ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ନୂତନ ତାଲିମର ବ୍ୟାବହାରିକ ରୂପ
ଅନୁବାଦକ - ଚିତ୍ତରଞ୍ଜନ ଦାସ
ସେବାଗ୍ରାମସ୍ଥ ନୟି ତାଲିମ ସମିତିର କବିର ଭବନର ଏକ ଆଲୋକଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ମୁଁ ଯେଉଁ ବିଦ୍ୟାଳୟ ଚଳାଇବାକୁ ଯାଉଛି ସେଥିରେ ବାରବର୍ଷ ପର୍ଯ୍ୟନ୍ତ ବୟସର ପିଲା ନିଆଯିବେ
। ଯେତେ ପିଲା ମିଳିବେ ସେମାନଙ୍କୁ ବହୁମୁଖୀ ଶିକ୍ଷା ଦିଆଯିବାର କଳ୍ପନା ଅଛି । ସେମାନଙ୍କୁ
ହିନ୍ଦୀ ବା ଉର୍ଦ୍ଦୁ ଶିକ୍ଷା ଦିଆଯିବ । ତାହାରି ମାଧ୍ୟମରେ ଗଣିତ, ଇତିହାସ, ଭୂଗୋଳର
ପ୍ରାରମ୍ଭିକ ଧାରଣା ଦେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ତଥ୍ୟ ସହିତ ପରିଚୟ କରାଇ ଦିଆଯିବ ଓ କେତେକ
ଧନ୍ଦା ମଧ୍ୟ ଶିଖାଇ ଦିଆଯିବ ।
ବର୍ତ୍ତମାନ ସୁଦ୍ଧା ଏହାର କୌଣସି ପାଠ୍ୟକ୍ରମ ପ୍ରସ୍ତୁତ
ହୋଇନାହିଁ । କାରଣ ଏହା ଏକ ନୂତନ ମାର୍ଗ । ଅଧୁନା ପ୍ରଚଳିତ ଶିକ୍ଷାକୁ ମୁଁ ଭୟ ଓ ଅବିଶ୍ୱାସ
ଦୃଷ୍ଟିରେ ଦେଖୁଅଛି । ଏହି ଶିକ୍ଷାରେ ପିଲାର ମାନସିକ ଓ ନୈତିକ ବିକାଶ ହେବା ଅପେକ୍ଷା ସେ
ଶକ୍ତି ଜଡ଼ ହୋଇଯାଉଛି । ବର୍ତ୍ତମାନର ଶିକ୍ଷାପଦ୍ଧତିରେ ଭଲ ଦିଗ କଥା ମନକୁ ଆସିଲେ ମୋ
ପ୍ରୟୋଗରେ ନିହିତ ତୃଟି ବାରିହୋଇ ପଡ଼ୁଛି ।
ମାତ୍ର ମୁଁ ସେଥି ପ୍ରତି ଅବହିତ ନହେବାର କାରଣ
ହେଉଛି ଯେ ଆଗେ ପିଲାମାନେ ମାର୍ଜିତ ରୁଚି ସମ୍ପନ୍ନ ସ୍ତ୍ରୀ ପୁରୁଷମାନଙ୍କ ସମ୍ପର୍କରେ ଆସନ୍ତୁ ଏବଂ ସେମାନଙ୍କର
ଚରିତ୍ର ନିଷ୍ପଳଙ୍କ ହେଉ ଏହାହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ । ମୋ ଦୃଷ୍ଟିରେ ତାହା ହିଁ ଶିକ୍ଷା ।
ଉକ୍ତ ଉଦ୍ଦେଶ୍ୟ ପୂରଣ ସକାଶେ ଏକ ଅବଲମ୍ୱନ ରୂପରେ ଅକ୍ଷରଜ୍ଞାନକୁ ବ୍ୟବହୃତ କରାଯାଇପାରେ ।
ଜୀବିକାର୍ଜନର ଅଧିକା ଉପାୟ ଜାଣିବା ପାଇଁ ଯେଉଁ ବାଳକ ବାଳିକାମାନେ ଆସିବେ ସେମାନଙ୍କ ପାଇଁ
କେତେକ ଧନ୍ଦା ଶିକ୍ଷାର ଆୟୋଜନ କରାଯିବ । ଏପରି ଉଦ୍ଦେଶ୍ୟ ନାହିଁ ଯେ ଶିକ୍ଷା ଶେଷରେ ସେମାନେ
ପୈତୃକ ପେଷାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବେ । ବରଂ ବିଦ୍ୟାଳୟରେ ସେ ଯେଉଁ ଜ୍ଞାନ ଲାଭ କରିଥିବେ
ତାହାରି ସାହାଯ୍ୟରେ କୃଷିରେ ଏବଂ କୃଷକ ଜୀବନରେ ଯେଉଁ ସଂସ୍କାର ହିତକର ହେବ ତାହା କରିବେ ।
ଆମର
ଶିକ୍ଷକ ବର୍ଗ ବୟସ୍କ ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଯାହା ସମ୍ଭବ ତାହା କରିବେ ଏବଂ
ସମ୍ଭବ ହେଲେ ସ୍ତ୍ରୀମାନଙ୍କୁ ଉନ୍ନତ ଜୀବନ ଗଢ଼ିବାରେ ପ୍ରଭାବିତ କରିବେ । ସ୍ୱାସ୍ଥ୍ୟରକ୍ଷା, ସହଯୋଗଶୀଳତା, ସାମୂହିକ କଲ୍ୟାଣ ଦୃଷ୍ଟିରୁ ଗ୍ରାମର ରାସ୍ତା ମରାମତି, କୂପଖନନ ଆଦି ବିଷୟ
ବୟସ୍କମାନଙ୍କ ଶିକ୍ଷାର ଅନ୍ତର୍ଗତ ହେବ । ଏହି ହେତୁରୁ ସଚ୍ଚରିତ୍ର, ସୁଶିକ୍ଷିତ ପୁରୁଷ ବା ସ୍ତ୍ରୀ
ଅଧ୍ୟାପନା କାର୍ଯ୍ୟ ପାଇଁ ନ ମିଳିଲେ ବରଂ କୌଣସି ବିଦ୍ୟାଳୟ ଖୋଲାଯିବ ନାହିଁ । ମୋ ଯୋଜନାରେ
ଦାତବ୍ୟ ଚିକିତ୍ସା ବ୍ୟବସ୍ଥା କଥା ଅଛି ।
- ନଭେମ୍ୱର ୧୯୨୭ ଚମ୍ପାରଣ (ବିହାର)ରେ ଖୋଲିଥିବା ଏକ ବିଦ୍ୟାଳୟରେ ଭାଷଣ ।
No comments:
Post a Comment