Friday, January 05, 2018

ସୌରଜଗତରେ ପୃଥିବୀ


ଅନୁବାଦ - ବିଶ୍ୱଜିତ ଆପଟ


ସୌରମଣ୍ଡଳର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ପ୍ରସିଦ୍ଧ ଓଲନ୍ଦାଜ ତାରକା ମାନଟିତ୍ରକାର ଆନ୍ଦ୍ରିଅସ୍ ସେଲାରିଅସ୍ (୧୫୯୬-୧୬୬୫)ଙ୍କ ଅଙ୍କନ


ସୂର୍ଯ୍ୟ ଅସ୍ତ ଯିବାପରେ ଆକାଶ କେଡେ ସୁନ୍ଦର ଦିଶେ ! ପ୍ରଥମେ ଗୋଟିଏ ବା ଦୁଇଟି ଉଜ୍ଜଳ ବିନ୍ଦୁ ଆକାଶରେ ଚମକି ଉଠେ । ଖୁବ୍ ଶୀଘ୍ର ସେହିପରି ଅନେକଗୁଡିଏ ବିନ୍ଦୁ ତୁମେ ଦେଖିବାକୁ ପାଅ । ତୁମେ ଆଉ ସେଗୁଡିକ ଗଣିପାର ନାହିଁ । ପୁରା ଆକାଶ ସେହିଭଳି ଛୋଟଛୋଟ ଚମକଦାର ବିନ୍ଦୁରେ ଭରିଉଠେ । କିଛି ଉଜ୍ଜଳ ଦିଶନ୍ତି ଓ ଆଉ କିଛି ବିନ୍ଦୁ ଅସ୍ପଷ୍ଟ ଦିଶେ । ସତେକି ଆକାଶରେ ଅନେକଗୁଡିଏ ହୀରା ଖଚିତ ହୋଇଛି । ସେଗୁଡିକ ମିଞ୍ଜିମିଞ୍ଜି ହେଲାପରି ଲାଗନ୍ତି । କିନ୍ତୁ ତୁମେ ଯଦି ଧ୍ୟାନ ଦେଇ ଦେଖିବ ସେମାନଙ୍କ ମଧ୍ୟରୁ କିଛି ମିଞ୍ଜିମିଞ୍ଜି କରୁନଥିବା ପରି ଦିଶିବେ । ସେମାନଙ୍କ ଚମକ ଚନ୍ଦ୍ର ପରି ସ୍ଥିର । 

ଏହି ସବୁ ଉଜ୍ଜଳ ପିଣ୍ଡଗୁଡିକ ସହ ଚନ୍ଦ୍ରକୁ ମଧ୍ୟ ଅଧିକାଂଶ ଦିନ ଦେଖିବାକୁ ପାଅ । ଅଥଚ ଚନ୍ଦ୍ର ଦିଶିବା ସମୟ, ସ୍ଥାନ ଓ ଚନ୍ଦ୍ରର ଆକୃତି ଭିନ୍ନ ଭିନ୍ନ ହୋଇଥାଏ । ପ୍ରାୟ ପ୍ରତି ମାସରେ ଥରେ ତୁମକୁ ପୂର୍ଣ୍ଣ ଚନ୍ଦ୍ର ଦେଖିବାକୁ ମିଳେ । ଏହାକୁ ଆମେ ପୂର୍ଣ୍ଣିମା ରାତି ବୋଲି କହିଥାଉ । ଏକ ପକ୍ଷ ବା ୧୫ ଦିନ ପରେ ତୁମକୁ ଚନ୍ଦ୍ର ଆଦୌ ଦିଶେ ନାହିଁ । ଏହି ରାତିକୁ ଆମେ ଅମାବାସ୍ୟା କହୁ । ଅମାବାସ୍ୟାରେ ତୁମେ ଆକାଶକୁ ଖୁବ୍ ଭଲଭାବେ ଦେଖିପାରିବ କାରଣ ଆକାଶ ନିର୍ମଳ ଦିଶେ ।

ତୁମେ କେବେ ଚିନ୍ତା କରିଛ କି ଆମେ କାହିଁକି ଚନ୍ଦ୍ର ଓ ଅନ୍ୟ ସବୁ ଉଜ୍ଜଳ ପିଣ୍ଡଗୁଡିକୁ ଦିନବେଳେ ଦେଖିପାରୁନା ? ଏହାର କାରଣ ହେଉଛି ସୂର୍ଯ୍ୟର ଆଲୋକ । ଏହା ଏତେ ଉଜ୍ଜଳ ଯେ ରାତି ଆକାଶରେ ଦିଶୁଥିବା ଉଜ୍ଜଳ ପିଣ୍ଡଗୁଡିକ ଦିନବେଳେ ଦେଖାଯାଏ ନାହିଁ ।

ସୂ୍ର୍ଯ୍ୟ, ଚନ୍ଦ୍ର ଓ ଆଉ ଯେତେ ସବୁ ରାତି ଆକାଶରେ ଚମକୁଥିବା ବସ୍ତୁଗୁଡିକୁ ଆମେ ମହାଜାଗତିକ ପିଣ୍ଡ ବୋଲି କହିଥାଉ । କିଛି ମହାଜାଗତିକ ପିଣ୍ଡ ଖୁବ୍ ବିଶାଳ ଓ ଉତ୍ତପ୍ତ । ସେଗୁଡିକ ଗ୍ୟାସ୍ ଦ୍ୱାରା ଗଠିତ । ସେମାନଙ୍କର ନିଜର ଉତ୍ତାପ ଓ ଆଲୋକ ଅଛି । ଏହି ଆଲୋକ ବିପୁଳ ମାତ୍ରାରେ ବିଚ୍ଛୁରିତ ହୁଏ । ଏହି ମହାଜାଗତିକ ପିଣ୍ଡଗୁଡିକୁ ନକ୍ଷତ୍ର ବା ତାରକା କୁହାଯାଏ । ସୂର୍ଯ୍ୟ ଏକ ନକ୍ଷତ୍ର ଅଟେ ।

ରାତିରେ ଆକାଶରେ ଝଲମଲ କରୁଥିବା ଅଗଣିତ ତାରକା ସୂର୍ଯ୍ୟ ପରି । କିନ୍ତୁ ସେମାନେ ଆମ ଠାରୁ ଅନେକ ଦୂରରେ ଥିବାରୁ ଆମେ ସେମାନଙ୍କର ଆଲୋକ ଓ ଉତ୍ତାପ ଅନୁଭବ କରିପାରୁନା । ସେମାନେ ଖୁବ୍ ଛୋଟ ଦେଖାଯାଆନ୍ତି ।

ତୁମେ ଲକ୍ଷ୍ୟ କରିଥିବ ଯେ ପ୍ରତି ବସ୍ତୁ ଦୂରରୁ ଛୋଟ ଦେଖାଯାଏ । ଅନେକ ଉଚ୍ଚରେ ଉଡୁଥିବା ଉଡାଜାହାଜ ଆଖିକୁ କେତେ ଛୋଟ ଦିଶେ ।

ରାତିର ଆକାଶକୁ ଦେଖିବା ବେଳେ ତୁମେ ହୁଏତ ଲକ୍ଷ୍ୟ କରିଥିବ ନକ୍ଷତ୍ରଗୁଡିକ ଭିନ୍ନ ଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଛନ୍ତି । ଏଗୁଡିକୁ ନକ୍ଷତ୍ରପୁଞ୍ଜ କୁହାଯାଏ । ଉର୍ସା ମେଜର୍ ବା ବିଗ୍ ବିୟର୍ ଏହିପରି ଏକ ନକ୍ଷତ୍ରପୁଞ୍ଜ ଅଟେ । ସ୍ମଲ୍ ବିୟର୍ ବା ସପ୍ତର୍ଷିମଣ୍ଡଳ ସହଜରେ ଚିହ୍ନି ହେଉଥିବା ପରି ଏକ ନକ୍ଷତ୍ରପୁଞ୍ଜ ଅଟେ । ଏହା ସାତଟି ନକ୍ଷତ୍ରର ସମାହାର ଅଟେ । ଏହା ଉର୍ସା ମେଜର୍ ନକ୍ଷତ୍ରପୁଞ୍ଜର ଏକ ଅଂଶ । ତୁମ ପରିବାରରେ ବା ପାଖ ପଡୋଶୀରେ ରହୁଥିବା କୌଣସି ବ୍ୟକ୍ତିଙ୍କୁ ତୁମେ ଆକାଶରେ ଦୃଶ୍ୟମାନ ହେଉଥିବା ଅନ୍ୟ ନକ୍ଷତ୍ର, ଗ୍ରହ ଓ ନକ୍ଷତ୍ରପୁଞ୍ଜଗୁଡିକୁ ଚିହ୍ନାଇଦେବା ପାଇଁ ଅନୁରୋଧ କର ।

ପ୍ରାଚୀନ କାଳରେ ଲୋକମାନେ ନକ୍ଷତ୍ରମାନଙ୍କ ସାହାଯ୍ୟରେ ରାତି ସମୟରେ ଦିଗ ନିର୍ଣ୍ଣୟ କରୁଥିଲେ । ଧ୍ରୁବତାରା ଉତ୍ତର ଦିଗ ଦର୍ଶାଇ ଥାଏ ଏହାକୁ ମେରୁ ତାରକା ମଧ୍ୟ କୁହାଯାଏ । ଏହା ସର୍ବଦା ଆକାଶରେ ଗୋଟିଏ ସ୍ଥାନରେ ସ୍ଥିର ଭାବେ ରହିଥିବାର ଜଣାପଡେ । ସପ୍ତର୍ଷିମଣ୍ଡଳ ସହାୟତାରେ ଆମେ ଧ୍ରୁବ ତାରାର ସ୍ଥାନ ଜାଣିପାରିବାଚିତ୍ର କ୍ରମାଙ୍କ .୧କୁ ଦେଖ । ଲକ୍ଷ୍ୟ କର କିପରି ସପ୍ତର୍ଷିମଣ୍ଡଳର ଦୁଇଟି ନକ୍ଷତ୍ର ଦେଇ ଏକ କାଳ୍ପନିକ ରେଖା ଅଙ୍କନ କଲେ ରେଖାଟି ଧ୍ରୁବତାରାର ସ୍ଥାନ ଦର୍ଶାଇବ ।

କେତେକ ମହାଜାଗତିକ ପିଣ୍ଡଗୁଡିକର ନିଜସ୍ୱ ଆଲୋକ ବା ଉତ୍ତାପ ନାହିଁ । ନକ୍ଷତ୍ରମାନଙ୍କର ଆଲୋକରେ ସେମାନେ ଉଜ୍ଜଳ ଦିଶନ୍ତି । ସେଗୁଡିକୁ ଗ୍ରହ କୁହାଯାଏ । ଇଂରାଜୀ ଭାଷାରେ ଗ୍ରହକୁ ପ୍ଲାନେଟ୍ କୁହାଯାଏ । ପ୍ଲାନେଟ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ପ୍ଲାନେଟାଇରୁ ଆସିଅଛି ଯାହାର ଅର୍ଥ ହେଲା ପରିଭ୍ରମଣକାରୀ । ଆମେ ବାସ କରୁଥିବା ପୃଥିବୀ ମଧ୍ୟ ଏକ ଗ୍ରହ ଅଟେ । ଏହାର ସମସ୍ତ ଆଲୋକ ଓ ଉତ୍ତାପ ସୂର୍ଯ୍ୟ ଠାରୁ ଆସିଥାଏ କାରଣ ସୂର୍ଯ୍ୟ ପୃଥିବୀର ନିକଟତମ ନକ୍ଷତ୍ର ଅଟେ । ଆମେ ଯଦି ପୃଥିବୀକୁ ଖୁବ୍ ଦୂରରୁ ଦେଖିପାରିବା, ଧରାଯାଉ ଚନ୍ଦ୍ର ପୃଷ୍ଠରୁ, ତେବେ ପୃଥିବୀ ମଧ୍ୟ ଚନ୍ଦ୍ର ପରି ଆଲୋକିତ ଦେଖାଯିବ ।

ଆମେ ଆକାଶରେ ଦେଖୁଥିବା ଚନ୍ଦ୍ର ଏକ ଉପଗ୍ରହ ଅଟେ । ଏହା ପୃଥିବୀର ଏକ ସହଯାତ୍ରୀ ଓ ପୃଥିବୀର ଚାରିପଟେ ଘୁରୁଥାଏ । ପୃଥିବୀ ପରି ଆଉ ଆଠଟି ଗ୍ରହ ଅଛନ୍ତି ଯେଉଁମାନେ ସୂର୍ଯ୍ୟ ଠାରୁ ଆଲୋକ ଓ ଉତ୍ତାପ ପାଇଥାନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କର ଉପଗ୍ରହ ମଧ୍ୟ ଅଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ।

No comments:

Post a Comment