Sunday, December 24, 2017

ନୟୀ ତାଲିମ ବକ୍ତୃତାମାଳା-୭

ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ମହାତ୍ମା ଜ୍ୟୋତିବା ଫୁଲେ
(http://www.culturalindia.net)

ତା’ପରେ ଲର୍ଡ ମ୍ୟାକଲେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ କଥା କହୁଛନ୍ତି । ଭାରତର ଯେଉଁ ଲୋକଙ୍କୁ ଆମେ ଶିକ୍ଷିତ କରିବୁ ସେମାନେ ଦେଶବାସୀଙ୍କୁ ଆମ କଥା ବୁଝାଇବେ, ଆମ ବ୍ୟାଖ୍ୟାକାର ହେବେ । ଆଜିର ତାଜା ରାଜନୈତିକ ଭାଷାରେ କହିଲେ, ଆମ ଦଲାଲ ହେବେ । ଆମେ ଇଂରାଜୀରେ କହିବୁ, ସେମାନେ ତାଙ୍କ ନିଜ ଭାଷାରେ ବୁଝାଇବେ । ଆଜି ବି ଏଇଆ ହେଉଛି । ଆମେ ଏମିତି ଏକ ଭାରତୀୟ ବର୍ଗ ତିଆରିବା ଯେଉଁମାନଙ୍କର ଚର୍ମ ଓ ରକ୍ତର ରଙ୍ଗ ଭାରତୀୟଙ୍କ ପରି ଥିବ କିନ୍ତୁ ରୁଚି, ମତ, ନୈତିକ ମୂଲ୍ୟ ଓ ବୁଦ୍ଧି ବ୍ରିଟିଶ ରାଜ୍ୟର ଇଚ୍ଛା ଅନୁସାରେ କାମ କରିବ ।

ବ୍ରିଟିଶ ଶାସନ ପରିବର୍ତ୍ତେ ଆଜିର କର୍ପୋରେଟ ଶାସନ ଲେଖିଦିଅନ୍ତୁ ଯାହା ଆଦେଶ ମୁତାବକ ଭାରତର ଶିକ୍ଷା ବ୍ୟବସ୍ଥା ଚାଲିଛି । ତେଣୁ ବାରମ୍ବାର କୁହାଯାଉଛି ଯେ ଆମ ପାଖରେ ସମ୍ବଳ ନାହିଁ, ପଇସା ନାହିଁ, ଆମେ ଗରିବ ଦେଶ ଯେତେବେଳେ କି ଦେଶର ମୋଟ ଜାତୀୟ ଉତ୍ପାଦନ ୯ ପ୍ରତିଶତ ହିସାବରେ ଘୋଡା ପରି ଛୁଟୁଛି, ଲମ୍ଫ ମାରୁଛି । ବଡ ଗର୍ବରେ ଆମେ ପୃଥିବୀ ସାରା କହିବୁଲୁଛୁ, କେବଳ ଆଠଟି ବର୍ଷରେ ଦୁନିଆର ଏକ ମହାଶକ୍ତି ହେବାର ସ୍ୱପ୍ନ ଦେଖୁଛୁ । ତଥାପି କହୁଛୁ ଆମ ପାଖରେ ପଇସା ନାହିଁ, ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିବ, ବିଦେଶୀ ପୁଞ୍ଜି ବିନିଯୋଗ ହେବ ଇତ୍ୟାଦି । ସଂସାର ଯାକର ସମ୍ବଳ ଉପରେ କର୍ପୋରେଟଗୁ଼ଡିକର କବଜା ମଜବୁତ କରିବା ପାଇଁ ଆମେ ଦଲାଲ ପ୍ରସ୍ତୁତ କରିବା ଯେଉଁମାନେ ଆମ ଭାଷାରେ ଶିଖିବେ କିନ୍ତୁ ଲୋକଙ୍କ ସ୍ଥାନୀୟ ଭାଷାରେ ବୁଝେଇଚାଲିବେ । ଗଣମାଧ୍ୟମ ଏହି କାମ କରେ । ଏହା ହେଉଛି ମ୍ୟାକଲେବାଦ ।

ପରେ ପରେ ଅନେକ ଶିକ୍ଷାଶାସ୍ତ୍ରୀ, ସମାଜ ବିଜ୍ଞାନୀ ଏହି ଏକା କଥା କହିଛନ୍ତି । ଶାସକ ଗୋଷ୍ଠୀ ସର୍ବଦା ନିଜ ପକ୍ଷରେ ଲୋକଙ୍କ ମନନ ଚିନ୍ତନ, ଜ୍ଞାନ ଉତ୍ପନ୍ନ କରିବା ପାଇଁ ଶିକ୍ଷା ଦେଇଥାଏ । ଶାସକ ବିରୋଧରେ ବିଦ୍ରୋହ କରିବା ପାଇଁ ବା ଶାସକକୁ ଗାଦିଚ୍ୟୁତ କରିବା ପାଇଁ ଏହା ଶିକ୍ଷା ଦିଏ ନାହିଁ । ତାଙ୍କ ସ୍କୁଲ, କଲେଜରୁ ଶିକ୍ଷାଲାଭ କରି ଆମେ କେମିତି ଆମ ପକ୍ଷର କଥା କହିବାକୁ ସକ୍ଷମ ହେବା ସେଇଟା ଆମ ଦାୟିତ୍ୱ, ତାଙ୍କର ନୁହେଁ । କେବଳ ଗୋଲାମୀ ପାଇଁ ଶିକ୍ଷା ଦେବା ତାଙ୍କ କାମ ।

ଏ କଥାକୁ ଗାନ୍ଧିଜୀ ୧୯୦୯ରେ ହିନ୍ଦ୍ ସ୍ୱରାଜ ଲେଖିବା ବେଳେ ବୁଝିଯାଇଥିଲେ । ଆପଣ ଗର୍ବିତ ହେବା ଉଚିତ ଯେ ହିନ୍ଦ୍ ସ୍ୱରାଜ ପ୍ରଥନେ ଗୁଜୁରାଟି ଭାଷାରେ ଲେଖା ଯାଇଥିଲା । ବ୍ରିଟିଶ ସରକାର ଏହି ଗୁଜୁରାଟି ବହି ଦ୍ୱାରା ଭୟଭୀତ ହୋଇ ଏହା ଉପରେ କଟକଣା ଲଗାଇ ଦେଲେ । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ବସି ଏହାର ଇଂରାଜୀ ଅନୁବାଦ କଲେ କିନ୍ତୁ ତାହା ମଧ୍ୟ ନିଷେଧ କରିଦିଆଗଲା । ଗୋଟିଏ ଛୋଟିଆ ବହି ଇଂରେଜ ସରକାରକୁ ଏତେ ଭୀତତ୍ରସ୍ତ କରିଦେଇଥିଲା । ବହିଟି ଏବେ ବି ଆପଣଙ୍କୁ ରେଳ ଷ୍ଟେସନ ଗୁଡିକରେ ଦଶ ବାର ଟଙ୍କାରେ ମିଳିଯିବ । ସେ ବହିରେ ଗାନ୍ଧି କହିଲେ ଯେ ମ୍ୟାକଲେଙ୍କ ଶିକ୍ଷା ଆମକୁ ଗୋଲାମ ବନାଉଛି । ଭାରତକୁ ଅଧିକାର କରିନେଇଥିବା ଔପନିବେଶିକ ସରକାରକୁ ସେ “ସଭ୍ୟତାର ଦ୍ୱନ୍ଦ ବା ସଂଘର୍ଷ” (ସିଭିଲାଇଜେସନାଲ୍ କନଫ୍ଲିକ୍ଟ୍) ହିସାବରେ ଦେଖିଲେ । ଏ କଥାକୁ ମୁଁ ପରେ ଆସିବି । 

୧୯୦୯ ପରେ ଗାନ୍ଧିଙ୍କ ବିମର୍ଶ ସ୍ପଷ୍ଟ ହୋଇଗଲା ଓ ଆଗକୁ ବଢିଲା । କିନ୍ତୁ ତାହାର ପୂର୍ବରୁ, ମହାତ୍ମା ଫୁଲେ ହେଉଛନ୍ତି ଭାରତରେ ପ୍ରଥମ ବ୍ୟକ୍ତି ଯିଏ ମ୍ୟାକଲେଙ୍କ ଶିକ୍ଷାନୀତିରେ ଜ୍ଞାନର ଯେଉଁ ଚରିତ୍ର ଥିଲା ତାହାର ବିରୋଧ କରିଥିଲେ । ବ୍ରିଟିଶ ସରକାର ଦ୍ୱାରା ୧୮୮୨ ରେ ସ୍ଥାପିତ ହଣ୍ଚର୍ କମିଶନ ପାଖରେ ଫୁଲେ ଏକ ଦଲିଲ ଉପସ୍ଥାପନ କରିଥିଲେ । ମ୍ୟାକଲେଙ୍କ ପ୍ରତିବେଦନ ସହିତ ଏହି ଦଲିଲଟି ମଧ୍ୟ ବିଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ । ଏହାକୁ ମଧ୍ୟ ମୁଁ ଅନେକ ଥର ପଢିଛି । ଏବେ ବି ସାଥିରେ ଆଣିଛି କାଳେ ଆଉ ଥରେ ପଢିବା ଦରକାର ହୋଇପାରେ ବୋଲି । ପ୍ରତିଥର ଏଥିରୁ କିଛି ନୂଆ କଥା ବାହାରେ । କେତୋଟି ବିଷୟ କହୁଛି । ବର୍ତ୍ତମାନ ପାଇଁ ତିନୋଟି ବିନ୍ଦୁ ଯଥେଷ୍ଟ ହେବ । ଏହା ଏକ ଲମ୍ବା ପ୍ରତିବେଦନ; ଉଭୟ ମରାଠୀ ଓ ଇଂରାଜୀରେ ସେ ଲେଖିଥିଲେ ।

ସେ ଲେଖିଲେ, ବହୁତ ବିଡମ୍ବନାର କଥା ଯେ ବ୍ରିଟିଶ ସରକାର ସମଗ୍ର ଦେଶର ପରିଶ୍ରମୀ ଚାଷୀ ମୂଲିଆଙ୍କ ଝାଳବୁହା ଆୟରୁ ରାଜସ୍ୱ ବଢାଇ ଚାଲିଛି । କିନ୍ତୁ ରାଜସ୍ୱ ଖର୍ଚ୍ଚ କଲାବେଳେ, ଶିକ୍ଷା ଆଦି କ୍ଷେତ୍ରରେ, ଏହାର ପୁରା ଲାଭ ଯାଉଛି ଉଚ୍ଚ ବର୍ଗ ଓ ଉଚ୍ଚ ବର୍ଣ୍ଣର ଲୋକଙ୍କ ପାଖକୁ । ଯଦି ଆଜି ମହାତ୍ମା ଫୁଲେ ଜୀବିତ ଥାଆନ୍ତେ ତେବେ ପୁଣି ସମ୍ପୂର୍ଣ୍ଣ ବିଶ୍ୱାସର ସହ ଏହି କଥା ହିଁ ଲେଖିଥାଆନ୍ତେ । ଭାରତର ତମାମ ଗରିବ ଜନତା, ପାଖାପାଖି ୯୩ ପ୍ରତିଶତ ଭାରତୀୟ ଆସିଯିବେ ଏଥିରେ ଯେଉଁମାନେ ଅସଙ୍ଗଠିତ କ୍ଷେତ୍ରଗୁଡିକରେ କାମ କରନ୍ତି, ସେମାନେ ଆୟ ତ କରୁଛନ୍ତି କିନ୍ତୁ ଶିକ୍ଷା ବ୍ୟବସ୍ଥାର ପୁରା ଫାଇଦା ଯାଉଛି ବାକି ୭ ପ୍ରତିଶତ ଉଚ୍ଚ ଓ ମଧ୍ୟମ ବର୍ଗୀୟ ଲୋକଙ୍କ ପାଖକୁ ।

ମନେ ପକାନ୍ତୁ ଦୁଇ ତିନି ବର୍ଷ ପୁରୁଣା ଅର୍ଜୁନ ସେନଗୁପ୍ତା ଆୟୋଗର ରିପୋର୍ଟ ଯେଉଁଥିରେ କୁହାଯାଇଥିଲା ଯେ ଭାରତର ୭୮ ପ୍ରତିଶତ ଲୋକ ପ୍ରତିଦିନ ମାତ୍ର ୨୦ ଟଙ୍କାରେ ଗୁଜୁରାଣ ମେଣ୍ଟାନ୍ତି । ଏହି ୭୮ ପ୍ରତିଶତ ବା ୯୩ ପ୍ରତିଶତ ଲୋକଙ୍କ ପାଇଁ ଶିକ୍ଷା ଯୋଜନା ନିର୍ମାଣ ହୁଏ ନାହିଁ । ଶିକ୍ଷାର ରୂପରେଖ ପ୍ରସ୍ତୁତ କରାଯାଏ ଏକ ଉଚ୍ଚ-ମଧ୍ୟମ ବର୍ଗୀୟ ସମୂହର ଫାଇଦା ପାଇଁ । ଏହି ବର୍ଗକୁ ପ୍ରସ୍ତୁତ କରାଯାଏ କର୍ପୋରେଟ ଗୁଡିକର ଦଲାଲ ହେବା ପାଇଁ, ସେଗୁଡିକର ହାତ ମଜବୁତ କରିବା ପାଇଁ ଓ ଦେଶର ସମ୍ବଳ ଲୁଟିବା ପାଇଁ । ଏ କଥାକୁ ମୁଁ ଫେରିବି । ମୋ ଷଷ୍ଠ ବକ୍ତୃତା ଏହି ବିଷୟ ଉପରେ ହେବ ।

ମହାତ୍ମା ଫୁଲେଙ୍କ ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ କଥାଟି ମୁଁ ତାଙ୍କରି ଭାଷାରେ ହିଁ ଉପସ୍ଥାପନ କରୁଛି । ମରାଠୀ ତ ମୁଁ ବୁଝିପାରିଲିନି । ଇଂରାଜୀରୁ ବୁଝିବା ପାଇଁ ଚେଷ୍ଟା କରିଛି । ସେ କହିଲେ, ଯାହା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦେଖୁଛି ତାହା ଭାରତ ପାଇଁ ଆଦୌ ଉଚିତ ନୁହେଁ । ସେଥିରୁ କୌଣସି ଉପଯୋଗୀ ବା ବ୍ୟବହାରିକ ଜ୍ଞାନ ମିଳୁନାହିଁ ଯାହା ବ୍ୟବହାର କରି ଭାରତର ପିଲାଏ ନିଜ ଜୀବନରେ ଆଗକୁ ବଢି ପାରିବେ । ପରେ କହୁଛନ୍ତି, ଶିକ୍ଷାଦାନ ଉଦ୍ଦେଶ୍ୟରେ ଯେଉଁ ମେସିନାରୀ ଛିଡା କରିଦିଆ ଯାଇଛି (୧୮୮୨ର କଥା, ୧୮୩୫ରୁ ୧୮୮୨ ଭିତରେ ଏକ ବଡ ମେସିନାରୀ ଗଢି ଉଠିଥିଲା ଶିକ୍ଷା ପାଇଁ) ତାହା କେବଳ ଲୋକଙ୍କୁ ଚାକିରୀ ହିଁ ଦେଉଛି । ସେଥିରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ତା’ ଆଗକୁ ଗୋଟେ ସୁନ୍ଦର କଥା କହୁଛନ୍ତି, ଆମକୁ ଏମିତି ଶିକ୍ଷକ ଦରକାର ଯେଉଁମାନେ ନିଜେ ହଳ ଧରି ପାରିବେ । କିମ୍ବା ବଢେଇର କରତ ବ୍ୟବହାର କରିପାରୁଥିବେ । ସମାଜର ସବୁଠୁ ତଳ ସ୍ତରରେ ଥିବା ଲୋକଙ୍କ ସହ ବନ୍ଧୁତା କରି ପାରିବାର କ୍ଷମତା ଥିବ ତାଙ୍କ ଠାରେ । ସେମାନେ ସମ୍ମାନର ସହ ସମସ୍ତଙ୍କ ସହ ମିଳାମିଶା କରିପାରୁଥିବେ । ବଡ କଷ୍ଟର ସହ ସେ କହୁଛନ୍ତି ଏବେ ଯେଉଁମାନେ ଶିକ୍ଷା ବିଭାଗରେ ଚାକିରୀ ପାଇଛନ୍ତି ସେ ସମସ୍ତେ ଉଚ୍ଚ ବର୍ଗର ଓ ଉଚ୍ଚ ବର୍ଣ୍ଣର । ନା ସେମାନେ ହଳ କରିବେ ନା କରତ ବ୍ୟବହାର ଜାଣିବେ । ନା ତଳିଆ ବର୍ଗୀୟ ଲୋକଙ୍କ ସହ ବନ୍ଧୁତା କରିପାରିବେ ।

ଏବେ ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି ଆମେ ଭାବିବା ଦରକାର । ସେ କହିଲେ, ଏମିତି ଏକ ପାଠ୍ୟଚର୍ଯ୍ୟା ବ୍ରିଟିଶ ସରକାର ବନେଇବା ଦରକାର ଯାହା ଚାଷକାମ ସହ ଜଡିତ ଥିବ, ଶ୍ରମ ଆଧାରିତ ଥିବ, କିଛି ଉପଯୋଗୀ କଳା ମଧ୍ୟ ଶିଖିବାକୁ ମିଳୁଥିବ ଆଉ ଆମ ପିଲାଙ୍କର ନୈତିକ ଉତ୍ଥାନ କରିବ । ତୃତୀୟ କଥା । ସେ କହିଲେ, ମୁଁ ଅବଶ୍ୟ ପ୍ରାଥମିକ ଶିକ୍ଷା ବିଷୟରେ କହୁଛି କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ କେବଳ ଭଲ ପ୍ରାଥମିକ ବିଦ୍ୟାଳୟ ପାଇଁ ଦାବି କରୁନାହୁଁ ଆମେ ଭଲ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରୁଛୁ । ଫୁଲେଙ୍କ ନାମ ଜପୁଥିବା ଲୋକଙ୍କ ଭିତରୁ ଅଳ୍ପ କେତେଜଣ ହିଁ ଏ କଥା ଧରି ପାରିଛନ୍ତି ।

ଫୁଲେ କହୁଛନ୍ତି, କୌଣସି ଦେଶ ଆଗକୁ ବଢିପାରିବ ନାହିଁ ଯେତେଦିନ ଯାଏଁ ଏହାର ଉଚ୍ଚ ଶିକ୍ଷା ପଛରେ ପଡିଥିବ । ସାଥିରେ ଏଇଆ ବି କହୁଛନ୍ତି ଯେ ପ୍ରାଥମିକ ଶିକ୍ଷା ମଧ୍ୟ ସେତେବେଳେ ହିଁ ଆଗେଇବ ଯେତେବେଳେ ଉଚ୍ଚ ଶିକ୍ଷା ଉଚ୍ଚ ମାନର ହୋଇଥିବ । କାରଣ ପ୍ରାଥମିକ ଶିକ୍ଷା ପାଇଁ ଯେଉଁ ଜ୍ଞାନର ଆବଶ୍ୟକତା ରହିଛି, ସେ ସାମାଜିକ ବିଜ୍ଞାନ ହେଉ ବା ବିଜ୍ଞାନ ହେଉ, ତାହାର ଉତ୍ପତ୍ତି ଓ ପ୍ରସ୍ତୁତି ଉଚ୍ଚ ଶିକ୍ଷା ସ୍ତରରେ ହିଁ ହୋଇଥାଏ । ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ କଥା ୧୮୮୨ରେ କହିଥିଲେ, ୧୨୫ ବର୍ଷ ପୂର୍ବେ । ଏହି ପୃଷ୍ଠଭୂମିରେ ଆମେ ଗାନ୍ଧିଙ୍କ କଥାକୁ ଦେଖିବା । ମ୍ୟାକଲେଙ୍କ ଶିକ୍ଷା କେମିତି ଆମକୁ ଗୋଲାମ ବନେଇ ରଖିଛି ।

No comments:

Post a Comment