣା ଭାଷାରେ ତାଙ୍କୁ ଶୁଣାଉଥିଲି ଏବଂ ମୋର ବିଚାର ସେମାନେ ସେସବୁ ବିଷୟ ଏବେ ସୁଦ୍ଧା ମନେ ରଖିଥିବେ । ସେମାନେ ବହିରୁ ଯାହା ଶିଖିଥିଲେ, ତାହା ମନେ ରଖିବା ତାଙ୍କ ପକ୍ଷରେ କଷ୍ଟକର ଥିଲା । ଅଥଚ ମୋ ମୁହଁରୁ ଯାହା ଶୁଣୁଥିଲେ, ତାହା ସେହି କ୍ଷଣି ମନରୁ ମତେ କହି ଶୁଣାଉଥିଲେ ।

No comments:

Post a Comment