Monday, March 05, 2018

ଛାତ୍ରମାନଙ୍କ ସ୍ୱାସ୍ଥ୍ୟର ଅବସ୍ଥା

ଗୋପବନ୍ଧୁ ଦାଶ


ଚିତ୍ର -'ଏସ୍.ଏ. ରାଚିନ୍‌ସ୍କିଙ୍କର ସାଧାରଣ ବିଦ୍ୟାଳୟରେ ମାନସାଙ୍କ' (୧୮୯୫)
ଚିତ୍ରକର - ନିକୋଲାଇ ବୋଗ୍‌ଦାନୋଭ୍ ବେଲ୍‌ସ୍କି (୧୮୬୮-୧୯୪୫)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଶିକ୍ଷା ବିଭାଗର କର୍ତ୍ତୁପକ୍ଷ ବିଶେଷ ସାବଧାନ । ସେମାନେ ବିଦ୍ୟାଳୟ ଲାଗି କୋଠାଘର ଲୋଡ଼ନ୍ତି, ଛାତ୍ରବାସ ନିମନ୍ତେ ଏଭଳି ଘର ଏଭଳି ଉରକରଣ ଆୟୋଜନ କରନ୍ତି ଯେ ଉତ୍ତର କାଳରେ ଛାତ୍ର ଗୃହସ୍ଥାଶ୍ରମ କରି ଅର୍ଥୋପାୟ ଦ୍ୱାରା କେବେ ସେଭଳି ସଂସ୍ଥାନ କରିପାରିବା ସହଜ ନୁହେଁ । ସ୍କୁଲ କଲେଜମାନଙ୍କର ଅବସ୍ଥାନ ଯେତେ ଦୂର ସମ୍ଭବ ସ୍ୱାସ୍ଥ୍ୟକର ସ୍ଥାନରେ ହୋଇଥାଏ । ଯଥା ସମୟରେ ବିଶ୍ରାମ ଏବଂ ବିହାର ନିମନ୍ତେ ବ୍ୟବସ୍ଥା ଥାଏ । ଘରେ ଛାତ୍ରର ପାରିବାରିକ ଅବସ୍ଥା ଯାହା ହେଉ ସ୍କୁଲ କଲେଜରେ ପଢିବା ବେଳେ ଅଧିକାଂଶଙ୍କର ଖାଦ୍ୟପେୟରେ ତେତେ ବେନିୟମ ବା ଅଭାବ ଘଟେ ବୋଲି କୁହାଯାଇ ନପାରେ । ତଥାପି ଆମ୍ଭମାନଙ୍କ ଛାତ୍ରସମାଜର ସ୍ୱାସ୍ଥ୍ୟ କାହିଁକି ଆଶାନୁରୂପ ନୁହେଁ ? ଉଦାରମୟ ଏବଂ ମୁଣ୍ଡବ୍ୟଥା ଛାତ୍ରଦଳର ସାଧାରଣ ରୋଗ । ଏହାଛଡ଼ା ଆଉ ଅନେକ ପ୍ରକାର ବ୍ୟାଧି ଅଛି । ଗତବର୍ଷ ବମ୍ୱେ ନଗରରେ କେତେକ ଛାତ୍ରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦେଖା ଗଲା ୧୯୪୬ ଜଣଙ୍କ ମଧ୍ୟରେ ୧୦୦୦ ଜଣଙ୍କର ତୋଟି, ନାକ ଏବଂ କାନରେ ଏପରି ଦୋଷ ରହିଅଛି ଯେ ଅଳ୍ପ ଦିନ ମଧ୍ୟରେ କ୍ଷୟ ରୋଗ ହେବା ସମ୍ଭବ । ୧୨୩୮ ଜଣଙ୍କର ଦାନ୍ତ ଖରାପ । ୪୮୪ ଜଣଙ୍କର ଆଖିରେ ଦୋଷ ରହିଅଛି । ୨୭୩ ଜଣଙ୍କର ପ୍ଲୀହା ବଢିଛି ଏବଂ ୯୧୬ ଜଣଙ୍କର ଫୁସ୍‌ଫୁସ୍ ଆଦି ଆଭ୍ୟନ୍ତରିକ ଯନ୍ତ୍ର ଦୋଷଯୁକ୍ତ । ଅବଶ୍ୟ ଡାକ୍ତରମାନଙ୍କର ଛୁଞ୍ଚିମାଛି ପରୀକ୍ଷା ହେତୁ କାହାରି କାହାରି ପକ୍ଷେ ଟିକିଏ ଅତ୍ୟଧିକ ଆଶଙ୍କା ହୋଇଥିବା ବିଚିତ୍ର ନୁହେଁ । ସେଥିଲାଗି କିଛି ବାଦ ଦେଲେ ସୁଦ୍ଧା ସଙ୍ଖ୍ୟା ତ ଅଳ୍ପ ଭୟଙ୍କର ନୁହେଁ । ଜନାକୀର୍ଣ୍ଣ ସହରରେ ସ୍କୁଲ କଲେଜମାନଙ୍କର ଅବସ୍ଥାନ ଏହି ସ୍ୱାସ୍ଥ୍ୟଭଙ୍ଗର କାରଣ ବୋଲି ଅନେକେ ମନେ କରନ୍ତି । ଯଥାର୍ଥରେ ସହର ଜୀବନ ଦିନକୁ ଦିନ ଅତ୍ୟନ୍ତ ଅସ୍ୱାଭାବିକ ହୋଇପଡୁଅଛି । ବିଳାସିତା ବଢ଼ୁଛି ଛାତ୍ରଜୀବନରେ ପୂର୍ବର ସେ ସଞ୍ଜମ ନାହିଁ । ପଞ୍ଜାବ ଗଭର୍ଣ୍ଣମେଣ୍ଟଙ୍କ ବ୍ୟବସ୍ଥାପକ ସଭାରେ ଛାତ୍ରମାନଙ୍କର ଧୂମପାନ ନିବାରଣ ଲାଗି ଆଇନ ପ୍ରଣୟନ ବ୍ୟବସ୍ଥା ହେଉଛି ପରା । ପୁଣି ଅଧ୍ୟୟନ ସମୟ ଅଧ୍ୟାପନାର ରୀତି ପାଠର ପରିମାଣ ପରୀକ୍ଷାର ପ୍ରକୃତି ଇତ୍ୟାଦି ନାନା କାରଣ ଏ ସ୍ୱାସ୍ଥ୍ୟଭଙ୍ଗରେ ସାହାଯ୍ୟ କରୁଅଛି ।

ପ୍ରାଚୀନ କାଳରେ ବିଦ୍ୟାଳୟମାନ ସହରରୁ ଦୂରରେ ଥିଲା । ବାହାରର କୌଣସି ପ୍ରଭାବ ବା ପ୍ରଲୋଭନରେ ଛାତ୍ରମାନେ ବିଚଳିତ ହେବାର ଆଦୌ ଅବକାଶ ନଥିଲା । ଛାତ୍ରଜୀବନର ପଦ୍ଧତି ନିୟମବଦ୍ଧ ଥିଲା । ଆହାର ବିହାର ସ୍ନାନ ପାନ ବାକ୍ୟ ବ୍ୟବହାରର ସବୁଥିରେ ସଞ୍ଜମ ପ୍ରତି ବିଶେଷ ଦୃଷ୍ଟି ଥିଲା । ପ୍ରକୃତିର ଉନ୍ମୁକ୍ତ ଉତ୍ସଙ୍ଗରେ ସ୍ୱଚ୍ଛନ୍ଦ ବିଚରଣ କରିବା ଲାଗି ଛାତ୍ରମାନେ ଯଥେଷ୍ଟ ସୁବିଧା ପାଉଥିଲେ । ପରୀକ୍ଷା ଉଦ୍‌ବେଗ ସେମାନଙ୍କ ପ୍ରାଣକୁ ଏତେ ଆକୁଳ କରୁନଥିଲା । ଗୁରୁଙ୍କର ବାତ୍ସଲ୍ୟ-ପ୍ରୀତି ପ୍ରତି ମୁହୂର୍ତ୍ତରେ ସେମାନଙ୍କ ହୃଦୟକୁ ପୁଲକିତ କରି ରଖିଥିଲା । ଶିକ୍ଷା ଧର୍ମାନୁଷ୍ଟାନର ଅଙ୍ଗ ବୋଲି ବିଶ୍ୱାସ ଥିଲା । ସ୍ଥୁଳରେ ସେ କାଳର ଛାତ୍ରଜୀବନ ସରଳ, ସଞ୍ଜତ, ଶୁଦ୍ଧ, ଶାନ୍ତ, ସୁମଧୁର ଥିଲା । ସେ କାଳର ଅବସ୍ଥା ଏ ଯୁଗରେ ଫେରାଇ ଆଣିବା ଅସମ୍ଭବ । ମାତ୍ର ଛାତ୍ରମାନଙ୍କର ସ୍ୱାସ୍ଥ୍ୟରକ୍ଷା ଏବ‌ଂ ବଳାଧାନ ନିମନ୍ତେ ସେ କାଳର କୌଣସି କୌଣସି ରୀତିକୁ ବର୍ତ୍ତମାନ ଅବସ୍ଥାରେ ସ୍ଥଳବିଶେଷରେ ପରୀକ୍ଷା ସ୍ୱରୂପ ପ୍ରୟୋଗ କରିବା ଅସଙ୍ଗତ ହେବନାହିଁ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଏମ.ଡି. ଡାକ୍ତର ଲାଙ୍କେଷ୍ଟର ଜଣେ ପ୍ରବୀଣ ଚିକିତ୍ସକ ସେ ଯକ୍ଷ୍ମା ଓ କ୍ଷୟରୋଗ ସମ୍ୱନ୍ଧ ଅନୁସନ୍ଧାନ କରିବା ଲାଗି ଭାରତ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୁକ୍ତ ସେ ଥରେ ସତ୍ୟବାଦୀର ବନ ବିଦ୍ୟାଳୟ ଦେଖିବାକୁ ଆସିଥିଲେ । ପ୍ରଶସ୍ତ ଉଦ୍ୟାନର ଗଛମୂଳେ ଅଧ୍ୟାପନା ଦେଖି ସେ ଅତିଶୟ ପ୍ରୀତ ହୋଇଥିଲେ । ସେ ମତ ବ୍ୟକ୍ତ କରିଥିଲେ ଯେ ଭାରତର ଅନେକ ସ୍ଥାନରେ ଏହିପରି ବିଦ୍ୟାଳୟ ହୋଇପାରେ ଏବଂ ହେବା ଉଟିତ । ଏ ରୀତି ବିଦ୍ୟାଳୟଦ୍ୱାରା ଛାତ୍ରମାନଙ୍କର ଯକ୍ଷ୍ମା ବା କ୍ଷୟରୋଗର ଆଶଙ୍କା ବହୁ ପରିମାଣରେ କମିଯିବ ବୋଲି ତାଙ୍କର ବିଶ୍ୱାସ । ଏହିପରି ପୂର୍ବର ଆଉ କୌଣସି କୌଣସି ଶିକ୍ଷାରୀତି ମଧ୍ୟ ପରୀକ୍ଷା କରାଯାଇପାରେ । ଶିକ୍ଷା ସମସ୍ତ ପ୍ରକାର ଜାତୀୟ ଉନ୍ନତିର ମୂଳଭିତ୍ତି ଏବଂ ଛାତ୍ରମାନେ ସମାଜର ଓ ସାମ୍ରାଜ୍ୟର ଭାବୀ ଆଶା । ସେମାନଙ୍କୁ ସୁସ୍ଥ ସବଳ କରିବା ଲାଗି ସମାଜ ଶିକ୍ଷକ ଶାସକ ସମସ୍ତଙ୍କର ତତ୍ପର ହେବା ସବର୍ଥା କର୍ତ୍ତବ୍ୟ ।

(ସତ୍ୟବାଦୀ, ୨ୟ ଖଣ୍ଡ ୫ମ ୬ଷ୍ଠ ଓ ୭ମ ସଙ୍ଖ୍ୟା ୧୯୧୬)

No comments:

Post a Comment