Friday, July 26, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷାରେ ପ୍ରହେଳିକା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୩୭ ମସିହାରେ ଗାନ୍ଧିଜୀ
ଫଟୋ କ୍ରେଡ଼ିଟ୍ -  ୱିକିମିଡ଼ିଆ କମନ୍ସ୍


ଗାନ୍ଧିଜୀ - “ଏହି ନୂତନ ସଂସ୍କାର ଭିତରେ ସବୁଠାରୁ ନିଦ୍ଦୟ ବିଦୃପ ହେଉଛି ଯେ, ନିଜର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ମଦ୍ୟପାନରୁ ଆୟ ଛଡ଼ା ଆମଠାରେ ଆଉ କିଛି ନାହି । ଶିକ୍ଷା ସମ୍ୱନ୍ଧରେ ଆମ ଆଗରେ ଏହା ହିଁ ସବୁଠାରୁ ବଡ଼ ସମସ୍ୟା । ମାତ୍ର ଏଥିରେ ଆମର ବିଚଳିତ ହୋଇପଡ଼ିବା ଉଚିତ ନୁହେଁ । ଆମେ ଏହାର ପ୍ରତିକାର ଖୋଜି ବାହାର କରିବା ଦରକାର । ଆମକୁ ଯାହା ମୂଲ୍ୟ ଦେବାକୁ ପଡ଼ୁ ପଛକେ, ଏହାର ସମାଧାନରେ ଯେପରି ପୂର୍ଣ୍ଣ ନିଶାନିବାରଣ ଯୋଜନାରୁ ଆମେ ଅଣୁ ମାତ୍ର ପଛଘୁଞ୍ଚା ନ ଦେଉଁ । ଯଦି ଆମକୁ ମଦ୍ୟପାନରୁ ଆୟ ନ ମିଳେ, ତେବେ ଆମେ ନିଜର ପିଲାମାନଙ୍କୁ ପାଠ ପଢ଼ାଇ ପାରିବୁ ନାହିଁ ଏ କଥା ଆମ ପକ୍ଷରେ ଲଜ୍ଜାଜନକ ଓ ଅପମାନଜନକ ବୋଲି ଆମେ ହୃଦୟଙ୍ଗମ କରିବା ଉଚିତ । ଯଦି ଏପରି ପରିସ୍ଥିତି ଆସି ପହଞ୍ଚେ, ତେବେ ଆମେ ଅପେକ୍ଷାକୃତ କମ୍ ବିପଦଟିକୁ ମୁଣ୍ଡାଇବୁ । ଯଦି ଆମେ କେବଳ ସଙ୍ଖ୍ୟା ଦେଖି ବିହ୍ୱଳ ହୋଇ ନ ପଡ଼ୁ ଏବଂ ଆଜିକାଲି ପିଲାମାନେ ଯେଉଁ ଶିକ୍ଷା ପାଉଛନ୍ତି, ଠିକ୍ ସେହି ଶିକ୍ଷା ଦେବାକୁ ଲାଳାୟିତ ନ ହେଉଁ, ତେବେ ଏ ସମସ୍ୟା ଆମର ବୁଦ୍ଧି ବଣା କରିଦେବ ନାହିଁ ।”


ପ୍ରଶ୍ନତେବେ ତ ଆପଣ ପ୍ରକୃତରେ ମାଧ୍ୟମିକ ଶିକ୍ଷାକୁ ଏକାବେଳକେ ଉଠାଇଦେବାକୁ ଚାହାନ୍ତି ଏବଂ ମ୍ୟାଟ୍ରିକୁଲେସନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଗ୍ରାମ ବିଦ୍ୟାଳୟରେ ଦେବାକୁ ଇଚ୍ଛା କରନ୍ତି ?

ଗାନ୍ଧିଜୀନିଶ୍ଚୟ । ଶେଷରେ ଆପଣଙ୍କର ମାଧ୍ୟମିକ ଶିକ୍ଷା କଅଣ ? ନିଜର ମାତୃଭାଷାରେ ପିଲା ଯେଉଁ ବିଷୟମାନ ଦୁଇ ବର୍ଷରେ ଶିକ୍ଷା କରିପାରିଥା'ନ୍ତା, ତାକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ସାତ ବର୍ଷ କାଳ ପଢ଼ିବା ଛଡା ଆଉ କଅଣ ? ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ପଢ଼ିବାର ବୋଝରୁ ଯଦି ଆପଣ ପିଲାମାନଙ୍କୁ ମୁକ୍ତ କରି ଦିଅନ୍ତେ ଏବଂ ସେମାନଙ୍କର ହାତ-ଗୋଡ଼ରୁ ଲାଭଜନକ ଧନ୍ଦାରେ ଲଗାଇବାର ଶିଖାନ୍ତେ, ତାହା ହେଲେ ଏହି ଶିକ୍ଷାପ୍ରହେଳିକାର ସମାଧାନ ହୋଇଯା'ନ୍ତା । ତାହା ହେଲେ ବିନା ଦ୍ୱିଧାରେ ଆପଣ ମଦ୍ୟପାନରୁ ଆୟକୁ ବିସର୍ଜନ କରି ପାରନ୍ତେ । ମାତ୍ର ଏହି ଆୟ ଆପଣ ପରିତ୍ୟାଗ କରିବେଏ କଥା ଆଗେ ନିଶ୍ଚୟ ଅଙ୍ଗୀକାର କରିବା ଆବଶ୍ୟକ ଏବଂ ତାହା ପରେ ଶିକ୍ଷା ସମ୍ୱନ୍ଧରେ ଉପାୟ ଚିନ୍ତା କରିବେ । ଏହି ବିରାଟ ସାହସ ବାନ୍ଧି କାମ ଆରମ୍ଭ କରନ୍ତୁ ।

ହରିଜନ, ତା ୨୧..୧୯୩୭

No comments:

Post a Comment