Wednesday, June 12, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୩'

ଅନୁବାଦକ - ଚିତ୍ତରଞ୍ଜନ ଦାସ


କଙ୍ଗ୍ରେସ କର୍ମୀ ମୃଦୁଲା ସାରାଭାଇଙ୍କ ସହ ମହାତ୍ମା ଗାନ୍ଧୀ (୧୯୪୨ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଲୋକେ ଇଂରେଜୀ ବକ୍ତୃତା ବିନ୍ଦୁବିସର୍ଗ ବୁଝିପାରୁ ନଥିଲେ ହେଁ ସେମାନଙ୍କର ଧୈର୍ଯ୍ୟ ଓ ସହଜାତ ଶିଷ୍ଠାଚାର ଦେଖି ମୁଁ ଆଶ୍ଚର୍ଯ୍ୟନ୍ୱିତ ହୋଇଗଲି । ସେମାନେ ଇଚ୍ଛା କରିଥିଲେ ଗୋଳମାଳ କରିଥାନ୍ତେ ;ମାତ୍ର ସେମାନେ ତାହା କରନ୍ତି ନାହିଁ । ମୋର ଏ କଥାରେ ଆପଣମାନଙ୍କର ସନ୍ଦେହ ହେଉଥିଲେ ଶ୍ରୋତାମାନଙ୍କୁ ହାତ ଉଠାଇବାକୁ କହି ମୁଁ ପ୍ରମାଣ କରିଦେଇପାରେ ଯେ କେତେ ଅଳ୍ପ ଛାତ୍ରମାନଙ୍କ ମଧ୍ୟରୁ କେତେ ଅଳ୍ପ ତାହା ବୁଝିଛନ୍ତି ।

ଆଉ ଗୋଟିଏ ବିଷୟ ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୋର ଲୋଭ ହେଉଅଛି । ମୁଁ ଯାହା ଆଦୌ ଆଶା କରି ନଥିଲି ସେପରି ଗୋଟିଏ ଦୃଶ୍ୟ ଆଜି ସକାଳେ ଦେଖିଲେ । ମାଲବୀୟଜୀଙ୍କଠାରୁ ନୀରବ ଆଶୀର୍ବାଦ ଗ୍ରହଣ କରି ତାଙ୍କ ଘର ବାଟେ ଛାତ୍ରମାନେ ଶୋଭାଯାତ୍ରା କରି ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଯାଉଥିଲେ । ସେମାନେ ଯେପରି ଚାଲୁଥିଲେ ସେଥିରୁ ବ୍ୟାୟାମ ଶିକ୍ଷାର ଅତି ପ୍ରାଥମିକ ଜ୍ଞାନର ଅଭାବ ଧରାପଡ଼ିଯାଉଥିଲା । ସୈନ୍ୟମାନଙ୍କ ପରି ଶୃଙ୍ଖଳିତ ଭାବରେ ପାଦ ମିଳାଇ ଓ ମେରୁଦଣ୍ତକୁ ସିଧା କରି ଚାଲିବା ପରିବର୍ତ୍ତରେ ସେମାନେ ବିଶୃଙ୍ଖଳ ଓ ନିର୍ଲକ୍ଷ୍ୟ ଭାବରେ ଯାଉଥିଲେ ।

ବିଶ୍ୱବିଦ୍ୟାଳୟ ପ୍ରକାଣ୍ତ ପ୍ରବେଶ ପଥରେ ଯେଉଁ ଦୃଶ୍ୟ ଆପଣମାନଙ୍କୁ ସ୍ୱାଗତ ଜଣାଏ,ତାହା ବିଷୟରେ ପଦେ ନକହି ମୁଁ ରହିପାରୁ ନାହିଁ । ଚାହିଁବା ମାତ୍ରେ ମାଲବୀୟଜୀଙ୍କୁ ମିଳିଯାଉଥିବା ଅର୍ଥ ଯୋଗୁଁ ଏଠାକାର ସୁଗମ୍ୟ ପ୍ରାସାଦମାଳା ସହିତ ଏହି ତୋରଣର ମଧ୍ୟ ସାମଞ୍ଜସ୍ୟ ଅଛି । ମାତ୍ର ତୋରଣର ଶିଖରରେ ମୁଁ କଅଣ ଦେଖିଲି ? ଇଂରାଜୀରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଧିକ ଭାଗ (ତିନି-ଚତୁର୍ଥାଂଶ) ମାଡ଼ି ବସିଛି । ଯେଉଁ ହିନ୍ଦୀ ଭାଷାରେ ଆପଣମାନେ ଜ୍ଞାନ ଅର୍ଜନ କରିବାର କଥା ସେହି ହିନ୍ଦୀରେ ମାତ୍ର ଏକ-ଚତୁର୍ଥାଂଶ ପରିସରରେ ଲେଖାହୋଇଛି । ଏଠାରେ ଇଂରାଜୀ ଭାଷାର କି ଆବଶ୍ୟକତା ଥିଲା ମୁଁ ବୁଝିପାରୁ ନାହିଁ ଯେଉଁମାନେ ଏହାର ଦାୟିତ୍ୱରେ ଥିଲେ ସେମାନେ ଟିକିଏ ଚିନ୍ତା କରିଥିଲେ ଜାଣିପାରିଥାନ୍ତେ ଯେ ଦେବନାଗରୀ ଓ ପାର୍ଶୀ ଲିପିରେ ଏ ନାମ ଲେଖା ହୋଇଥିଲେ ଠିକ୍ ହୋଇଥାନ୍ତା । ମାଲବୀୟଜୀଙ୍କର ବିଶ୍ୱବିଦ୍ୟାଳୟ ପାଇଁ ଓ ସାର୍ ରାଧାକୃଷ୍ଣନ୍‌ଙ୍କର ସାଂପଦାୟିତ ଐକ୍ୟ ପାଇଁ ଯେଉଁ ଅଭିଳାଷ ଅଛି ଏହି ଲେଖା ଲୋକଙ୍କ ଆଗରେ ଗୋଟିଏ ସଙ୍କେତ ହୋଇଥାନ୍ତା । ହିନ୍ଦୀ ଓ ଉର୍ଦ୍ଦୁ ଉଭୟକୁ ଏ ଅଞ୍ଚଳ ଲୋକେ ବୁଝୁଥିବାରୁ ଏବଂ ଉଭୟ ଲିପି ସହ ପରିଚିତ ହୋଇଥିବାରୁ ଏହା ଶୋଭା ପାଇଥାନ୍ତା । ଇଂରେଜୀ ଶିଖିବାରେ ଆମେ ବହୁକାଳ ନଷ୍ଟ କରିବା ହେତୁ ଆମର ମନ ଜଡ଼ ଓ ସ୍ମୃତିଶକ୍ତି ଓ କଳ୍ପନାଶକ୍ତି ଖର୍ବ ହୋଇଯାଇଛି ।

ହିନ୍ଦୀ କହି ଜାଣି ନଥିବା ଲୋକ ପକ୍ଷରେ ହିନ୍ଦୀ ଓ ହିନ୍ଦୁସ୍ତାନୀ ଶିଖିବା ଆଦୌ କଷ୍ଟକର ନୁହେଁ । ଗୁଜୁରାତୀ,ବଙ୍ଗଳା ବା ମରାଠୀ ଜାଣିଥିବା ଲୋକକୁ ମୁଁ ମାତ୍ର ତିନି ମାସ ମଧ୍ୟରେ ହିନ୍ଦୀ ଶିଖାଇ ଦେଇପାରେ । ଦକ୍ଷିଣ ଭାରତୀୟ ଭାଷା ତାମିଲ,ତେଲୁଗୁ,ମଲୟାଲମ୍ କନ୍ମଦ-ସଂସ୍କୃତ ଶବ୍ଧରେ ପୂର୍ଣ୍ଣ । ଯଦି ଆମ ଭିତରେ ଟିକିଏ ଆଗ୍ରହ ଓ ସ୍ୱଦେଶପ୍ରୀତ ଥାନ୍ତା ,ତେବେ ଦକ୍ଷିଣ ଭାରତୀୟ ଭାଷାପୁଞ୍ଜ ସମେତ ସମସ୍ତ ସଂସ୍କୃତ ସମ୍ଭୁତ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଆମ୍ଭେମାନେ ଦ୍ୱିଧା କରନ୍ତୁ ନାହିଁ ଏହି ଭାଷାଗୁଡ଼ିକରେ ବହୁ ଶବ୍ଧ ସମାନ ଅଛି । କେବଳ ସେତିକି ନୁହେଁ ମାତ୍ର ଲିପିଗୁଡ଼ିକ ମଧ୍ୟରେ ହଠାତ୍ ଦୃଷ୍ଟିରେ ପଡ଼ିବା ଭଳି ସାମଞ୍ଜସ୍ୟ ମଧ୍ୟ ଅଛି । ଆମ୍ଭମାନଙ୍କର ମନ ଅବସନ୍ନ ହୋଇ ପଡ଼ି ନଥିଲେ ଆମ୍ଭେମାନେ ସହଜରେ ଅଧଡ଼... ଭାରତୀୟ ଭାଷା ଶିଖି ନିଅନ୍ତେ । ପଣ୍ତିତମାନେ ହିନ୍ଦୀରେ ଯେପରି ସଂସ୍କୃତ ଓ ଶବ୍ଦମାନ ଭଳି ଦେଉଛନ୍ତି ସେହିପରି ଉର୍ଦ୍ଦୁ ପାଠୁଆମାନେ ସେଥିରେ ପାର୍ଶୀ ଓ ଆରବୀ ଶବ୍ଦ ଖନ୍ଦି ଦେବାକୁ ଗର୍ବ ଅନୁଭବ କରୁ ନଥିଲେ ଉର୍ଦ୍ଦୁ ଶିଖିବା କଷ୍ଟକର ହୁଅନ୍ତା ନାହିଁ ।

ଆଉ ଗୋଟିଏ କଥା ଆପଣମାନଙ୍କୁ କହିଥାଏଁ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ପରମ୍ପରା ଏହାର ପାର୍ଥକ୍ୟ ସୂଚକ ଅଭିବ୍ୟକ୍ତି ଥିବା ଆଶା କରାଯାଏ । ଉଦାହରଣ ସ୍ୱରୂପ ଅକ୍‌ସଫୋର୍ଡ ଓ କ୍ୟାମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟ ପାଶ୍ଚାତ୍ୟ ସଭ୍ୟତାର ବ୍ଲଟିଂ ପେପର (ଗ୍ରୁପା କାଗଜ) । ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଅଛୁଁ ବୋଲି ଆତ୍ମପ୍ରସାଦ ଲାଭ କରିଛୁଁ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲୋକସାଧାରଣଙ୍କର ଅଭାବ ଅସୁବିଧା ବା ଆବଶ୍ୟକତାକୁ ପ୍ରତିଫଳିତ ଓ ପୁରାଣ କରୁଛନ୍ତି କି? ଆପଣଙ୍କର ଏହି ବିଦ୍ୟାଳୟ ବିଶେଷତ୍ୱ ଏହା ଯେ ଏଠାରେ ଯେଉଁ ଇଞ୍ଜିନିୟରିଂ ଓ ଟେକ୍‌ନୋଲଜୀ ଶିକ୍ଷା ଦିଆଯାଏ ,ତାହା ଅନ୍ୟ କୁ ମାପି ନାହିଁ । ଏହାକୁ ମୁଁ ଗୋଟିଏ ବିଶେଷତ୍ୱ ବୋଲି ବିଚାର ନାହିଁ । ମୁଁ ଗୋଟିକର ସୂଚନା ଦେଉଛି । ଆଲିଗଡ଼ରୁ ଯୁବକ ବିଦ୍ୟାର୍ଥୀମାନଙ୍କୁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟକୁ ଆକର୍ଷଣ କରିପାରିଛନ୍ତି କି? ସେମାନଙ୍କ ସହିତ ଆପଣମାନେ ନିଜକୁ ମିଳାଇ ଦେଇପାରିଛନ୍ତି କି? ମୁଁ ମନେ କରୁଛି ଯେ ତାହା ହିଁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟର ବିଶେଷ ଅବଦାନ ଖାସ କାର୍ଯ୍ୟ ହେଉ । ଈଶ୍ୱର ମାଲବୀୟଜୀଙ୍କୁ ଆମ ଭିତରେ ଆଉ କେତେ ବର୍ଷ ରଖିଲେ ଅର୍ଥ ଆସିବ, ଅର୍ଥ ଅଧିକ ଆସିବ, ମାତ୍ର ମୁଁ ଯେଉଁ ଅଲୌକିକ କାର୍ଯ୍ୟ ଚାହୁଁଛି- ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ହୃଦୟର ମିଳନ-ତାହା ପଇସା ଦ୍ୱାରା ହୋଇ ପାରିବ ନାହିଁ । 

ମୁସଲମାନମାନଙ୍କୁ ଏଠାକୁ ନିମନ୍ତ୍ରଣ କରି ଆଣନ୍ତୁ ଏବଂ ସେମାନେ ଉକ୍ତ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ, ଆପଣମାନେ ମନରେ କିଛି ଧରନ୍ତୁ ନାହିଁ । ଲୋକମାନ୍ୟ ତିଳକଙ୍କର ଗଣନାରେ ଯେଉଁ ସଭ୍ୟତା ଦଶ ହଜାର ବର୍ଷର ପୁରୁଣା ବା ଅନ୍ୟମାନଙ୍କର ଗଣନାରେ ଆହୁରି ପୁରୁଣା, ଆପଣମାନେ ସେହି ମହାନ୍ ସଭ୍ୟତାର ପ୍ରତିନିଧି । ସେହି ସଭ୍ୟତାର ବିଶେଷ ଅବଦାନ ହେଉଛି ସାରା ସଂସାରକୁ ମିତ୍ର କରିବା । ପବିତ୍ର ଗଙ୍ଗାନଦୀ ପରି ଆମର ସଭ୍ୟତା ବାହାରର ବହୁ ଧାରାକୁ ନିଜ ଭିତରେ ମିଳାଇ ନେଇଛି ଏବଂ‌ ମୋର ନିବେଦନ ଯେ ଯେଉଁ ହିନ୍ଦୁ ବିଶ୍ୱବିଦ୍ୟାଳୟ ହିନ୍ଦୁ ସଂସ୍କୃତ ଓ ସଭ୍ୟତାର ପ୍ରତିନିଧିତ୍ୱ କରିବାକୁ ଯତ୍ନ କରୁଛି । ଅନ୍ୟ ସଂସ୍କୃତରେ ଯାହା କିଛି ଉତ୍କଷ୍ଟ ରହିଛି, ସେଗୁଡ଼ିକ ସ୍ୱାଗତ କରୁ ଓ ନିଜ ଭିତରେ ସମାବିଷ୍ଟ କରିନେଉ ଏବଂ ସାଂପ୍ରଦାୟିକ ଐକ୍ୟ ଓ ସଂପ୍ରୀତିର ଆଦର୍ଶ ହେଉ । ଏପରି ଗଢି ଉଠିବାକୁ ଇଂରେଜୀ ସାହାଯ୍ୟ କରିବ ନାହିଁ । ଆମର ପ୍ରାଚୀନ ଜ୍ଞାନ ଆମର ଧର୍ମଶାସ୍ତ୍ରଗୁଡ଼ିକୁ ଯଥୋଚିତ ଭାବରେ ଆମେ ଅଧ୍ୟୟନ କଲେ ଓ ସେଗୁଡ଼ିକ ମର୍ମ ବୁଝିଲେ-ଆପଣମାନଙ୍କର ସହାୟକ ହେବ ।

ଆଉ ପଦେ କହି ମୋର ବକ୍ତବ୍ୟ ଶେଷ କରିବି । ଆପଣମାନେ ପ୍ରାସାଦୋପମ ଛାତ୍ରାବାସରେ ରହୁଛନ୍ତି ; ମାତ୍ର ପଣ୍ତିତଜୀ ଯେଉଁ କ୍ଷୁଦ୍ର କୁଟୀରରେ ଅତି ସାଦାସିଧା ଭାବରେ ଓ ନିରାଡ଼ମ୍ୱର ଭାବରେ ରହନ୍ତି ତାକୁ ଦେଖନ୍ତୁ । ତାଙ୍କ କୋଠରୀ ଭିତରକୁ ଯାଇ ଦେଖନ୍ତୁ କୌଣସି ସାଜସଜ୍ଜା ନାହିଁ ଏବଂ ଅତି ସାମାନ୍ୟ ଉପକରଣ । ଆପଣମାନେ ତାଙ୍କର ଉତ୍ତରାଧିକାରୀ ହେବେ ତାଙ୍କର ଜୀବନର ଅନୁକରଣରେ ନିଜର ଜୀବନ ଗଢ଼ନ୍ତୁ । ଆପଣମାନଙ୍କ ମଧ୍ୟରୁ ଅନେକେ ଦରିଦ୍ର ପିତାମାତାଙ୍କର ସନ୍ତାନ । ଦରିଦ୍ର ଲୋକଙ୍କର ପ୍ରତିନିଧିତ୍ୱ ଆପଣମାନେ କରିବେ, ଏକଥା ଭୁଲିଯାନ୍ତୁ ନାହିଁ । ତେଣୁ ଅୟସ-ବିଳାସର ଜୀବନ ଆମ ଦେଶର ଦାରିଦ୍ର୍ୟ ସହ ଖାପ୍ ଖାଏ ନାହିଁ । ମାଲବୀୟଜୀଙ୍କର ପରି ଆପଣମାନେ ପ୍ରତ୍ୟେକେ ସରଳ ଜୀବନ ଯାପନ ଓ ମହାନ୍ ଚିନ୍ତନର ପ୍ରତିମୂର୍ତ୍ତି ହେଉନ୍ତୁ । ମୋର ବକ୍ତବ୍ୟ ଯଦି ଆପଣମାନଙ୍କର ହୃଦୟକୁ ସ୍ପର୍ଶ କରିଛି , ତେବେ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଭଗବାନ ପ୍ରଜ୍ଞା ଓ ଦୀର୍ଘାୟୁ ଆପଣମାନଙ୍କୁ ଦିଅନ୍ତୁ ।

ହରିଜନ ,ତା ୧--୧୯୪୨

No comments:

Post a Comment