ସମାଜ ବିଜ୍ଞାନ କାହିଁକି ଗୁରୁତ୍ୱପୂର୍ଣ୍ଣ -୧
ସୀମନ୍ତିନୀ ଧୁରୁ
ପିଲାମାନଙ୍କ ମଧ୍ୟରେ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କାର୍ଟୁନ ଏକ ଉତ୍ତମ ମାଧ୍ୟମ । |
ଏ ଲେଖାଟି ଲେଖିବା
ପୂର୍ବରୁ ମୁମ୍ବାଇର ଏକ ମୁନସିପାଲ ସ୍କୁଲର କିଛି ପିଲା ଓ ଜଣେ ଶିକ୍ଷକଙ୍କ ସହ ମୁଁ କଥା ହେଲି ।
ସେମାନଙ୍କୁ ପଚାରିଲି ଯେ ଆମେ ସମାଜ ବିଜ୍ଞାନ କାହିଁକି ପଢୁ । ପାଠ୍ୟକ୍ରମରୁ ଯଦି ସମାଜ
ବିଜ୍ଞାନର ବିଷୟଗୁଡିକୁ କାଢି ଦିଆଯାଏ ତେବେ କ’ଣ ହେବ ?
ଯଦିଓ ସମସ୍ତେ
କହିଲେ ଯେ ପାଠ୍ୟପୁସ୍ତକ ସବୁ ଅନେକ ସମୟରେ ବୁଝା ପଡୁନଥିବା ଭଳି ବିଭିନ୍ନ ତଥ୍ୟରେ ଭର୍ତ୍ତି
ହୋଇ ରହିଛି, କିନ୍ତୁ ବିଷୟ ଗୁଡିକର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ସମସ୍ତେ ରାଜି ହେଲେ । କେତୋଟି
ରୋଚକ ଉତ୍ତର ହେଲା :
§ “ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ । ସମାଜ
ବିଜ୍ଞାନ ଆମକୁ ଉଭୟ ପାର୍ଶ୍ୱ ବୁଝିବାରେ ଓ ନିର୍ଣ୍ଣୟ ନେବାରେ ସାହାଯ୍ୟ କରେ ।“
§ “ବିଜ୍ଞାନରୁ ଆମେ ଯନ୍ତ୍ରବିଦ୍ୟାର ବିକାଶ ଓ ବ୍ୟବହାର
ଶିଖିଥାଉ । ସମାଜ ବିଜ୍ଞାନ ଆମକୁ ଯନ୍ତ୍ରବିଦ୍ୟାର କ’ଣ ପ୍ରଭାବ ରହିଛି ବୁଝିବାରେ ସାହାଯ୍ୟ କରେ
।”
ସମାଜର
ଓ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସମାଜ ବିଜ୍ଞାନର ବିଷୟବସ୍ତୁ ଆମର
ସାମାଜିକ ଲକ୍ଷ୍ୟଗୁଡିକ ବିଷୟରେ ଆମକୁ ସଚେତନ କରାଏ ଓ ସେଗୁଡିକୁ ମାନ୍ୟତା ଦିଏ । କେବଳ ଏତିକି
ନୁହେଁ, ସାମାଜିକ ନ୍ୟାୟ ଓ ପରିବେଶ ସନ୍ତୁଳନ ସମ୍ବନ୍ଧୀୟ ସାର୍ବଜନୀନ ମୂଲ୍ୟବୋଧର କଷଟି ପଥରରେ
ଆମର ସାମାଜିକ ଲକ୍ଷ୍ୟକୁ ପରଖିବା ପାଇଁ ସମାଜ ବିଜ୍ଞାନ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦିଏ ।
ସମାଜ
ବିଜ୍ଞାନ ଶିକ୍ଷଣ ଉପରେ ଏନ.ସି.ଇ.ଆର.ଟି ର ନାସନାଲ ଫୋକସ ଗ୍ରୁପ ଏ କଥାଟିକୁ ନିମ୍ନ ରୂପରେ
କହିଛନ୍ତି :
“ସ୍ୱାଧୀନତା, ବିଶ୍ୱାସ,
ପରସ୍ପର ପ୍ରତି ସମ୍ମାନବୋଧ, ବିବିଧତା ପ୍ରତି ସମ୍ମାନବୋଧ ଇତ୍ୟାଦି ମାନବୀୟ ମୂଲ୍ୟବୋଧକୁ
ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମାଜ ବିଜ୍ଞାନର ଏକ ଦାୟିତ୍ୱ ରହିଛି । ତେଣୁ, ଯେଉଁ ସାମାଜିକ
ଶକ୍ତିଗୁଡିକ ଏହି ମୂଲ୍ୟବୋଧ ଗୁଡିକୁ ବେଖାତିର କରୁଛନ୍ତି ସେମାନଙ୍କ ପ୍ରତି ସଚେତନ ରହିବା ପାଇଁ
ପିଲାଙ୍କ ଠାରେ ନୈତିକ ଓ ବୌଦ୍ଧିକ ବଳ ସୃଷ୍ଟି କରିବା ସମାଜ ବିଜ୍ଞାନ ଶିକ୍ଷଣର ଲକ୍ଷ୍ୟ ହେବା
ଉଚିତ । ଭିନ୍ନ ଭିନ୍ନ ବିଷୟର ଜ୍ଞାନକୁ ଏକ ସଙ୍ଗରେ ଧରି ପରିବେଶ, ଜାତିଗତ ଓ ଶ୍ରେଣୀଗତ
ବୈଷମ୍ୟ, ରାଷ୍ଟ୍ରର ଦମନଲୀଳା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ ।”
ଅନ୍ୟ
ବିଷୟମାନଙ୍କରେ ଥିବା ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ପାଇଁ ସମାଜ ବିଜ୍ଞାନ ଆମକୁ ଢାଞ୍ଚା
ଯୋଗାଏ – ସେ ପ୍ରସଙ୍ଗ ସବୁ ସମାଜରେ କିପରି ବ୍ୟବହାର କରାଯାଉଛି ଓ କାହା ସ୍ୱାର୍ଥରେ । ଏପରିକି
ତଥାକଥିତ ‘ବିଜ୍ଞାନ’ ର ଚେର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ
ରହିଛି ଓ ଏହା ଦ୍ୱାରା ପ୍ରଭାବିତ ହେଉଛି । ବିଜ୍ଞାନକୁ ବ୍ୟବହାର କରି ଯେଉଁ ଯନ୍ତ୍ରବିଦ୍ୟା
ଗଢିଉଠିଛି ଅନେକ ସମୟରେ ତାହାର ବ୍ୟବହାର ଅଳ୍ପ କେତୋଟି ପ୍ରଭାବଶାଳୀ ଦଳର ସ୍ୱାର୍ଥ ସାଧନ ପାଇଁ
ହୋଇଥାଏ । ଏହି ଦଳ ମାନେ ବଛା ବଛା କେତୋଟି ଯନ୍ତ୍ରବିଦ୍ୟାର ଗବେଷଣା ପାଇଁ ସୁବିଧା ସୁଯୋଗ
ସୃଷ୍ଟି କରନ୍ତି – ଅର୍ଥ ଦାନ କରି ବା ସରକାରୀ ନୀତିକୁ ପ୍ରଭାବିତ କରି (ଏଥିରେ ଶିକ୍ଷା
ସମ୍ପର୍କିତ ନୀତିମାନ ମଧ୍ୟ ଅନ୍ତର୍ଭୁକ୍ତ) । ଆମ ସମାଜର ଚରିତ୍ର ନିର୍ଣ୍ଣୟରେ ଏ ସବୁର କ’ଣ
ପ୍ରଭାବ ରହିଛି ସମାଜ ବିଜ୍ଞାନରେ ଥିବା ସାଧନମାନ ବ୍ୟବହାର କରି ବୁଝିହେବ ।
ସମାଜ
ବିଜ୍ଞାନ ପ୍ରତି ଏବର ପ୍ରଚଳିତ ଦୃଷ୍ଟିଭଙ୍ଗୀ ହେଉଛି ଯେ ଏହି ପାଠର ଉପଯୋଗୀତା ନାହିଁ । ଶିକ୍ଷା
ବ୍ୟବସ୍ଥାରେ ସମାଜ ବିଜ୍ଞାନକୁ ବେଖାତିର କରାଯାଉଥିବାରୁ ଏପରି ହୋଇଛି । ବିଦ୍ୟାଳୟର ସମୟ
ସାରଣୀରେ ବିଜ୍ଞାନ, ଗଣିତ (ଓ ଆଜିକାଲି ଇଂରାଜୀ) ତୁଳନାରେ ସମାଜ ବିଜ୍ଞାନ ଓ ଆଞ୍ଚଳିକ ଭାଷା
ପାଇଁ କେତେ ସମୟ ସମର୍ପିତ ଏତିକି ଦେଖିଦେଲେ ହିଁ କଥାଟି ପ୍ରମାଣିତ ହୋଇଯିବ । ସମାଜ ବିଜ୍ଞାନ
ପଢାଉଥିବା ଶିକ୍ଷକଙ୍କ ତୁଳନାରେ ଅନ୍ୟ ବିଷୟର ଶିକ୍ଷକମାନଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଏ ।
ସମାଜ ବିଜ୍ଞାନରେ ଆଗ୍ରହୀ ଓ ଅଗ୍ରଣୀ ଛାତ୍ରଛାତ୍ରୀଙ୍କୁ ବୁଦ୍ଧିମାନ ବୋଲି ମନେ କରାଯାଏ ନାହିଁ
। ଲୋକେ ଭାବନ୍ତି ଭଲ ନମ୍ବର ରଖୁଥିବା ପିଲାମାନେ ସ୍ୱାଭାବିକ ଭାବରେ ଯନ୍ତ୍ରବିଦ୍ୟା ବା
ଡାକ୍ତରୀ ପଢିବାକୁ ଚେଷ୍ଟା କରିବେ, ସମାଜ ବିଜ୍ଞାନ ନୁହେଁ । ଏ ନିର୍ଣ୍ଣୟଟି ବିଦ୍ୟାର୍ଥୀର
ଜାତି/ଶ୍ରେଣୀ ତଥା ଜେଣ୍ଡର ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଚ୍ଚ ଜାତି ଓ ଧନୀକ ତଥା
ମଧ୍ୟବିତ୍ତ ବର୍ଗର ପୁଅମାନଙ୍କୁ ଏପରି ପାଳନ କରାଯାଏ ଯେପରି ସେମାନେ ବଡ ହୋଇ ବିଜ୍ଞାନ
ସମ୍ପର୍କିତ ବିଷୟମାନ ପସନ୍ଦ କରିବେ । ସେପରି ଝିଅ ପିଲା, ଦଳିତ, ଆଦିବାସୀ ଓ ଆର୍ଥିକ ଭାବରେ
ଦୁର୍ବଳ ପରିବାରର ପିଲାଙ୍କୁ ସମାଜ ବିଜ୍ଞାନ ବାଛିବାକୁ କୁହାଯାଏ । ତେଣୁ ସମାଜ ବିଜ୍ଞାନ
ଶିକ୍ଷାର ସଂସ୍କୃତିରେ ଉଦାସୀନତା, ଖାମଖିଆଲି ମନୋଭାବ ଭରି ରହିଛି ଓ ଆତ୍ମ-ସମ୍ମାନ କମିଯାଇଛି
।
ଏହାର
କାରଣ ଅନେକ । ବିଦ୍ୟାଳୟ ସ୍ତରରେ ଖଣ୍ଡିତ, ଅସମ୍ପର୍କିତ ଓ ବୁଝା ପଡୁନଥିବା ତଥ୍ୟଗୁଡିକର ବୋଝ
ସାଙ୍ଗକୁ ଉପଯୁକ୍ତ ଶୈକ୍ଷଣ ଶୈଳୀର ଅଭାବ ରହିଛି। ବିଷୟବସ୍ତୁ
ଚୟନ ଓ ସଜ୍ଜୀକରଣ ବିଷୟର ପ୍ରକୃତ ଆବଶ୍ୟକତା ହିସାବରେ ନ ହୋଇ ତାହା ଉପରେ କେତେକ ନିର୍ଦ୍ଦିଷ୍ଟ
ଚାପ କାମ କରୁଛି । ନ୍ୟାୟ ଓ ଶାନ୍ତିକୁ ବଳି ଦେଇ ସମାଜ ବିଜ୍ଞାନ ଆଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ କାର୍ଯ୍ୟଧାରା ଲଦି ଦିଆଯାଇଛି । ଦୁର୍ଭାଗ୍ୟବଶତଃ
ଏହାର ଅନେକ ଉଦାହରଣ ମିଳିଯିବ । ଜେଣ୍ଡର, ଜାତି ଇତ୍ୟାଦି ସମସ୍ୟାକୁ ଅଣଦେଖା କରି ହିଂସାକୁ
ପ୍ରବର୍ତ୍ତାଇବା, ଜାତୀୟତା ନାମରେ ଅନ୍ୟ ସମ୍ପ୍ରଦାୟ ପ୍ରତି ବିଦ୍ୱେଷ ସୃଷ୍ଟି କରିବା, ଭୁଲ
ସମୟରେ ଓ ଭୁଲ ସନ୍ଦର୍ଭରେ ଐତିହାସିକ ବ୍ୟକ୍ତିତ୍ୱଙ୍କର ସ୍ତୁତି କରିବା ଓ ରାଜନୈତିକ ରଙ୍ଗ ଦେବା
(ମହାରାଷ୍ଟ୍ରରେ ଚତୁର୍ଥ ଶ୍ରେଣୀରେ ରାଜା ଶିବାଜୀଙ୍କ ଇତିହାସ), ନିର୍ବିବାଦୀୟ ଭାବେ କେତେକ
ନିର୍ଦ୍ଦିଷ୍ଟ ଯନ୍ତ୍ରବିଦ୍ୟାକୁ ପ୍ରୋତ୍ସାହନ ଦେବା (ପରମାଣୁ ବିଦ୍ୟା, ବଡ ବନ୍ଧ) ଇତ୍ୟାଦି
ସେଭଳି ପୂର୍ବାଗ୍ରହର ଉଦାହରଣ ଅଟେ ।
ପିଲାଙ୍କ
ସହ ସତସତିକା ଦୁନିଆର ସମସ୍ୟାମାନ ଆଲୋଚନା କରିବା ଅନାବଶ୍ୟକ ବୋଲି ଲୋକେ ଭାବନ୍ତି । ପିଲାଏ
ତାଙ୍କ ନିତିଦିନିଆ ଜୀବନରେ ସେ ସମସ୍ୟା ସବୁ ଅନୁଭବ କରି ପାରୁଥିଲେ ମଧ୍ୟ ଆମକୁ ଲାଗେ ଆମେ
ଅଯଥାରେ କୋମଳମତି ପିଲାଙ୍କୁ ‘ବିବାଦାସ୍ପଦ’ କଥା ଆଡକୁ ଆକୃଷ୍ଟ କରୁଛୁ । ଯୁକ୍ତି କରାଯାଏ ଯେ
ଏହା ଦ୍ୱାରା ନିରୀହ ଶିଶୁ ମନ ପ୍ରଭାବିତ ହେବ ଓ ସେମାନେ ‘ଭୁଲ’ କଥାକୁ ଅନୁସରଣ କରିବେ । ସତ
କଥାଟି ହେଉଛି ଆମ ସଭିଙ୍କ ଭିତରେ ଭଲ ନିଷ୍ପତ୍ତିଟିଏ ନେବାର ଏକ ସ୍ୱତଃସ୍ଫୁର୍ତ୍ତ କ୍ଷମତା ରହିଛି
। ଆମର ନିଷ୍ପତ୍ତିଗୁଡିକ ପଛରେ ଯେଉଁ ସମସ୍ତ କାରଣ କାମ କରେ ଆମେ ସେସବୁ ବିଷୟରେ କ୍ୱଚିତ ସଚେତନ
ରହୁ । ସମାଜ ବିଜ୍ଞାନ ପଢା ନାଁ’ରେ କେବଳ ସ୍ଳୋଗାନ
ଓ କେତେକ ସାଧାରଣ କଥା ହିଁ ପିଲାଙ୍କ ପାଖରେ ପହଞ୍ଚେ । ଲୋକଙ୍କ ଭାବନାକୁ ଆଘାତ ଲାଗିବ ବୋଲି ବିଷୟବସ୍ତୁକୁ
ବସ୍ତୁନିଷ୍ଠ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଉପସ୍ଥାପନ କରିବାରୁ ଶିକ୍ଷକଙ୍କୁ ନିବୃତ୍ତ କରାଯାଏ ।
ଏଣୁ ଆଜିପରି ଏକ ବିପଜ୍ଜନକ ସମୟରେ ଆମେ ପହଞ୍ଚିଛେ: ଆମେ କହିଲା ବେଳେ ସବୁ ଠିକ କଥା କହୁଛୁ
ହେଲେ ଅସଲ କାମ ବେଳକୁ ସୁବିଧାବାଦୀ ସାଜୁଛୁ ।
ଲେଖାଟିର ମୂଳପାଠର ଠିକଣା : http://www.teacherplus.org/things-to-think-about/why-social-sciences-are-important
No comments:
Post a Comment