Wednesday, April 05, 2017

ରାମଚଣ୍ଡୀଠାରେ ରାତି*

(ଶ୍ରୀଯୁକ୍ତ ନୀଳକଣ୍ଠ ଦାସଙ୍କ ରଚିତ 'କୋଣାର୍କେ' କାବ୍ୟର ଉପକ୍ରମ)


ରାମଚଣ୍ଡୀ ମନ୍ଦିର । ଉତ୍ସ- ୱକିମିଡିଆ

କି କରାଳ ଆଜି ରଜନୀ
ବହେ ଝଞ୍ଜା ପବନ,
ତରା ନ ଦିଶଇ ଗଗନେ 
ଶୁଭେ ଘନ ଗର୍ଜନ ।

ମୂଷଳ ଧାରାରେ ଝଟିକା 
ଦିଏ କଚାଡି କେବେ,
ଶୋଇ ପଡିଛ ତ ବାପା ହେ 
ଜାଣୁ ନଥିବ ଲବେ ।

ଆଜି ଯେ କୁଆଁର ପୁନିଅଁ
କେତେ ସୁଖ ଶରଧା,
ମାଆ ଭଉଣୀଙ୍କ ଆଦର
ନବ ବସନ ପିନ୍ଧା ;

ମନେ ପଡୁ ନାହିଁ ବାବୁ ହେ
ଲାଗି ଯାଇଛି ନିଦ,
ମାଆ ଭଉଣୀଏ ଭବନେ
ଭଜିଥିବେ ବିଷାଦ ।

ଲୁଗାରେ ହଳଦୀ ଲଗାଇ
ଚାହିଁଥିବେ ଜନନୀ,
ପିଠା ପଣା ଖାଉ ନଥିବ 
ସୁଖେ ଆଜି ଭଗିନୀ ।

ପବନ ଝଙ୍କାରେ ଶୁଣୁ ସେ
ଥିବେ ଡାକ ତୁମ୍ଭର,
ପଲକେ ପଲକେ ଚମକି 
ହେଉଥିବେ କାତର ।

ଫାଟି ଯାଉଥିବ ଜାହାଜ
ତାଙ୍କ ହୃଦ ସାଗରେ,
ନିରାଶାରେ ଆଶା ଚମକେ
ଥିବେ ସେ ଉଜାଗରେ ।

ଜନନୀର ଗୁରୁ ବେଦନା
ଭଗିନୀର ବିଷାଦ,
ସୁମରି ସପନେ ଚମକି
ଭାଙ୍ଗି ଯିବଟି ନିଦ ।

ଶୁଅ ଶୁଅ ଧନ ଆରାମେ
ଶୋଇ ଥାଅରେ ଶିଶୁ,
ପଥଶ୍ରମ କରି ଆସିଛ
ଶ୍ରମେ ବିରାମ ମିଶୁ ।   


*ସତ୍ୟବାଦୀ ସ୍କୁଲ ପିଲାମାନେ କେବଳ ଶ୍ରେଣୀ ଗୃହରେ ଉନ୍ନତ ଶିକ୍ଷା ଲାଭ କରୁନଥିଲେ। ପରିଭ୍ରମଣ ଶିକ୍ଷାର ଏକ ଅଙ୍ଗ ରୂପେ ସେଠାରେ ଅନୁସୃତ ହୋଇଥିଲା ।ସେଥିପାଇଁ ନୀଳକଣ୍ଠ ପିଲାମାନଙ୍କୁ ସାଙ୍ଗରେ ନେଇ କୋଣାର୍କ, କଣ୍ଟିଲୋ ଆଦି ସ୍ଥାନକୁ ଯାଇଥିଲେ। କୋଣାର୍କ ଦର୍ଶନ କରି ସେ ମନ୍ଦିର ସଂପର୍କରେ ସମସ୍ତ ବିଷୟ ବୁଝି ପିଲାମାନେ ନୀଳକଣ୍ଠଙ୍କ ସହିତ ରାମଚଣ୍ଡୀ ଯାତ୍ରା କରିଥିଲେ। ରାମଚଣ୍ଡୀଠାରେ ଚନ୍ଦ୍ରକିରଣରେ ମାୟାଦେବୀଙ୍କ ମନ୍ଦିରର ଦୃଶ୍ୟ ଦେଖିବା ସେମାନଙ୍କର ଇଚ୍ଛା ଥିଲା। ସେ ଦିନ ଥିଲା କୁଆଁର ପୁନେଇ। ମାତ୍ର ପ୍ରବଳ ବର୍ଷା ଓ ବତାସି ହେତୁ ପିଲାମାନେ ମନ୍ଦିର ବାହାରକୁ ବାହାରି ପାରିନଥିଲେ। ପଣ୍ଡିତ ନୀଳକଣ୍ଠ ସେମାନଙ୍କ ଶୋଇବା ଅବସ୍ଥାରେ ନିଜେ ଅନିଦ୍ରା ରହି 'କୋଣାର୍କେ' କାବ୍ୟର 'ରାମଚଣ୍ଡୀରେ ରାତି' ଭାଗଟି ଲେଖିଲେ। 

ଉତ୍ସ -ଓଡିଶାର ସ୍ମରଣୀୟ ଶିକ୍ଷକ ବୃନ୍ଦ, ଲେଖକ - ଜଗନ୍ନାଥ ମହାନ୍ତି 


(କାବ୍ୟର ଏହି ଉଦ୍ଧୃତାଂଶଟି 'ସତ୍ୟବାଦୀ' ପତ୍ରିକାର ପଞ୍ଚମ ଖଣ୍ଡର ପଞ୍ଚମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । )

No comments:

Post a Comment