Thursday, March 22, 2018

ଗୋଟିଏ ଚୁକ୍ତିର କଥା

ଜ୍ୟୋତି ନନ୍ଦ


ଜ୍ୟୋତି ନନ୍ଦଙ୍କର ଫେସବୁକ କାନ୍ଥରୁ ସଙ୍ଗୃହିତ

୧୯୨୩ ଖ୍ରୀଅ ।

ଏହି ଚୁକ୍ତିଟି ବିଶେଷ କରି ଶିକ୍ଷିକା ମାନଙ୍କ ପାଇଁ ପ୍ରଚଳିତ ଥିଲା । ଆଜି ଏଇ ଚୁକ୍ତିକୁ ପଢିଲା ବେଳେ ଆମକୁ ଲାଗିବ ଯେ, ଆମେ ଆଜି କେତେ ଭଲରେ ଅଛୁ । ବିଶେଷ କରି ଆମର ମିସ୍ ମାନେ, ଦିଦି ମାନେ, ମାଡାମ୍ ମାନେ, ଏହାକୁ ଯଦି ପଢନ୍ତି, ତେବେ ଘଡିଏ ସ୍ୱସ୍ତିର ନିଶ୍ୱାସ ମାରିବେ ଯେ, ଏବେ ଊଣେଇଶ ତେଇଶ ସାଲ ଚାଲୁନାହିଁ । ଏବେ ଆମେ ଢେର ସ୍ୱାଧୀନ ।

ଶିକ୍ଷିକାମାନଙ୍କj ଏଇ ଚୁକ୍ତିଟି ଓହାୟୋ ଏଜୁକେସନାଲ୍ ଆସୋସିଏସନ୍ କର୍ତ୍ତୃକ ୱେବସାଇଟ୍‌ରେ ପ୍ରକାଶିତ ଏବଂ ପ୍ରାୟତଃ ଆନ୍ତର୍ଜାତିକ ନାରୀ ଦିବସରେ ଏଇ କିଛି ବର୍ଷ ହେଲା ଏହି ଚୁକ୍ତିଟି ବହୁଳ ଭାବରେ ପ୍ରଚାରିତ ହୋଇଆସୁଛି ।

ଏହି ଚୁକ୍ତିର ଅନ୍ୟ ସବୁ ଚୁକ୍ତି ଭଳି ପକ୍ଷ ଓ ପ୍ରତିପକ୍ଷ ରହିବା ସ୍ୱାଭାବିକ ।

ଆମର ଏଠାରେ ଯେତେକ ଶକ୍ତିବାହିନୀ ଅଛନ୍ତି, ସେମାନେ ଶେଷ ଯାଏଁ ତାଙ୍କର ଅନ୍ତର୍ନିହିତ କ୍ରୋଧକୁ ପ୍ରବୋଧନା ଦେଇ ରଖିବେ ବୋଲି ମୋର ଅନୁରୋଧ ।

ଏଇ ଚୁକ୍ତିର ସର୍ତ୍ତ ଅନୁସାରେ ଶିକ୍ଷିକା ମାନେ:

୧) ବିବାହ କରିପାରିବେ ନାହିଁ । ବିବାହ କରିବା ଅର୍ଥ ତତକ୍ଷଣାତ୍ ବୃତ୍ତିରୁ ବିତାଡନ ।
୨) ପୁରୁଷସଙ୍ଗୀ ରଖିପାରିବେ ନାହିଁ ।
୩) ସ୍କୁଲ ଫଙ୍କସନ୍ ଆଦି ବ୍ୟତୀତ ସେମାନେ ରାତି ଆଠଟାରୁ ସକାଳ ଛଅଟା ଯାଏଁ ଘର ଭିତରେ ରହିବାକୁ ବାଧ୍ୟ ।
୪) ସହରତଳି ଅଞ୍ଚଳର ଆଇସକ୍ରିମ ଦୋକାନ ସାମ୍ନାରେ ବୁଲିବା ସେମାନଙ୍କୁ ବାରଣ ।
୫) ବୋର୍ଡ ଅଫ୍ ଟ୍ରଷ୍ଟିର ଚେୟାରମ୍ୟାନ୍‌ଙ୍କ ଅନୁମତି ବିନା ସେମାନେ ସହର ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।
୬) ସିଗାରେଟ ଟାଣି ପାରିବେ ନାହିଁ । ସିଗାରେଟ ଟାଣିବାର ଦେଖାଗଲେ ଚୁକ୍ତି ତତକ୍ଷଣାତ୍ ବାତିଲ ହେଲା ବୋଲି ଧରାଯିବ ।
୭) ବିଅର, ୱାଇନ ଆଉ ହ୍ୱିସ୍କି ପାନ ନିଷେଧ । ଏଇ ଜାତୀୟ ଅବକାରୀ ଦ୍ରବ୍ୟ ସେବନ କରୁଥିବାର ଜଣାଯିବା ମାତ୍ରକେ ଉକ୍ତ ଚୁକ୍ତି ବାତିଲ ।
୮) ନିଜ ଭାଇ ଓ ବାପାଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷ ସହ କୌଣସି ଘୋଡ଼ାଗାଡ଼ି ବା ମଟରଗାଡ଼ିରେ ଯିବା ବାରଣ ।
୯) ଉଜ୍ଜଳ ରଙ୍ଗର ପୋଷାକ ପରିଧାନ ନିଷେଧ ।
୧୦) କେଶକୁ ରଙ୍ଗ କରିବା ନିଷେଧ ।
୧୧) ଦୁଇଟି ପେଟିକୋଟ୍ ପିନ୍ଧିବା ବିଧେୟ ।
୧୨) ଗୋଇଠିର ଦୁଇଇଞ୍ଚର ଉପରକୁ ପୋଷାକ ପିନ୍ଧିବା ନିଷେଧ ।
୧୩) ସ୍କୁଲ ଘର ପରିଷ୍କାର ରଖିବା ନିମନ୍ତେ:
କ• ଶ୍ରେଣୀକକ୍ଷର ଚଟାଣକୁ ଅନ୍ୟୁନ ଦିନକୁ ଥରେ ଝାଡୁ ଦେବା ଆବଶ୍ୟକ ।
ଖ• ସପ୍ତାହରେ ଅନ୍ୟୁନ ଥରେ ଶ୍ରେଣୀକକ୍ଷର ଚଟାଣକୁ ଗରମ ପାଣି ଓ ସାବୁନରେ ଘଷି ସଫା କରିବା ଆବଶ୍ୟକ।
ଗ• କଳାପଟାକୁ ଅନ୍ୟୁନ ଦିନକୁ ଥରେ ସଫା କରିବା ଆବଶ୍ୟକ ।
ଘ• ସକାଳ ସାତଟା ବେଳେ ନିଆଁ ଜାଳି ଶ୍ରେଣୀଗୃହକୁ ଆଠଟାରେ ପିଲାମାନେ ଠିକ୍ ଆସିଲା ବେଳକୁ ଗରମ କରି ରଖିବାକୁ ହେବ ।

ଏହି ସର୍ତ୍ତଟି ସେପ୍ଟେମ୍ବର ଏକ ତାରିଖ ଊଣେଇଶ ଶହ ତେଇଶି ମସିହା ଠାରୁ ପ୍ରଚଳିତ ହୋଇଥିଲା ।

ଏଇ ସର୍ତ୍ତାବଳୀକୁ ବ୍ୟବଚ୍ଛେଦ କଲେ ଦେଖାଯିବ, ଗୋଟିଏ ପୁରୁଷତାନ୍ତ୍ରିକ ସମାଜରେ ଗୋଟିଏ ନାରୀ ଆଉ ସେ ପୁଣି ଜଣେ ଶିକ୍ଷିକା, ତାହାକୁ ଯେଉଁ ପରି ଆଦର୍ଶ ଆଚରଣ ସଂହିତା ପାଳନ କରିବାକୁ ଆମେ ମନ ଭିତରେ କାମନା କରିଥାଉ, ତାହାର ସମ୍ପୂର୍ଣ୍ଣ ପ୍ରତିଫଳନ ଘଟିଛି ଏହି ବିଭିନ୍ନ ସର୍ତ୍ତରେ ।

(ଏଇ ସର୍ତ୍ତାବଳୀର ସବୁଠୁ ଜଟିଳ ସର୍ତ୍ତଟି ହେଉଛି ଆଇସକ୍ରିମ ଦୋକାନକୁ ଯିବା ବାରଣ । ନୁହଁ ?)

ଊଣେଇଶ ତେଇଶି ସେପ୍ଟେମ୍ବର ଏକ ତାରିଖ ପୂର୍ବରୁ, ଅର୍ଥାତ୍ ଏଇ ଭଳି ଏକ ଚୁକ୍ତି ପ୍ରସ୍ତୁତି ପୂର୍ବରୁ ନାରୀମାନେ ସେମାନଙ୍କର ସମାନ ଅଧିକାର ପାଇଁ ପ୍ରତି ମାର୍ଚ୍ଚ ଆଠ ତାରିଖକୁ ନାରୀ ଦିବସ ହିସାବରେ ପାଳନ କରି ଆସିଲେଣି । ନାରୀ ଅଧିକାର ଦିବସର ସମୟକ୍ରମଟି ଏହି ଭଳି ହେବ:

୧୮୫୭ ମସିହା ମାର୍ଚ୍ଚ ୮ ତାରିଖରେ ଆମେରିକାର ସିଲେଇ କାରଖାନାର ନାରୀ ଶ୍ରମିକମାନେ ନିଜର କାର୍ଯ୍ୟରେ ସମାନ ଅଧିକାର ଆଉ ସୁସ୍ଥ ବ୍ୟବହାର ଦାବିରେ ରାସ୍ତାକୁ ପ୍ରଥମ କରି ଓହ୍ଲାଇ ଥିଲେ ।

୧୮୬୦ ମସିହା ମାର୍ଚ୍ଚ ୮ ତାରିଖରେ ନାରୀ ଶ୍ରମିକମାନେ ସେମାନଙ୍କର ଦାବି ଆଦାୟ ପାଇଁ ସଙ୍ଘବଦ୍ଧ ହୋଇ ନିଜର ଏକ ୟୁନିଅନ୍ ଗଢ଼ିବାକୁ ଯାଇ ବ୍ୟର୍ଥ ହୋଇଥିଲେ ।

୧୮୮୯ ମସିହାରେ ପ୍ୟାରିସ୍‌ରେ ପ୍ରଥମ ଆନ୍ତର୍ଜାତିକ ନାରୀ ସମ୍ମିଳନୀର ନେତୃତ୍ୱ ନେଇ ଜର୍ମାନୀର ସମାଜତାନ୍ତ୍ରିକ ନେତ୍ରୀ କ୍ଲାରା ଜେଟକିନ୍ ପୁରୁଷର ସହ ନାରୀର ସମାନ ଅଧିକାର କଥାଟିକୁ ଦୃଢ ଭାବରେ ଉପସ୍ଥାପନା କରନ୍ତି ।

୧୯୧୦ ମସିହାରେ ଦ୍ୱିତିୟ ସମାଜତାନ୍ତ୍ରିକ ଆନ୍ତର୍ଜାତିକ ସମ୍ମିଳନୀ କୋପେନହେଗେନ୍‌ରେ ହୁଏ । ଏଥିରେ ପୃଥିବୀର ସତରଟି ଦେଶର ପ୍ରାୟ ଶହେ ଜଣ ପ୍ରତିନିଧି ଯୋଗ ଦିଅନ୍ତି । ସେଇଠି ଗୋଟିଏ ଆନ୍ତର୍ଜାତିକ ନାରୀ ଦିବସ ପାଳନର ସିଦ୍ଧାନ୍ତ ନିଆଯାଏ ।

୧୯୧୧ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ପ୍ରଥମ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରାଯାଏ । ଏଥିରେ ସୁଇଜରଲାଣ୍ଡ, ଡେନମାର୍କ, ଅଷ୍ଟ୍ରିଆ ଓ ଜର୍ମାନୀର ଲକ୍ଷାଧିକ ନାରୀ ଯୋଗ ଦିଅନ୍ତି । ଏଇ ଘଟଣାର କିଛି ଦିନ ପରେ "ଟ୍ରାଇଏଙ୍ଗେଲ୍ ଫାୟାର୍" ନାମରେ ପ୍ରସିଦ୍ଧ ନ୍ୟୁୟର୍କର ସେହି ଭୟାବହ ଅଗ୍ନିକାଣ୍ଡରେ ୧୪୦ ଜଣ ନାରୀ ଶ୍ରମିକଙ୍କର ପ୍ରାଣହାନି ଘଟେ । ଏହି ଅଗ୍ନିକାଣ୍ଡ ନାରୀ ଦିବସ ତଥା ଆନ୍ତର୍ଜାତିକ ଶ୍ରମିକ ଆଇନର ମୋଡ଼କୁ ବଦଳାଇ ଦିଏ ।

୧୯୧୩-୧୪ରେ ନାରୀମାନଙ୍କର ଅଧିକାର ଆଦାୟ କ୍ଷେତ୍ରରେ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟେ । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭର ସମୟ ଏ । ୧୯୧୩ ଫେବୃୟାରୀ ଶେଷ ରବିବାର ଦିନ ଋଷ ଦେଶର ନାରୀମାନେ ଯୁଦ୍ଧର ବିପକ୍ଷରେ ଓ ସାର୍ବଜନୀନ ଶାନ୍ତି କାମନା ପାଇଁ ଏହି ଦିନକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରନ୍ତି । ଆଉ ଠିକ୍ ତାହା ପରେ ମାର୍ଚ୍ଚ ମାସ ଆଠ ତାରିଖରେ ଇଉରୋପ୍‌ର ଅନେକ ଅଞ୍ଚଳରେ ଯୁଦ୍ଧର ବିରୋଧ ଏବଂ ଯୁଦ୍ଧରେ ଲିପ୍ତ ଦେଶଗୁଡିକର ନାରୀମାନଙ୍କ ସହ ସମର୍ଥନ ଓ ସମବେଦନା ଜ୍ଞାପନ ପାଇଁ ନାରୀ ଦିବସ ପାଳନ କରାଯାଇଥିଲା ।

୧୯୪୫ରେ ସାନ୍‌ଫ୍ରାନ୍ସିସ୍କୋଠାରେ ରାଷ୍ଟ୍ରସଙ୍ଘ "ଜେଣ୍ଡର ଇକ୍ୟୁଆଲିଟି" ଚୁକ୍ତିରେ ନାରୀ ଅଧିକାରର ଯୌକ୍ତିକ ଦାବୀଗୁଡିକ ରଖି ସେଥିରେ ସନ୍ତକ କରେ ।

୧୯୪୭ ମସିହାରେ ରାଷ୍ଟ୍ରସଙ୍ଘ ମାର୍ଚ୍ଚ ମାସ ଆଠତାରିଖକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରିବା ପାଇଁ ସ୍ୱୀକୃତି ଦିଏ ।

ଏବେ ଏଇ ଆନ୍ତର୍ଜାତିକ ନାରୀ ଦିବସ ଉପଲକ୍ଷେ ଆନୁଷ୍ଠାନିକ ଭାବେ ମାର୍ଚ୍ଚ ମାସ ଆଠ ତାରିଖ ଦିନ ଛୁଟି ଘୋଷଣା କରାଯାଏ । ଯେଉଁ ଦେଶଗୁଡିକ ଏଇ ଦିନଟିକୁ ଛୁଟି ଘୋଷଣା କରନ୍ତି, ସେମାନେ ହେଲେ, ଆଫଗାନିସ୍ଥାନ, ଆର୍ମେନିଆ, ଆଜାରବୈଜାନ୍, ବେଲାରୁଷ୍, କମ୍ବୋଡିଆ,କ୍ୟୁବା, ଜର୍ଜିଆ, କାଜାଖସ୍ତାନ୍, ଲାଓସ୍, ମଙ୍ଗୋଲିଆ, ମଣ୍ଟେନିଗ୍ରୋ, ଋଷ, ତାଜାକିସ୍ଥାନ, ତୁର୍କମେନିସ୍ତାନ, ଉଗାଣ୍ଡା, ଉଜବେକିସ୍ତାନ, ଭିଏତନାମ୍ ଓ ଜାମ୍ବିଆ । ଚୀନ, ନେପାଳ, ମେସିଡୋନିଆ ଓ ମାଡାଗାସ୍କାରରେ କେବଳ ନାରୀମାନେ ଏଇ ଦିନ ଛୁଟି ପାଇଥାନ୍ତି । (କିଏ ଜାଣେ, ଆଗାମୀ ନିର୍ବାଚନ ପୂର୍ବରୁ ଭାରତରେ ଏଇ ଦିନଟିକୁ ନାରୀମାନଙ୍କୁ ସବେତନ ଛୁଟିର ଘୋଷଣା ହୁଏତ କରାଯାଇପାରେ !)

ଇତିହାସର ସାଲ ଆଉ ତାରିଖକୁ ଦେଖିଲା ବେଳେ, ଆଗରୁ ଉଲ୍ଲେଖ କରାଯାଇଥିବା ଚୁକ୍ତିକୁ ନେଇ ୧୯୨୩ରେ କେଉଁ ଭଳି ପ୍ରତିବାଦ ନାରୀମାନଙ୍କ ପକ୍ଷରୁ ହୋଇଥିଲା, ସେଇ କଥା ମନକୁ ଆସିବା ସ୍ୱାଭାବିକ । କାରଣ ଆମେ ଇତିହାସର ଯେଉଁ ପୃଷ୍ଟଭୂମିଟି ବିଷୟରେ ଚର୍ଚ୍ଚା କଲେ, ସେଥିରୁ ନାରୀମାନେ ସେତେବେଳକୁ ନିଜର ଅଧିକାର ବିଷୟରେ ଯଥେଷ୍ଟ ସଚେତନ ହେଲେଣି ।

ନାରୀମାନେ ଶିକ୍ଷିକାମାନଙ୍କ ପାଇଁ ଆମେରିକାର ଏହି ଚୁକ୍ତିକୁ କ'ଣ ନିର୍ବିରୋଧରେ ଗ୍ରହଣ କରିନେଲେ ? ସେପରି ହେବାର କଥା ନୁହଁ ।

ଶେଷକଥା

ସଂଲଗ୍ନ ଚୁକ୍ତିଟିକୁ ଦେଖିଲେ ସେଥିରେ ଯେଉଁ ଟାଇମସ୍ ନିଉ ରୋମାନ୍ ଫଣ୍ଟଟି ବ୍ୟବହୃତ ହୋଇଛି, ତାହାର ପ୍ରଚଳନ ୧୯୨୩ରେ ହୋଇନଥିଲା, ୧୯୩୨ରେ ଅର୍ଥାତ୍ ନଅ ବର୍ଷ ପରେ ଉଦ୍ଭାବିତ ହୋଇଥିଲା ।

କୌଣସି ଏକ ଚୁକ୍ତିର ତଳେ ଚୁକ୍ତି ଭିତରକୁ ପ୍ରବେଶ କରୁଥିବା ପକ୍ଷକୁ ସନ୍ତକ କରିବା ପାଇଁ ଏକ ସ୍ଥାନ ଯାହାକୁ ଡଟେଡ୍ ଲାଇନସ୍ ବୋଲି କୁହାଯାଏ, ସେମିତି କିଛି ସ୍ଥାନର ବରାଦ ନାହିଁ ଚୁକ୍ତିରେ । ତେଣୁ ଚୁକ୍ତିଟି କୌଣସି ପ୍ରୋଫର୍ମା ଭଳି ନହୋଇ ଏକ ହାଣ୍ଡବିଲ୍ ଭଳି ଦେଖାଯାଉଛି ।

ଚୁକ୍ତିରେ କୁହାଯାଇଛି ଯେ, ଏହା ଏକ ସେପ୍ଟେମ୍ବର ୧୯୨୩ ଠାରୁ ଲାଗୁହେବ । ବାର ଅନୁସାରେ ଦେଖିଲେ ଏହା ଶନିବାର ।ସାଧାରଣତଃ କୌଣସି ସରକାରୀ ଚୁକ୍ତି ଶନିବାର ଦିନ ସମ୍ପାଦିତ ହେବା ଅର୍ଥ ତାହା ପର ଦିନ, ମାନେ ରବିବାରଠାରୁ କାର୍ଯ୍ୟକାରୀ ହେବାର ନଜିର ନାହିଁ ।

ସବୁଠୁ ବଡ କଥା ହେଲା ୧୯୨୩ ବେଳକୁ ପେଟିକୋଟ୍ ନାରୀମାନଙ୍କ ହାଲ୍ ଫେସନ୍‌ରେ ନ ଥିଲା ।

ତେଣୁ ଏତେଗୁଡିଏ ତୃଟିର ଆଧାରରେ ଏହା ସତ୍ୟ ଯେ, ଏହି ଚୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଅସତ୍ୟ । ଯାହାକୁ ଇଣ୍ଟରନେଟ୍ ହୋକ୍ସ ବା ଆନ୍ତର୍ଜାଲିକ ପ୍ରତାରଣା ବୋଲି ନିର୍ବିବାଦରେ ଗ୍ରହଣ କରାଯାଇ ପାରେ । ଆଜିକାଲି ଏଇ ଜାତୀୟ ପ୍ରତାରଣାର ମାତ୍ରା ବଢ଼ିବାରେ ଲାଗିଛି, ଆଉ ଆମେ ଏହାକୁ ବିନା ଦ୍ୱିଧାରେ ପ୍ରଚାରପ୍ରସାର କରି ଆମର ତଥା ଆମ ସମସ୍ତଙ୍କର ଯେଉଁ ଅପରିସୀମ କ୍ଷତି କରୁଛୁ, ତାହା ଆମେ ଠିକ୍ ଭାବରେ ହୃଦୟଙ୍ଗମ କରିପାରୁନାହେଁ । ଅପସୂଚନା ଜଣକୁ ମାନସିକ ଭାବରେ ଦୁର୍ବଳ କରେ । ଯେଉଁ ସମୟରେ ଏଇ ଜାତୀୟ ସୂଚନା ବଳରେ ନିଜକୁ ଜଣେ ରାଜପୁତ୍ର ବୋଲି ଭାବି ଆସିଥିବା ଚରିତ୍ରଟି ନିଜକୁ ପ୍ରକୃତରେ ଯେତେବେଳେ ଜଣେ ମାଙ୍କଡ ବୋଲି ଜାଣିବ, ସେତେବେଳେ ସେହି ପତନଟି ଅତ୍ୟନ୍ତ ମର୍ମନ୍ତୁଦ ହେବ ।

ଆଜି ସକାଳୁ ଅନ୍ୟୁନ ପଚିଶ ଜଣ ବନ୍ଧୁ, ଯେଉଁମାନେ ମୋର ନୈତିକ ଜ୍ଞାନର ସମୃଦ୍ଧି ତଥା ମୋ ଭଳି ଯେତେ ପ୍ରାଚୀନପନ୍ଥୀଙ୍କୁ ପୃଥିବୀର ସମସାମୟିକ ଘଟଣା ପ୍ରବାହରେ ସାମିଲ୍ କରିବା ଲକ୍ଷ୍ୟରେ ନିଜର ଅଙ୍ଗୁଳି ଅଗ୍ରର ବହୁଳ ସ୍ୱେଚ୍ଛାକୃତ ବ୍ୟବହାର କରିଆସୁଛନ୍ତି, ସେମାନଙ୍କ ସୌଜନ୍ୟରୁ ଗୋସ୍ୱାମୀ ତୁଳସୀ ଦାସ ଙ୍କ ଧାଡି ଦୁଇଟି ମିଳିଛି:

ରାମନାମ ଜପତେ ଅତ୍ରି ମତ ଗୁସିଆଉ,
ପଙ୍କମେ ଉଗୋହମି ଅହି କେ ଛବି ଝାଓ ।

ମୋର ଗୋସ୍ୱାମୀଙ୍କ ରଚନା ସମ୍ପର୍କରେ ସାମାନ୍ୟ ଧାରଣା ନାହିଁ । ତେଣୁ ଏହାର ସତ୍ୟତା ବିଚାର ଆପଣଙ୍କର । ମୋର ଜ୍ଞାନବୁଦ୍ଧିପ୍ରଦାୟକ ବଂନ୍ଧୁମାନେ ଗୋସ୍ୱାମୀଙ୍କ ଏହି ରଚନାଟି ଭାରତର ସବୁ ପ୍ରଦେଶର ନାମର ଆଦ୍ୟ ଅକ୍ଷରକୁ ନେଇ ରଚିତ ବୋଲି ବ୍ୟାଖ୍ୟାନଟି ଅତି ଗଦଗଦ ଭାବରେ କରିଛନ୍ତି ।

ଗୋସ୍ୱାମୀଙ୍କ ଏଇ ରଚନାଟିକୁ ଏହି ଭଳି ଉଦ୍ଧୃତ ତଥା ବିପଣନ କରିବା ପଛରେ ଯେଉଁ ଗୈରିକ ଉଲ୍ଲାସର ସୁସଙ୍ଗଠିତ ରାଜନୈତିକ ଆୟୋଜନ, ତାହା ଆମର ବନ୍ଧୁମାନେ ହୁଏତ ବୁଝିନାହାଁନ୍ତି ।

ଚେସ୍ ବୋର୍ଡର ସୈନିକଟିଏ ମରିବା ଯାଏଁ ଆଗକୁ ଆଗକୁ ଚାଲେ, କିନ୍ତୁ ପଛରେ ସୁରକ୍ଷିତ ରାଜା ମନ୍ତ୍ରୀମାନେ ନିଜ ସୁବିଧା ଅନୁସାରେ ଆଗପଛ ହେଉଥାନ୍ତି ।

No comments:

Post a Comment