Wednesday, December 20, 2017


ନୟୀ ତାଲିମ ବକ୍ତୃତାମାଳା-୫


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ଅହମେଦାବାଦ ନିକଟସ୍ଥ ସାବରମତି ଆଶ୍ରମ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୨୦ ବର୍ଷ ପୂର୍ବରୁ ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେହି ଅତିଥି ଭବନରେ ରହିଥିଲି, ଯେଉଁଠି ଆଜି ରହିଛି । ସେତେବେଳେ ଭାରତ ସରକାରଙ୍କ ଦ୍ୱାରା ଆଚାର୍ଯ୍ୟ ରାମମୂର୍ତ୍ତି କମିଟି ଗଠନ ହୋଇଥିଲା ଶିକ୍ଷା ଉପରେ । ସେଥିରେ ମୋତେ କାମ ଦିଆଯାଇଥିଲା - ୧୯୮୬ରେ ପ୍ରସ୍ତୁତ ଶିକ୍ଷାନୀତିର ସମୀକ୍ଷା କରିବା । ତାହାର ଏକ ବଡ ବୈଠକ ଏଇଠି ହୋଇଥିଲା । ଅନେକ ଦିନ ଆମେ ରହିଥିଲୁ । ସେତେବେଳେ ଆମ ପାଖରେ କମ୍ପ୍ୟୁଟର ନଥିଲା । ଭାରତକୁ କମ୍ପ୍ୟୁଟର ଆସିସାରିଥିଲା କିନ୍ତୁ ଆମ ପାଖରେ ନଥିଲା । ମୋର ବ୍ୟକ୍ତିଗତ ଟାଇପ ରାଇଟର ନେଇ ମୁଁ ଆସିଥିଲି । ସେ ରିପୋର୍ଟର ପ୍ରାୟ ୧୦୦ ପୃଷ୍ଠା ମୁଁ ଏଇଠି ବସି ଟାଇପ କରିଥିଲି, ଆପଣଙ୍କ ଅତିଥି ଭବନରେ । କିଛି ବ୍ୟକ୍ତିଗତ ଇତିହାସ ଆପଣଙ୍କ ଆଗରେ ରଖିବାକୁ ଚାହିଁଲି ।

ବିଦ୍ୟାପୀଠ ପ୍ରାଙ୍ଗଣରେ ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଚିଭଙ୍ଗୀର ନୂଆ ଆକଳନ କରିବାର ମୁଁ ଯେଉଁ ପ୍ରୟାସ ଆରମ୍ଭ କରୁଛି ଆପଣମାନଙ୍କ ସହ ମିଶି, ତାହା ପୁରା ଠିକ ଜାଗାରେ ଅନୁଷ୍ଠିତ ହେଉଛି । ଆପଣଙ୍କର ବିଦ୍ୟାପୀଠରେ, ୧୯୨୦ ରୁ ୧୯୨୮ ପର୍ଯ୍ୟନ୍ତ ଆଠ ବର୍ଷ ଧରି ଗାନ୍ଧିଜୀ ଯାହା ଦେଖିଲେ ଓ ତାହା ଉପରେ ଯାହା କହିଲେ, ସେସବୁ ପୁରା ଦେଶକୁ ଜଣାଇବାର ଆବଶ୍ୟକତା ରହିଛି । ସେ କହିଲେ ଯେ ବିଦ୍ୟାପୀଠର ବିଶେଷତ୍ୱ ହେଉଛି, ଏଠାକାର ଜଣେ ବିଦ୍ୟାର୍ଥୀ ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ବାରଡୋଲି ଠାରେ ଚାଲିଥିବା କୃଷକ ଆନ୍ଦୋଳନରେ ଅଂଶ ନେବାକୁ ଯାଇଥିଲା ଓ ଜେଲ ଚାଲିଗଲା । ସେ କହିଲେ ଯେ ବିଦ୍ୟାପୀଠର ବିଦ୍ୟାର୍ଥୀ ଜେଲ ଯାଇଥିବାରୁ ଆମେ ଗର୍ବିତ । ତା’ପରେ ସବୁବେଳେ, ହିନ୍ଦ୍ ସ୍ୱରାଜରେ ଓ ପରେ ତାଙ୍କ ଭାଷଣ ଓ ଲେଖାଗୁଡିକରେ ସରକାରୀ ସ୍କୁଲଗୁଡିକର ସମାଲୋଚନା କଲେ । ସେତେବେଳର ସରକାରୀ ସ୍କୁଲ ଆଜିର ସରକାରୀ ସ୍କୁଲ ପରି ନଥିଲା । ସ୍ୱାଧୀନତା ପୂର୍ବର ସରକାରୀ ସ୍କୁଲ, କଲେଜ ଯାହା ବ୍ରିଟିଶ ଲୋକଙ୍କ ଦ୍ୱାରା ସ୍ଥାପନ ହୋଇଥିଲା, ସେଗୁଡିକର ସେ ଲଗାତାର ସମାଲୋଚନା କରି ଚାଲିଲେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ।

ସେ କହିଲେ ଯେ ସରକାରୀ ସ୍କୁଲ ହୋଇଥିଲେ, କୌଣସି ପିଲାଙ୍କୁ ସେଠାକୁ (ଆନ୍ଦୋଳନକୁ) ଯିବା ପାଇଁ ଅନୁମତି ମିଳି ନଥାନ୍ତା । ଯଦି କେହି ଯାଇଥାନ୍ତେ ତେବେ ସ୍କୁଲରୁ ତଡା ଖାଇଥାନ୍ତେ । ପିଲାର ସାହସ ବି ହୋଇ ନଥାନ୍ତା । ବୋଧହୁଏ ଟିକିଏ ସହାନୁଭୂତି ମୌନ ହୋଇ ଜଣାଇଥାନ୍ତା । ସେ କହୁଛନ୍ତି ଏପରି ଶିକ୍ଷା କେଉଁ କାମକୁ ଯଦି ଏହା ଜାତୀୟ ଜୀବନର ଏପରି ସନ୍ଧିକ୍ଷଣରେ ଆମକୁ ସେଥିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇ ପାରୁ ନାହିଁ ? ଯଦି ଏହା ଆମକୁ କୁଣ୍ଠିତ, ଭୟଭୀତ କରିରଖୁଛି ଓ କର୍ତ୍ତବ୍ୟଠାରୁ ଆମକୁ ଦୂରେଇ ଦେଉଛି ? ଏପରି ପୁସ୍ତକଗତ ବିଦ୍ୟାରେ କ’ଣ ସେ ଶକ୍ତି ରହିଛି ଯାହା ଆମକୁ ଲଢିବା ପାଇଁ ସାହାସ ଦେଇ ପାରିବ ? 

ବିଦ୍ୟାପୀଠର ବିଦ୍ୟାର୍ଥୀଗଣ ଯେଉଁମାନେ ଏଠାରେ ନୟୀ ତାଲିମର କୋର୍ସ କରୁଛନ୍ତି, ଶିକ୍ଷକ ହେବା ପାଇଁ, ମୋର ମନେ ହୁଏ ସେମାନେ କେବଳ ଏତିକି ବୁଝି ଯାଆନ୍ତୁ ଯେ ଆଜି ପୁରା ଭାରତରେ ଆମ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ କ’ଣ ହେଉଛି । ଲୋକଙ୍କୁ ପ୍ରସ୍ତୁତ କରାଯାଉଛି ଆଜିର ନବ ଉଦାରବାଦୀ ଆର୍ଥିକ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ- ସାରା ଦୁନିଆର ଲାଭଖୋର କର୍ପୋରେଟ ଗୁଡିକର ଲାଭ ଆହୁରି ବଢାଇବା ପାଇଁ, ଆଉ ସେମାନଙ୍କ ଦ୍ୱାରା ଦେଶର ଜଳ, ଜଙ୍ଗଲ, ଜମି ଲୁଣ୍ଠନର ଯେଉଁ ପ୍ରକ୍ରିୟା ଦେଶ ସାରା ଆରମ୍ଭ ହୋଇଯାଇଛି, ସେଥିରେ ଅଂଶଗ୍ରହଣ କରିବା ପାଇଁ, ବଡ ବଡ କମ୍ପାନୀରେ ଚାକିରୀ କରି ତାଙ୍କ ଲାଭ ବଢେଇବା ପାଇଁ, ଦେଶ ଉପରେ ତାଙ୍କ ଦଖଲକୁ ଅଧିକ ଦୃଢ କରିବା ପାଇଁ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯେଉଁ ଶିକ୍ଷା ଦିଆଯାଇଛି ତାହା ବିରୁଦ୍ଧରେ ଆପଣ ସ୍ୱର ଉତ୍ତୋଳନ କରିପାରିବେ ଯଦି ୧୯୨୮ରେ ଗାନ୍ଧିଜୀ ଦେଇଥିବା ଏହି ଉଦାହରଣ ଆପଣଙ୍କର ମନେଥାଏ । ଯଦି ଆପଣଙ୍କୁ ନୟୀ ତାଲିମ ମିଳିଛି ତେବେ ଏଇଥି ପାଇଁ ମିଳିଛି, ଯଥାସ୍ଥିତି ଚାଲୁ ରଖିବା ପାଇଁ ନୁହେଁ । 

ଆପଣଙ୍କର ମନେଥିବ ଆଜି ବକ୍ତୃତା ମୁଁ ମ୍ୟାକଲେଙ୍କ କଥାରୁ ଆରମ୍ଭ କରିଥିଲି । ବଡ ବିଡମ୍ବନାର କଥା ଯେ ଗାନ୍ଧି ଯିଏ ସାରା ଜୀବନ ମ୍ୟାକଲେବାଦ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ କହିଥିଲେ ତାଙ୍କରି ନୟୀ ତାଲିମ କଥା କହିଲାବେଳେ ମୁଁ ମ୍ୟାକଲେଙ୍କ ଠାରୁ ଆରମ୍ଭ କରୁଛି । ଏହା ଅଜବ ଲାଗୁଥିଲେ ମଧ୍ୟ ଆବଶ୍ୟକ। କାରଣ ଗାନ୍ଧି ଯେଉଁ ପରିପ୍ରେକ୍ଷୀରେ କେତେକ ବିଷୟରେ ଆଲେଚନା ଆରମ୍ଭ କଲେ ତାହା ସମ୍ଭବ ହୋଇନଥାନ୍ତା ଯଦି ସେତେବେଳେ ମ୍ୟାକଲେଙ୍କର ନୀତି ଭାରତରେ ଲାଗୁ ହୋଇନଥାନ୍ତା । ଏଥିରେ ମୋର ପୁରା ବିଶ୍ୱାସ । ଆପଣ ହିନ୍ଦ୍ ସ୍ୱରାଜ ପଢନ୍ତୁ । ଯେତେବେଳେ ବି ଶିକ୍ଷା କଥା ଆସେ ମ୍ୟାକଲେଙ୍କର କଥା ଉଠେ । ମ୍ୟାକଲେଙ୍କ ଶିକ୍ଷା କେମିତି ଆମକୁ ଗୋଲାମ କରିଦେଲା ତାହା ଆଗକୁ ଆସେ । ଏଇ ଯେଉଁ ମ୍ୟାକଲେ –ମ୍ୟାକଲେ ବୋଲି ଚର୍ଚ୍ଚା ହୁଏ ସେଇଟା କ’ଣ ଆଜି ଆମେ ବୁଝିବାକୁ ଚେଷ୍ଟା କରିବା । ସେଇଟା ବୁଝିଗଲେ ଅନେକ କଥା ସରଳ ହୋଇଯିବ ।

ଗାନ୍ଧିଜୀ ଠିକ ଭାବେ ବୁଝିଯାଇଥିଲେ । ଅନେକଟା ମହାତ୍ମା ଫୁଲେ ମଧ୍ୟ ବୁଝିପାରିଥିଲେ । ବାବା ସାହେବ ଆମ୍ବେଦକର ବୋଝ ହୁଏ ଗାନ୍ଧିଜୀ ବା ଫୁଲେଙ୍କ ଢଙ୍ଗରେ କଥାଟିକୁ ବୁଝିନଥିଲେ କିନ୍ତୁ ଅନ୍ୟ ଏକ ବାଟରୁ ସେ ମଧ୍ୟ ସେହି କଥା ହିଁ କହୁଥିଲେ । ଏ ସମସ୍ତଙ୍କ ଭିତରେ ଅନେକ ବିଭେଦ ଥିଲା କିନ୍ତୁ ତାଙ୍କ ଭିତରେ ଯେଉଁ ଏକସୂତ୍ର ଥିଲା ଶିକ୍ଷାରେ ପରିବର୍ତ୍ତନ ଆଣିବାର ତାହା ଆମେ ବୁଝିବାକୁ ଚେଷ୍ଟା କରିବା । ମୁଁ ଏ ଯେଉଁ ପ୍ରଚେଷ୍ଟା କରିବାକୁ ସାହସ କରୁଛି- ଗାନ୍ଧିଙ୍କୁ ଫୁଲେ ଓ ଆମ୍ବେଦକରଙ୍କ ସନ୍ଦର୍ଭରେ ଦେଖିବା ପାଇଁ – ଏ ପ୍ରକାର ଚେଷ୍ଟା ବହୁତ କମ ହୋଇଛି । ମୋତେ ଡର ବି ଲାଗୁଛି । ମୁଁ ଜାଣେ ଏ ବିଷୟକୁ ନେଇ ଯେଉଁ ରାଜନୈତିକ ବିମର୍ଶ ରହିଛି । ଗାନ୍ଧିଙ୍କୁ ଫୁଲେ ଓ ଆମ୍ବେଦକରଙ୍କ ସହ ଯୋଡି ଦେଖିବାଟା ଠିକ ମନେ କରାଯାଏ ନାହିଁ । ମୁଁ ଏସବୁ ଜାଣିଶୁଣି ମଧ୍ୟ ଚେଷ୍ଟା କରିବି କାରଣ ଏମାନଙ୍କ ଭିତରେ କେଉଁଠି ଏକତା ଥିଲା ଜାଣିବାର ଆବଶ୍ୟକତା ରହିଛି । କେଉଁଠି ଫରକ ରହିଛି ତାହା ମଧ୍ୟ ମୁଁ ଆଲୋଚନା କରିବି ।

No comments:

Post a Comment