Friday, July 13, 2018

ଗିଜୁଭାଇଙ୍କ ଅନୁଭୂତି: ଅନୁଭୂତିରୁ ମୁକ୍ତିର ବାଟ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


'ଗିଜୁଭାଇ ଶିକ୍ଷାନିଧି'ର ମଲାଟ  (ୱିକିମିଡିଆ କମନ୍ସ୍)

ଗିଜୁଭାଇଙ୍କର ଏଭଳି ସ୍ମୃତି ସହ ଦକ୍ଷିଣାମୂର୍ତ୍ତି ବାଲମନ୍ଦିରର କାର୍ଯ୍ୟକ୍ରମକୁ ତୁଳନା କଲେ ଜଣାଯିବ ଯେ, ପିଲାଦିନେ ସେ ନିଜେ ଯାହା ସବୁ ଅସୁବିଧା ଭୋଗିଥିଲେ ଏବଂ ପରେ ଦେଖିଥିଲେ, ସେସବୁକୁ ଦୂର କରିବା ହିଁ ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ମାଡ଼, ଆତଙ୍କର ପରିବେଶରୁ କୋମଳପତି ପିଲାଙ୍କୁ ସେ ଉଦ୍ଧାର କରିଥିଲେ । ତା' ସହିତ ପ୍ରତିଭାର ବିକାଶ ପାଇଁ ପ୍ରେମ, ଆନନ୍ଦ ଏବଂ ସ୍ୱତନ୍ତ୍ରତାର ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଥିଲେ ।

ଥରେ ଗୋଟିଏ ପ୍ରତିଛବି ତାଙ୍କ ମନରେ କିଛି ବିଶେଷ ପ୍ରତିକ୍ରିୟା ଆଣିଥିଲା । ତା'ର ବର୍ଣ୍ଣନା କରି ସେ ଲେଖିଥିଲେ, “କେତେ ବର୍ଷ ଆଗରୁ ଦେଖିଥିବା ଛବିଟିଏ ଆଖି ଆଗରେ ନାଚୁଛି । ଲଣ୍ଡନର ଗୋଟିଏ ବ୍ୟୟବହୁଳ ଛକ ଉପରେ ପୋଲିସଟିଏ ଠିଆ ହୋଇଛି । ଚାରି ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ସେ ତାର ଦୁଇ ହାତରେ ଅଟକାଇ ଦେଉଥିଲା । ଗୋଟିଏ ଛୋଟ ପିଲା ତାର ସ୍ୱାଭାବିକ ଢଙ୍ଗରେ ରାସ୍ତାରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲି କରି ଯାଉ‌ଥିଲା । ଏ ଚିତ୍ରର କଣ କିଛି ଅର୍ଥ ଅଛି ?”

ଚିତ୍ରର ବ୍ୟାଖ୍ୟା ଯେ କିପରି କରିଥିଲେ ତାହା ଜଣା ନାହିଁ । କିନ୍ତୁ ଗିଜୁଭାଇଙ୍କୁ ଜାଣିଥିବା ଲୋକମାନେ ଭାବନ୍ତି ଯେ, ପୋଲିସବାଲା ଜାଗାରେ ଗିଜୁଭାଇଙ୍କୁ ରଖି ଚାରି ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ପିଲାଙ୍କ ବିକାଶ ଦିଗରେ ଆସୁଥିବା ବାଧା ବୋଲି ଧରି ନେଲେ ଚିତ୍ରଟି ଗିଜୁଭାଇଙ୍କ କୃତିତ୍ୱର ଗୋଟିଏ ଜୀବନ୍ତ ଛବି ହୋଇଯିବ ।

ବି.ଦ୍ର ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।


No comments:

Post a Comment