Sunday, July 08, 2018

ଗିଜୁଭାଇଙ୍କ ଅନୁଭୂତି: ପିଲାଦିନର କିଛି ସ୍ମୃତି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାତ ବର୍ଷର ହେଲା ବେଳକୁ ମତେ ବିଦ୍ୟାଳୟକୁ ପଠାଗଲା । ମତେ ସେଠାକୁ ଯିବା ପାଇଁ ମୋଟେ ଭଲ ଲାଗୁ ନ ଥିଲା । ତେଣୁ ବିଦ୍ୟାଳୟ ଯିବା ମୁଁ ବାରମ୍ୱାର ବନ୍ଦ କରି ଦେଉଥିଲି । ସେତେବେଳେ ଜୋର ଜବରଦସ୍ତ କରି କିମ୍ୱା ମାଡ଼ ମାରି ମତେ ପଠା ଯାଉଥିଲା । ଦିନେ ବାପା ମୋ ଉପରେ ବହୁତ ରାଗିଗଲେ । ଗୋଟିଏ ନିମ ଡାଳରେ ମତେ ବହୁତ ପିଟିଲେ । ମୋର ଦେହସାରା ଦାଗ ପଡ଼ିଗଲା । ସେଦିନ ପରଠାରୁ ମୁଁ ଆଉ କେବେ ମାଡ଼ ଖାଇନାହିଁ ।”

ଶିକ୍ଷକ ଆମକୁ ସିଲଟରେ ସଙ୍ଖ୍ୟା ଲେଖି ଦେଉଥିଲେ ଓ ଆମେ ତା ଉପରେ ମଡ଼ାଉଥିଲୁ । ଘଷି ଘଷି ଅକ୍ଷର ସବୁ ତୁଳା ମେଞ୍ଚା ଭଳି କିମ୍ୱା ପାଣିରେ ପଡ଼ି ଫୁଲି ଯାଇଥିବା ମଲା ମୂଷା ଭଳି ମୋଟା ହୋଇ ଯାଉଥିଲେ । ଏଭଳି ମଡ଼େଇବା ଦ୍ୱାରା ଅକ୍ଷର ଖରାପ ହେଉଥିଲା କି ଲେଖା ବାଗରେ ପଡୁଥିଲା କିଏ ଜାଣେ ଯାହା ବି ହେଉ, ଦୁଇ ତିନି ବର୍ଷ ଯାଏଁ ଏମିତି ମଡ଼େଇବାକୁ ହେଉଥିଲା ।”

ଭୂଗୋଳ ପଢ଼ା ମୋର ଏବେ ବି ମନେ ଅଛି । କାଗଜର ଲମ୍ୱା ପତଳା ନଳୀ ନେଇ ମାନଚିତ୍ରରେ କେଉଁ ସହର କେଉଁଠି, କେଉଁ ନଦୀ କେଉଁଠି, କେଉଁ ପର୍ବତ କେଉଁଠି ତାହା ଘୋଷୁଥିଲୁ । କଲିକତା ସହର ଉପରେ ନଳୀକୁ ରଖି ‘କଲିକତା’ ‘କଲିକତା’ ଘୋଷୁଥିଲୁ ।”

ଇତିହାସ ପଢ଼ା ବି ଭୁଲି ହେବ ନାହିଁ । କୌଣସି ସମ୍ପର୍କ ନ ଥାଇ ଗୁଡ଼ାଏ ନାଁ ଓ ଘଟଣା ମନେ ରଖିବାକୁ ହେଉଥିଲା । ରୋମର ଇତିହାସ ପଢ଼ିବା ଯାଏଁ ମୋର ଧାରଣା ଥିଲା ଯେ, ଇତିହାସ ହେଉଛି କେବଳ ଅନେକଗୁଡ଼ିଏ ବର୍ଷର ଘଟଣାଚକ୍ର ।”

ଆମ ସମୟରେ ଶିକ୍ଷକମାନେ ଆରାମରେ ଥିଲେ । ପଢ଼ାଇବାକୁ ଥିବା ବିଷୟବସ୍ତୁକୁ ସେମାନେ ଅଳ୍ପ ଟିକିଏ ଦେଖିଦେଇ ଆସୁଥିଲେ । ବିଦ୍ୟାଳୟରେ ଆସି କହୁଥିଲେ, ‘ଏ ପିଲା, କବିତା ଆବୃତ୍ତି କରିଲୁ ।’ ଯଦି କବିତାର ଭାବାର୍ଥ ଶିକ୍ଷକଙ୍କୁ ଆସୁ ନ ଥିଲା, ତେବେ କାହିଁକି ମନେ ରଖିନାହୁଁ କହି ପିଟିବାରେ ଲାଗୁଥିଲେ ।”

ଶିକ୍ଷକଙ୍କୁ ଆମେ ବହୁତ ଡରୁଥିଲୁ । ଖେଳିଲା ବେଳେ ଆମେ ଏତେ ସାବଧାନ ହୋଇ ଖେଳୁଥିଲୁ ଯେ, ଶିକ୍ଷକଙ୍କ ନଜରରେ ପଡୁ ନ ଥିଲୁ । ବାଧ୍ୟ ନ ହେଲେ ଆମେ ସାମନାକୁ ଆସୁ ନ ଥିଲୁ ।” “ଶିକ୍ଷକ ଓ ଆମ ଭିତରେ ସିଧାସଳଖ କୌଣସି ସମ୍ପର୍କ ନ ଥିଲା । ସେ ଆମ ପାଇଁ ବାଘ ଓ ଆମେ ତାଙ୍କ ପାଇଁ ମାଛି ଥିଲୁ । ସେ ଆମ ଘରକୁ ଆସୁ ନ ଥିଲେ । ତେଣୁ ଆମର ବି ତାଙ୍କ ଘରକୁ ଯାଉ ନ ଥିଲୁ ।”

ଠାଏ ଠାଏ କିନ୍ତୁ ପୁରୁଣା କାଳର ଶିକ୍ଷା ପଦ୍ଧତିରେ କେତେକ ବିଶେଷତା ବି ଦେଖିବାକୁ ମିଳୁ ଥିଲା । ସମାଜରେ ଶିକ୍ଷକଙ୍କ ସ୍ଥାନ ବେଶ୍ ସମ୍ମାନଜନକ ଥିଲା । ପିଲା ଓ ଶିକ୍ଷକଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଥିଲା । ଏବେ ଏସବୁ ବିଶେଷତା ଧୀରେ ଧୀରେ ହଜିବାରେ ଲାଗିଛି । ଶିକ୍ଷାରେ ପୁରସ୍କାର, ପ୍ରତିଯୋଗିତା ଏବଂ ପରୀକ୍ଷା ଉପରେ ଜୋର ବଢ଼ି ଚାଲୁଛି। ଗାଁର ପୁରୁଣାକାଳିଆ ବିଦ୍ୟାଳୟର ବିଶେଷତା ଏବଂ କାର୍ଯ୍ୟକ୍ରମକୁ ବୁଝି ସେଥିରେ ଥିବା ଭଲ କଥାଗୁଡ଼ିକୁ ନୂଆ ବିଦ୍ୟାଳୟରେ ପ୍ରୟୋଗ କରାଯାଇ ପାରିଲେ ଭଲ ହୁଅନ୍ତା ।”

ବି.ଦ୍ର ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment