Wednesday, April 19, 2017

ଆମ ପଡ଼ୋଶୀ ପ୍ରଦେଶ - ବଙ୍ଗ ଦେଶ


ଗୋପୀନାଥ ମହାନ୍ତି 


ଏବେର ପଶ୍ଚିମ ବଙ୍ଗରେ ସୋରିଷ ଚାଷ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆମର ଉତ୍ତର ପୂର୍ବର ପାଖ ପଡେ଼ାଶୀ ହେଉଛି ବଙ୍ଗ ଦେଶ । ଏ ପ୍ରଦେଶ ଭିତରେ ପଶ୍ଚିମରୁ ଗଙ୍ଗା ନଦୀ ଓ ପୂର୍ବରୁ ବ୍ରହ୍ମପୁତ୍ର ନଦୀ ଆସି ପ୍ରବାହିତ ହେଉଛନ୍ତି । ସେମାନଙ୍କର ଅସଂଖ୍ୟ ଉପନଦୀ । ଏ ପ୍ରଦେଶ ସେ ନଦୀମାନଙ୍କର ପଟୁରେ ତ୍ରିକୋଣଭୂମି ସ୍ୱରୂପ ତିଆରି ହୋଇଛି । ଏଠି ଅସଂଖ୍ୟ ନଦୀ, ଅସଂଖ୍ୟ ପାଟଭୂଇଁ । ସମତଳ ଭୂମି ଉପରେ କ୍ରୋଶ କ୍ରୋଶ ଗଲେ କେଉଁଠି ଖଣ୍ଡେ ବଡ଼ ପଥର ସୁଦ୍ଧା ମିଳିବ ନାହିଁ । ତେଣୁ ଏଠି ପ୍ରଚୁର ଧାନ ଫସଲ ହୁଏ । ନଦୀ ଥିବାରୁ ଲୋକେ ମାଛ ଖାଇବାକୁ ଝୁଙ୍କ କରନ୍ତି ।

ପ୍ରଥମେ, ଓଡ଼ିଶାରୁ ଗଲେ ଦେଖାଯିବ, ଛୋଟନାଗପୁର ବନ୍ଦର ବୁଦା ଜଙ୍ଗଲ କ୍ରମେ ଶେଷ ହୋଇ ଯାଇଛି । ଭୂମି ଢ଼ାଲୁ ହୋଇ ସମତଳ ଭିତରକୁ ଗଡ଼ି ପଡ଼ିଛି । ଏ ଅଞ୍ଚଳର ପଶ୍ଚିମରେ ଦାମୋଦର ନଦୀର ଉପତ୍ୟକାରେ ବଙ୍ଗ ଦେଶର ପ୍ରସିଦ୍ଧ କୋଇଲା ଖଣିସବୁ ଅଛି । କ୍ରମେ ଆମେ ସମତଳରେ ପହୁଞ୍ଚିବା । ଏ ଅଞ୍ଚଳ ମଲା ଓ ଦରମଲା ନଈର ଅଞ୍ଚଳ । କାରଣ ଏ ନଈମାନଙ୍କରେ ଗଙ୍ଗାନଦୀର ପାଣି ଆଉ ସମୁଦ୍ରରେ ପଡ଼ୁ ନାହିଁ, ଅନେକ ପାଟ ଭୂଇଁରେ ପାଣି ଜମା ହୋଇଯାଉଛି; ତେଣୁ ଏଠି ଏତେ ମଶା ଓ ମ୍ୟାଲେରିଆ । ଏ ଜୋଡ଼ମାନଙ୍କୂ ଏଠି ଭିଲ୍ ବୋଲି କହନ୍ତି ।

ମୁଦ୍ର କୂଳେ କୂଳେ “ସୁନ୍ଦରବନ” ଜଙ୍ଗଲ, ପଟି ପଟିକା ବଡ଼ ବାଘର ଘର, ପୁଣି ଅସଂଖ୍ୟ ନଦୀର ମୁହାଁଣ, ସୁନ୍ଦରୀ ଗଛର ଜଙ୍ଗଲ ଓ ସନ୍ତସନ୍ତିଆ ଭୂଇଁ । ଏ ଘନ ଜଙ୍ଗଲ ଭିତରେ ମଣିଷ ରହନ୍ତି ନାହିଁ । ତଲେ ବାଘ, କୁମ୍ଭୀର, ଗଛ ଉପରେ ସାପ । କ୍ରମେ ଜଙ୍ଗଲ ପଦା ହୋଇ ଓ ଜୋଡ଼ରୁ ପାଣି ବୁହାଇ ଦେଇ ଧାନ ଜମି ହେଉଛି ।

ତ୍ତରକୁ ଗଲେ ପଡ଼ିବ ଗଙ୍ଗା ଓ ବ୍ରହ୍ମପୁତ୍ର ମଝିରେ ଥିବା ସମତଳ । ହିମାଳୟରୁ ଅନେକ ଗିରି-ନଦୀ ଏ ଅଞ୍ଚଳକୁ ଆସିଛନ୍ତି । ଏଠି “ବାରିଲ” ବୋଲି ଗୋଟିଏ ଛୋଟ ପାହାଡ଼ ଅଞ୍ଚଳ ମଧ୍ୟ ଅଛି ।

ତା ପରେ ପୂର୍ବକୁ ଗଲେ ପଡ଼ିବ ପୂର୍ବ-ବଙ୍ଗ, ବଢ଼ିର ଦେଶ । ବଙ୍ଗ ଦେଶର ନଦୀମାନେ କ୍ରମେ ପଶ୍ଚିମରୁ ପୂର୍ବକୁ ବାଟ ବଦଳାଇ ଯାଉଛନ୍ତି । ପ୍ରତିବର୍ଷ ଏଠି ନୂଆ ପଟୁ ପଡ଼ୁଛି, ତ୍ରିକୋଣଭୂମି ବଢ଼ୁଛି । ଏଠି ଏତେ ବଢ଼ି ହୁଏ ଯେ, ବର୍ଷା ଦିନେ ଚାରିଆଡେ଼ ସମୁଦ୍ର ପରି ଦିଶେ; କେବଳ ଖଣ୍ଡ ଖଣ୍ଡ ନଈବନ୍ଧ ଓ କୁଦ ଉପରେ ଥିବା ଘର ପାଣିରେ ଭାସିଲା ପରି ଦିଶେ । ଏଠି ଯିବା ଆସିବା ପାଇଁ ଡ଼ଙ୍ଗା ବ୍ୟବହାର କରାହୁଏ; ଗାଁକୁ ଗାଁ ଲୋକେ ଡ଼ଙ୍ଗାରେ ଯାଆନ୍ତି । ଏତେ ବଢ଼ି ହେଲେ କଣ ହେବ, ଅଞ୍ଚଳରେ ଖୁବ୍ ଧାନ ଓ ଝୋଟ ଫସଲ ହୁଏ । ପୃଥିବୀ ଭିତରେ କେବଳ ବଙ୍ଗ ଦେଶରେ ଝୋଟ ଚାଷ ହୁଏ; ତାକୁ ବଙ୍ଗାଳିମାନେ “ପାଟ” କହନ୍ତି ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment