Monday, July 29, 2019

ଶିକ୍ଷକତା କାହିକିଁ ?

ଶଶିଭୂଷଣ ରାୟ


ଚିତ୍ର - 'ଦି ସ୍କୁଲ୍‌ମାଷ୍ଟର୍' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ଅଟୋ ରେଥେଲ୍ (୧୮୨୨ - ୧୮୯୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଯେ ମେଧାବୀ, ତୀକ୍ଷ୍‌ଣବୁଦ୍ଧି ବିଶିଷ୍ଟ, ମନସ୍ୱୀ ଓ ପଣ୍ଡିତ, ସେ ଯେବେ ଶିକ୍ଷକତାକୁ ଜୀବନର ବୃତ୍ତି ଓ ବ୍ରତ ରୂପେ ଗ୍ରହଣ କରିବାକୁ ଅଭିଳାଷୀ ହୁଅନ୍ତି, ଯେବେ ସେହି ବ୍ରତର ପୂର୍ଣ୍ଣ ପରିଚାଳନ ସକାଶେ ଅଥବା ସେହି ବ୍ରତରେ ସିଦ୍ଧିଲାଭ ସକାଶେ ଯତ୍ନଶୀଳ ହୁଅନ୍ତି, ଶିକ୍ଷା-ବିଜ୍ଞାନ-ଶାସ୍ତ୍ରାଲୋଚନାରେ ଯତ୍ନଶୀଳ ହୋଇ ଯେବେ ସେହି କାର୍ଯ୍ୟରେ ସେ ବ୍ରତୀ ହୁଅନ୍ତି, ତେବେ ତାଙ୍କଦ୍ୱାରା ପ୍ରକୃତ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଶିକ୍ଷାରେ ଯେବେ ବାଳକର ପ୍ରକୃତ ମାନସିକ ଉନ୍ନତି କରିବାକୁ ହୁଏ, ତେବେ ଏହି ପ୍ରକାର ଶିକ୍ଷକ ହିଁ ଆବଶ୍ୟକ ।

ଦୁର୍ଭାଗ୍ୟକ୍ରମେ ଜ୍ଞାନ ଓ ଶକ୍ତିରେ ଉତ୍ତମ ବ୍ୟକ୍ତିଙ୍କ କଥା ଦୂରେ ଥାଉ, ମଧ୍ୟମ କାହିଁକି କୌଣସି ଅଧମ ବ୍ୟକ୍ତି ମଧ୍ୟ ଶିକ୍ଷକ ହେବାକୁ ଆଗ୍ରହାନ୍ୱିତ ନୁହନ୍ତି । ଜୀବନର ବୃତ୍ତି ଓ ବ୍ରତ ରୂପେ ଶିକ୍ଷକତା ଗ୍ରହଣ କରନ୍ତି-ଏ ଭଳି ଲୋକ ଅତି ଅଳ୍ପ ।

ଅବଶ୍ୟ ଦେଶରେ ଶିକ୍ଷକର ଅଭାବ ନାହିଁ । ଦେଶରେ ଅସଙ୍ଖ୍ୟ ବିଦ୍ୟାଳୟ, ସର୍ବତ୍ର ହିଁ ପ୍ରୟୋଜନାନୁସାରେ ଶିକ୍ଷକ ରହିଅଛନ୍ତି, ଆବଶ୍ୟକ ହେଲେ ପ୍ରୟୋଜନରୁ ଅତିରିକ୍ତ ଶିକ୍ଷକ ମଧ୍ୟ ମିଳନ୍ତି । କେହି ଡେପୁଟି, ଓକିଲ, ବଡ଼ ହାକିମ ଅଥବା କିରାଣୀ ହେବେବିଶ୍ୱବିଦ୍ୟାଳୟର ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ପ୍ରାୟ ସମସ୍ତଙ୍କ ମନରେ ଏହିପରି ଗୋଟାଏ ଆଶା ଓ ଆକାଂକ୍ଷ୍ୟା ରହିଥାଏ । ଯେତେ ଦିନ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ, ସେତେ ଦିନ କିଛି ଅର୍ଥୋପାର୍ଜନ ହୋଇପାରିବ ଏବଂ ତହିଁ ସଙ୍ଗେ ସଙ୍ଗେ ଆକାଂକ୍ଷିତ ପଦଲାଭ ସକାଶେ ପରୀକ୍ଷାଦିନ ପ୍ରଭୃତି ହୋଇପାରିବ, ଏ ଭଳି କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେଲେ, ସେମାନଙ୍କର ସମ୍ପୂର୍ଣ୍ଣ ସୁବିଧା ହୁଏ । ସ୍କୁଲ ଅନେକ, ଶିକ୍ଷକ ମଧ୍ୟ ଅନେକ ଆବଶ୍ୟକ ।...
ଏହି ଶ୍ରେଣୀର ଶିକ୍ଷକ ବ୍ୟତୀତ ଆଉ ଏକ ଶ୍ରେଣୀର ଶିକ୍ଷକ ଦୃଷ୍ଟ ହୁଅନ୍ତି । ଆମ୍ଭମାନଙ୍କର ଶିକ୍ଷାର୍ଥୀ ବାଳକ ଓ ଯୁବକମାନଙ୍କ ମଧ୍ୟରେ ଅତ୍ୟଳ୍ପ ଲୋକଙ୍କ ଜୀବନର ଗୋଟିଏ ସ୍ଥିର ଲକ୍ଷ୍ୟ ସେହି ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହେବାର ଚେଷ୍ଟା ଦୃଷ୍ଟ ହୁଏ । ଭବିଷ୍ୟତରେ କଅଣ ହେବ, କଅଣ କରିବାକୁ ହେବ, କାହିଁରେ ଜୀବନ ସାର୍ଥକ ହେବ, ଏ ସମସ୍ତ ଚିନ୍ତା କେହି କରନ୍ତି ନାହିଁ । ସମସ୍ତେ ପଢ଼ନ୍ତି, ଅଭିଭାବକ ସ୍କୁଲକୁ ପ୍ରେରଣ କରନ୍ତି ବୋଲି ପଢ଼ନ୍ତି । ଯେତେ ଦିନ ପଢ଼ାପଢ଼ି ଚାଲୁଥାଏ, ଅଥବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଥାଏ, ସେତେ ଦିନ ପର୍ଯ୍ୟନ୍ତ ଏମାନେ ପଢ଼ନ୍ତି । ଯେତେବଳେ ପଢ଼ାପଢ଼଼ି ଅଚଳ ହୁଏ, ପ୍ରତିବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବିରକ୍ତ ହୋଇଥାଆନ୍ତି, ଅଥବା ବୁଝନ୍ତି, ଆଉ ପଢ଼ାପଢ଼ି କରି କୌଣସି ଲାଭ ନାହିଁ, ସେତେବେଳେ ଏମାନେ ପାଠ ପରିତ୍ୟାଗ କରି ବାହାର ହୁଅନ୍ତି । ଏହି ସମୟରେ ପରିବାରର ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଦାୟିତ୍ୱ ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍କନ୍ଧରେ ନ୍ୟସ୍ତ ହୋଇଥାଏ । ଅର୍ଥୋପାର୍ଜ୍ଜନ ସକାଶେ କିଛି କରିବା ଆବଶ୍ୟକ, ଅନ୍ୟ ଚାକିରୀ ଅପେକ୍ଷା ଶିକ୍ଷକତା ସହଜରେ ମିଳେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା-ଲାଭର ପ୍ରୟୋଜନ ବି ହୁଏ ନାହିଁ; ସୁତରାଂ ତାହା ହିଁ ଆଦରି ନିଅନ୍ତି । ଏମାନଙ୍କର ସୌଭାଗ୍ୟ ଫଳରୁ ଯେବେ ଅନ୍ୟ କିଛି ପାଆନ୍ତି, ତେବେ ସେହି ମୁହୂର୍ତ୍ତରେ ଶିକ୍ଷକତା ଛାଡି ଚାଲିଯାଆନ୍ତି ।

ଯେଉଁମାନେ ପ୍ରତିଭାଶାଳୀ, ସେମାନେ ପ୍ରାୟତଃ ଶିକ୍ଷକ ହେବାକୁ ଆସନ୍ତି ନାହିଁ, ଆସିଲେ ମଧ୍ୟ ତାହା ଦୁଇ ଦିନ ପାଇଁ ଅନ୍ୟ କାର୍ଯ୍ୟ ଚେଷ୍ଟାର ଅବସରରେ କିଛି ଅର୍ଥ ଉପାର୍ଜ୍ଜନ ସକାଶେ । ଯେଉଁମାନଙ୍କର ପ୍ରତିଭାର ଅଭାବ, ଅଥବା ପ୍ରତିଭାଶାଳୀ ହେଲେ ହେଁ ଦୈବ ଯେଉଁମାନଙ୍କର ପ୍ରତିକୂଳ, ସେମାନେ ଆକାଂକ୍ଷିତ ପଦଲାଭରେ ଅସମର୍ଥ ହୋଇ ଅନିଚ୍ଛା ଓ ଅସନ୍ତୁଷ୍ଟ ଚିତ୍ତରେ ଶିକ୍ଷକତା କରୁଥାଆନ୍ତି । ଆଉ ଯେଉଁମାନେ ଶିକ୍ଷକତା କରନ୍ତି, ସେମାନଙ୍କ ଜୀବନ ସାଧାରଣତଃ ଲକ୍ଷ୍ୟହୀନ, ମନ ଚିନ୍ତାହୀନ, ହୃଦୟ ଉଚ୍ଚଭାବଶୂନ୍ୟ ଓ ଆକାକ୍ଷାଂବିହୀନ, ପ୍ରକୃତି ବଳୟ ଓ ଅବସ୍ଥା ଦୁର୍ବଳ, ପ୍ରାଣ ନିରୁଦ୍ୟମ ଓ ତିରୁତ୍ସାବବିଶିଷ୍ଟ । କିଛି ଗୋଟାଏ କରିବାକୁ ହେବ, ଶିକ୍ଷକତା ସହଜରେ ମିଳିଗଲା, ସୁତାରଂ ତାହା କଲେ । 

ଏହା ହିଁ ଯେତେବେଳେ ଶିକ୍ଷକତା ବୃତ୍ତିର ସାଧାରଣ ଅବସ୍ଥା, ଯେତେବେଳେ ଅଧିକାଂଶ ଶିକ୍ଷକତା କରିବାକୁ ଅନିଚ୍ଛୁକ, ଯେଉଁମାନେ ହୁଅନ୍ତି, ସେମାନଙ୍କର ବିଶେଷ ଗରଜ ନ ପଡ଼ିଲେ ଶିକ୍ଷକ ହେବେ ନାହିଁ; ସୁତରାଂ ଭଲ ରୂପେ ଶିକ୍ଷାଦାନ କରିବା ସକାଶେ ସେମାନେ ଯେ ବିଶେଷ ଭାବରେ ଯତ୍ନଶୀଳ ହେବେ ଅଥବା ଚିନ୍ତା କରିବେ, ଶିକ୍ଷା-ବିଜ୍ଞାନର ଆଲୋଚନାରେ କଷ୍ଟ ସ୍ୱୀକାର କରିବେ, ଏହା ଆଶା କରିବା ବିଡମ୍ୱନା ମାତ୍ର । ଯେଉଁ କାର୍ଯ୍ୟରେ ମନର ଆଗ୍ରହ ନାହିଁ, ଜୀବନରେ ସାର୍ଥକତା ବୋଧ ନାହିଁ, ପ୍ରାଣର ପ୍ରକୃତ ତୃପ୍ତି ନାହିଁ, ସେ କାର୍ଯ୍ୟରେ କେହି ଯତ୍ନଶୀଳ ହୋଇପାରିବେ ନାହିଁ । 

ଶିକ୍ଷକଙ୍କୁ ଗାଳି ଦେଲେ ଏ ଦୋଷ ଘୁଞ୍ଚିବ ନାହିଁ, ବୁଝାଇ ବାଧ୍ୟ କରି କାର୍ଯ୍ୟ ଆଦାୟର ଚେଷ୍ଟା ମଧ୍ୟ ବୃଥା । କାହିଁକି ପ୍ରତିଭାଶାଳୀ ବ୍ୟକ୍ତି ଶିକ୍ଷକ ହେବାକୁ ଅନିଚ୍ଛୁକ, ଆମ୍ଭମାନଙ୍କୁ ସେତିକି ଦେଖିବାକୁ ହେବ । ସେମାନେ କିପରି ଶିକ୍ଷକ ହେବେ, କିପରି ସେମାନଙ୍କ ଚିନ୍ତା ଏଥିରେ ଆକୃଷ୍ଟ ହେବ, କିପରି ସେମାନଙ୍କ ମନରେ ଆଗ୍ରହ ଜନ୍ମିବ, କିପରି ସେମାନଙ୍କ ଜୀବନର ଆକାଂକ୍ଷାର ପୂର୍ଣ୍ଣତାରେ ପ୍ରାଣ ତୃପ୍ତ ହେବ, ଆମ୍ଭମାନଙ୍କୁ ଏହା ଦେଖିବାକୁ ହେବ ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

No comments:

Post a Comment