Monday, June 17, 2019

କୁମାରଗୁପ୍ତ ଓ ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ ତଥା ଗୁପ୍ତଯୁଗରେ ଭାରତର ଅବସ୍ଥା  


କେଦାରନାଥ ମହାପାତ୍ର



ଗୁପ୍ତ ସାମ୍ରାଜ୍ୟ ସମୟରେ ନିର୍ମିତ ଲୌହ ସ୍ତମ୍ଭ (ୱିକିମିଡିଆ କମନ୍ସ୍)
ବର୍ତ୍ତମାନ ଦିଲ୍ଲୀର କୁତବ୍ କମ୍ପ୍ଲେକ୍ସ ଭିତରେ ସ୍ଥିତ


କୁମାରଗୁପ୍ତ

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର କୁମାରଗୁପ୍ତ ଖ୍ରୀ: ୪୧୩ ଠାରୁ ଖ୍ରୀ: ୪୫୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଥିଲେ ଓ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । 

ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ

ସ୍କନ୍ଦଗୁପ୍ତଙ୍କ ପୂର୍ବରୁ ହୁଣ ନାମକ ଗୋଟିଏ ପାର୍ବତ୍ୟ ନୃଶଂସ ଜାତି ମଧ୍ୟ-ଏସିଆରୁ ଭାରତବର୍ଷକୁ ଆସିଥିଲେ । ସେ ହୁଣମାନଙ୍କୁ ପରାସ୍ତ କରି ଭାରତକୁ ପୁନର୍ବାର ବିଦେଶୀ ଶତୃମାନଙ୍କ ହାତରୁ ରକ୍ଷା କରିଥିଲେ । ସେ ପିତାମହଙ୍କ ତୁଲ୍ୟ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ସେ ଖ୍ରୀ: ୪୫୫ରୁ ଖ୍ରୀ: ୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଗୁପ୍ତ ବଂଶ ଦୁର୍ବଳ ହୋଇଗଲା କିନ୍ତୁ ଗୁପ୍ତରାଜାମାନେ ବହୁ କାଳ ଭାରତର ନାନା ସ୍ଥାନରେ ରାଜତ୍ୱ କରିଥିଲେ । 

ଗୁପ୍ତଯୁଗରେ ଭାରତର ଅବସ୍ଥା 

ଗୁପ୍ତମାନଙ୍କ ରାଜତ୍ୱ କାଳରେ ଦେଶ ଶକ, ଯବନ, କୁଶାଣ ପ୍ରଭୃତି ବିଦେଶୀୟମାନଙ୍କ ହସ୍ତରୁ ମୁକ୍ତ ହୋଇଥିଲା । ବହୁ କାଳ ଲୁପ୍ତ ବ୍ରାହ୍ମଣଧର୍ମ ଗୁପ୍ତ ସମ୍ରାଟମାନଙ୍କ ସାହାଯ୍ୟରେ ଦେଶରେ ପୁନଃ-ପ୍ରତିଷ୍ଠିତ ହେଲା । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ବୌଦ୍ଧଯୁଗରେ କମି ଯାଇଥିଲା । କିନ୍ତୁ ଗୁପ୍ତଯୁଗରେ ସଂସ୍କୃତରେ ଶତ ଶତ ପୁରାଣ, କାବ୍ୟ, ନାଟକ, ଶିଳାଲିପି, ତାମ୍ରଶାସନ ଲିଖିତ ହୋଇଥିଲା । ମହାକବି କାଳିଦାସ, କବି ହରି ସେନ, ଜ୍ୟୋତିଷାଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଓ ବରାହମିହିର ପ୍ରଭୃତି ଏହି ଯୁଗରେ ଜନ୍ମ ହୋଇଥିଲେ । ଅଜନ୍ତା ଗୁମ୍ପାରେ ଖୋଳା ହୋଇଥିବା ଚିତ୍ରଗୁଡିକ ସମଗ୍ର ପୃଥିବୀବିଖ୍ୟାତ । ଏହି ଯୁଗରେ ଭାରତୀୟମାନେ ବ୍ରହ୍ମଦେଶ, ଶ୍ୟାମ, କାମ୍ୱୋଡିଆ ଓ ଜାଭା, ସୁମାତ୍ରା ପ୍ରଭୃତିରେ ରାଜ୍ୟ ସ୍ଥାପନ କରି ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଏହି ସମସ୍ତ ଉନ୍ନତି ଯୋଗୁଁ ଗୁପ୍ତ ରାଜତ୍ୱକୁ ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment