ପିଲାଙ୍କ କବିତା - 'ଜହ୍ନ ମାମୁ'
କବି - ନୀଳକଣ୍ଠ ଦାସ (୧୮୮୪ - ୧୯୬୭)
ମାଇକ୍ରୋଗ୍ରାଫିଆ ଗ୍ରନ୍ଥରେ ଚନ୍ଦ୍ରର ଚିତ୍ର (୧୬୬୫ ମସିହା) ଲେଖକ ଓ ଚିତ୍ରକର - ରବର୍ଟ ହୁକ (୧୬୩୫ - ୧୭୦୩) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆରେ ଜହ୍ନମାମୁ ଥିଲୁ ତୁ କାହିଁ ?
ଦିନବେଳେ କିମ୍ପା ଦିଶିଲୁ ନାହିଁ ?
ମାମୁଘର ମୋର ବହୁତ ଦୂର
ମାମୁ ମାଇଁଙ୍କର ବଡ଼ ଆଦର
ପାଚିଲା କଦଳୀ, ପାଚିଲା ଆତ,
ଛେନାଗୁଡ଼, ଦୁଧ, ତବତ ଭାତ,
ଖାଇବାକୁ ମାଇଁ ଦିଅନ୍ତି ମୋତେ,
ମା' ପରି ସେନେହ କରନ୍ତି କେତେ ।
ଆଈମା' ଶରଧା ବେଶି କରନ୍ତି,
ରାଜାରାଣୀ ଗପ କେତେ କହନ୍ତି ।
ମାମୁପୁଅ ଭାଇ ମୋ' ସଙ୍ଗେ ଖେଳେ,
ଖେଳିବାକୁ ଯାଏ ତାଙ୍କରି ମେଳେ ।
ମାମୁଘରକୁ ମୁଁ ଯେଦିନ ଯିବି,
ମାମୁମାଈଁଙ୍କୁ ମୁଁ ଜୁହାର ହେବି ।
ଆରେ ଜହ୍ନମାମୁ, ଜୁହାର ତୋତେ,
ତୋ' ରୂପଟି ଭଲ ଦିଶଇ ମୋତେ ।
ଠିଆ ହୋଇଥିବି ସବୁଜ ଘାସେ,
ଦେଖୁଥିବି ତୋତେ ନୀଳ ଆକାଶେ ।
No comments:
Post a Comment