ଫାହିଆନ୍
କେଦାରନାଥ ମହାପାତ୍ର
ଫାହିଆନ୍ଙ୍କର ଯାତ୍ରାର ମାନଚିତ୍ର (୧୮୬୯ ମସିହାରେ ଅଙ୍କିତ) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ସମୁଦ୍ରଗୁପ୍ତଙ୍କ ରାଜତ୍ୱ କାଳରେ ଫାହିଆନ୍ ନାମକ
ଚୀନ ଦେଶୀୟ ପରିବ୍ରାଜକ ଭାରତର
ବୌଦ୍ଧ ପୀଠମାନ ଦେଖିବା ପାଇଁ ଓ ବୌଦ୍ଧ
ଗ୍ରନ୍ଥମାନ ସଙ୍ଗ୍ରହ କରିବା ପାଇଁ
୪୦୧ ଖ୍ରୀଷ୍ଟାଦ୍ଦରେ ଖାଇବାର
ଚିରିସଙ୍କଟ ବାଟେ ଭାରତକୁ ଆସିଥିଲେ
। ସେ ଉତ୍ତର ଭାରତରେ ୧୫ ବର୍ଷ କାଳ
ବୁଲି ଅନେକ ବୌଦ୍ଧ ତୀର୍ଥ ପରିଦର୍ଶନ
କରିଥିଲେ । ତାଙ୍କ ଭ୍ରମଣ ବୃତ୍ତାନ୍ତରୁ
ଜଣାଯାଏ ଯେ, ସେ ସମୟରେ ପାଟଳୀପୁତ୍ର
ଭାରତର ରାଜଧାନୀ ନ ଥିଲେ ମଧ୍ୟ
ଗୋଟିଏ ସୁନ୍ଦର ଧନଜନପୂର୍ଣ୍ଣ
ନଗରୀ ଥିଲା । ସେଠାରେ ଅଶୋକଙ୍କର
ଗୋଟିଏ ବିଶାଳ ରାଜପ୍ରାସାଦ ଥିଲା
।
ଭାରତର ଲୋକମାନେ ସୁଖ ଶାନ୍ତିରେ
ରହିଥିଲେ । କରପୀଡ଼ା ଆଦୌ ନ ଥିଲା
। ପ୍ରଜାମାନେ ଭୂମିକର ଛଡା ଅନ୍ୟ
କୌଣସି କର ଦେଉ ନ ଥିଲେ । ଚୋରି
ଡକାୟତି ପ୍ରଭୃତି ନ ଥିବାରୁ
ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ
ସ୍ଥାନକୁ ସ୍ୱଚ୍ଛନ୍ଦରେ ଯାଇ
ପାରୁଥିଲେ । ଉତ୍ତର ଭାରତରେ ଅନେକ
ବୌଦ୍ଧମଠ, ଚୈତ୍ୟ,
ବିହାର
ଓ ଚିକିତ୍ସାଳୟ ଥିଲା । ଆଇନ କାନୁନ
ସବୁ କଡ଼ା ନ ଥିଲା ।
ଭାରତରେ ହିନ୍ଦୁ
ଓ ବୌଦ୍ଧ ଦୁଇଟି ପ୍ରଧାନ ଧର୍ମ
ଥିଲା । ହିନ୍ଦୁ ଓ ବୌଦ୍ଧମାନେ
ବନ୍ଧୁ ପରି ଚଳୁଥିଲେ । ଲୋକମାନେ
ପିଆଜ, ରସୁଣ,
ମଦ୍ୟ,
ମାଂସ
ଖାଉ ନ ଥିଲେ । ଚଣ୍ଡାଳମାନେ ଗ୍ରାମର
ବାହାରେ ବାସ କରୁଥିଲେ । ତାମ୍ରଲିପି
(ମେଦିନୀପୁରର
ତମଲୁକ୍) ଗୋଟିଏ
ଧନଜନ ପୂର୍ଣ୍ଣ ବନ୍ଦର ଥିଲା ।
ସେଠାରୁ ସେ ସମୁଦ୍ର ପଥରେ ନିଜ
ଦେଶକୁ ଫେରିଥିଲେ । ଦ୍ୱିତୀୟ ଚନ୍ଦ୍ରଗୁପ୍ତ
ଖ୍ରୀ: ୩୭୫ରୁ
ଖ୍ରୀ: ୪୧୩
ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ
।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment