Monday, December 04, 2017

ସାମ୍ୟର ସଙ୍ଗ୍ରାମ


୨୦୦୫ରେ ଭୋପାଳରେ ଆୟୋଜିତ ଧାରଣାରତ ମହିଳା ଚାଷୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବ୍ରିଟିଶ ଶାସନ ବିରୁଦ୍ଧରେ ସଙ୍ଗ୍ରାମରେ ଏପରି ଅନେକ ଜନଗୋଷ୍ଠୀଙ୍କର ଲଢ଼େଇ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ଯେଉଁମାନେ ଇଙ୍ଗ୍ରେଜମାନଙ୍କ ସହ ଲଢ଼ିବା ସାଙ୍ଗେସାଙ୍ଗେ ନିଜ ପାଇଁ ସାମ୍ୟର ଲଢେଇ ବି ଲଢ଼ି ଥିଲେ । ଦଳିତ, ମହିଳା, ଆଦିବାସୀ ଓ ଚାଷୀମାନେ ନିଜ ଜୀବନରେ ଅନୁଭବ କରୁଥିବା ବୈଷମ୍ୟ ସହିତ ଲଢୁଥିଲେ ।

ଆମେ ଏକଥା ଆଗରୁ ମଧ୍ୟ ଦେଖିଛୁ ଯେ ଦଳିତମାନେ ମନ୍ଦିର ପ୍ରବେଶ ପାଇଁ ନିଜକୁ ସଙ୍ଗଠିତ କରୁଥିଲେ । ମହିଳାମାନେ ପୁରୁଷମାନଙ୍କ ସହ ସମ-ଶିକ୍ଷାର ଅଧିକାର ପାଇଁ ଦାବୀ କରୁଥିଲେ । ଚାଷୀ ଓ ଆଦିବାସୀମାନେ ମହାଜନମାନଙ୍କର ତଥା ତାଙ୍କର ସୁଧଖୋରୀରୁ ରକ୍ଷା ପାଇବା ପାଇଁ ଲଢ଼ୁଥିଲେ ।

୧୯୪୭ ମସିହାରେ ଭାରତ ଯେତେବେଳେ ସ୍ୱାଧିନ ହେଲା, ସେତେବେଳେ ପ୍ରଚଳିତ ନାନାଦି ବିଷମତା ବିଷୟରେ ଦେଶର ନେତୃବର୍ଗ ଅତ୍ୟନ୍ତ ଚିନ୍ତିତ ଥିଲେ । ଆମର ସମ୍ବିଧାନରେ ଦେଶ ଚଳାଇବା ପାଇଁ ନିୟମଗୁଡ଼ିକ ଲିଖିତ ଅଛି । ଯେଉଁମାନେ ଆମ ଦେଶର ସମ୍ବିଧାନ ଲେଖୁଥିଲେ, ସେମାନେ ଆମ ସମାଜରେ ଥିବା ନାନା ଭେଦଭାବ, ତଥା ତାହା ବିରୁଦ୍ଧରେ ଘଟିଥିବା ସଙ୍ଗ୍ରାମ ଗୁଡ଼ିକ ବିଷୟରେ ସଚେତନ ଥିଲେ । ଡ. ଆମ୍ବେଦକରଙ୍କ ଭଳି ଏପରି ସଙ୍ଗ୍ରାମର ନେତାମାନେ ଦଳିତମାନଙ୍କର ଅଧିକାର ପାଇଁ ମଧ୍ୟ ଲଢ଼ିଥିଲେ ।

ଭାରତର ସମସ୍ତ ଜନସାଧାରଣଙ୍କୁ ସମାନ ଭାବରେ ଦେଖିବା ପାଇଁ ଏହି ନେତାମାନେ ସମ୍ବିଧାନର ନୟନିମା ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ କରିଥିଲେ । ସମସ୍ତଙ୍କୁ ସମାନ ବୋଲି ଭାବିବା ଏପରି ଏକ ମୂଲ୍ୟବୋଧ ଯାହା ଆମ ସମସ୍ତ ଭାରତୀୟଙ୍କୁ ଏକାଠି କରେ । ଆମର ସମ୍ବିଧାନ ଅନୁସାରେ ସମସ୍ତଙ୍କର ସମାନ ଅଧିକାର ଅଛି ଓ ସଭିଙ୍କୁ ସମାନ ଭାବରେ ସୁଯୋଗ ଦିଆଯାଇଛି । ଛୁଆଁଅଛୁଆଁ ଭେଦଭାବକୁ ଏକ ଅପରାଧ ଭାବରେ ଦେଖାଯାଇଛି । ତଥା ଆଇନଗତ ଭାବରେ ଏହାର ଉନ୍ମୁଳନ କରାଯାଇଛି । ଏବେ ଲୋକେ ନିଜର ରୁଚି ଅନୁସାରେ ନିଜର କର୍ମପନ୍ଥା ନିର୍ଦ୍ଧାରିତ କରିବା ପାଇଁ ସ୍ୱାଧୀନ ଅଟନ୍ତି । ସରକାରୀ ଚାକିରୀଗୁଡ଼ିକରେ ନିଯୁକ୍ତି ପାଇଁ ସୁଯୋଗ ଏବେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ଏହା ସହିତ ଗରୀବ ଓ ଅନ୍ୟ କୋଣଠେଷା ଜାତିଗୁଡ଼ିକ ଯେପରି ସାମ୍ୟର ଅଧିକାର ସାବ୍ୟସ୍ତ କରିପାରିବେ, ସେଥି ପାଇଁ ସମ୍ବିଧାନ ସରକାରଗୁଡ଼ିକୁ ଅନେକ ଦାୟିତ୍ତ୍ୱ ଦେଇଛି ।

ସମ୍ବିଧାନର ଲେଖକମାନେ ଏକଥା ମଧ୍ୟ କହିଛନ୍ତି ଯେ ଏକ ସମତାଭିତ୍ତିକ ସମାଜ ତିଆରିବା ପାଇଁ ବିବିଧତାକୁ ମଧ୍ୟ ସମ୍ମାନ ଜଣାଇବା ଦରକାର । ସେମାନେ ଏକଥା ଅନୁଭବ କରିଥିଲେ ଯେ ସବୁ ଲୋକଙ୍କର ନିଜର ଧର୍ମାଚରଣ କରିବାର, କଥା କହିବାର, ନିଜର ଭାଷା ବ୍ୟବହାର କରିବାର, ଏବଂ ପର୍ବପର୍ବାଣି ପାଳନ କରିବାର ଅଧିକାର ରହିବାର ଆବଶ୍ୟକ । ସେମାନେ ଏକଥା ମଧ୍ୟ କହିଥିଲେ ଯେ କୌଣସି ଗୋଟିଏ ଭାଷା, ଧର୍ମ, କିମ୍ବା ପର୍ବ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇନପାରେ । ସେମାନେ ସମ୍ବିଧାନରେ କହିଥିଲେ ଯେ ସରକାର ସବୁ ଧର୍ମକୁ ନିଶ୍ଚିତ ଭାବରେ ସମାନ ବ୍ୟବହାର ଦେଖାଇବା କଥା ।

ଏହି ସବୁ କାରଣରୁ ଭାରତ ଏକ ଧର୍ମନିରପେକ୍ଷ ଦେଶର ରୂପ ନେଲା ଯେଉଁଥିରେ ବିଭିନ୍ନ ଧର୍ମ ଓ ବିଶ୍ୱାସର ଲୋକେ ବିନା କୌଣସି ଭେଦଭାବର ଡରରେ ନିଜର ଧର୍ମାଚରଣ କରିପାରିବେ । ଆମେ ଯେ ସମସ୍ତେ ମିଳିମିଶି ଚଳୁ ତଥା ପରସ୍ପରର ସମ୍ମାନ କରୁ, ଏହା ଆମର ଏକତାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।

ଯଦିଓ ଏହି ମୂଲ୍ୟବୋଧଗୁଡ଼ିକ ଆମର ସମ୍ବିଧାନରେ ପ୍ରତିଷ୍ଠାପିତ କରାଯାଇଛି, ଏହି ଅଧ୍ୟାୟଟି ଏଥି ପ୍ରତି ତୁମର ଧ୍ୟାନ ଆକର୍ଷିତ କରିଛି ଯେ ଏବେବି ଆମ ଦେଶରେ ଅନେକ ପ୍ରକାରର ବୈଷମ୍ୟ ତିଷ୍ଠି କରି ରହିଛି । ସାମ୍ୟ ଏପରି ଏକ ମୂଲ୍ୟବୋଧ ଯାହା ପାଇଁ ଆମ ସମସ୍ତଙ୍କୁ ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ । ଏହା ବୋଧେହୁଏ ମନକୁମନ ହେବନାହିଁ । ସମସ୍ତ ଭାରତୀୟମାନଙ୍କ ପାଇଁ ଏହାକୁ ବାସ୍ତବତାରେ ରୂପାନ୍ତରିତ କରିବା ପାଇଁ ଗଣ ଆନ୍ଦୋଳନ ତଥା ସରକାର ଦ୍ୱାରା ସକରାତ୍ମକ କାର୍ଯ୍ୟକ୍ରମ ଦରକାର ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

No comments:

Post a Comment