Monday, March 26, 2018

ପ୍ରାଥମିକ ଶିକ୍ଷାର ଗତି

ଗୋପବନ୍ଧୁ ଦାଶ


ଜର୍ମାନୀ ଦେଶର ତ୍ରାଇଆଠାରେ ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଚିତ୍ର (ୱିକିମିଡିଆ କମନ୍ସ୍)


ପ୍ରାଥମିକ ଶିକ୍ଷା ପୃଥିବୀରେ ପ୍ରାୟ ସମାନ ସମସ୍ତ ଦେଶରେ ଦ୍ରୁତ ବେଗରେ ଗତି କରୁଅଛି । ନିରକ୍ଷର ହେବା ପାପ ବୋଲି ଭାରତରେ ଯେ ପ୍ରାଚୀନ ବିଶ୍ୱାସ ଥିଲା ଆଜି ତାହା ଭାରତରୁ ପ୍ରାୟ ଲୋପ ପାଇ ଅନ୍ୟାନ୍ୟ ଦେଶରେ ବିସ୍ତାର ଲାଭ କରିଅଛି । ଅନ୍ନଦାନ ଶ୍ରେଷ୍ଠ ଦାନ ମାତ୍ର ବିଦ୍ୟାଦାନ ଶ୍ରେଷ୍ଠତର ବୋଲି ହିନ୍ଦୁ ଶାସ୍ତ୍ରକାରମାନେ ନିର୍ଦ୍ଦେଶ କରିଅଛନ୍ତି । ତେଣୁ ବିଦ୍ୟାଧ୍ୟାୟୀ ଏବଂ ଅଧ୍ୟାପକଙ୍କ ପ୍ରତି ପ୍ରାଚୀନ ସମାଜ ବିଶେଷ ଭକ୍ତି, ଶ୍ରଦ୍ଧା ଓ ଆଦର ଦେଖାଉଥିଲେ । ସମାଜର ଅଧୋଗତି ସଙ୍ଗେ ସଙ୍ଗେ ସେ ଶ୍ରଦ୍ଧା ଓ ଆଦର ନଷ୍ଟ ହୋଇଅଛି । ପୂର୍ବେ ଯେ ସବୁ କାର୍ଯ୍ୟ ସମାଜ ସମ୍ପାଦନ କରୁଥିଲେ, ଆଜି କାଲି ସେଥିରୁ ଅଧିକାଂଶର ଭାର ସରକାର ଗ୍ରହଣ କରିଅଛନ୍ତି, ବର୍ତ୍ତମାନ ପ୍ରାୟ ପୃଥିବୀରେ ସମସ୍ତ ସଭ୍ୟ ଦେଶରେ ଲୋକ ସାଧାରଣଙ୍କର ନିରକ୍ଷରତା ଦୂର କରିବା ନିମନ୍ତେ ସମସ୍ତଙ୍କର ଯତ୍ନ । ପ୍ରାଥମିକ ଶିକ୍ଷାର ବହୁଳ ବିସ୍ତାର ଲାଗି ନାନା ବିଧିବିଧାନ ପ୍ରବର୍ତ୍ତିତ ହେଉଅଛି । ମନେହୁଏ ପୃଥିବୀରୁ ନିରକ୍ଷରତା ଏକାବେଳକେ ଅପସୃତ ହେବା ଲାଗି ଆଉ ବେଶି ଦିନ ନାହିଁ । ମାତ୍ର ଭାରତ ଶିକ୍ଷା ବିବରଣୀରୁ ପ୍ରକାଶ ଯେ ସମଗ୍ର ଭାରତୀୟ ଲୋକ ସଙ୍ଖ୍ୟାର ଶତକଡ଼ା ୨.୭ ପ୍ରାଥମିକ ଶିକ୍ଷା ପାଉଛନ୍ତି । ଅର୍ଥାତ୍ ଶହେ ଜଣ ଲୋକଙ୍କ ମଧ୍ୟରୁ ଅଢ଼େଇ ଜଣରୁ କିଛି ବେଶିଙ୍କର ବର୍ଣ୍ଣ ପରିଚୟ ହେଉଅଛି । ୧୯୦୬-୦୭ ମସିହାରେ ଶତକଡ଼ା ୧.୯ କିମ୍ୱା ୨ ଜଣ ପ୍ରାଥମିକ ଶିକ୍ଷା ପାଉଥିଲେ । ଏଥିରୁ ଦେଖାଯାଉଛିଦଶ ବର୍ଷ ମଧ୍ୟରେ ଶହେ ଜଣଙ୍କ ମଧ୍ୟରେ ଅଧ ଜଣେ ମାତ୍ର ବଢ଼ିଅଛି । ଏହି ଗତିରେ ଚାଲିଲେ ଭାରତରେ ସମସ୍ତେ ସାକ୍ଷର ହେବାକୁ କେତେ ବର୍ଷ ଲାଗିବ ?

ସାତ ବର୍ଷ ପୂର୍ବେ ସ୍ୱର୍ଗୀୟ ଗୋଖଲେ ଅନ୍ୟାନ୍ୟ କେତେକ ଦେଶରେ ପ୍ରାଥମିକ ଶିକ୍ଷାର ଯେ ହିସାବ ଭାରତ ସରକାରଙ୍କ ନିକଟରେ ଆଗତ କରିଥିଲେ ତାହା ଏ ସମ୍ପର୍କରେ ଜାଣିବା ଆବଶ୍ୟକ । ଯୁକ୍ତରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଖ୍ୟା ଶତକଡ଼ା ୨୧, କାନେଡ଼ା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ, ଆୟାରଲାଣ୍ଡର ୨୦ରୁ ୧୭ ମଧ୍ୟରେ କିଛି ବେଶି । ସ୍ୱୀଡ଼େନରେ ୧୪, ଡେନ୍‌ମାର୍କରେ ୧୩, ବେଲ୍‌ଜିୟମରେ ୧୨ ଓ ଜାପାନରେ ୧୧ । ଭାରତର ଅଢେଇ ଜଣ କେବେ ଏ ସୀମାକୁ ଉଠିବେ ?

ଏକ ଶହ ଲୋକଙ୍କ ମଧ୍ୟରେ ସ୍କୁଲରେ ପଢ଼ିବା ଯୋଗ୍ୟ ୧୫ ଜଣ ଥିବାର ସରକାରୀ ହିସାବରେ ଧରାଯାଏ । ୧୫ ଜଣକୁ ବର୍ତ୍ତମାନ ୨.୭ ସ୍କୁଲରେ ଅଛନ୍ତି । ଆଉ ୧୨.୩ ଜଣ ସ୍କୁଲକୁ ଆସିଲେ ପଢ଼ିବା ଯୋଗ୍ୟ ସମସ୍ତେ ପଢ଼ିଲେ ବୋଲି ଧରାଯିବ । ଦଶ ବର୍ଷରେ ଶହେ ଜଣରେ ଅଧ ଜଣ ମାତ୍ର ବଢ଼ୁଛି । କିମ୍ୱା ଠିକ୍ ହିସାବ ଧଇଲେ ୦.୮ ବଢୁଛି । ଏହି ବୃଦ୍ଧି ନିମନ୍ତେ ଦଶବର୍ଷ ଲାଗିଲେ ଆଉ ୧୨.୩ ଜଣ ସ୍କୁଲକୁ ଆସିବା ବେଳକୁ ୧୫୪ ବର୍ଷ ବିତିଯିବ ଭାରତର ଲୋକସଙ୍ଖ୍ୟା ଯେବେ ନ ବଢେ କମି ଛିଡ଼େ । ଯେ ଗତିରେ ଶିକ୍ଷା ଚାଲିଛି, ସେହି ପରି ଚାଲିଲେ ସବୁ ଲୋକେ ପ୍ରାଥମିକ ଶିକ୍ଷା ପାଇବାକୁ ଆଜି ଠାରୁ ଦେଢ଼ ଶହ ବର୍ଷ ଚାଲିଯିବ ।

(ସତ୍ୟବାଦୀ ୩ୟ ଖଣ୍ଡ, ୫ମ ଓ ୬ଷ୍ଠ ସଂଖ୍ୟା-୧୯୧୮)

No comments:

Post a Comment