Monday, July 09, 2018

ପୃଥିବୀର ଆଦ୍ୟ ଚିକିତ୍ସକଗଣ

ଜ୍ୟୋତି ନନ୍ଦ



ଆଜିର କାଇରୋ ସହରଠାରୁ କୋଡିଏ ମାଇଲ୍ ଦୂର ରେ ସାକ୍କାରା ବୋଲି ସ୍ଥାନଟି ତାହାର ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ବିଖ୍ୟାତ।ପାଂଚହଜାର ବର୍ଷ ତଳେ ପ୍ରାଚୀନ ଈଜିପ୍ଟର ମେମ୍ଫିସ୍ ସହରର ଏହା କବରଖାନା ଥିଲା।ଏଠାରେ ପୃଥିବୀର ସବୁଠାରୁ ପ୍ରାଚୀନ ନିର୍ମାଣ ଟି ଦେଖାଯାଏ।ଏହି ନିର୍ମାଣଟି ହେଉଛି ଡଜୋସର୍ ର ପାହାଚ ଥିବା ପିରାମିଡ୍।

ଏହି ପାହାଚ ଥିବା ପିରାମିଡ୍ ଅତ୍ୟନ୍ତ ଆକର୍ଷଣୀୟ କିନ୍ତୁ ଆମର ଦୃଷ୍ଟି ଏହି ପିରାମିଡ୍ ଉପରେ ନାହିଁ।ବରଂ ତାହା ନିକଟରେ ଥିବା ଗୋଟିଏ କବର ପ୍ରତି ଆମର ଆକର୍ଷଣ ବେଶି।ସେହି କବରଟିରେ ଆମେ ଆମର ଅଭିଳଷିତ ଚରିତ୍ରର ସଂଧାନ ପାଇଯିବୁ।ସେହି ଅଭିଳଷିତ ଚରିତ୍ରଟି ହେଉଛି ପୃଥିବୀର ପ୍ରଥମ ମହିଳା ଚିକିତ୍ସକ।ପ୍ରଥମକରି ନିଜ ନାଆଁରେ ପରିଚିତ ହୋଇଥିବା ଏହି ମହିଳା ଚିକିତ୍ସକ ହେଉଛନ୍ତି,ମେରିତ୍ ପତାହ(Merit Ptah)

ମେରିତ୍ ପତାହ୍ ପ୍ରାୟତଃ ୨୭୦୦ ଖ୍ରୀପୂ ସମୟର।ସାକ୍କାରା ର କବରଖାନାରେ ତାଙ୍କର ଛବି ଗୋଟିଏ ହାଇରୋଗ୍ଲାଫ୍ (ଚିତ୍ରାକ୍ଷର)ସହ ମିଳିଅଛି ଯେଉଁଠି ତାଙ୍କୁ 'ମୂଖ୍ୟ ଚିକିତ୍ସକ'ବୋଲି ଉଲ୍ଲେଖ କରାଯାଇଅଛି।ତାଙ୍କ ସଂପର୍କରେ କେବଳ ଏତିକି ହେଉଛି ସବିଶେଷ ତଥ୍ୟ।କିନ୍ତୁ ସେଠାରୁ ମିଳିଥିବା ଅନ୍ୟାନ୍ୟ ସମସାମୟିକ ଶିଳାଲେଖରେ ଏହି ବିବରଣୀ ମିଳେ ଯେ ପ୍ରାଚୀନ ମିଶରରେ ନାରୀ ମାନେ ଚିକିତ୍ସକ ଭୂମୀକାରେ ଅତି ଉଚ୍ଚ ପଦବୀରେ ଥିଲେ।

ଏହାର ଦୁଇଶହ ବର୍ଷ ପରେ ଆଉଜଣେ ମହିଳା ଚିକିତ୍ସକ ପେଶେସେତ୍ ଆଉ ଏକ ସ୍ଥାପତ୍ୟରେ ଅମରତ୍ୱ ଲାଭ କରିଛନ୍ତି। ପେଶେସର୍ ଙ୍କ ପୁଅ ଆଖେତହେତେପ୍ ସେତେବେଳେ ମୂଖ୍ୟ ପୁରୋହିତ ଥିଲେ।ଆଖେତହେତେପଙ୍କ କବରରେ ତାଙ୍କ ମାଆ ପେଶେସେତ୍ ଙ୍କ ବିଷୟରେ କିଛି ବର୍ଣ୍ଣନା ରହିଛି। ଏଥିରେ ପେଶେସେତ୍ ଙ୍କୁ "ମହିଳା ଚିକିତ୍ସକ ମାନଙ୍କର ତଦାରଖକାରୀ" ବୋଲି ଉଲ୍ଲେଖ କରାଯାଇଅଛି।ତେଣୁ ସେ ସମୟରେ ମହିଳା ଚିକିତ୍ସକ ମାନେ କେବଳ ଆକସ୍ମିକ ଭାବରେ କେତେବେଳେ କେଉଁଠି କାମ କରୁଥିଲେ ବୋଲି ଭାବିବା ଠିକ୍ ହେବନାହିଁ। ପେଶେସେତ୍ ଜଣେ ମହିଳା ଚିକିତ୍ସକ ଥିବା ସହିତ ଅନ୍ୟାନ୍ୟ ମହିଳା ଚିକିତ୍ସକଙ୍କୁ ତାଲିମ ଓ ସେମାନଙ୍କର ସ୍ୱାସ୍ଥ୍ୟ ସେବା ସଂପର୍କୀୟ ପରିଚାଳନା ପ୍ରତି ଦୃଷ୍ଟି ଦେଇଥିଲେ।ସେତେବେଳେ ମିଶରରେ ପ୍ରତ୍ୟେକ ମଂଦିର ସହ "ପର୍ ଆଙ୍ଖ୍"ବା "ଜୀବନ ଗୃହ" ସଂଲଗ୍ନ ଥିଲା।ଏହି ଜୀବନଗୃହ ବା ପର୍ ଆଙ୍ଖ୍ ମାନେ ହେଉଛନ୍ତି ଶିକ୍ଷାଦାନ କେନ୍ଦ୍ର ଓ ଚିକିତ୍ସାଳୟ।

ମେରିତ୍ ପତାହ୍ ଓ ପେଶେସେତ୍ ଙ୍କ ସଂପର୍କରେ ସବିଶେଷ ବିବରଣୀ ପୁନର୍ଗଠନ କରିବା ନିହାତି କଷ୍ଟକର।କିନ୍ତୁ ଏତିକି କୁହାଯାଇ ପାରେ ଯେ ମିଶରର ଆଦ୍ୟକାଳରେ ନାରୀ ଚିକିତ୍ସକ ଙ୍କ ସ୍ଥାନ ଅତ୍ୟନ୍ତ ସମ୍ମାନ ଜନକ ଥିଲା।

କିନ୍ତୁ ପରେ ନାରୀ ମାନଙ୍କର ଭୂମୀକାକୁ ଇତିହାସର ପରବର୍ତ୍ତୀ ପର୍ଯ୍ୟାୟରେ ସେତେ ସ୍ୱୀକୃତି ଦିଆଗଲା ନାହିଁ।ଏ ବିଷୟରେ ପରେ କେବେ।

ଯାଦୁ,ଧର୍ମ ଓ ତଥ୍ୟାତ୍ମକ ବିଜ୍ଞାନ ର ଏକ ମିଶ୍ରିତ ରୂପ ଥିଲା ପ୍ରାଚୀନ ମିଶର ର ଚିକିତ୍ସା ପଦ୍ଧତି।ଅସୁଖ ଭୋଗୁଥିବା ସେତେବେଳର ମିଶରର ଲୋକଟି ଅସୁଖରୁ ମୁକ୍ତି ପାଇବା ପାଇଁ ଜଣେ ଚିକିତ୍ସକ (ଯାହାକୁ ସେତେବେଳେ ସନ୍ୱ ବା swnw କୁହାଯାଉଥିଲା) ପାଖକୁ ଯାଉଥିଲା,ଅବା ଜଣେ ଯାଦୁକର ପାଖକୁ ଯାଉଥିଲା ବା ସେଖମେତ୍ ଓ ସେରକେତ୍ ବୋଲି ଦୁଇଜଣ ଦେବୀଙ୍କର ପୂଜକ ପାଖକୁ ଯାଉଥିଲା।ଏଇ ତିନିଜଣ ସେତେବେଳେ ଅସୁଖରୁ ମୁକ୍ତି ଦେବାକୁ ସକ୍ଷମ ବୋଲି ଲୋକଙ୍କର ଧାରଣା ଥିଲା।ଲୋକେ ଏହି ତିନୋଟି ବିକଳ୍ପରୁ ଯେଉଁଟି ସେମାନଙ୍କ ନିକଟରେ ସହଜରେ ଉପଲବ୍ଧ ସେହି ବିକଳ୍ପଟିକୁ ଗ୍ରହଣ କରୁଥିଲେ।ଅନେକ ସମୟରେ ଚିକିତ୍ସକଟି ଏକସମୟରେ ପୁରୋହିତ ଓ ଚିକିତ୍ସକ ଥିଲା।ସେ ଔଷଧ,ମନ୍ତ୍ରୋଚ୍ଚାରଣ ଓ ପ୍ରାର୍ଥନା ସବୁକୁ ମିଶାଇ ଲୋକର ଉପଚାର କରୁଥିଲା।

ମିଶରର ଚିକିତ୍ସାବ୍ୟବସ୍ଥା ହେଉଛି ପୃଥିବୀର ସର୍ବପ୍ରଥମ ଚିକିତ୍ସାବ୍ୟବସ୍ଥା ଯାହାକୁ ଲିପିବଦ୍ଧ କରାଯାଇଥିଲା।କିନ୍ତୁ ଏହାର ଇତିହାସଟି ଆମର ଅଜଣା ରହିଯାଇଥିଲା ଦୀର୍ଘ ସମୟ।ଊନବିଂଶ ଶତାବ୍ଦୀର ଆଦ୍ୟଭାଗରେ ମିଶରର ଚିତ୍ରାକ୍ଷର ବା ହାଇରୋଗ୍ଲାଫ୍ ମାନଙ୍କର ପାଠୋଦ୍ଧାର ସଂଭବ ହେଲା ପରେ ଏଇ ଚିକିତ୍ସାପଦ୍ଧତି ବିଷୟରେ ଆମେ ଜାଣିବାକୁ ପାଇଲୁ।ତାହାପରେ ବିଭିନ୍ନ ପାପିରସ୍ ଲେଖନ ଓ କବର ଲେଖନରୁ ଜଣାପଡେ ଯେ ଚିକିତ୍ସକ ମାନଙ୍କର ଅନେକ ପ୍ରକାରର ଅସୁଖ ବିଷୟରେ ଧାରଣା ଥିଲା।ଅସୁଖର ଲକ୍ଷଣ ସଂପର୍କରେ ବର୍ଣ୍ଣନା ସହିତ ଭିନ୍ନଭିନ୍ନ ଲତାଗୁଳ୍ମ ,ପଶୁମାନଙ୍କର ଅବଶେଷ ଓ ଖଣିଜ ପଦାର୍ଥ ଆଦିର ଔଷଧୀୟ ଦ୍ରବ୍ୟଗୁଣ ଉପରେ ଅନେକ ଲେଖା ରହିଅଛି।ତାହା ସହିତ ରୋଗୀକୁ ଯେଉଁ ପଥିବିଧାନ କରାଯାଉଥିଲା ତାହା ବେଶ୍ ଦୀର୍ଘ ଥିଲା ଏବଂ ଏ ବିଷୟରେ ଗୁଡିଏ ପାପିରସ୍ ଉପଲବ୍ଧ।ସେହି ପଥିରେ ପରିମାପ ର କଥା ରହୁଥିଲା।ଚିକିତ୍ସକ ମାନଙ୍କର ପ୍ରେସକ୍ରିପସନ୍ ରେ ବଟିକା,ମଲମ,ବିଭିନ୍ନ ଔଷଧୀୟ ପାଚନକୁ ଆଘ୍ରାଣ ଓ ଏନିମା ବା ପେଟରୁ ବିଷ୍ଠା ନିଷ୍କାସନର ର ବିଧାନ ଦିଆଯାଉଥିଲା।

ଏନିମା ବା ପେଟରୁ ବିଷ୍ଠା ନିଷ୍କାସନ ରେ ଯେଉଁ ଚିକିତ୍ସକ ଜଣକ ସେତେବେଳେ ପ୍ରସିଦ୍ଧ ଥିଲେ ତାଙ୍କର ନାଆଁ ହେଉଛି ଇରେନାଖତି।ତାଙ୍କର ସମୟ କାଳ ସଂଭବତଃ ଖ୍ରୀପୂ ୨୧୫୦ ।ସେ ସମ୍ରାଟଙ୍କ ଚିକିତ୍ସକ ଥିଲେ।ତାଙ୍କୁ "ନେରୁ ପେହୁତ୍" ବୋଲି କୁହାଯାଉଥିଲା ଯାହାର ଅର୍ଥ ହେଉଛି,"ଗୁହ୍ୟ ଦ୍ୱାର ର ରକ୍ଷକ"।କେବଳ ଇରେନାଖତି ନୁହଁନ୍ତି ଆଉ ଜଣେ ଚିକିତ୍ସକ ଥିଲେ ତାଙ୍କର ନାଆଁ ଖୁୟ।ସେ ଗୁହ୍ୟଦ୍ୱାର,ପାଚନକ୍ରିୟା ଓ ଦାନ୍ତର ବିଶେଷଜ୍ଞ ଥିଲେ।ସେତେବେଳେ ଦାନ୍ତଚିକିତ୍ସକଙ୍କ ର ଭାରି ଗୁରୁତ୍ୱ ଥିଲା।

ଇତିହାସର ଜନକ ହେରୋଡଟସ୍ ଖ୍ରୀପୂ ୪୪୦ରେ ମିଶର ପରିଭ୍ରମଣ କରିଥିଲେ।ତାଙ୍କ ବିବରଣୀ ଅନୁସାରେ ସେତେବେଳେ ଚିକିତ୍ସକ ମାନେ ଏକ ପ୍ରକାର ବିଶେଷଜ୍ଞ ଥିଲେ।କିଏ ଆଖିର କିଏ ଦାନ୍ତର କିଏ ହଜମର,ଏହିଭଳି।

ମିଶରରେ ସେତେବେଳେ ସଂଭ୍ରାନ୍ତ ଓ ପୁରୋହିତ ଙ୍କ ସହ ଚିକିତ୍ସକ ମାନଙ୍କୁ ସମାନ ସମ୍ମାନ ଆଉ ମର୍ଯ୍ୟଦାର ସହ କବର ଦିଆଯାଉଥିଲା।ଏଥିରୁ ଚିକିତ୍ସାବ୍ୟବସ୍ଥା ଓ ଚିକିତ୍ସକ ର ଗୁରୁତ୍ୱର ଐତିହାସିକ ପୃଷ୍ଠଭୂମୀଟି ଦେଖାଯାଇ ପାରେ।

No comments:

Post a Comment