Tuesday, June 11, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୨'


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୪୨ ମସିହାରେ ଉତ୍ତୋଳିତ ମହାତ୍ମା ଗାନ୍ଧୀଙ୍କର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଜଣକ ପରେ ଜଣେ ବକ୍ତା ଭାଷଣ ଦେଇ ସଭାମଣ୍ତପରୁ ଚାଲିଗଲେ । ମୁଁ ବଡ଼ ଆଶା କରି ଚାତକ ପରି ଚାହିଁଥିଲି ଯେ, କେହି ଜଣେ ହିନ୍ଦୀରେ ବା ଉର୍ଦ୍ଦୁରେ ବା ହିନ୍ଦୁସ୍ତାନୀରେ ନ ହେଲେ ସଂସ୍କୃତରେ କିମ୍ୱା ଯେ କୌଣସି ଗୋଟିଏ ଭାରତୀୟ ଭାଷାରେ ଶ୍ରୋତାମାନଙ୍କୁ କହିବେ । ମାତ୍ର ଆପଣମାନଙ୍କର ଓ ମୋର ଭାଗ୍ୟକୁ ତାହା ଜୁଟିଲା ନାହିଁ । ଆମ୍ଭମାନେ ଗୋଲାମ ଏବଂ ଯେଉଁମାନେ ଆମ୍ଭମାନଙ୍କୁ ଗୋଲାମ କରି ରଖିଛନ୍ତି, ଆମେ ସେହିମାନଙ୍କର ଭାଷାକୁ ଆଦରରେ କୁଣ୍ଢାଇ ଧରିଛୁଁ । ଆମର ଯେ କୌଣସି ଦୁରବସ୍ଥା ପାଇଁ ଇଂରେଜମାନଙ୍କୁ ଦୋଷ ଦେବା ଗୋଟିଏ ଫ୍ୟାସନ ହୋଇ ଗଲାଣି । ସେମାନେ ଏପରି ଅନେକ କିଛି କରିଛନ୍ତି; ଯେଉଁଥିପାଇଁ ମୁଁ ସେମାନଙ୍କୁ ଦୋଷ ଦେବା ପାଇଁ ଦ୍ୱିଧାବୋଧ କରେ ନାହିଁ । ହେଲେ ଭାବ ପ୍ରକାଶ ପାଇଁ ଇଂରେଜୀ ଭାଷା ବ୍ୟବହାର କରିବାକୁ ସେମାନେ ଆମକୁ ବାଧ୍ୟ କରିଛନ୍ତି ବୋଲି ମୁଁ କେବେ ହେଁ ଦୋଷାରୋପ କରି ନାହିଁ । ଇଂରେଜ ଲୋକଙ୍କ ପରି ଆମେ ଇଂରାଜୀ କହିବାର ଉଚ୍ଚାକାଙ୍‌କ୍ଷା ପୋଷଣ କରି ଆମ ଜୀବନର ଅତି ମୂଲ୍ୟବାନ ବର୍ଷଗୁଡ଼ିକ ବିତାଇ ଦେଉଁ ଏବ‌ଂ ନିର୍ଦ୍ଦୋଷ ଇଂରାଜୀ କହିବା ହେତୁ କୌଣସି ଇଂରେଜ ଆମ ପିଠି ଥାପୁଡ଼ାଇ ଦେଲେ ଆମର ଛାତି ଫୁଲି ଉଠେ । ଇଂରେଜୀ ଭାଷାକୁ ସତେ ଯେପରି ଆମର ମାତୃଭାଷା ଭାବି ତାକୁ ଶିଖିବାରେ ଆମର ଯୁବକଯୁବତୀମାନଙ୍କର ଯେଉଁ ସମୟ ଓ ଶକ୍ତି ଖର୍ଚ୍ଚ ହେଉଛିତାହାକୁ ବିଚାର କରନ୍ତୁ ଏବଂ ସମଗ୍ର ଦେଶର ବର୍ଷ-ସଙ୍ଖ୍ୟା ଓ ମୂଲ୍ୟବାନ୍ ଶକ୍ତିର ପରିମାଣ ସରଳ ଗୁଣନ ଦ୍ୱାରା ନିର୍ଣ୍ଣୟ କରନ୍ତୁ ।

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଯ।ହାକୁ ଭାରତୀୟ ସଂସ୍କୃତିର ଜୀବନ୍ତ ପ୍ରତିମୁର୍ତ୍ତି ବୋଲି ଉଚ୍ଛ୍ୱସିତ ଭାବରେ ପ୍ରଶଂସା କରା ଯାଉଛି,ସେହି ବିଶ୍ୱବିଦ୍ୟାଳୟରେ ଏହା ଘଟୁଛି । ଲୋଭନୀୟ ବେତନ ଦେଇ ଯଥାସମ୍ଭବ ଉତ୍ତମ ଅଧ୍ୟାପକମାନଙ୍କୁ ଆକର୍ଷିତ କରିବାକୁ ଯାହା ଆବଶ୍ୟକ, ମାଲବୀୟଜୀ ସେ ସବୁ କରିଛନ୍ତି । ମାତ୍ର ବାକି ତକ ସେ କରି ପାରିଲେ ନାହିଁ । ଏହା ତାଙ୍କର ଦୋଷ ନୁହେଁ; ହିନ୍ଦୀ ଇଂରେଜୀର ସ୍ଥାନ ଅଧିକାର କରି ନାହିଁ । ଯେଉଁ ପରମ୍ପରା ଉତ୍ତରାଧିକାର ଭାବରେ ଶିକ୍ଷକମାନେ ପାଇଛନ୍ତିସେମାନେ ସେହିଥିରୁ ତିଆରି । ସେମାନଙ୍କଠାରୁ ଛାତ୍ରମାନେ ଯାହା ପାଉଛନ୍ତି ସେଥିରେ ସେମାନେ ସନ୍ତୁଷ୍ଟ । ସେମାନେ ସନ୍ତୁଷ୍ଟ ହେବା ଅନୁଚିତ । ଯଦି ତୁଚ୍ଛ କାରଣରୁ ସ‌େମାନେ ଧର୍ମଘଟ କରୁଛନ୍ତି, ଏପରି କି ଅନଶନ କରୁଛନ୍ତିତେବେ ସେମାନେ ସର୍ବଭାରତୀୟ ଏକ ଭାଷାରେ ଶିକ୍ଷା ପାଇବା ପାଇଁ କାହିଁକି ଜିଦ୍ ଧରି ନ ବସିବେ ? ଆନ୍ଧ୍ର ପ୍ରଦେଶରୁ ଏଠାରେ ୨୫୦ ଜଣ ଛାତ୍ର ଅଛନ୍ତି ବୋଲି ଆଜି ଆମେ ଶୁଣିଲୁଁ । ସେମାନେ ସାର୍ ରାଧାକୃଷ୍ଣନ୍ ପାଖକୁ ଯାଇ ବିଶ୍ୱବିଦ୍ୟାଳୟ ଗୋଟିଏ ଆନ୍ଧ୍ର ବିଭାଗ ପାଇଁ ଅନୁରୋଧ କରନ୍ତୁ ଏବଂ ଯଦି ସେମାନେ ଅଖିଳ ଭାରତୀୟ ଭାଷାଟିଏ ନ ଶିଖିବେ ତେବେ ତେଲୁଗୁ ଜରିଆରେ ଶିକ୍ଷା ପାଇବା ପାଇଁ ଦାବୀ କରନ୍ତୁ ।

ଜାପାନରେ କଅଣ ହୋଇଛି ତାହା ଆପଣମାନେ ଜାଣନ୍ତି । ମୂଳତଃ ଏ ଗୋଟିଏ ମହାନ୍ ଦେଶ ବୋଲି ମୁଁ ମନେ କରେ ନାହିଁ । ମାତ୍ର ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଅଧିପତ୍ୟକୁ ସଫଳ ଭାବରେ ଅସ୍ୱୀକାର କରି ଥିବାରୁ ଏସିଆ ମହାଦେଶରେ ଏହାକୁ ମହାନ୍ ବୋଲି ଧରା ଯାଇଛି । ଜାପାନୀ ସ୍କୁଲ ଓ କଲେଜରେ ହଜାର ହଜାର ବାଳକ ଓ ବାଳିକା ଇଂରାଜୀ ମାଧ୍ୟମରେ ନୁହେଁ ଜାପାନୀ ଭାଷାରେ ଶିକ୍ଷା ପାଆନ୍ତି । ସେମାନଙ୍କର ଲିପି କଠିନ; ମାତ୍ର ସେମାନେ ତାହା ଶିଖିବାରେ କୌଣସି ପ୍ରତିବନ୍ଧକ ହୋଇ ନାହିଁ ଏବଂ ରୋମାନ୍ ଲିପିକୁ ପ୍ରାଧ୍ୟନ୍ୟ ଦେବା ପାଇଁ ତାହାକୁ ପରିତ୍ୟାଗ କରି ନାହାନ୍ତି । ସେମାନେ ଇଂରାଜୀ ଓ ଇଉରୋପୀୟ. ଅନ୍ୟାନ୍ୟ ଭାଷାକୁ ବାସନ୍ଦ କରି ନାହାନ୍ତି । 

ମାତ୍ର ସେମାନେ ନିଜର ଶକ୍ତିକୁ ଜଗିରଖି ଖର୍ଚ୍ଚ କରନ୍ତି । ଯେଉଁ ଚିନ୍ତା ଓ ଜ୍ଞାନ କେବଳ ପାଶ୍ଚାତ୍ୟ ଜଗତ୍ ଦେଇ ପାରିବ, ତଦ୍ୱାରା ଜାପାନୀ ଭାଷାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଯେଉଁମାନଙ୍କର ସେହି ବିଦେଶୀ ଭାଷା ଶିଖିବା ଆବଶ୍ୟକସେହିମାନେ ଶିଖନ୍ତି । ପାଶ୍ଚାତ୍ୟ ଯାହା ଗ୍ରହଣ କରିବାକୁ ଯୋଗ୍ୟ, ତାହାକୁ ଜାପାନୀରେ ରୂପାନ୍ତରିତ କରିବାକୁ ସେମାନେ ଯତ୍ନବାନ୍ ହୁଅନ୍ତି ସେହି ହେତୁରୁ ଜାପାନୀ ତରୁଣମାନେ ମନରେ ସତେଜ ଓ ସଜାଗ । ଏହି ରୂପେ ଲବ୍‌ଧ ଜ୍ଞାନ ସେମାନଙ୍କର ରାଷ୍ଟ୍ରୀୟ ସମ୍ପତ୍ତି ହୋଇ ଯାଇଛି । 

ସରକାରୀ ଅଫିସରେ କିରାଣୀ, ଓକିଲ, ବାରିଷ୍ଠର, ଜଜ୍ ହେବାଠାରୁ ଆଉ ବଡ଼ ଅଭିଳାଷ ଆମର ନାହିଁ । ଯେଉଁ ବ୍ୟବସ୍ଥାକୁ ଆମର ଭାଙ୍ଗିବାର କଥା, ତାହାକୁ ଆମେ ସାହାଯ୍ୟ କରୁଛୁ, ତାହାର ଦାସ ହୋଇ ରହିଛୁଁ । ଇଂରେଜୀ ଭାଷାରେ ପାଠୁଆ ଲୋକଙ୍କଠାରୁ (ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ ଧାରୀ) ଅସଙ୍ଖ୍ୟ ଚିଠି ପାଇଛି । ମାତ୍ର ସେଥିରୁ ଇଂରେଜୀ ଭାଷାରେ ସେମାନଙ୍କର ଶୋଚନୀୟ ଅଜ୍ଞତା ପ୍ରକାଶ ପାଏ । ଏହାର କାରଣ ସରଳ । ମାଲବୀୟଜୀ ଓ ରାଧାକୃଷ୍ଣନଙ୍କ ପରି ବ୍ୟକ୍ତି ବିରଳ; ସେମାନେ ଯାହା ଅର୍ଜନ କରିଛନ୍ତି ତାହା ସାଧାରଣ ଲୋକେ ପାରିବେ ନାହିଁ ।

-ହରିଜନ ,ତା ୧--୧୯୪୨

No comments:

Post a Comment