Saturday, December 30, 2017

ପଦ୍ମାବତୀ : ଅର୍ଦ୍ଧେକ ମାନବୀ ଓ ଅର୍ଦ୍ଧେକ କଳ୍ପନା

ଜ୍ୟୋତି ନନ୍ଦ


ପଦ୍ମାବତୀଙ୍କର ଚିତ୍ର (୧୭୬୫ ମସିହାରା ଅଙ୍କିତ)
ବିବ୍ଲିଓଥେକ୍ ନ୍ୟାସିଓନେଲ୍ ଦ ଫଁସ୍‌ଙ୍କର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଆଜି ଇତିହାସ ନୁହଁ, ସାହିତ୍ୟ । କାହାଣୀ । ପଦ୍ମାବତୀ କାହାଣୀ ।

ଆଜି ଇତିହାସ ନୁହଁ, ପଦ୍ମାବତୀଙ୍କୁ ଗୋଟିଏ ପ୍ରଚଳିତ କାହାଣୀର ମୂଖ୍ୟ ଚରିତ୍ର ହିସାବରେ ଗ୍ରହଣ କରି ସେଇ କାହାଣୀଟିର ଗତି ଓ ପ୍ରବୃତ୍ତିରେ ପଦ୍ମାବତୀ ଚରିତ୍ରଟିର ଅବସ୍ଥିତିକୁ ନେଇ ଜନମାନସରେ ତାହାର ଜନପ୍ରିୟତାର କାରଣକୁ ଆକଳନ କରିବାର ଚେଷ୍ଟା କରାଯିବ ।

କାହାଣୀ କଥା କହିଲା ବେଳେ ପ୍ରଥମେ ମୁଁ ଆପଣମାନଙ୍କର ଗୋଚରକୁ ଆଣିବି ପ୍ରତି କାହାଣୀରେ ସଂସ୍ଥାପିତ ଖଳନାୟକର କଥା ।ଆପଣମାନେ ଜାଣନ୍ତି ପ୍ରତି କାହାଣୀକାରର କାହାଣୀରେ ସବୁଠୁ ଧାରୁଆ ଅସ୍ତ୍ରଟି ହେଉଛି ତାହାର ଖଳନାୟକ । ଖଳନାୟକକୁ ସେ ଯେତିକି ଶାଣ ଦେଇଥାଏ, ତାହାର କାହାଣୀଟି ସେତିକି ପ୍ରଭାବଶାଳି ହୋଇଥାଏ । କାରଣ କେବଳ ଖଳନାୟକ ହିଁ ସବୁ କାହାଣୀର କେଦାର ଆଉ ଗୌରୀଙ୍କ ମିଳନରେ କେତେବେଳେ ସମାଜ, ବାଘ ଆଉ ଛୁରୀ ଆଦି ଭିନ୍ନ ଭିନ୍ନ ରୂପରେ ବାଧକ ସାଜିଥାଏ । କହିବାର ତାତ୍ପର୍ଯ୍ୟ ହେଉଛି, ଖଳନାୟକ ହିଁ କେବଳ ଏମିତି ଏକ ପରିସ୍ଥିତିର ପ୍ରସ୍ତାବନାଟି ନିର୍ମାଣ କରିଥାଏ ଯାହାର ଜଟିଳତାର ଚକ୍ରବ୍ୟୁହରୁ କାହାଣୀ ସାରା ମୁକୁଳିବାର ଚେଷ୍ଟା କରୁଥାନ୍ତି ଆମର ସମସ୍ତ ନାୟକ ନାୟିକା । ନାୟକ ନାୟିକା ସଫଳ ହେଲେ ଆମେ ହୁଇସିଲ୍ ମାରି ସେଇ ସଫଳତାକୁ ନିଜେ ଗଡ଼ ଜିତିଲା ଭଳି ନିଜ ଭିତରେ ଧରିରଖିଥାଉ । ଆମ ଭିତରେ କାହାଣୀ ସାରା ଯେଉଁ ଖଳନାୟକ ବିଧ୍ୱଂସୀ କାମନାଟି ତିଆରି ହୋଇଯାଇଥିଲା, ତାହା ଫଳବତୀ ହେଲା ।

ତେଣୁ ଆମର ସମସ୍ତ ସଫଳ କାହାଣୀ କହିବାକୁ ଗଲେ ଖଳନାୟକ ପ୍ରଧାନ କାହାଣୀ । ଖଳନାୟକ ନଥିଲେ କାହାଣୀରେ ଚରିତ୍ର ମାନଙ୍କର ଅଭୀଷ୍ଟ ଲକ୍ଷ୍ୟସ୍ଥଳଟି ଆଦୌ ଧୂଆଁଳିଆ ଦିଶିବ ନାହିଁ, ଆଉ ତାହା ଫଳରେ ଆମ ସମାଜର ଚରିତ୍ରମାନଙ୍କୁ କେବଳ ସତ୍ ହୋଇ ଏବଂ କେବଳ ନିର୍ଦ୍ଦିଷ୍ଟ ଶଗଡଗୁଳାରେ ଚାଲୁଥିବାର ଦେଖିବା କଥାଟିରେ ଆମେ (ସେମାନଙ୍କୁ ଆମର ସମ୍ପର୍କୀୟ ,ପ୍ରତିବେଶୀ ଅବା ଚିହ୍ନାଜଣା ହିସାବରେ) ଯେତିକି ଉଷତ ହେଉ, କାହାଣୀର ଚରିତ୍ର ହିସାବରେ ସେତିକି ହତାଶ ହେଉ । କାହାଣୀରେ ଆମର ସପ୍ତରଥିର ଅନିୟମ ଦରକାର ଆଉ ତରୁଣ ଅଭିମନ୍ୟୁର କାରୁଣ୍ୟ ଦରକାର ।

ପଦ୍ମାବତୀ କାହାଣୀରେ ଇତିହାସର ଜରିପୋଷାକ ପିନ୍ଧା ଖଳନାୟକ ଆକାରରେ ଯେଉଁ ମଧ୍ୟଯୁଗୀୟ ବର୍ବର ସୁଲତାନ ଆଲ୍ଲାଉଦ୍ଦିନ ଖଲଜୀର ଅବତାରଣା କରାଯାଇଛି, କାହାଣୀର ପ୍ରୟୋଜନ ପାଇଁ ତାହାର ଆବଶ୍ୟକତା ରହିଛି । କିନ୍ତୁ ଏଇ କାହାଣୀରେ ସେ କ'ଣ ଏକମାତ୍ର ଖଳନାୟକ ହିସାବରେ ଉପସ୍ଥିତ ? ଦେଖାଯାଉ ।

ଆପଣମାନେ ଜାଣିଛନ୍ତି, ଆମ କାହାଣୀର ଖଳନାୟକମାନେ ସେମାନଙ୍କର ଆଚରଣରେ ଆମର ପ୍ରଚଳିତ ସଂସ୍କାର ଓ ମୂଲ୍ୟବୋଧକୁ କେତେ ପରିମାଣରେ ସମ୍ମାନ ଦେଖାଇଥାନ୍ତି ? ସମ୍ମାନ ଦେଖାନ୍ତି ନାହିଁ ବୋଲି ଆମ ଭିତରେ ସବୁବେଳେ ଖଳନାୟକ-ବିଧ୍ୱଂସୀ କ୍ଷେପଣାସ୍ତ୍ରମାନ ପ୍ରସ୍ତୁତ ହେବାରେ ଲାଗିଥାଏ ।

ଏଇ ଚର୍ଚ୍ଚାଟି ଆମର ଓଡିଆ ଗଳ୍ପର ପ୍ରବାଦପୁରୁଷ ଶ୍ରୀଯୁକ୍ତ ମନୋଜ ଦାସଙ୍କ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସମ୍ପ୍ରତି ଗତ ୧୭ ନଭେମ୍ବର ୧୭ରେ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ପ୍ରକାଶିତ ଆଲେଖ୍ୟ "ଲେଟ୍ ରାଣୀ ପଦ୍ମାବତୀ ରେଷ୍ଟ ଇନ୍ ପିସ୍" ଶୀର୍ଷକରେ ଇଂରାଜୀରେ ଲିଖିତ ଆଲେଖ୍ୟକୁ ଭିତ୍ତି କରି ଚର୍ଚ୍ଚା । ଆପଣମାନେ ଦୟାକରି ଶ୍ରୀଯୁକ୍ତ ଦାସଙ୍କ ସେହି ମନୋରମ ଆଲେଖ୍ୟଟିକୁ ପଢିବାକୁ ଅନୁରୋଧ । ସେହି ଆଲେଖ୍ୟରେ ମନୋଜୀୟ ଶୈଳୀ ଆପଣଙ୍କୁ ବିମୁଗ୍ଧ କରିବ । ଏଠାରେ କିନ୍ତୁ ଶୈଳୀ ଚର୍ଚ୍ଚା କରାଯାଉ ନାହିଁ, ଆଲେଖ୍ୟଟିର ବିଚାର ଭାଗକୁ ନେଇ ପଦ୍ମାବତୀ-କାହାଣୀର ଆଲୋଚନା କରାଯାଉଛି । ଶ୍ରୀଯୁକ୍ତ ଦାସ ମୁଁ ଦୁଃଖିତ । ବିନମ୍ରତାର ସହ ରାଣୀ ପଦ୍ମାବତୀଙ୍କୁ ସାତଶହ ବର୍ଷ ତଳର କାହାଣୀର ନିଦରେ ବ୍ୟାଘାତ ସୃଷ୍ଟି କରିବାକୁ ପଡୁଛି ।  

ଏଇ ପଦ୍ମିନୀ-କାହାଣୀରେ ନାରୀକୁ କେବଳ ତାହାର ଶରୀର ଭିତରେ ବାନ୍ଧି ରଖିବାର ଚିରାଚରିତ ସୁଚତୁର ପୁରୁଷତାନ୍ତ୍ରିକ କୌଶଳର ଉପଜ ହିସାବରେ ଯେଉଁ ସତୀତ୍ୱର ଅବଧାରଣାକୁ ଆମ ପୁରାଣ କଥାରେ ନୀତି ବୋଲି ମାନସିକ ବିପଣନ କରାଯାଇଛି, ତାହାର ହିଁ ନିରୁତା ପ୍ରୟୋଗ । ସତୀତ୍ୱ କହିଲେ ଆମେ ଏକ ଶାରୀରିକ ଶୁଦ୍ଧତାର କଥା ବୋଲି ବିଚାର କରୁ, ଯେଉଁ ଶାରୀରିକ ଶୁଦ୍ଧତା କେବଳ ଜଣେ ନିର୍ଦ୍ଦିଷ୍ଟ ଆଉ ଏକମାତ୍ର ପୁରୁଷର ଯୌନ-କ୍ରୀଡନକ ହେବାର ବିଧାନରେ ସମ୍ଭବ । ସତୀତ୍ୱ ସାଧାରଣତଃ ଏକ ନାରୀବାଚକ ଶବ୍ଦ ଯାହାର ଯାହାର ପୁରୁଷକାର ପ୍ରତିଶବ୍ଦ ନାହିଁ ।

ପଦ୍ମାବତୀ-କାହାଣୀ, ସେଇ ସତୀତ୍ୱର ଅବଧାରଣାକୁ ପ୍ରତିପାଦ୍ୟ କରିବାର ଏକ କଥନିକା । ଅନ୍ୟ ପକ୍ଷରେ ଚିତୋରର ରାଣା ରତନଙ୍କର ଯେ ଏକମାତ୍ର ପଦ୍ମାବତୀ ଅନୁରକ୍ତି, ତାହାର ସେହି କାହାଣୀରେ ସାମାନ୍ୟତମ ସୂଚନା ନାହିଁ । ବରଂ କାହାଣୀର ପରିଣତିରେ ଚିତୋର ଦୁର୍ଗର ଜହର କୁଣ୍ଡର ନିଆଁରେ ଆତ୍ମଘାତିନୀ ହୋଇଥିଲେ ପଦ୍ମାବତୀଙ୍କ ସହ ଅନେକ ରାଜପୁତ୍ ରମଣୀ । କ୍ଷମତା ଆଉ ନିରଙ୍କୁଶ ସ୍ୱୈରାଚାର ସବୁସମୟରେ ଏକ ଲଗାମବିହୀନ ପୁରୁଷକାରକୁ ଜନ୍ମ ଦେଇଥାଏ । ତାହାଫଳରେ ଯେଉଁ ଲାମ୍ପଟ୍ୟ ଆସେ, ତାହା ବହୁ ନାରୀ ସମ୍ଭୋଗରେ ପ୍ରଶମିତ ହୋଇଥାଏ । ଏବଂ ବହୁ ନାରୀର ପୁରୁଷ ହେବା ରାଜପୁରୁଷର ଆଭିଜାତ୍ୟର ପ୍ରତୀକ ହୋଇ ରହେ । ତେଣୁ ସେ ପ୍ରସଙ୍ଗରେ ଆମେ ପଦ୍ମାବତୀ-କାହାଣୀରୁ ରାଣା ରତନଙ୍କ ପଦ୍ମାବତୀଙ୍କ ପ୍ରତି ଏକନିଷ୍ଟ ଅନୁରକ୍ତିର ସାମାନ୍ୟତମ ସୂଚନା ପାଇଲୁ ନାହିଁ ବରଂ ସମସ୍ତ ପ୍ରକାର ନିଷ୍ଠା ଆଉ ତ୍ୟାଗକୁ ବରାଦ କରି ରଖିଦେଲୁ ବହୁପତ୍ନୀ ଆଉ ଉପପତ୍ନୀଙ୍କ ଭିତରୁ ଅନ୍ୟତମା ପଦ୍ମାବତୀଙ୍କ ପାଇଁ ।ପଦ୍ମାବତୀଙ୍କ ରୂପର ହାଲୋଳଟି ଯେ ତାଙ୍କର ଅଗ୍ରଗଣ୍ୟା ଭୂମିକା ପାଇଁ ଏକମାତ୍ର ଯୋଗ୍ୟତା ଥିଲା, ସେଇ କଥାକୁ ବି ପ୍ରଚ୍ଛନ୍ନ ଭାବରେ କାହାଣୀରେ କହିଦେଲୁ ।

ରାଜସ୍ଥାନର ଚିତ୍ତୋରଗଡ଼ଠାରେ ସ୍ଥିତ ପଦ୍ମିନୀ ଉଆସ ଭାବରେ ଖ୍ୟାତ ଏକ ଅର୍ବାଚୀନ କୋଠା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୁରୁଷତାନ୍ତ୍ରିକ ସତୀତ୍ୱ ଓ ଶାରୀରିକ ଶୁଦ୍ଧତାକୁ ଶ୍ରେଷ୍ଠ କହି ଆମେ ତାହାର ରକ୍ଷା ନିମନ୍ତେ ପଦ୍ମାବତୀ ଭଳି ରାଣୀମାନଙ୍କ ପାଇଁ ଜହର କୁଣ୍ଡରେ ନିଆଁ ଜାଳି ନାରୀର ଆତ୍ମହନନକୁ ତ୍ୟାଗର ଚରମ ପରାକାଷ୍ଠା ବୋଲି ଯଶଗାନ କରିଆସୁଛୁ । ଜହର ବ୍ରତର ଏକ ପୁରୁଷବାଚକ କ୍ରିୟା ଆମେ କାହାଣୀରେ ରଖିବାର ଆବଶ୍ୟକତା ଅନୁଭବ କଲୁ ନାହିଁ । ରାଣା ରତନ ଭଳି କାହାଣୀର ଚରିତ୍ରମାନେ କୌଣସି ବିଧର୍ମୀ ଶକ୍ତି ଦ୍ୱାରା ପରାଭୂତ ହେଲାପରେ ବି, ନିଜନିଜ ଦୂର୍ଗରେ ସୁରକ୍ଷିତ ରହିଥାନ୍ତି । ସେଥିପାଇଁ ଖାଲି ସେମାନଙ୍କୁ ଦୁଇ ହାତ ଉପରକୁ ଟେକି ଦେବା ଭଳି ଛୋଟିଆ ମାନସିକ ଯାତନାଟିଏ ଭୋଗିବାକୁ ପଡିଥାଏ ।

ତାହା ପରେ ସେମାନେ ନିଶ୍ଚିନ୍ତରେ ପରବର୍ତ୍ତି ପଦ୍ମାବତୀମାନଙ୍କୁ ପ୍ରସ୍ତୁତ କରିବେ ପରବର୍ତ୍ତି ଜହର କୁଣ୍ଡ ପାଇଁ । କହିବା କଥା ହେଉଛି, ଆମେ ଏଇ ପଦ୍ମାବତୀ-କାହାଣୀରେ ଚରିତ୍ର ପଦ୍ମାବତୀ ଆଗରେ ଦୁଇଟି ପ୍ରସ୍ତାବନା ରଖିଲୁ, ଏକରେ ସମ୍ଭାବ୍ୟ ଧର୍ଷଣ ଆଉ ଦ୍ୱିତୀୟରେ ଏକ ସମ୍ଭାବ୍ୟ ମୃତ୍ୟୁ । ଏବଂ ମୃତ୍ୟୁକୁ ଗୌରବାବହ କରିବା ପଦ୍ମାବତୀ-କାହାଣୀର ସବୁଠାରୁ ଦୁର୍ବଳ ଦିଗ । ଏଇଠି ପଦ୍ମାବତୀ-କାହାଣୀରେ ଆମେ ପଦ୍ମାବତୀଙ୍କୁ "ଖୁବ୍ ଲଢି ମର୍ଦ୍ଦାନୀ" ଝାନ୍‌ସୀବାଲି ରାଣୀ ଲକ୍ଷ୍ମୀବାଇ ଭଳି ଶହୀଦତ୍ୱଟିଏ ପ୍ରଦାନ କରିଥିଲେ ହୁଏତ ପଦ୍ମାବତୀ ଚରିତ୍ରଟି ଏକ ବୀରାଙ୍ଗନା ଭାବରେ ଅମଳିନ ରହିବ ।

ଏକ ପ୍ରୋତ୍ସାହିତ ମରଣର ମୁଁ ପକ୍ଷଧର ନୁହଁ । ଏହା ସହିତ ଏଇ କାହାଣୀରେ ଧର୍ଷଣକୁ ଏଡାଇବା ପାଇଁ ଯେଉଁ ସୂକ୍ଷ୍ମ କାତରତାର ମୃତ୍ୟୁ ରଚନା କରାଯାଇଛି, ତାହାର ମଧ୍ୟ ମୁଁ ବିରୋଧୀ । ଧର୍ଷଣ ଏକ ଭୟ, ରାସ୍ତା କଡରୁ ଛିଟକି ପଡୁଥିବା ମେଞ୍ଚାଏ ଆବର୍ଜନା । ତାହାକୁ ମୁକାବିଲା କରିବା ପାଇଁ ମାନସିକ ଦୃଢ଼ତା ନାରୀ ଭିତରେ ଶେଷ ଯାଏଁ ରହିବାର ପ୍ରୟୋଜନ । ଏଇ ସାତ ଶହ ବର୍ଷ ତଳର କାହାଣୀ ଆଜିର ପରିପ୍ରେକ୍ଷୀରେ ସେଇ ମୁକାବିଲାମୂଳକ ଦୃଢ଼ତା ତିଆରି କରିବା ପାଇଁ ଅସମର୍ଥ ।

କୁହାଯାଉଛି ଯେ, ପଦ୍ମାବତୀ-କାହାଣୀ ଦ୍ୱାରା ଆମେ ବିଶେଷ ଭାବରେ ପ୍ରଭାବିତ । ଶ୍ରୀଯୁକ୍ତ ମନୋଜ ଦାସ ତାଙ୍କ ଆଲେଖ୍ୟରେ ସିଷ୍ଟର ନିବେଦିତା ପଦ୍ମାବତୀଙ୍କର ରୂପ, ବୀରତ୍ୱ ଓ ତ୍ୟାଗ ଦ୍ୱାରା ପ୍ରଭାବିତ ବୋଲି ଲେଖିଛନ୍ତି । ଆମେ ପିଲାଦିନରୁ ଏଇ ଗପଟିକୁ ସାହିତ୍ୟ ବହିରୁ ପଢିଛୁ ଆଉ ପ୍ରଭାବିତ ହୋଇଛୁ । ଏବେ ବୟସ୍କ ଜଗତରେ ସେଇ ଭଳି ପ୍ରଭାବ ରହିବ କି ? ଆମେ ଜଣକର ରୂପକୁ ଯେତେ ଆମର ସୁନ୍ଦର ଶବ୍ଦ ଅଛି ସେସବୁର ଆୟୋଜନରେ ସୁନ୍ଦରୀ ବୋଲି ବର୍ଣ୍ଣନା କରି ଥୋଇଲେ ବିନା ଚାକ୍ଷୁଷ ସ୍ଥିତିରେ ସେ ସେମିତି ଆମର ବୟସମାନଙ୍କର ମାନସିକତାକୁ ଆଚ୍ଛନ୍ନ କରି ରଖିପାରିବ କି ? ପଦ୍ମାବତୀଙ୍କ ତ୍ୟାଗ ବୋଲି ଯାହା ଆମେ ପିଲା ଦିନେ ବୁଝିଥିଲୁ, ସେଇ ତ୍ୟାଗଟି ମୋତେ ଏବେ ପୁରୁଷତନ୍ତ୍ର କର୍ତ୍ତୃକ ନାରୀମେଧ ଯଜ୍ଞଟିଏ ଭଳି ଲୋତକାପ୍ଳୁତ କରିଦେଉଛି । ମୁଁ ସବୁବେଳେ ଏହାକୁ ଏଡାଇ ଯିବାକୁ ଚାହିଁବି ।  

ଆଉ ରହିଲା କାହାଣୀର ପ୍ରଭାବଶାଳୀ ଅଂଶ, ପଦ୍ମାବତୀଙ୍କ ବୀରତ୍ୱର ଗାଥା।

ପଦ୍ମାବତୀଙ୍କ ବୀରତ୍ୱକୁ ବୁଝିବାପାଇଁ ସେହି କାହାଣୀଟିକୁ ସଂକ୍ଷେପରେ ମନେ ପକାଯାଉ । ଚିତୋରର ରାଣା ରତନଙ୍କ ପତ୍ନୀ ପଦ୍ମାବତୀଙ୍କ ରୂପରେ ମୁଗ୍ଧ ହୋଇ ଦିଲ୍ଲୀର ଶାସକ ଆଲ୍ଲାଉଦ୍ଦିନ ଚିତୋର ଆକ୍ରମଣ କଲେ । ଆଲ୍ଲାଉଦ୍ଦିନଙ୍କ ପ୍ରଥମ ସର୍ତ୍ତ ଥିଲା ପଦ୍ମାବତୀଙ୍କୁ ଅର୍ପଣ, ଯାହା ରାଣାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା । ଶେଷରେ ପଦ୍ମାବତୀଙ୍କ ରୂପକୁ ଏକ ଦର୍ପଣରେ ଦେଖି ଫେରିଯିବାର ସର୍ତ୍ତଟି ରାଣା ଓ ଆଲ୍ଲାଉଦ୍ଦିନଙ୍କ ଭିତରେ ଚୂଡାନ୍ତ ହେଲା ।

ଆଲ୍ଲାଉଦ୍ଦିନ ଦର୍ପଣରେ ପଦ୍ମିନୀଙ୍କୁ ଦେଖି ଚିତୋର ଦୂର୍ଗରୁ ଫେରିଲା ବେଳେ ତାଙ୍କୁ ସୌଜନ୍ୟତାବଶତଃ ବାଟ ବଳାଇ ଦେବାକୁ ଯାଇଥିବା ରାଣା ରତନଙ୍କୁ ଆଲ୍ଲାଉଦ୍ଦିନଙ୍କ ସୈନ୍ୟମାନେ ବନ୍ଦୀ କରି ମୁଣ୍ଡଜାମିନ ରଖିଲେ ।ପଦ୍ମାବତୀ ଆଲ୍ଲାଉଦ୍ଦିନଙ୍କ ନିକଟରେ ନିଜକୁ ସମର୍ପଣ କଲେ ଯାଇ ରାଣାଙ୍କ ମୁକ୍ତିଲାଭ ହେବ ବୋଲି କୁହାଗଲା । ତାହା ପରେ ପଦ୍ମାବତୀ ନିଜର ସେନାପତିଙ୍କ ସହ ମନ୍ତ୍ରଣା କରି ଆଲ୍ଲାଉଦ୍ଦିନଙ୍କ ନିକଟକୁ ନିଜର ସାତ ଶହ ପରିଚାରିକା ସହ ଯିବାକୁ ସମ୍ମତ ହେଲେ । ସାତ ଶହ ସବାରୀ ସହ ପଦ୍ମାବତୀ ଆଲ୍ଲାଉଦ୍ଦିନଙ୍କ ନିକଟରେ ପହଞ୍ଚିଲେ ।

କହିବା ବାହୁଲ୍ୟ, ସେହି ସାତଶହ ସବାରୀରେ ବଛାବଛା ସାତଶହ ରାଜପୁତ ସୈନିକ ଓ ସବାରି ବାହକ ହିସାବରେ ଆହୁରି ଚଉଦଶହ ସୈନୀକ ଆଲ୍ଲାଉଦ୍ଦିନଙ୍କ ନିକଟରେ ପହଞ୍ଚିଯାଇ ତାଙ୍କର ଉପସ୍ଥିତ ସେନାବାହିନୀକୁ ସମ୍ପୂର୍ଣ୍ଣ ପରାସ୍ତ କରିଥିଲେ ଓ ପ୍ରାଣଭୟରେ ଆଲ୍ଲାଉଦ୍ଦିନ ଖଲଜୀ ପଳାୟନ କରିଥିଲେ । ପରେ ସେ ଅଧିକ ସୈନ୍ୟ ସହ ଆସି ଚିତୋର ଅଧିକାର କଲେ ଓ ରାଣୀ ପଦ୍ମାବତୀ ଜହର କୁଣ୍ଡରେ ଅଗ୍ନିପ୍ରବେଶ କଲେ ।

ପଦ୍ମାବତୀଙ୍କର ଏହି କାହାଣୀରୁ ତାଙ୍କର ଯେଉଁ ବୀରତ୍ୱଟିକୁ ଆମେ ଦେଖୁଛୁ, ତାହା ଝାନସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱ ତୁଳନାରେ ଅତ୍ୟନ୍ତ ମ୍ଳାନ । ଏଇ ବୀରତ୍ୱଟି ଏକ ସାମରିକ ଛଳ ଉପରେ ପ୍ରତିଷ୍ଠିତ । ଲାଗିବ ଯେମିତି ହୋମରଙ୍କ ଇଲିଆଡ୍‌ରେ ଟ୍ରୟକୁ ଅଧିକାର କରିବା ପାଇଁ ଗ୍ରୀକ୍‌ମାନଙ୍କର ପ୍ରସ୍ତୁତ କାଠର ବିରାଟ "ଟ୍ରୋଜାନ୍ ଘୋଡା"ର ପେଟରେ ରହିଥିବା ସୈନିକ ମାନଙ୍କ ଭଳି ଏଇ ଛଳ-ସମରର କାହାଣୀକୁ ସବାରୀ-କାହାଣୀ କରି ପଦ୍ମାବତୀ କାହାଣୀରେ ଖଞ୍ଜା ଯାଇଛି ।

ତାହା ଛଡା ଏଇ କାହାଣୀରେ ସବାରୀ ଘଟଣା ଘଟିଥିବା ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୌଜନ୍ୟବଶତଃ ଜଣେ ଅତିଥିକୁ, ଆଉ ସେ ପୁଣି ଏମିତି ଅତିଥି ଯିଏ ଅନ୍ୟ ଜଣକର ସ୍ତ୍ରୀର ରୂପର ଦର୍ପଣରେ ପ୍ରତିଫଳନକୁ ଦେଖି ତୃପ୍ତ ହୋଇ ଟିକିଏ ଆଗରୁ ଫେରୁଛି, ତାହାକୁ ସେହି ଅନ୍ୟ ଜଣକ ନିଜ ଘରର ବାହାର ଯାଏଁ ବଳାଇଦେବାକୁ ଯାଇ ଶତୃ ହାତରେ ଧରାପଡିବା ସ୍ଥାନ ଆଉ ତାହା ପରବର୍ତ୍ତୀ ସାତ ଶହ ସବାରୀର ବୀରତ୍ୱ ଘଟଣା ନିଶ୍ଚିତ ଭାବରେ ଚିତୋର ଦୁର୍ଗର ଆଖପାଖରେ ଘଟିଥିବ, ଦିଲ୍ଲୀର ସୁରକ୍ଷିତ ସ୍ଥଳରେ ନୁହଁ । ତେଣୁ ସାତ ଶହ ଯୁକ୍ତ ଚଉଦ ଶହ ବିଜାତୀୟଙ୍କ ଉପସ୍ଥିତିକୁ ସେମାନଙ୍କର ନିଜ ସ୍ଥାନରେ ଆଉ ନାରୀ ବେଶରେ ଥିଲେ ବି ହାଲୁକା ଭାବରେ ଗ୍ରହଣ କରିନେବା ଭଳି ଜଣେ ଶକ୍ତିଶାଳୀ ଶାସକର ନିର୍ବୋଧତା, କେବଳ କୌଣସି କାହାଣୀରେ ଗାଈଟିଏ ଗଛ ଚଢିଲା ଭଳି କଥା ।

ଯଦି କୌଣସି କାହାଣୀରେ ପରାଜିତ ଜଣେ ନିଜକୁ ସାବ୍ୟସ୍ତ କରିବା ପାଇଁ କାହାଣୀଟିଏ ଲେଖିବ, ସେ ତେବେ ନିଜକୁ ଅଧିକ ରୂପବନ୍ତ କରିବ । ନିଜକୁ ପରାଜୟର ଗ୍ଲାନିରୁ ମୁକ୍ତ କରିବା ପାଇଁ ଏମିତି କିଛି କୂଟ କୌଶଳର ଚମତ୍କାରିତା ଦେଖାଇବାକୁ ଚେଷ୍ଟା କରିବ । ଶ୍ରୀଯୁକ୍ତ ମନୋଜ ଦାସଙ୍କ ଆଲେଖ୍ୟ ଟିରୁଉଦ୍ଧୃତ କରୁଛି । ଶ୍ରୀଯୁକ୍ତ ଦାସ ପଦ୍ମାବତୀ ପ୍ରସଙ୍ଗରେ ଲେଖିଛନ୍ତି,

"ଦେୟାର୍ ରୋଲ୍ ଇନ୍ ଅପହୋଲଡିଂ ସର୍ଟନ୍ ଆଣ୍ଡ ସାଟିସଫାଇଙ୍ଗ୍ ଇମୋସନାଲ୍ ଡିମାଣ୍ଡସ୍ କ୍ୟାନ ନଟ୍ ବି ରିପ୍ଲେସଡ୍ ବାଇ ଆର୍ଗୁମେଣ୍ଟସ୍ ଅଫ୍ ଫର୍ମାଲ୍ ରାସନାଲିଟି । ୱି ନିଡ୍ ଏ ସୁପରରାସନାଲିଟି ଟୁ ଆପ୍ରିସିଏଟ୍ ଇଟ୍, ଦି ରାସନାଲିଟି ଦ୍ୟାଟ୍ ଡଜ୍ ନଟ୍ ବ୍ରିଙ୍ଗ୍ ଇଶୁଜ୍ ଅଫ୍ ଲ ଅର୍ କନଷ୍ଟିଚୁସନ୍ ଇନ୍ ଟୁ ଆୱାର୍ ପ୍ରୋପେନସିଟି ଫର୍ ଲଭିଙ୍ଗ୍ ଏ ଲୋଟସ୍ ଅର୍ ଆୱାର୍ ଇମୋସନାଲ୍ ଇନକ୍ଲିନେସନସ୍ ଟୁୱାର୍ଡସ୍ କ୍ଲାସିକାଲ୍ ମ୍ୟୁଜିକ ।"

ବା 

"ଗୋଟିଏ ପଦ୍ମଫୁଲ କୁ ଅଥବା କୌଣସି ଶାସ୍ତ୍ରୀୟ ସଙ୍ଗୀତକୁ ଭଲ ପାଇବା ଏକ ସହଜାତ ପ୍ରବୃତ୍ତି ବା ପ୍ରପେନସିଟି, ତାହା ଭିତରକୁ ଭିତରକୁ କୌଣସି ବୈଚାରିକ ବିରୋଧ ଆସୁନଥିବା ଭଳି ଏକ ଉନ୍ନତମାନର ବିଚାରବୋଧ ଆବଶ୍ୟକ ପଦ୍ମାବତୀଙ୍କ ତ୍ୟାଗ କୁ ଓ ଆବେଗକୁ ଗ୍ରହଣ କରିବା ପାଇଁ ।"

ସାର୍ ବିନମ୍ରତାର ସହ ସମ୍ପ୍ରତି ସମାଜରେ ଏଇ କାହାଣୀକୁ ଗ୍ରହଣ କରିନେବା ଭଳି ସହଜାତ ପ୍ରବୃତ୍ତି ମୋର ନାହିଁ ବା ଆପଣଙ୍କର ଲିଖିତ ଉନ୍ନତ ବୈଚାରିକତାର ମାପକାଠିଟି ମୋର ଅନେକ ପରିମାଣରେ ଦୁର୍ବୋଧ୍ୟ । ମୁଁ ଏଇ ପଦ୍ମାବତୀ-କାହାଣୀଟିକୁ ଯେମିତି ବୁଝିଛି ସେହି ଭଳି ବିନିର୍ମାଣ କରି ତାହାର ସାମାଜିକ ପ୍ରେକ୍ଷାପଟଟିକୁ ବର୍ତ୍ତମାନରେ ବୁଝିବାକୁ ଚେଷ୍ଟା କରିଛି । ତେଣୁ ଆପଣଙ୍କ ସହ ଏକମତ ହୋଇ ପାରୁନାହିଁ । ଦୁଃଖିତ ।

No comments:

Post a Comment