ମେଗାସ୍ଥିନିସ୍ଙ୍କ ଭାରତ ବିବରଣ
କେଦାରନାଥ ମହାପାତ୍ର
କର୍ଣ୍ଣାଟକସ୍ଥ ଶ୍ରବଣବେଲାଗୋଲାଠାରେ ସ୍ଥିତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ନିର୍ବାଣସ୍ଥଳ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଗ୍ରୀକ୍ଦୂତ
ମେଗାସ୍ଥିନିସ୍ ଚନ୍ଦ୍ରଗୁପ୍ତଙ୍କ
ଶାସନ ଓ ପାଟଳୀପୁତ୍ର ସମ୍ୱନ୍ଧରେ
ଗୋଟିଏ ବଡ ଗ୍ରନ୍ଥ ଲେଖି ଥିଲେ ।
ଗ୍ରନ୍ଥର ଅଧିକାଂଶ ନଷ୍ଟ ହୋଇ ଯାଇଛି,
ତାହାର
କେତେକାଂଶ ଆଜିକାଲି ମିଳୁଛି ।
ସେଥିରୁ ନିମ୍ନୋକ୍ତ ବିଷୟ ଜଣା ଯାଏ
।
ପାଟଳୀପୁତ୍ର ବା ପାଟଣା ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା । ଏହା ନଅ ମାଇଲ ଲମ୍ୱ ଓ ପ୍ରାୟ ଦୁଇ ମାଇଲ ଓସାର ଥିଲା । ଏହାର ଚତୁର୍ଦ୍ଦିଗରେ ଗୋଟିଏ ସୁଦୃଢ଼ ପ୍ରାଚୀର ଥିଲା । ଏହି ପ୍ରାଚୀରରେ ୫୭୦ଟି ଗମ୍ୱୁଜ ଓ ୬୪ଟି ଫାଟକ ଥିଲା । ପ୍ରାଚୀର ଚାରି ପଟେ ଗୋଟିଏ ଗଭୀର ପରିଖା ବା ଗଡ଼ଖାଇ ଥିଲା । ଏହି ଖାଇଟି ସର୍ବଦା ଜଳପୂର୍ଣ୍ଣ ରହୁ ଥିଲା । ନଗର ମଧ୍ୟରେ ରାଜାଙ୍କର ଗୋଟିଏ ପ୍ରକାଣ୍ଡ ରାଜବାଟୀ ଥିଲା । ରାଜବାଟୀଟି କାଠରେ ତିଆରି ହୋ ଇଥିଲା ଓ ସୁନ୍ଦର କାରୁକାର୍ଯ୍ୟ ଖଚିତ ଥିଲା । ରାଜସଭାର ଆଡ଼ମ୍ୱର ଅତି ଚମତ୍କାର ଥିଲା । ସଭାଗୃହର କାନ୍ଥମାନଙ୍କରେ ସୁନାତିଆରି ଲତାମାନଙ୍କରେ ନାନାରତ୍ନନିର୍ମିତ ପକ୍ଷୀସବୁ ଖଞ୍ଜା ହୋଇ ଥିଲେ ।
ରାଜବାଟୀର ବାସନସବୁ ସୁନାରେ
ତିଆରି ହୋଇ ଥିଲା । ରାଜା ସୁନାର
ପାଲିଙ୍କିରେ ଯିବା ଆସିବା କରୁ ଥିଲେ
ଓ ବହୁମୂଲ୍ୟ ପୋଷାକ ପିନ୍ଧୁ ଥିଲେ
। ତାଙ୍କୁ ଜଗିବା ସକାଶେ ସ୍ତ୍ରୀ
ପ୍ରହରୀମାନେ ନିଯୁକ୍ତ ଥିଲେ ।
ମେଷ, ବୃଷ,
ହସ୍ତୀ,
ଗଣ୍ଡାରମାନଙ୍କର
ଯୁଦ୍ଧ ଓ ଶିକାର ରାଜାଙ୍କର ବଡ
ପ୍ରିଟ ବ୍ୟସନ ଥିଲା ।
ପାଟଳୀପୁତ୍ରର ଶାସନଭାର ଗୋଟିଏ ୩୦ ଜଣିଆ କମିଟି ବା (ମ୍ୟୁନିସିପାଲିଟି) ହାତରେ ଥିଲା । ଏହି ସଭାଟି ଛଅଟି ପଞ୍ଚାୟତରେ ବିଭକ୍ତ ହୋଇ ଥିଲା । ପଞ୍ଚାୟତମାନଙ୍କର କାମ ବଣ୍ଟା ହୋଇ ଥିଲା । ସେମାନେ ବିଦେଶୀମାନଙ୍କର ଯତ୍ନ ନେଉ ଥିଲେ । ଜନ୍ମମୃତ୍ୟୁର ତାଲିକା ରଖୁ ଥିଲେ । ବିକ୍ରୀ ଜିନିଷ ଉପରେ ତୋଳା ଅସୁଲ କରୁ ଥିଲେ । ବାଣିଜ୍ୟ ବ୍ୟବସାୟ ଓ କୁଟୀରଶିଳ୍ପର ତତ୍ତ୍ୱ ନେଉ ଥିଲେ । ଏହା ଛଡ଼ା ସେମାନେ ରାସ୍ତା, ଘାଟ, ମନ୍ଦିର ଓ ସହରର ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେଉ ଥିଲେ ।
ଚନ୍ଦ୍ରଗୁପ୍ତଙ୍କର ପ୍ରକାଣ୍ଡ ଚତୁରଙ୍ଗବଳ ଥିଲା । ସେଥିରେ ଛଅ ଲକ୍ଷ ପଦାତି, ୩୦ ହଜାର ଅଶ୍ୱାରୋହୀ, ନଅ ହଜାର ଗଜାରୋହୀ ଓ ବହୁସଙ୍ଖ୍ୟକ ରଥ ଥିଲା । ଏହା ବ୍ୟତୀତ ଅନେକ ନୌସୈନ୍ୟ ମଧ୍ୟ ଥିଲେ । ଯୁଦ୍ଧକ୍ଷେତ୍ରକୁ ଜିନିଷପତ୍ର ଯିବାର ସୁବ୍ୟବସ୍ଥା ଥିଲା । ଏହା ଛଅଟି ବିଭାଗ ଓ ଛଅଟି ପଞ୍ଚାୟତ ହାତରେ ଥିଲା । ସୈନ୍ୟମାନେ ସୁଶିକ୍ଷିତ ଥିଲେ । ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜକୋଷରୁ ଦିଆ ଯାଉ ଥିଲା ।
ରାଜ୍ୟର
ଖବର ରଖିବା ପାଇଁ ଅନେକ ଗୁପ୍ତଚର
ନିଯୁକ୍ତ ହୋଇ ଥିଲେ । ଆଇନ କାନୁନ
ବଡ଼ କଡ଼ା ଥିଲା । ଚୋରି,
ଡକାୟତି,
ବ୍ୟଭିଚାର,
ଠକାମି,
ଜାଲ୍, ଜୁଆ, ଚୋରି,
ମିଥ୍ୟାସାକ୍ଷ୍ୟ
ପ୍ରଭୃତି ଦୋଷ ପାଇଁ କଠିନ ଦଣ୍ଡ
ଦିଆ ଯାଉ ଥିଲା;
ତେଣୁ
ଦେଶରେ ଚୋରି ଡକାୟତି ହେଉ ନ ଥିଲା
ଓ ଲୋକମାନେ ସୁଖଶାନ୍ତିରେ ଥିଲେ
। ଲୋକମାନେ ସତ୍ୟବାଦୀ ଓ ସାହସୀ
ଥିଲେ ଏବଂ ପବିତ୍ର ଭାବରେ ଜୀବନ
ଯାପନ କରୁ ଥିଲେ । ଦେଶ ଧନ ରତ୍ନରେ
ପରିପୂର୍ଣ୍ଣ ଥିଲା ।
ରାଜ୍ୟର
ଚାରିଆଡ଼କୁ ଯିବା ପାଇଁ ରାସ୍ତାମାନ
ତିଆରି ହୋଇ ଥିଲା । ରାସ୍ତାମାନଙ୍କରେ
ଦୂରତ୍ୱ ଜାଣିବା ପାଇଁ ପ୍ରତି ଅଧ
କୋଶରେ ଖୁଣ୍ଟିମାନ ପୋତା ହୋଇ ଥିଲା
। ପାଟଳୀପୁତ୍ରଠାରୁ ଉତ୍ତର ପଶ୍ଚିମ
ସୀମାନ୍ତ ପର୍ଯ୍ୟନ୍ତ ଗୋଟିଏ
ଚଉଡ଼ା ଓ ମଜବୁତ ରାସ୍ତା ଥିଲା ।
ଜଳସେଚନ କାର୍ଯ୍ୟର ତତ୍ତ୍ୱ
ନେବା ପାଇଁ କେତେକ କର୍ମଚାରୀ
ଥିଲେ । ଏ
ସମସ୍ତ ପାଠ କଲେ ଜଣା ଯାଏ,
ଚନ୍ଦ୍ରଗୁପ୍ତ
ପ୍ରାଚୀନ ଭାରତର ଜଣେ ବିଖ୍ୟାତ
ସମ୍ରାଟ ଥିଲେ । ସେ ଖ୍ରୀ:
ପୂ:
୨୯୮
ପର୍ଯ୍ୟନ୍ତ ରାଜତ୍ୱ କରି ଥିଲେ
।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment