Monday, June 29, 2020

ଏକରୁ ଅସୀମ ଆଡ଼କୁ

ରମାକାନ୍ତ ସାମନ୍ତରାୟ


ରୋମାନ ଓପାଓକାଙ୍କର ଏକ ଟିତ୍ର
(ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ମଡର୍ଣ୍ଣ ଆର୍ଟ୍)

୧୯୬୫ ମସିହା । ପୋଲାଣ୍ଡର ରାଜଧାନୀ ଓର୍ସା । ରୋମାନ ଓପାଓକା ନାମକ ଜଣେ ଚିତ୍ରଶିଳ୍ପୀ ସେଦିନ ତାଙ୍କ ଷ୍ଟୁଡିଓରେ ଗୋଟେ କଳାରଙ୍ଗ ବୋଳା କ୍ୟାନଭାସରେ ଛୋଟିଆ ଗୋଟିଏ ବ୍ରସ ଧରି, ଧଳା ରଙ୍ଗରେ କ୍ୟାନଭାସର ବାମହାତି ଉପର କୋଣରେ ଲେଖିଲେ ଗାଣିତିକ ସଙ୍ଖ୍ୟା ଏକ (୧) । ତାପରେ ତା ପାଖକୁ ଦୁଇ ,ତା ପାଖକୁ ତିନି, ଏମିତି ସଙ୍ଖ୍ୟା ପରେ ସଙ୍ଖ୍ୟା କ୍ରମିକ ଭାବରେ ଧାଡ଼ି ପରେ ଧାଡ଼ି ଓପାଓକା ଲେଖିଚାଲିଲେ । ଶେଷରେ କ୍ୟାନଭାସର ଡାହାଣ କୋଣ ତଳର ଶେଷ ଧାଡିରେ ପହଞ୍ଚିଲା ବେଳକୁ ୩୫,୩୨୭ ସଙ୍ଖ୍ୟା ପାଖରେ ପହଞ୍ଚି ସାରିଥିଲେ ସେ । 

ଛୟାଳିଶ ବର୍ଷ ଶିଳ୍ପୀ ଜୀବନରେ ଓପାଓକା ଏମିତିକା ୨୨୨ଟି କ୍ୟାନଭାସ ପ୍ରସ୍ତୁତ କରିଥିଲେ । ସେ ତାଙ୍କର ସବୁ କ୍ୟାନଭାସ ର ନାମ ରଖିଥିଲେ '୧୯୬୫/୧-∞' ଆଉ ସବୁ କ୍ୟାନଭାସର ଆକାର ରଖିଥିଲେ ଛ ଫୁଟ ଗୁଣନ ଚାରି ଫୁଟ । ମଜା କଥାଟି ହେଲା, ଓପାଓକାଙ୍କ ଷ୍ଟୁଡିଓର ଦାଣ୍ଡ ଦରଜାଟି ଠିକ୍ ଏଇ ମାପର ହିଁ ଥିଲା । ଓପାଓକା ବହୁସମୟ ଧରି ଆପଣା ଷ୍ଟୁଡିଓରେ କାମ କରୁଥିଲେ ଓ ଦିନକୁ ହାରହାରି ୪୦୦ ପାଖାପାଖି ଅଙ୍କ (ଆଙ୍କୁଥିଲେ) ଲେଖୁଥିଲେ ।

ରୋମାନ ଓପାଓକାଙ୍କର ଏକ ଆଲୋକଚିତ୍ର (ୱିକିମିଡିଆ କମନ୍ସ୍)
ଚିତ୍ରୋତ୍ତୋଳକ - ଲୋଥା ୱଲି (୧୯୩୦-୧୯୭୯)

ଓପାଓକା ପ୍ରଥମେ ପ୍ରଥମେ କଳା ରଙ୍ଗ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖୁଥିଲେ, କିନ୍ତୁ ୧୯୬୮ ବେଳକୁ କ୍ୟାନଭାସର ବ୍ୟାକଗ୍ରାଉଣ୍ଡର କଳାରଙ୍ଗର ଜାଗା ଗ୍ରେ ରଙ୍ଗ ନେଲା । ଏବଂ ୧୯୭୨ ମସିହା ସମୟକୁ ସେ ନିଷ୍ପତି ନେଲେ ଯେ, ଗ୍ରେ ବ୍ୟାକଗ୍ରାଉଣ୍ଡରେ ସେ ଏଥର ଅଳ୍ପ ଅଳ୍ପ ଧଳାରଙ୍ଗ ମିଶାଇ ଚାଲିବେ ଓ ଏମିତି ଧୀରେ ଧୀରେ ଅଳ୍ପ ଅଳ୍ପ ଗ୍ରେ ରଙ୍ଗରେ ଧଳା ମିଶାଇ ମିଶାଇ ଦିନେ ସେ ଧଳା ବ୍ୟାକଗ୍ରାଉଣ୍ଡ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖିବେ । 

ସେ ହାରାହାରି ଗୋଟେ ହିସାବ ଲଗାଇଥିଲେ ଯେ ୭,୭୭୭,୭୭୭ ସଙ୍ଖ୍ୟା ପାଖରେ ପହଞ୍ଚିଲା ବେଳକୁ ତାଙ୍କ କ୍ୟାନଭାସର ବ୍ୟାକଗ୍ରାଉଣ୍ଡ ଗ୍ରେ ରୁ ସମ୍ପୂର୍ଣ ଧଳା ହୋଇସାରିଥିବ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲାବେଳକୁ, ସେ ୬,୦୦୦.୦୦୦ ସଙ୍ଖ୍ୟା ପାଖରେ କାମ କରିବା ଅବଶ୍ୟ ବନ୍ଦ କରିସାରିଥିଲେ ।
ସେତବେଳକୁ ସେ ଧଳା ରଙ୍ଗ ଉପରେ ଧଳା ରଙ୍ଗରେ ହିଁ ଲେଖୁଥିଲେ । ଜୀବନର ଶେଷ ତିନି ବର୍ଷ ଓପାଓକା ଧଳା କ୍ୟାନଭାସ ଉପରେ ଧଳା ରଙ୍ଗରେ କ୍ରମିକ ସଙ୍ଖ୍ୟା ସବୁ ଲେଖୁଥିଲେ । ଧଳା ଉପରେ ଧଳାରେ ଲିଖିତ ସଙ୍ଖ୍ୟା ସବୁ ଅଦୃଶ୍ୟ ହେବା ଆଗରୁ ଦୃଶ୍ୟମାନ ତାଙ୍କ ଲିଖିତ ଶେଷ ସଙ୍ଖ୍ୟାଟି ଥିଲା ୫,୬୦୭,୨୪୯ ।
ଫ୍ରାନ୍ସରେ ଜନ୍ମିତ ଏହି ପୋଲାଣ୍ଡର ଚିତ୍ରଶିଳ୍ପୀ ରୋମାନ ଓପାଓକାଙ୍କ ଜନ୍ମ ୨୭ ଅଗଷ୍ଟ ୧୯୩୧ରେ ହୋଇଥିଲା ଓ ମୃତ୍ୟୁ ତାଙ୍କର ଅଶୀତମ ଜନ୍ମଦିନର ମାତ୍ର ତିନି ସପ୍ତାହ ପୂର୍ବରୁ, ଅର୍ଥାତ ୬ ଅଗଷ୍ଟ ୨୦୧୧ରେ ହୋଇଥିଲା । କନ୍ସେପଚୁଆଲ କଳା ଚିନ୍ତନର ଜଣେ ପ୍ରମୁଖ ଚିତ୍ରଶିଳ୍ପୀ ଭାବରେ ଓପାଓକା ବିଶ୍ଵର ଅନେକ ବିଖ୍ୟାତ ଗ୍ୟାଲେରୀ, ମ୍ୟୁଜିୟମ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମାନଙ୍କରେ ସ୍ଥାନ ପାଇଛନ୍ତି । ଛୋଟିଆ କଥା ଭିତରେ କେତେ ଯେ ଗୁରୁତ୍ୱପୂର୍ଣ ବକ୍ତବ୍ୟ କୁହାଯାଇପାରେ, ତାହା ସେ ଦେଖାଇ ଦେଇଛନ୍ତି ।

No comments:

Post a Comment