Friday, December 22, 2017

ଅନିଲ ସଦଗୋପାଲଙ୍କର ନୟୀ ତାଲିମ ବକ୍ତୃତାମାଳା - ଷଷ୍ଠ ଭାଗ

ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ଥମାସ ବେବିଙ୍ଗଟନ ମ୍ୟାକଲେ (ଉତ୍ସ: ଏନସାଇକ୍ଲୋପିଡିଆ ବ୍ରିଟାନିକା)

ତ ମ୍ୟାକଲେ କ’ଣ କଲେ ? ୧୮୩୩ ସାଲରେ ଲର୍ଡ ମ୍ୟାକଲେ, ବ୍ରିଟିଶ ରାଜୁତିରେ ଭାରତର ପ୍ରଶାସନ ପାଇଁ ଯେଉଁ କାଉନସିଲ ଅଫ ଇଣ୍ଡିଆ ଗଠନ କରାଯାଇଥିଲା, ତାହାର ସଦସ୍ୟ ଥିଲେ । ଏହା ସହିତ କଲିକତାରେ (ବ୍ରିଟିଶ ରାଜଧାନୀ) ସାର୍ବଜନୀକ ଶିକ୍ଷା ଉପରେ ଯେଉଁ ବଡ ବିଭାଗ ଗଠନ କରାଯାଇଥିଲା ତାହାର ସେ ଅଧ୍ୟକ୍ଷ ଥିଲେ । ତାଙ୍କ ଆଗରେ ଏକ ସମସ୍ୟା ଥିଲା । ତାହାର ଏବେ ଆଲୋଚନା ଦରକାର ନାହିଁ । ସେଇଟା ବ୍ରିଟିଶ ପାର୍ଲାମେଣ୍ଟରୁ ଆସିଥିଲା । ଏକ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା ଶିକ୍ଷା ପାଇଁ । ସେତେବେଳର ଏକ ଲକ୍ଷ ଟଙ୍କା ଏବେ କେତେ ହଜାର କୋଟି ଭଳି ହେବ । ଟଙ୍କାର ବ୍ୟବହାର କିପରି ହେବ ତାହାକୁ ନେଇ ଭିନ୍ନ ଭିନ୍ନ ମତ ଆସିଲା । ସେଗୁଡିକୁ ଶୁଣି ମ୍ୟାକଲେ ସାହେବ ଏକ ପ୍ରତିବେଦନ ରଖିଲେ (ମ୍ୟାକଲେସ୍ ମିନିଟସ୍) । ମ୍ୟାକଲେଙ୍କ ମିନିଟସ୍ ମୁଁ ପ୍ରାୟ କୋଡିଏ ଥର ପଢିଥିବି ଭିନ୍ନ ଭିନ୍ନ ସମୟରେ । ପୁଣି ଆଉ ଥରେ ପଢିଲେ ବି କିଛି ଭୁଲ ହେବ ନାହିଁ । ପ୍ରତ୍ୟେକ ଥର ସେଥିରୁ କିଛି ନା କିଛି ନୂଆ ମିଳିଯାଏ ।

ସେ ଏଠାରେ ବ୍ରିଟିଶ ସାମ୍ରାଜ୍ୟବାଦର ପ୍ରତିନିଧି ଭାବରେ ଥିଲେ କିନ୍ତୁ ମୋତେ କହିବାକୁ ସଙ୍କୋଚ ଲାଗୁନାହିଁ ଯେ ତାଙ୍କ ପରି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାରତର ଶିକ୍ଷା କ୍ଷେତ୍ରରେ ବହୁତ କମ ଲୋକ ଥିବେ । ଗାନ୍ଧି, ଫୁଲେ, ଆମ୍ବେଦକର ତଥା ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ଟାଗୋର- ଏଇ କେତୋଟି ବଡ ବଡ ନାମକୁ ବାଦ ଦେଲେ ମ୍ୟାକଲେ ପରି ଦୂରଦୃଷ୍ଟି ଖୁବ କମ ଦେଖିବାକୁ ମିଳିବ । ଏଥିରେ ସନ୍ଦେହ ନାହିଁ । ଶତ୍ରୁକୁ ବୋକା ଭାବିବା ଅପେକ୍ଷା ଶତ୍ରୁର ବୁଦ୍ଧିମତାକୁ ସ୍ୱୀକାର କରିନେବା ଭଲ । ସେ ଦୂର ଭବିଷ୍ୟତର କଥା ଭାବିଥିବାରୁ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଆମେ ସେହି ରାସ୍ତାରେ ଚାଲିଛୁ । ଏକ ଇଞ୍ଚ ବି ଏପଟ ସେପଟ ହୋଇନୁ । ବରଂ ସେ ରାସ୍ତାକୁ ମଜବୁତ କରିଛୁ, ମ୍ୟାକଲେ ଯାହା ନିଜେ ମଧ୍ୟ ଭାବି ନଥିଲେ ଆମେ ସେତିକି ଆଗକୁ ଚାଲିଆସିଛୁ । 

ସେ ରଖିଥିବା ଅନେକ କଥା ଭିତରୁ ଚାରିଟା କଥା ଆମେ ଚର୍ଚ୍ଚା କରିବା । ଅଧିକ ପାଇଁ ସମୟ ନାହିଁ, ଆପଣ ନିଜେ ପଢିଲେ ଭଲ ହେବ । ମୁଁ ତ ଭାବୁଛି ବିଏଡ୍, ଏମ୍ଏଡ୍ କୋର୍ସରେ ଏହା ଏକ ଆବଶ୍ୟକ ପଠନୀୟ ବିଷୟ ହେବା କଥା । ଏହାକୁ ପଢେଇବା, ବିଶ୍ଳେଷଣ କରିବା ଦ୍ୱାରା ବାକି ପାଠ୍ୟଚର୍ଯ୍ୟା ଅତି ସରଳ ହୋଇଯିବ । ମ୍ୟାକଲେ କହିଲେ ଭାରତରେ ଲୋକେ ଯେଉଁ “ବୋଲି” କହିଥାଆନ୍ତି, ଯାହାକୁ ଇଂରାଜୀରେ ଡାଇଲେକ୍ଟ କୁହାଯାଏ, (ସେ “ଭାଷା” ବା ଲାଙ୍ଗୁଏଜ ଶବ୍ଦଟି ବ୍ୟବହାର କରିନାହାନ୍ତି, ଏ କଥାକୁ ମୁଁ ଆସିବି ପରେ), ୧୮୩୫ ବେଳର ଅବିଭାଜିତ ବଙ୍ଗ ରାଜ୍ୟରେ ପ୍ରଚଳିତ ଭାଷା ସବୁ କଥା ସେ କହୁଛନ୍ତି, ସେହି “ବୋଲି”ଗୁ଼ଡିକ ଏତେ ଦୁର୍ବଳ ଯେ ସେଥିରେ କୌଣସି ଆଧୁନିକ ଜ୍ଞାନର କଥା ନା କୁହାଯାଇପାରିବ ନା ଲେଖାଯାଇପାରିବ । ଇଉରୋପର କୌଣସି ବିକଶିତ ଭାଶାରେ କୁହାଯାଇଥିବା କଥାର ଅନୁବାଦ ମଧ୍ୟ କରାଯାଇ ପାରିବ ନାହିଁ । ଯେଉଁ ଭାରତୀୟମାନେ ଉଚ୍ଚ ଶିକ୍ଷାରେ ଆଗକୁ ବଢିବାକୁ ଚାହୁଁଛନ୍ତି ସେମାନେ ନିଜ ଭାଷା ନୁହେଁ, ବରଂ କୌଣସି ଇଉରେପୀୟ ଭାଷାରେ ଉଚ୍ଚ ଶିକ୍ଷା ଲାଭ କରିବା ଆବଶ୍ୟକ ।

ସେହି ପ୍ରତିବେଦନର ଅନ୍ୟତ୍ର ଲେଖିଲେ ଯେ ପୃଥିବୀରେ ଯେତେ ବିକଶିତ ଭାଷା ଅଛି (ଯେଉଁ ତାଲିକାରେ ଭାରତ ବା ଏସିଆ ବା ଆରବ, ଆଫ୍ରିକା ଓ ଲାଟିନ ଆମେରିକାର କୌଣସି ଭାଷା ନାହିଁ ) ସେଥିମଧ୍ୟରୁ ଇଂରାଜୀ ଭାଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତର ଲୋକେ ଇଂରାଜୀରେ ଶିକ୍ଷା କଲେ ହିଁ ଭଲ ହେବ । ଦ୍ୱିତୀୟ କଥା ହେଲା (ଏଇଠି ଏକ କ୍ରମ ଲକ୍ଷ୍ୟ କରନ୍ତୁ, ସେ ଭାବିଚିନ୍ତି ତାଙ୍କ ତର୍କ ଏକ କ୍ରମରେ ଦେଉଛନ୍ତି, ସେ ଶୃଙ୍ଖଳାଟି ବୁଝିବାକୁ ଚେଷ୍ଟା କରନ୍ତୁ ।) ଯଦି ଆପଣ ଇଉରୋପର ଭଲ ଭଲ ଜ୍ଞାନ ସାହିତ୍ୟ ସବୁ ଏକାଠି କରିବେ ତାହା ତୁଳନାରେ ଭାରତ, ଚୀନ, ଆରବ ଆଦି ଦେଶର ସମଗ୍ର ଜ୍ଞାନ ସାହିତ୍ୟ ମିଶାଇ ରଖିଲେ ମଧ୍ୟ ଇଉରୋପୀୟ ଜ୍ଞାନର ଥାକେ ସରି ହେବ ନାହିଁ । ତୃତୀୟ କଥା କହିଲେ ଯେ ଆପଣଙ୍କ ମାତୃଭାଷା ଧରି କେହି ହେଲେ ଆଗକୁ ବଢି ପାରିବ ନାହିଁ । ଇଂରାଜୀ ହେଉଛି ସର୍ବୋତ୍ତମ । ତେଣୁ ଆଜିଠାରୁ ହିଁ, ଅର୍ଥାତ ୧୮୩୫ରୁ, ଇଂରାଜୀକୁ ନେଇ ଆଗେଇବା ଉଚିତ କାରଣ ଭାରତର ସରକାରୀ କାର୍ଯାଳୟଗୁଡିକର ଉଚ୍ଚ ପଦପଦବୀରେ ଯେଉଁ ଭାରତୀୟମାନେ ଅଛନ୍ତି ସେମାନେ ଇଂରାଜୀକୁ ହିଁ ସବୁ କିଛି ବୋଲି ମାନିନେଇ ସାରିଲେଣି ।

ଦେଖନ୍ତୁ, ଯେଉଁ କଥା ଆଜି ହେଉଛି ତାହା ୧୮୩୫ରେ ମଧ୍ୟ ହେଉଥିଲା । ଶେଶ କଥାଟି ହେଲା ଆମର ସୀମିତ ସମ୍ବଳକୁ ଆଖି ଆଗରେ ରଖି, ୧୮୩୫ରେ ସେ କହୁଛନ୍ତି, ଭାରତର ସବୁ ଲୋକଙ୍କୁ ଶିକ୍ଷିତ କରିବା ଆମ ଦ୍ୱାରା ସମ୍ଭବ ହେବ ନାହିଁ । ଆଜି ଏ କଥାଟି ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଧ୍ୟ ଦୋହରେଇଲେ । ଆଜି ବଜେଟ ଉପସ୍ଥାପନ କଲାବେଳେ ଶିକ୍ଷା ବଜେଟ ବୋଲି ଯାହା ଉପସ୍ଥାପନ କରାଗଲା ତାହାକୁ ଯଦି ଟିକେ ନିରିଖେଇ ଦେଖିବା ତେବେ ସେ ସାରା ଦେଶକୁ ଯାହା କହୁଛନ୍ତି ତାହା ହେଲା ଆମ ପାଖରେ ସବୁ ପିଲାଙ୍କ ପାଇଁ ପୂର୍ବ-ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କରିବା, ପ୍ରାଇମେରୀ, ମିଡିଲ, ହାଇ ସ୍କୁଲ ଖୋଲିବା, କଲେଜ ଓ ୟୁନିଭର୍ସିଟି ଖୋଲିବା ପାଇଁ ପଇସା ନାହିଁ । ୧୮୩୫ରେ ମ୍ୟାକଲେ ଯାହା କହିଥିଲେ ସ୍ୱାଧୀନ ଭାରତରେ ଦ୍ୱାଦଶ ଯୋଜନାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହୁଛନ୍ତି । ତାଙ୍କ ପୂର୍ବରୁ ମଧ୍ୟ ଦଳ ନିର୍ବିଶେଷରେ ସବୁ ପ୍ରଧାନମନ୍ତ୍ରୀ ସେଇ କଥା ହିଁ କହିଛନ୍ତି । ଆମେ ଏବେ ଜାଗ୍ରତ ନହେଲେ ଆସନ୍ତା ପ୍ରଧାନମନ୍ତ୍ରୀ ବି ସେଇ କଥା କହିବେ ।

No comments:

Post a Comment