Saturday, March 14, 2020

ଜ୍ଞାନଲାଭର ପ୍ରଥମ ସୋପାନ

ଶଶିଭୂଷଣ ରାୟ


ଚିତ୍ର - 'ଦି ଗୁଡ଼୍ ଏଜୁକେସନ୍'
ଚିତ୍ରକର - ଜଁ ବାପ୍ତିସ୍ତ୍ ସିମଁ ସାର୍ଦଁ (୧୬୯୯ - ୧୭୭୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜ୍ଞାନଲାଭର ପ୍ରଥମ ସୋପାନ ବିଷୟ ଦୃଷ୍ଟି, ବିଷୟ-ବୋଧ ଓ ବିଷୟ-ଜ୍ଞାନ । ବିଷୟ ପ୍ରତି ଚିତ୍ତାକର୍ଷଣ ଓ ମନଃସଂଯୋଗରୁ ଏହି ଜ୍ଞାନଲାଭ ହୋଇପାରେ ।

ପ୍ରଥମରେ ବିଷୟଟି ପ୍ରତ୍ୟକ୍ଷଭୂତ ହେବା ଆବଶ୍ୟକ, ଏହା ଉତ୍ତାରୁ ସେହି ପ୍ରତ୍ୟକ୍ଷୀଭୂତ ବିଷୟ ଯେବେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରିପାରେ, ତେବେ ତାହା ପ୍ରତି ଆମ୍ଭମାନଙ୍କର ମନଃସଂଯୋଗ ହୋଇଥାଏ । ଏହି ମନଃସଂଯୋଗ ହେତୁ ବିଷୟକୁ ଆମ୍ଭେମାନେ ମନକୁ ଟାଣି ନେଇଥାଉ, ଆମ୍ଭମାନଙ୍କ ମନରେ ତାହା ମୁଦ୍ରିତ ହୋଇଥାଏ । ଏହି ମୁଦ୍ରଣରୁ ଆମ୍ଭମାନଙ୍କର ଜ୍ଞାନ ହେବା ହିଁ ସ୍ୱାଭାବିକ । 
ଆମ୍ଭମାନେ ଯେତେବେଳେ ବଜାର ହାଟକୁ ଯାଉଁ, ଯାତ୍ରା ଓ ତୀର୍ଥ ପ୍ରଭୃତିକୁ ଯାଉ, ସେତେବେଳେ ବହୁ ମନୁଷ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼ିଥାଆନ୍ତି, ବହୁ ଶଦ୍ଦ ଆମ୍ଭମାନଙ୍କର ଶୃତି ଗୋଚର ହୁଏ, ବହୁ ଗନ୍ଧ ନାସିକାରେ ଆଘ୍ରାତ ହୁଏ, ବହୁ ସ୍ପର୍ଶ ଉତ୍କୃଷ୍ଟ ହୋଇଥାଏ । କିନ୍ତୁ ଯେତେବେଳେ ଫେରି ଆସୁଁ, ବୃହତ୍ ଜନସଘଂର ଗୋଟିଏ ଅସ୍ପଷ୍ଟ ଛାୟା, ବହୁମିଶ୍ରିତ କଳରବର ଗୋଟିଏ ଅସ୍ପଷ୍ଟ ଶୃତିର ସ୍ମୃତି, ବହୁବିଧ ଗନ୍ଧସ୍ପର୍ଶର ଗୋଟିଏ ଅବକ୍ତବ୍ୟ ଅନୁଭୂତି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ । 
କାହାର କି ପ୍ରକାର ଆକୃତି, କିଏ କଅଣ କହିଥିଲା, କେଉଁ କେଉଁ ବିଶେଷ ଗନ୍ଧ କେତେବେଳେ ପାଇଥିଲୁଁ, କେଉଁ ସ୍ପର୍ଶ ଠିକ୍ କିପରି ଅନୁଭୂତ ହୋଇଥିଲା, ଏ ସମସ୍ତ ଆମ୍ଭେମାନେ ଭଲରୂପେ ମନେ ରଖିପାରୁ ନାହିଁ । ନ ପାରିବାର ହେତୁ କଅଣ ? କାରଣ, କୌଣସି ବିଶେଷ ରୂପ, ଶବ୍ଦ, ଗନ୍ଧ ବା ସ୍ପର୍ଶ ପ୍ରତି ଆମ୍ଭମାନଙ୍କର ଚିତ୍ତାକର୍ଷଣ ଅଥବା ମନଃସଂଯୋଗ ହୋଇ ନାହିଁ । 
ଏଥିମଧ୍ୟରୁ ଯେବେ କୌଣସି ବସ୍ତୁ ନିଜର ବିଶେଷତ୍ୱ ବଳରେ ଅଥବା ବାହାରର କୌଣସି ଘଟନା ସମ୍ପର୍କରେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରେ, ମନଃସଂଯୋଗ ଘଟାଇଥାଏ, ତେବେ ସେତିକି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ, ଆମ୍ଭମାନଙ୍କର ସେତିକିର ଧାରଣା ଓ ଜ୍ଞାନ ହୋଇଥାଏ ।
ଏହିଭଳି ଜ୍ଞାତବ୍ୟ ବିଷୟଟି ଯେତେ ପରିସ୍ପୁଟ ଭାବରେ ଆମ୍ଭମାନଙ୍କର ପ୍ରତ୍ୟକ୍ଷୀଭୂତ ହେବ, ତାହା ପ୍ରତି ଚିତ୍ତାକର୍ଷଣ ଯେତେ ପ୍ରବଳ ହେବ, ମନଃସଂଯୋଗ ଯେତିକି ଦୃଢ ହେବ, ବିଷୟଟିର ଜ୍ଞାନ ଆମ୍ଭମାନଙ୍କର ସେତିକି ପରିସ୍ପୁଟ ହେବ,... ତାହା ସେତେ ଦୃଢ଼ ରୂପେ ଅଙ୍କିତ ହେବ ।
ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

No comments:

Post a Comment