Friday, January 19, 2018

ଛାତ୍ରାବାସ

ଗୋପବନ୍ଧୁ ଦାଶ


ଅଷ୍ଟ୍ରେଲିଆର ଆର୍ମିଡେଲ୍ ସ୍କୁଲର ଛାତ୍ରାବାସ (୧୮୯୮ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବୋର୍ଡିଂ ହାଉସ୍ ବା ଛାତ୍ରାବାସ ଭାରତବର୍ଷରେ ନୂଆ ଜିନିଷ ନୁହେଁ । ପୂର୍ବେ ପ୍ରଧାନ ଶିକ୍ଷା କେନ୍ଦ୍ରମାନଙ୍କର ଶତଶତ ଛାତ୍ର ଶିକ୍ଷକମାନଙ୍କ ସହିତ ଏକତ୍ର ବାସ କରୁଥିଲେ । କାଶୀ ନବଦ୍ୱୀପ ପ୍ରଭୃତି ସ୍ଥାନମାନଙ୍କରେ ଏବଂ ପୁରୀର କୌଣସି ମଠରେ ଅଦ୍ୟାପି ଏଥିରେ ଛାୟା ଦେଖାଯାଏ । ଯେଉଁ ବିଦ୍ୟାଳୟରେ ଦୂର ସ୍ଥାନର ବହୁ ଛାତ୍ର ପଢ଼ନ୍ତି ତହିଁରେ ଛାତ୍ରବାସର ଅତୀବ ପ୍ରୟୋଜନ । ଆଜି କାଲି ସବୁ ସ୍କୁଲ କଲେଜରେ ଛାତ୍ରାବାସର ବ୍ୟବସ୍ଥା ହୋଇଗଲାଣି । ଛାତ୍ରାବାସରେ ରହିଲେ ଶିଷ୍ୟମାନେ ଶିକ୍ଷକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ସୁବିଧା ପାଆନ୍ତି । ସ୍କୁଲ ପାଞ୍ଚ ଘଣ୍ଡା ଛଡ଼ା ଶିକ୍ଷକ ଛାତ୍ରଙ୍କର ଆଉ ପ୍ରାୟ କ୍ୱଚିତ ସଂସ୍ରବ ଘଟେ । ତେଣୁ ପୁସ୍ତକ ପାଠ ଭିନ୍ନ ଛାତ୍ରମାନଙ୍କ ଜୀବନ ଗଠନରେ ଶିକ୍ଷକମାନେ ବିଶେଷ କିଛି କରିପାରନ୍ତି ନାହିଁ । ଛାତ୍ରାବାସ ଦ୍ୱାରା ଏ ଅସୁବିଧା ଦୂର ହେବ । କ୍ରମେ ଛାତ୍ରାବାସ ବିଦ୍ୟାଳୟର ଏକ ଅତି ଆବଶ୍ୟକୀୟ ଅଙ୍ଗ ବୋଲି ବିବେଚିତ ହେଉଅଛି । କିନ୍ତୁ ଏହି ଛାତ୍ରାବାସ ସବୁ ଯେ ରୀତିରେ ତିଆରି ହେଉଛି. ତାହା କେତେ ଦୂର ଏ ଦେଶର ଉପଯୋଗୀ ଏହା ଏକ ଗୁରୁତର ଚିନ୍ତାର ବିଷୟ । କଟକ ଟ୍ରେନିଂ ସ୍କୁଲ ନିମନ୍ତେ କାଠଯୋଡ଼ି କୂଳରେ ନୂତନ ଏକ ଛାତ୍ରାବାସ ତିଆରି ହୋଇଅଛି । ଏହା ଏକ ଦ୍ୱିତଳ ପ୍ରାସାଦ ସ୍କୁଲ ଗୃହଠାରୁ ଅଧିକ ମୂଲ୍ୟବାନ ଏବଂ ସୁନ୍ଦର । ସରକାରଙ୍କର ସବୁ କାର୍ଯ୍ୟ ତ ଗୋଟିଏ କଳରେ ଚାଲେ । କଳଜିନିଷ ସବୁ ଏକମଛାରେ ଗଢ଼ା । ସେଥିରେ ଦେଶକାଳ ପାତ୍ର ବିଚାର ନାହିଁ । ଭିନ୍ନ ରୁଚି ଭିନ୍ନ ଅବସ୍ଥା ଲାଗି ଅନୁରୂପ ବ୍ୟବସ୍ଥା ଅସମ୍ଭବ । ଛାତ୍ରାବାସ କାହା ଲାଗି ହେଉଅଛି ? ସେମାନଙ୍କର ଭୂତ ଭବିଷ୍ୟତ ଯେ ବିଚାର କରିବା ଉଚିତ କର୍ତ୍ତାମାନେ ତାହା ଏକାବେଳକେ ଭୁଲିଯିବାର ଦେଖାଯାଏ ଚାଳ ଘରଠାରୁ କୋଠାଘର ଭଲ ଏକତାଲାଠାରୁ ଦୋତାଲା ଭଲ କିଏ ମନା କରୁଛି ? ପୋଲାଙ୍ଗ ବା ଜଡ଼ା ତେଲର ଦୀପ ମଇଳା । ବିଜୁଳି ଆଲୁଅ ଓ ଗ୍ୟାସ ଲାଇଟ୍ ଅବଶ୍ୟ ସଫା । ତଳେ ଶୋଇବାଠାରୁ ପଲଙ୍କରେ ଶୋଇବା ସୁଖକର । ମାତ୍ର ଆମ ଦେଶର ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ବାଲ୍ୟ ସମୟ କେଉଁଠାରେ କି ଅବସ୍ଥାରେ କଟାଇଅଛନ୍ତି ଏବଂ ପଢ଼ ସାରିଲେ କି ଅବସ୍ଥାରେ କଟାଇବେ ? ପଢ଼ିଥିବା ସମୟରେ ଏହିପରି ବିଳାସବୈଭଦ ବେଷ୍ଟନୀ ମଧ୍ୟରେ କେତେକ କାଳ ରହି ଛୁଟିରେ ଗାଁକୁ ଗଲାବେଳେ ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଘର ସୁଖ ଲାଗେ ନାହିଁ । ସୁଖ ଲାଗିବ କାହୁଁ ? "ଯାକୁ ମିଳଇ ପଇଙ୍କ ସୁପାତି ତାର ଭୂମିଶଯ୍ୟାରେ କାହିଁ ପ୍ରୀତି ?” ଗାଁ ଲୋକଙ୍କ ଆଚାର ବ୍ୟବହାର ଅଭ୍ୟାସ ଜୀବନୋପାୟ ଆଦି ପ୍ରତି ସେମାନଙ୍କର ଆଉ ପ୍ରାଣରେ ଆସ୍ଥା ଓ ଆଦର ରହିବ କାହିଁ  ? କ୍ରମେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ଦେଶରେ ଏକ ନୂତନ ଜଘନ୍ୟ ଜାତିଭେଦ ସୃଷ୍ଟି ହେଉଛି । ଲୋକ ସାଧାରଣଙ୍କ ସଙ୍ଗେ ମିଶିବା ଆବଶ୍ୟକ । ସେମାନଙ୍କ ସହିତ ସହାନୁଭୂତି ଓ ସୋଦରତା ରଖିବା ବିଧେୟ ଇତ୍ୟାଦି ଉପଦେଶ ଓ ପରାମର୍ଶମାନ କେବଳ ବକ୍ତୃତାର ବିଷୟ ହୋଇ ରହୁଛି । ଛାତ୍ରମାନଙ୍କର ଭୂତ ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି ଏପରି ଶିକ୍ଷା ବିଧାନର କଳ ଚଳାଇଲେ ଏଥିରେ ଦେଶର ବା ସମାଜର କି ଉପକାର ହେବ ?

ଦିନକୁ ଦିନ ଶିକ୍ଷା ଆଡ଼େ ସରକାର ସାହାଯ୍ୟ ବଢ଼ାଇଛନ୍ତି । କିନ୍ତୁ ସାହାଯ୍ୟ ବଢିବା ଅନୁପାତରେ ଶିକ୍ଷାର ପରିସର ବଢୁଛି ତ ? ଏ ଦେଶରେ କୁଟୀରରୁ ବେଦବେଦାନ୍ତବିତ ଅନେକ ଶକ୍ତିଶାଳୀ ବ୍ୟକ୍ତ ବାହାରିଥିଲେ । ଶଙ୍କର, ଆର୍ଯ୍ୟଭଟ୍ଟ, ଭାସ୍କର ଜୀବନରେ କୋଠା ବା ବିଜୁଳି ଆଲୁଅ ଦେଖି ନ ଥିଲେ । ଆମ୍ଭମାନଙ୍କ ଯୁଗରେ ମହାତ୍ମା ଚନ୍ଦ୍ରଶେଖରଙ୍କ ଭଗ୍ନ କୁଟୀର ଯେଉଁମାନେ ଦେଖି ଅଛନ୍ତି ପାଣ୍ଡିତ୍ୟ ଲାଭ ବା ପ୍ରତିଭାର ବିକାଶ ଲାଗି ପ୍ରାସାଦ ପ୍ରୟୋଜନ ନୁହେଁ ବୋଲି ସେମାନଙ୍କୁ ବୁଝାଇଦେବା ଆବଶ୍ୟକ ହେବନାହିଁ । ଛାତ୍ରବାସକୁ ପ୍ରାସାଦ କରିବାରେ ଯେ ଟଙ୍କା ଖର୍ଚ୍ଚ ହେଉଛି ତାହା ଶିକ୍ଷାର ଅନ୍ୟ ଆଡ଼େ ଖର୍ଚ୍ଚ କଲେ ନିଶ୍ଚୟ ଅଧିକ ଫଳ ହୁଅନ୍ତା । ଶିକ୍ଷାର ଗୁଣ ପ୍ରକାର ବା ବିଶେଷତ୍ୱ ଘର ଉପରେ ନିର୍ଭର କରେ ବୋଲି କୁହାଯାଇ ନ ପାରେ । ଅବଶ୍ୟ ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦିଆଯିବା ସର୍ବଥା ବାଞ୍ଛନୀୟ । ବିଦ୍ୟାଳୟ ଓ ଛାତ୍ରାବାସ ପରିସ୍କାର, ସ୍ୱାସ୍ଥ୍ୟକର ରୁଚିସମ୍ପନ୍ନ ଗୃହ ହେବା ଉଚିତ କିନ୍ତୁ ଏସବୁ କେବଳ ପ୍ରାସାଦରେ ଅଛି ବୋଲି ଏ ଦେଶ ଲୋକେ ମନେ କରନ୍ତି ନାହିଁ । କେହି କେହି ଶିକ୍ଷାନୀତିବିଶାରଦ ମତ ଦେଇପାରନ୍ତି ବିଦ୍ୟାଳୟ ଓ ଛାତ୍ରାବାସ ଜାକ୍‌ଜମକ ହେଲେ ଲୋକେ ଶିକ୍ଷା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୁଅନ୍ତି ଏବଂ ଶିକ୍ଷାର ମର୍ଯାଦା ସମାଜରେ ବଢ଼ିଯାଏ । ହଁ ବାହାରେ ଚାକଚକ୍ୟର ଏଭଳି ବ୍ୟବହାର ସମାଜ ବିଶେଷରେ ଥାଇପାରେ । କିନ୍ତୁ ଭାରତ ପରି ପ୍ରାଚୀନ ଓ ଶିକ୍ଷାନୁରକ୍ତ ସମାଜ ପକ୍ଷେ ଏ ଯୁକ୍ତି ଖଟିବ ନାହିଁ । ଖଟିଲେ ସୁଦ୍ଧା ଏତେ ମୂଲ୍ୟରେ ଏ ଆକର୍ଷଣ ଶକ୍ତି କିଣିବା ଆମ୍ଭମାନଙ୍କର ଅବସ୍ଥା ନୁହେଁ । ଆମ୍ଭେମାନେ କହୁଁ ଶିକ୍ଷା ସୁଲଭ ହେଉ । ବିଶେଷତଃ ଭାରତ ପରି ଦରିଦ୍ର ଦେଶରେ ଯେତେ ସହଜରେ ଶିକ୍ଷା ପ୍ରଚାର ହୋଇପାରେ, କର୍ତ୍ତୃପକ୍ଷମାନଙ୍କର ତାହା ଦେଖିବା ଉଚିତ। ଅତ୍ୟନ୍ତ ଆକ୍ଷେପର କଥା ବର୍ତ୍ତମାନ ବ୍ୟୟସାଧ୍ୟ ବିଧାନରେ ମଧ୍ୟ ସ୍କୁଲ କଲେଜ ଏବଂ ଛାତ୍ରବାସରେ ସ୍ଥାନ ନାହିଁ ବୋଲି ଅନେକ ଶିକ୍ଷାର୍ଥୀଙ୍କୁ ଫେରାଇ ଦିଆଯାଉଛି । ଆକର୍ଷଣ ବଢ଼ାଇବାରେ ଆଉ ପ୍ରୟୋଜନ କଣ ? ଆଉ ଗୋଟିଏ କଥା ଛାତ୍ରାବାସ ତ ହେଲା ଛାତ୍ରର ଆଦର୍ଶ ଆବାସ । ଯେଉଁମାନେ ଛାତ୍ରାବାସୀର ବାହାରେ ରହି ପଢ଼ୁଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଭାବ କଣ ସବୁବେଳେ ନ୍ୟୂନ ? ପିତାମାତାଙ୍କ ସଙ୍ଗେ ସଙ୍ଗେ ଜଣେ ଜଣେ ଛାତ୍ର ଯେପରି ଘରେ ରହି ଯେ ଅବସ୍ଥାରେ ପାଠ ପଢ଼ନ୍ତି ତାହା କର୍ତ୍ତୃପକ୍ଷମାନେ କଳ୍ପନା କରିପାରିବେ ନାହିଁ ।  କିନ୍ତୁ ସେହି ଘରୁ ସେହି ଅବସ୍ଥାରୁ ବି ତ ସାର୍ ଗୁରୁଦାସ ବାହାରିଛନ୍ତି ।

ଯେଉଁମାନେ ସ୍କୁଲ କଲେଜରେ ପଢ଼ୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧକାଂଶ ଚାକିରି ଉଦ୍ଦେଶ୍ୟରେ ପଢ଼ୁଛନ୍ତି । ଅନ୍ତତଃ ଏ ପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ଅନ୍ୟ କିଛି ପନ୍ଥା ଫିଟି ନାହିଁ । ଏ ସୂତ୍ରରେ ସେମାନଙ୍କ ଅର୍ଜନ କେତେ ? ସେଥିରେ ପୁଣି ପୁତ୍ର କନ୍ୟା ପରିବାର ଆଦି ସଂସାର ଅଛି । ବହୁ ବ୍ୟୟସାଧ୍ୟ ସହରବାସ ତ ଅଧିକାଂଶଙ୍କ ଭାଗ୍ୟରେ ଘଟିବ ନାହିଁ । ଛାତ୍ରବାସରେ ଯେପରି ଘରେ ଯେ ବିଭବରେ ଥିଲେ ତାହା ସଂସାର-ଜୀବନରେ କେତେ ଜଣଙ୍କୁ ମିଳିବ ? କିନ୍ତୁ ଅଭ୍ୟାସ ହେତୁରୁ ମନ ତାହା ସବୁବେଳେ ଲୋଡିବ ନାହିଁ କି ? ଫଳରେ ଅଧିକାଂଶ ଜୀବନରେ ଚିର ଅସନ୍ତୋଷ ଲାଗ ରହିବ । ବାପ ବଡ଼ବାପଙ୍କଠାରୁ ଅଧିକ ଉପାର୍ଜନ କଲେ ମଧ୍ୟ ସବୁବେଳେ ଦୈନ୍ୟ ହାହାକାର । ଏବଂ ଏ ଅବସ୍ଥାରେ ଅନେକେ ଯେ ଯେନକେନ ପ୍ରକାରେଣ ଅଧିକ ଅର୍ଥୋପାର୍ଜନର ପନ୍ଥା ଖୋଜିବେ ତାହା ବିଚିତ୍ର କଅଣ ? ବିଷେଷତଃ ଟ୍ରେନିଂ ସ୍କୁଲର ଛାତ୍ରମାନେ ପଲ୍ଲୀରେ ଶିକ୍ଷା ପ୍ରଚାର ଲାଗି ପ୍ରସ୍ତୁତ ହେଉଅଛନ୍ତି ପଲ୍ଲୀର ଯେଉଁ ବାଳକ ବାଳିକାମାନେ ଧୂଳିରେ ମାଟିରେ ବଢ଼ିଛନ୍ତି, ସେହି ମାନେ ହିଁ ହେବେ ଏମାନଙ୍କର ଛାତ୍ର । ସକାଳୁ ସନ୍ଧ୍ୟାବେଳ ଯାଏ ପଙ୍କ ଚକଟନ୍ତି ଯେଉଁ ପଲ୍ଲୀ-କୃଷକ, ଖାଲି ମୁଣ୍ଡରେ ଖରା ବର୍ଷା ଖାଇ ପଡ଼ିଥାଆନ୍ତି ଯେଉଁ ପଲ୍ଲୀଶ୍ରମଜୀବୀ, ଦୁଇ ଅଣା ପଇସା ଭିଆଇବା ପାଇଁ ଦିନରାତି ଶାଳରେ ଖଟୁଥାଆନ୍ତି ଯେଉଁ ପଲ୍ଲୀ-କାରିଗର, ସେହିମାନେ ହେବେ ଏହି ଶିକ୍ଷକମାନଙ୍କ ସଙ୍ଗୀ, ସ୍ୱଜନ । ଏମାନେ ବି ଯେଉଁ ବର୍ତ୍ତନ ପାଇବେ, ସେଥିରେ ସଂସାର ଚଳାଇବା ଏମାନଙ୍କ ପକ୍ଷେ ଦୁଷ୍କର । ଶିକ୍ଷା ନୀତିର ସବିଶେଷ ପ୍ରସଙ୍ଗ ସମାଧାନରେ ଏ ସବୁ ସମସ୍ୟାର ସମ୍ୟକ୍ ଆଲୋଚନା ଏକାନ୍ତ ବିଧେୟ ।

(ସତ୍ୟବାଦୀ, ୨ୟ ଖଣ୍ଡ, ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା, ୧୯୧୬)

No comments:

Post a Comment