Tuesday, July 23, 2019

ଶିକ୍ଷା - ଶିକ୍ଷକଙ୍କର ଯୋଗ୍ୟତା

ଶଶିଭୂଷଣ ରାୟ


ପଶ୍ଚିମ ଭାରତର ଇହୁଦି ବେନେ-ଇସ୍ରାଏଲ ଜାତିର ଶିକ୍ଷକ
୧୮୫୫-୧୮୬୨ ମସିହା ମଧ୍ୟରେ ଉତ୍ତୋଳିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମ୍ଭମାନଙ୍କ ବିଦ୍ୟାଳୟସମୂହର ଶିକ୍ଷାବ୍ୟବସ୍ଥାର ଓ ସାଧାରଣ ଅବସ୍ଥାର ଏଭଳି କେତେଗୁଡିଏ ତୃଟି ରହିଅଛି, ଯହିଁଁରେ ସମସ୍ତ ବାଳକ-ବାଳିକାଙ୍କ ଚକ୍ଷୁରେ ପ୍ରକୃତ ଜ୍ଞାନ-ବିକାଶ ହେବା ଏକପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଏହି ସମସ୍ତ ତୃଟି ଥିଲେ ମଧ୍ୟ ଯେଉଁମାନଙ୍କ ମଧ୍ୟରେ ଯେଉଁଟିକ ଜ୍ଞାନ-ବିକାଶ ହେବାର ସମ୍ଭାବନା, ବିଦ୍ୟାଳୟର ସାଧାରଣ ଜ୍ଞାନଦାନପ୍ରଣାଳୀ ଦୋଷରୁ ସେତିକି ମଧ୍ୟ ହୁଏ ନାହିଁ । ଶିକ୍ଷକମାନଙ୍କ ହାତରେ ଜ୍ଞାନଦାନର ଭାର ରହିଅଛି, ସୁତରାଂ ଛାତ୍ରମାନଙ୍କୁ ଜ୍ଞାନ-ଲାଭ ଭଲ ନ ହେଲେ ସେଥି ସକାଶେ ଶିକ୍ଷକ ହିଁଁ ଦାୟୀ, ଏ କଥା ସମସ୍ତେ କହିବେ । ଏହାର ପ୍ରତିବାଦ କରିବା ମଧ୍ୟ କଠିନ । କାରଣ, ଦେଶରେ ଭଲ ଏବଂ ପ୍ରବୀଣ ଶିକ୍ଷକ ବଡ ଅଳ୍ପ ।

ଏହି ସଂସାର କ୍ଷେତ୍ରରେ ଯେ ଯେଉଁ କର୍ମ ଅବଲମ୍ୱନ କରିବେ, ସେହି କର୍ମ ଯଥାନିୟମରେ ପରିଚାଳନା ସକାଶେ, ସେହି କର୍ମରେ ସିଦ୍ଧିଲାଭ ସକାଶେ ଯଥାଯୋଗ୍ୟ ଦକ୍ଷତା ଲାଭ କରିବାକୁ ହେଲେ, ଯାହାଙ୍କର ଯେଉଁ ବିଦ୍ୟା-ବିଶେଷର ଅଧିକାରୀ ହେବାର ପ୍ରୟୋଜନ, ତାଙ୍କୁ ଯନ୍ତ୍ର ସହକାରେ ସେହି ବିଦ୍ୟାରେ ଅଧିକାର ଲାଭ କରିବାକୁ ହୁଏ ।

ଦେହତତ୍ତ୍ୱ, ବସ୍ତୁତତ୍ତ୍ୱ, ଚିକିତ୍ସା-ବିଜ୍ଞାନ ପ୍ରଭୃତି ଶାସ୍ତ୍ରରେ ବ୍ୟୁତ୍ପନ୍ନ ନ ହେଲେ ରୋଗ ଚିହ୍ନି, ରୋଗର କାରଣ ଓ ପ୍ରତିକାରର ଉପାୟ ବୁଝି ରୋଗୀର ଔଷଧ-ପଥ୍ୟର ବ୍ୟବସ୍ଥା କେହି କରି ପାରନ୍ତି ନାହିଁ । ସୁତରାଂ ଯେ ଚିକିତ୍ସିତ ହେବେ, ତାଙ୍କୁ ସର୍ବାଗ୍ରେ ସେହି ସବୁ ଶାସ୍ତ୍ରରେ ଜ୍ଞାନଲାଭ କରିବାକୁ ହେବ । ଆଇନ ନ ଜାଣି, ବିଚାର-ପ୍ରଣାଳୀ ନ ବୁଝି କେହି ମକଦ୍ଦମା ଚଳାଇ ପାରନ୍ତି ନାହିଁ; ସୁତରାଂ ଓକିଲ ହେଲେ ପ୍ରଥମରେ ବ୍ୟବସ୍ଥା-ଶାସ୍ତ୍ର ପଢ଼ିବାକୁ ହୋଇଥାଏ । ବିଜ୍ଞାନ ଓ କଳ-କୌଶଳ ଯେ ଆୟତ୍ତ କରିଅଛନ୍ତି, ସେ ଇଞ୍ଜିନିୟର ହେବେ । ବାଣିଜ୍ୟରେ ଦେଶର ଶ୍ରୀ-ସମ୍ପଦ ବୃଦ୍ଧି ଯେ କରିବାକୁ ଇଚ୍ଛୁକ, ତାଙ୍କୁ ଅର୍ଥନୀତି ଶାସ୍ତ୍ରର ତତ୍ତ୍ୱାଧିକାରୀ ହେବାକୁ ପଡିବ । କିରାଣୀ ହେଲେ କିରାଣୀ ବିଦ୍ୟା ଅଭ୍ୟାସ କରିବାକୁ ହେବ ।

ସଂସାରରେ ସମସ୍ତ କର୍ମ ମଧ୍ୟରେ ଶିକ୍ଷା-ଦାନ କର୍ମ କଣ ଏଡ଼େ ସହଜ ଯେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା ଲାଭର ପ୍ରୟୋଜନ ହୁଏ ନାହିଁ ? ଏହା କଣ ଭାତ ଖାଇବା ଭଳି, ଲୁଗା ପିନ୍ଧିବା ଭଳି, ଅଥବା ଶୋଇବା ଭଳି ଗୋଟାଏ 
ସାମାନ୍ୟ କାର୍ଯ୍ୟ ଯେ, ଯେ କେହି ଇଚ୍ଛା କଲେ କରିପାରିବେ ?

ଅବଶ୍ୟ କେବଳ ବର୍ଣ୍ଣ-ବିନ୍ୟାସ ଶିଖାଇବା, ବହି ପଢ଼ାଇବା, ଲେଖାଇବା, ପଢ଼ା ଦେବା ଓ ନେବା, ନ ପାରିଲେ ବେତ୍ରାଘାତ, ଏହି ସବୁ ଯେବେ ଶିକ୍ଷାଦାନ ହୁଏ ଏବଂ ଏଥିରେ ଯେବେ ଶିକ୍ଷା ଦାନ କର୍ମରେ ସିଦ୍ଧିଲାଭ ହୁଏ, ତେବେ ଏହା ଅତ୍ୟନ୍ତ ସହଜ କାର୍ଯ୍ୟ, ସନ୍ଦେହ ନାହିଁ । ଯେ ଯେଉଁ ବହିରୁ ପଢ଼ା ଦିଅନ୍ତି ଓ ନିଅନ୍ତି, ତାଙ୍କର ସେହି ବହିଖଣ୍ଡିକର ସାଧାରଣ ଭାବରେ ବୁଝିବାର ବିଦ୍ୟା ଥିଲେ ତାଙ୍କ ପକ୍ଷରେ ଅବଶ୍ୟ ଯଥେଷ୍ଟ ।

ଜ୍ଞାନ-ଗ୍ରହଣରେ ଓ ଜ୍ଞାନର ଅଧିକାରରେ ବାଳକର ମନ, ମନର ଶକ୍ତି ଓ ବୃତ୍ତିସମୂହର ପୁଷ୍ଟି ଓ ବିକାଶସାଧନ ପ୍ରଭୃତି ହିଁ ଶିକ୍ଷାଦାନର ପ୍ରକୃତ ଉଦ୍ଦେଶ୍ୟ । ବାଳକ ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ କ୍ରମେ କ୍ରମେ ଏହି ଆୟତ୍ତ ଜ୍ଞାନରୁ ବାଳକର ମନୋବୃତ୍ତି ଓ ମାନସିକ ଶକ୍ତି ସମୂହର ନିୟମିତ ସ୍ଫୁରଣ ହେବ, ଶିକ୍ଷକଙ୍କୁ ସେହିଭଳି ଭାବରେ ଶିକ୍ଷାଦାନ କରିବାକୁ ହେବ । ସୁତରାଂ ମନ ପଦାର୍ଥଟି-ମନର ଶକ୍ତି ଓ ବୃତ୍ତିସମୂହର ସ୍ୱାଭାବିକ ପ୍ରକୃତି, ଗତି ଓ କ୍ରିୟା କିପରି, ଶିକ୍ଷକଙ୍କୁ ସର୍ବପ୍ରଥମରେ ବିଶେଷ ଭାବରେ ତାହା ଚିହ୍ନିବାକୁ ହେବ । ଏହା ଉତ୍ତାରୁ ତାହାଙ୍କୁ ଶିଖିବାକୁ ହେବ, କି କୌଶଳରେ ବିଷୟ ପ୍ରତି ବାଳକର ଚିତ୍ତାକର୍ଷଣ ଓ ମନଃସଞ୍ଜୋଗ ହେବ, ମନରେ ଜ୍ଞାନ ଅଙ୍କିତ ହେବ ଏବଂ କିପରି ସେହି ଅଙ୍କିତ ଓ ଗୃହିତ ଜ୍ଞାନ ଅବଲମ୍ୱନରେ ବାଳକର ଚିନ୍ତା ଓ କଳ୍ପନାଶକ୍ତି ପରିଚାଳିତ ଓ ଅନୁଶୀଳିତ ହେବ, କ୍ରମେ କ୍ରମେ କିପରି ତହିଁରୁ ବିଚାର ଓ ଯୁକ୍ତିଶକ୍ତିର ଉନ୍ମେଷ ହେବ । ଜ୍ଞାନର ଅଧିକାରରେ ବାଳକର ଜ୍ଞାନ ପିପାସା କିପରି ବଢ଼ିବ, କେଉଁଠାରୁ କିପରି ଭାବରେ ଜ୍ଞାନାମୃତରସ ଆଣି ସେହି ପିପାସାର ତୃପ୍ତି ସାଧନ କରିବାକୁ ହେବ, ତାହା ଶିକ୍ଷକଙ୍କୁ ଶିଖିବାକୁ ହେବ ।

ଏହା କଅଣ ସବୁ ପ୍ରକାର ଲୋକଙ୍କ କାର୍ଯ୍ୟ ? ବିଶେଷ କୌଣସି ବିଦ୍ୟାର ଆଲୋଚନା ବ୍ୟତୀତ ସହଜରେ ଏହି ଦକ୍ଷତା ଲାଭ କରିବାକୁ କେହି ସମର୍ଥ ନୁହନ୍ତି ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

No comments:

Post a Comment