Saturday, January 13, 2018

ମିଠାର ଉଦ୍ଭାବନ: ଡିଜର୍ଟ୍‌ର ଏକ ଇତିହାସ

ମାଇକେଲ୍ କ୍ରୋନ୍ଦଲ୍

ଅନୁବାଦ ଓ ଟୀକା - ଜ୍ୟୋତି ନନ୍ଦ


ଭୁବନେଶ୍ୱରର ରସଗୋଲା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭାରତରେ ଖାଇସାରିଲା ପରେ ସାଧାରଣତଃ ଯେଉଁ ମିଠା ବା ଡିଜର୍ଟ୍ ଖିଆ ଯାଇଥାଏ, ତାହାର ପ୍ରେକ୍ଷାପଟଟିକୁ ବୁଝିବା ପାଇଁ ଆମେ ଇତିହାସ ଦୃଷ୍ଟିରୁ ତାହାକୁ ତିନୋଟି ଯୁଗରେ ବିଭକ୍ତ କରିପାରିବା । ପ୍ରଥମଟି ହେଉଛି ଖ୍ରୀପୂ ୧୦୦୦ ରୁ ଖ୍ରୀଅ ୧୦୦୦ର ଏକ ଯୁଗ, ଯେଉଁ ସମୟରେ ଭାରତରେ ହିନ୍ଦୁ ଧର୍ମର ବିକାଶ ଓ ଏକତ୍ରିକରଣ ହେବା ସହିତ ଖାଦ୍ୟକୁ କେନ୍ଦ୍ରକରି ଅନେକ ଗୁଡିଏ ବିଧି ଓ ତାହା ସହିତ ନିଷେଧର ଆଚରଣ ରୀତି ପ୍ରଚଳିତ ହୋଇଥିଲା । ଏହି ଯୁଗଟି ହେଉଛି ଦୁଗ୍ଧଜାତ ମିଠାର ଯୁଗ ଯେଉଁ ସମୟରେ ଆଖୁଚାଷ ଓ ଦୁଗ୍ଧକୁ ସଂରକ୍ଷଣ କରି ରଖିବାର ପ୍ରକ୍ରିୟା ବି ଏକାସାଙ୍ଗରେ ବିକଶିତ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟଟି ହେଉଛି ତାହାର ପରବର୍ତ୍ତୀ ଆଠ ଶହ ବର୍ଷର ସମୟକାଳ, ଅର୍ଥାତ୍ ଖ୍ରୀଅ ୧୮୦୦ ଯାଏଁ । ଏହି ସମୟରେ ବିଶେଷ କରି ମଧ୍ୟପ୍ରାଚ୍ୟର ଚଳଣୀର ଡିଜର୍ଟ୍ ବା ଖାଇସାରିବା ପରର ମିଠା କେନ୍ଦ୍ର ଏସିଆରୁ ମୁସଲମାନ ଆକ୍ରମଣକାରୀମାନଙ୍କ ସହ ଆସି ଭାରତରେ ପହଞ୍ଚିଥିଲା । ଏହା ମୂଖ୍ୟତଃ ମଇଦା-ଭିତ୍ତିକ ଡିଜର୍ଟ ଥିଲା । ଏହି ମଇଦାଜାତ ମିଠା ଆଗରୁ ଭାରତରେ ପ୍ରଚଳିତ ଦୁଗ୍ଧଜାତ ମିଠା ତୁଳନାରେ ପ୍ରଥମରୁ ସେମିତି ଧାର୍ମିକ ମାନ୍ୟତା ପାଇନଥିଲା । କ୍ରମଶଃ ଏହି ମଇଦାଜାତ ମିଠା ଭାରତୀୟ ସମାଜର ନିମ୍ନ ବର୍ଗ ଦ୍ୱାରା ଆଦୃତ ହେବାରେ ଲାଗିଲା ଏବଂ ତାହା ଅନ୍ୟାନ୍ୟ ବର୍ଗ ବିଶେଷ ଦ୍ୱାରା ଗ୍ରହଣୀୟ ହୋଇ ଧାର୍ମିକ ସ୍ୱୀକୃତି ବି ପାଇବାକୁ ଆରମ୍ଭ କଲା ।

ତୃତୀୟ ମିଠାଯୁଗଟି ବ୍ରିଟିଶମାନଙ୍କ ସହ ଭାରତକୁ ଆଗମନ କରିଥିଲା । ବ୍ରିଟିଶମାନେ ରାଜନୀତିଠାରୁ ସାମାଜିକ ଜୀବନ ପର୍ଯ୍ୟନ୍ତ ଧର୍ମନିରପେକ୍ଷ ନୀତି ଅନୁସରଣ କରୁଥିଲେ । ଯଦିଓ ଔପନିବେଶିକ ଶାସନ ଦକ୍ଷିଣ ଏସିଆକୁ ବହୁମାତ୍ରାରେ ରୂପାନ୍ତରିତ କରିଦେଇଥିଲା, ତଥାପି ଡିଜର୍ଟ୍ ବା ମିଠାକୁ ନେଇ ସେମାନଙ୍କ ଭୂମିକା ଥିଲା ଅପ୍ରତ୍ୟକ୍ଷ । ବିଶେଷ କରି ବ୍ରିଟିଶରାଜ ଫଳରେ ଯେଉଁ ନୂତନ ସହରର ଅଭ୍ୟୁଦୟ ଘଟିଥିଲା, ତାହା ସହିତ ମଧ୍ୟ ଗୋଟିଏ ନୂତନ ଅଭିଜାତ ଭାରତୀୟ ବର୍ଗର ଉଦ୍ଭବ ହୋଇଥିଲା । ଏହି ନୂତନ ଅଭିଜାତ ଭାରତୀୟ ବର୍ଗ ଭାରତୀୟ ମିଠା ପ୍ରସ୍ତୁତକାରୀଙ୍କୁ ନୂଆନୂଆ ପ୍ରକାରର ମିଠା ପ୍ରସ୍ତୁତ କରିବା ପାଇଁ ପ୍ରରୋଚିତ କରୁଥିଲେ । ଏଇ ନୂତନ ଭାରତୀୟ ଅଭିଜାତ ବର୍ଗଟି ସେମାନଙ୍କର ଚାଲିଚଳଣରେ ବ୍ରିଟିଶମାନଙ୍କର ଅନୁକରଣ କରୁଥିଲେ । ଏହା ବ୍ୟତୀତ ନିଜର ସ୍ୱାତନ୍ତ୍ର୍ୟ ପାଇଁ ନିଜର ଖାଦ୍ୟରେ ବିଭିନ୍ନ ପ୍ରୟୋଗ କରିବାକୁ ଆଗ୍ରହୀ ରହୁଥିଲେ ।

ସାଧାରଣତଃ ଖାଦ୍ୟରେ ମୂଖ୍ୟ କୋର୍ସ ଅପେକ୍ଷା ପ୍ରାତଃଭୋଜନ ଓ ଡିଜର୍ଟ ବା ଶେଷ ମିଠାଖାଦ୍ୟରେ ଅଧିକ ପରୀକ୍ଷାନିରୀକ୍ଷା କରାଯାଇଥାଏ । ତାହା ବ୍ୟତୀତ ମିଠା ସହିତ ଭାରତରେ ଜଣକର ବ୍ୟକ୍ତିଗତ ପକ୍ଷ ସହିତ ସାମାଜିକ ପକ୍ଷଟି ଜଡିତ ଥିବା ହେତୁ ସେଇ ନୂତନ ଅଭିଜାତ ବର୍ଗ ମିଠାପ୍ରସ୍ତୁତକର୍ତ୍ତା ମାନଙ୍କୁ ନୂଆ ନୂଆ ପ୍ରକାରର ମିଠା ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ । ବିଶେଷ କରି ବ୍ରିଟିଶ ଔପନିବେଶିକ ରାଜଧାନୀ କଲିକତାରେ ମିଠା କ୍ଷେତ୍ରରେ ଏହି ପରୀକ୍ଷାଧର୍ମୀ ପ୍ରୟୋଗ ଅବ୍ୟାହତ ରହିଥିଲା । ପରେ ଏଠାରୁ ଏହା ଧାର୍ମିକ କ୍ଷେତ୍ରକୁ ପ୍ରସାରିତ ହୋଇଥିଲା ।

ଭାରତରେ ମିଠାର ଆଦ୍ୟଯୁଗଟି ବୈଦିକ ଆର୍ଯ୍ୟମାନଙ୍କର ଯୁଗ, ଯେଉଁ ସମୟରେ ଗାଈ ଓ ଗାଈର ପରିପ୍ରେକ୍ଷୀରେ ଦୁଗ୍ଧକୁ ପବିତ୍ର ବୋଲି ମନେ କରାଯାଉଥିଲା । ଆର୍ଯ୍ୟ ବୋଲି ଯେଉଁ ଇଣ୍ଡୋ-ଇଉରୋପୀୟ ଦଳଟି ସୈନ୍ଧବ-ଗାଙ୍ଗେୟ ଅବବାହିକାର ଉର୍ବରାଞ୍ଚଳରେ ଖ୍ରୀପୂ ଦ୍ୱିତୀୟ ସହସ୍ରାବ୍ଦୀ ବେଳକୁ ବସତି ସ୍ଥାପନ କରିଥିଲେ । ସେମାନେ ବୂତ୍ତିରେ ଅର୍ଦ୍ଧ-ପଶୁପାଳକ ଥିଲେ, ଯେଉଁମାନଙ୍କର ସମ୍ପତ୍ତିର ପରିମାପ କରାଯାଉଥିଲା ସେମାନଙ୍କର ଗୋମେଷାଦି ପଶୁ ସମ୍ପଦରେ । ସେମାନଙ୍କର ଭିତରେ ଗୋହତ୍ୟାର ପ୍ରତିରୋଧଟି ସୃଷ୍ଟି ହେବାର କାରଣ ହିସାବରେ କୃଷିକର୍ମରେ, ଦୁଗ୍ଧ ଉତ୍ପାଦନରେ ତଥା ଗୋବର ଆଦିକୁ ଜାଳେଣି ଆକାରରେ ବ୍ୟବହାର କରିବାରେ ଗାଈର ପ୍ରୟୋଜନୀୟତାକୁ ସେମାନେ ଗୋମାଂସ ଅପେକ୍ଷା ଅଧିକ ବୋଲି ବିଚାର କରୁଥିଲେ ।

ଯଜ୍ଞାନୁଷ୍ଠାନ ଆଦି ବୈଦିକ ଅନୁଷ୍ଠାନରେ ପଶୁବଳି ଦିଆଯାଉଥିଲା । ପଶୁ ବଳିଯୋଗ୍ୟ ଦୃଷ୍ଟିରୁ ପବିତ୍ର ବୋଲି ବୈଦିକ ଧାରଣାରୁ ହୁଏତ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ପବିତ୍ର । ତେଣୁ ଦେବତାମାନଙ୍କର ଆହାର୍ଯ୍ୟ ଦୁଗ୍ଧ, ଦହି ଓ ଲହୁଣି ଆର୍ଯ୍ୟମାନଙ୍କର ଖାଦ୍ୟ ତାଲିକାରେ ଅନୁକରଣ କରାଯାଇ ପ୍ରିୟତର ହୋଇ ରହୁଥିଲା । ଆର୍ଯ୍ୟମାନଙ୍କର ଖାଦ୍ୟ ଚଳଣୀରେ ମାଂସାହାରକୁ କିଛି ପରିମାଣରେ ନିଷେଧ କରାଯିବାର ନିର୍ଦ୍ଦିଷ୍ଟ କାରଣଟି ଉପସ୍ଥାପନ କରାଯାଇ ପାରିବ ନାହିଁ । କିନ୍ତୁ ନିଷିଦ୍ଧ ମାଂସାହାର ଯୋଗୁ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଗୁରୁତ୍ୱ କ୍ରମଶଃ ବଢିବାରେ ଲାଗିଲା । ହିନ୍ଦୁଧର୍ମର ବହୁବିଧ ଆଙ୍ଗିକଯୋଗୁ ଭାରତୀୟ ଆତ୍ମାରେ ଏହାର ନିରଙ୍କୁଶ ପ୍ରଭାବ ନ ରହିବା ସ୍ୱାଭାବିକ ।ଖ୍ରୀପୂ ପଞ୍ଚମ ଶତାବ୍ଦୀରେ ଗୌତମ ବୁଦ୍ଧ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ବୌଦ୍ଧମାନେ ନିରାମିଷାଶୀ ଥିଲେ ଏବଂ ସେମାନଙ୍କର ଏହି ପ୍ରଭାବ ଖ୍ରୀପୂ ୨୦୦ ଯାଏଁ ଅଶୋକ ଆଦି ପ୍ରସିଦ୍ଧ ନରପତିଙ୍କ ଜୀବହତ୍ୟା ନିଷେଧ ନୀତି ଯୋଗୁ ହିନ୍ଦୁ ଧର୍ମରେ ଅନୁସୃତ ହେବାକୁ ଲାଗିଲା । ତେଣୁ ସେଇ ସମୟରେ ଭାରତୀୟ ଖାଦ୍ୟରେ ତୃଣଭାଗ ସହିତ ଦୁଗ୍ଧ ଭାଗ ଅଧିକ ରହୁଥିଲା । କହିବାକୁ ଗଲେ, ସେ ସମୟର ଭାରତର ସମତଳ ଅଞ୍ଚଳରେ ନିରାମିଷ ପ୍ରାଧାନ୍ୟ ଲାଭ କରିଥିଲା ବେଳେ ବନାଞ୍ଚଳର କ୍ଷୁଦ୍ର ରାଜ୍ୟଗୁଡିକରେ ଶିକାର ଓ ଶିକାରଜନିତ ଉପଲବ୍ଧ ମାଂସ ପ୍ରମୁଖ ଖାଦ୍ୟ ହିସାବରେ ରହୁଥିଲା । ତେଣୁ ସେ ସମୟରେ ଭାରତ ରାଜନୈତିକ ଦୃଷ୍ଟିକୋଣରୁ ସମତଳ ଅଞ୍ଚଳରେ ରାଜତନ୍ତ୍ର ଓ ବନାଞ୍ଚଳରେ ସାଧାରଣତନ୍ତ୍ର ବୋଲି ଦୁଇଟି ନିର୍ଦ୍ଦିଷ୍ଟ ପରସ୍ପର ବିଦ୍ୱେଷୀ ଏକକରେ ପରିଣତ ହୋଇଥିଲେ, ଯେଉଁଠି ପ୍ରଚଳିତ ଖାଦ୍ୟାଭାସକୁ ନେଇ ବିଭେଦ ଥିଲା । ଗୋଟିଏ ଶାକାହାରୀ ଓ ଅନ୍ୟଟି ମାଂସାହାରୀ ।

ଏହି ପ୍ରସଙ୍ଗରେ ଜୈନମାନଙ୍କର କହିବାକୁ ଗଲେ ଖାଦ୍ୟବିଚାରକୁ ନେଇ ଅନ୍ୟ ଧର୍ମ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକା ରହିଥିଲା । ଜୈନ ଧର୍ମରେ କେବଳ ସମସ୍ତ ପ୍ରକାର ମାଂସାହାରକୁ ନିଷେଧ କରାଯାଇଥିଲା, ସେକଥା ନୁହଁ । ଅନେକ ଗୁଡିଏ ଫଳ ଓ ପରିବାକୁ, ଯେହେତୁ ସେଗୁଡିକ ବିଶେଷ ପ୍ରକାରର ଜୀବନର କାରକ, ସେ ଦୃଷ୍ଟିରୁ ତାହାକୁ ଗ୍ରହଣ କରିବାକୁ ବାରଣ କରାଯାଇଥିଲା ।ସମସ୍ତ ଖାଦ୍ୟ ଯାହା ପଚିବା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ (ଫର୍ମେଣ୍ଟେଡ୍) ତାହା ନିଷେଧ । ଏପରିକି ଜୈନମାନଙ୍କ ପାଇଁ ମହୁକୁ ବାରଣ କରାଯାଇଛି, କାରଣ ଏହି ପ୍ରକ୍ରିୟାରେ ମହୁମାଛିମାନଙ୍କର କ୍ଷତି ହେଉଥିବାରୁ ଜୈନମାନଙ୍କର ଏହା ବର୍ଜନୀୟ ।

ଏଇ ସବୁକୁ ବିଚାରକୁ ନେଲେ ଜୈନମାନଙ୍କର ଖାଦ୍ୟରେ ସମ୍ପୂର୍ଣ୍ଣ ଆନନ୍ଦ ଭାଗଟି ରହୁଥିଲା କେବଳ ଖାଇ ସାରିବା ପରର ଖାଇବା ମିଠା ବା ଡିଜର୍ଟ୍‌ରେ । ତେଣୁ ଜୈନ ସାହିତ୍ୟରେ ମିଠା ଜାତୀୟ ଖାଦ୍ୟର ବହୁଳ ଉଲ୍ଲେଖ ରହିଛି । ସର୍ବ ପ୍ରଥମ ଉଲ୍ଲେଖ ଟି ହେଉଛି ପାୟସ୍ ବା ଚାଉଳରୁ ପ୍ରସ୍ତୁତ ପୁଡିଂ, ଯାହା ଖ୍ରୀପୂ ୪୦୦ର ଗୋଟିଏ ଜୈନ-ବୌଦ୍ଧ ପୁସ୍ତକରେ ସୂଚିତ ହୋଇଛି । ଭାରତୀୟମାନଙ୍କର ପ୍ରିୟ ଜଲେବି ଯାହାକୁ ସାଧାରଣତଃ ପାରସ୍ୟ ଦେଶରୁ ଆସିଛି ବୋଲି ବିଚାର କରାଯାଏ (ପର୍ସିଆନ୍ ଶବ୍ଦ ଜଲିବିୟା ରୁ ଜଲେବି ଶବ୍ଦର ସୃଷ୍ଟି ହୋଇଛି ବୋଲି କୁହାଯାଏ।) କିନ୍ତୁ ତାହାର ଉଲ୍ଲେଖ ଭାରତରେ ଜଣେ ଜୈନ ଲେଖକ ଖ୍ରୀଅ୧୪୫୦ ରେ କରିଛନ୍ତି । ବିଶେଷ କରି ଭାରତର ପଶ୍ଚିମାଞ୍ଚଳ, ଯଥା ଗୁଜୁରାଟ ରାଜ୍ୟ ଏବଂ ଦକ୍ଷିଣାଞ୍ଚଳର ଯଥା କର୍ଣ୍ଣାଟକ, ରାଜ୍ୟର ପ୍ରାଚୀନ ଖାଦ୍ୟାଭ୍ୟାସର ବିବରଣୀ ଜୈନ ଗ୍ରନ୍ଥମାନଙ୍କରୁ ମିଳିଥାଏ । ସମସ୍ତ ପ୍ରକାର ଜୈନ ଡିଜର୍ଟ୍ ଦୁଗ୍ଧ-ଭିତ୍ତିକ ନୁହଁ, କିନ୍ତୁ ଅଧିକାଂଶ ଦୁଗ୍ଧଜାତ ।


ମହୁଛତା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭାରତର ଜଳବାୟୁ ଏମିତିରେ ଦେଖିଲେ ଦୁଗ୍ଧକୁ ଅନେକ ସମୟ ଧରି ସତେଜ ରଖିବାକୁ ସକ୍ଷମ ନୁହଁ । ତେଣୁ ବ୍ୟବହାର କରିବା ପୂର୍ବରୁ ଦୁଗ୍ଧକୁ ପ୍ରକ୍ରିୟାକରଣ କରାଯାଇଥାଏ । ତେଣୁ ଗରମ କରାଯାଇଥିବା ଦୁଗ୍ଧ ପରେ ଦହି ଆସେ । ଦହିର ବ୍ୟବହାର ବୈଦିକ ଯୁଗଠାରୁ ଭାରତରେ ହୋଇଆସୁଅଛି । ପବିତ୍ର ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ଘିଅର ବ୍ୟବହାରର କଥା ଉଲ୍ଲେଖ ଅଛି ।

ପର-ବୈଦିକ ଯୁଗରେ ଯାଯାବର ଆର୍ଯ୍ୟମାନଙ୍କର ସିନ୍ଧୁ ନଦୀର ଉର୍ବର ଅବବାହିକାରେ ସ୍ଥାୟୀ ଭାବରେ ବସତି ସ୍ଥାପନ ସମୟରେ ପଶୁପାଳନରୁ କୃଷିକର୍ମର ଯେଉଁ ବୃତ୍ତିଗତ ପରିବର୍ତ୍ତନଟି ଘଟିଥିଲା, ସେହି ସମୟର ଧର୍ମାଚାର ତଥା ଯଜ୍ଞାନୁଷ୍ଠାନରେ ପ୍ରାଥମିକ ଆବଶ୍ୟକତା ଥିଲା ଘୃତ । ମହାଭାରତରେ ଦେବତା ଓ ଅସୁରଙ୍କ ଭିତରେ ଯେଉଁ ସମୁଦ୍ର ମନ୍ଥନ କ୍ରିୟା ଚାଲିଥିଲା, ଆଉ ସେଥିରୁ ଉଦ୍ଭବ ଅମୃତକୁ ଅନେକେ ଏକ ପ୍ରକାରର ଘୃତ ବୋଲି ବିଚାର କରିଥାଆନ୍ତି । ଦୁଗ୍ଧର ମନ୍ଥନକ୍ରିୟା ପରେ ଘୃତ ବାହାରିଥାଏ, ଆଉ ଏହା ପବିତ୍ରବସ୍ତୁର ଶ୍ରେଷ୍ଠତ୍ତମ ଖାଦ୍ୟରୂପ ବୋଲି ବିଚାର କରାଯାଉଥିବାରୁ ଏହାକୁ ଅମୃତକଳ୍ପ ବୋଲି ମନେକରାଯାଏ ।

ଦୁଗ୍ଧ ଓ ତାହାର ସଂରକ୍ଷଣର ପ୍ରକ୍ରିୟାକରଣରେ ସବୁଠାରୁ ରହସ୍ୟପୂର୍ଣ୍ଣ କଥାଟି ହେଉଛି ଲୁଣକୁ ଗୋଟିଏ ସଂରକ୍ଷଣକ୍ଷମ ପଦାର୍ଥ ବା ପ୍ରିଜରଭେଟିଭ୍ ଆକାରରେ ବ୍ୟବହାର କରାନଯିବା । ଯଦିଓ ନିକଟବର୍ତ୍ତୀ ଆଫଗାନିସ୍ଥାନଠାରୁ ଆରମ୍ଭକରି ଅନ୍ୟତ୍ର ଲୁଣର ଏଇଭଳି ବ୍ୟବହାର ଦେଖାଯାଉଥିଲା । କିନ୍ତୁ ସିନ୍ଧୁ ଅବବାହିକାରେ ଏହାର ଦୁଗ୍ଧରେ ମିଶାଇବାର ପ୍ରଚଳନ ନଥିଲା । ଲୁଣ କ’ଣ ଏଇ ଅଞ୍ଚଳରେ ଏତେ ଅମିଳକ ଥିଲା ? ବା ଗୁଡ ଜାତୀୟ ପଦାର୍ଥ ଏତେ ସହଜଲଭ୍ୟ ଥିଲା ?

ଜନ୍ମ ପରଠାରୁ ମିଠା ପ୍ରତି ଆସକ୍ତି ମଣିଷର ଏକ ସହଜାତ ପ୍ରବୃତ୍ତି, ତେଣୁ ପ୍ରଥମରେ ହୁଏତ ଦହିକୁ ମିଠା କରିବାର ଚିନ୍ତା ଆସିଥାଇପାରେ । ଦୁଗ୍ଧର ଏକ ସହଜାତ ସ୍ୱାଦ ଥିବାରୁ ଦହିକୁ ସ୍ୱାଦିଷ୍ଟ କରିବାର ଆବଶ୍ୟକତା ଆର୍ଯ୍ୟମାନେ ଅନୁଭବ କରିଥିବେ । ପ୍ରଥମରେ ଦହିକୁ ମହୁ ଦ୍ୱାରା ଓ ପରେ ଆଖୁରସରୁ ପ୍ରସ୍ତୁତ ଗୁଡ ଦ୍ୱାରା ମିଠା କରାଯାଉଥିଲା । ବୈଦିକ ଯୁଗରେ ଦେବତାମାନଙ୍କୁ ଦହି, ଘିଅ ଓ ମହୁର ଏକ ମିଶ୍ରଣ ଦେବତାମାନଙ୍କୁ ଅର୍ପଣ କରାଯାଉଥିଲା, ଯାହାକୁ ମଧୁପର୍କ ବୋଲି ବେଦରେ ଉଲ୍ଲେଖ କରାଯାଇଛି । ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ମହୁର ବାରମ୍ବାର ଉଲ୍ଲେଖ ରହିବା ଓ ଗୁଡର ସୂଚନା ନ ଥିବା କାରଣରୁ ଗୁଡଟି ସାମାନ୍ୟ ପରବର୍ତ୍ତୀ ମିଷ୍ଟରୂପର ସଞ୍ଜୋଜନ ବୋଲି ଅନୁମାନ କରାଯାଇ ପାରେ । ତେଣୁ ମଧୁପର୍କର ପରବର୍ତ୍ତୀ ବିବର୍ତ୍ତନଟି ଦୁଗ୍ଧ, ଦହି, ଘିଅ, ମହୁ ଓ ଗୁଡର ମିଶ୍ରିତ ରୂପ ତଥା ପଞ୍ଚାମୃତ ବୋଲି ଭାରତୀୟ ଦେବତାମାନଙ୍କର ଆରାଧନାର ପ୍ରାଥମିକ ଉପଚାର ହିସାବରେ ବ୍ୟବହୃତ ହେଲା ।

ବୈଦିକ ଗ୍ରନ୍ଥରେ ଗୁଡର ଉଲ୍ଲେଖ ନାହିଁ, ମହୁ ସେଠାରେ ଏକମାତ୍ର ମିଷ୍ଟକାରକ ହୋଇଥିଲେ ହେଁ ମହାବାସ୍ତୁ କିନ୍ତୁ ଭିନ୍ନ କଥା କହେ । ମହାବାସ୍ତୁ ହେଉଛି ଗୌତମ ବୁଦ୍ଧଙ୍କ ସଂପର୍କିତ ଅନେକ ଗୁଡିଏ ଗପର ସଙ୍କଳନ । ମହାବାସ୍ତୁ ଅନୁସାରେ ଗୌତମ ବୁଦ୍ଧ ସାତ ସପ୍ତାହ ଧରି ଅନଶନ ପରେ ନିରଞ୍ଜନା ନଦୀକୂଳର ମହାବୋଧି ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହେଲା ପରେ ପ୍ରଥମେ ଗୋଟିଏ ପାତ୍ରରେ ଥିବା ଘିଅ ଓ ମହୁକୁ ଗ୍ରହଣ କରିଥିଲେ । ସେଇ ମହାବାସ୍ତୁରେ ଆଖୁଚାଷ ଓ ଗୁଡର ଅନେକ ଉଲ୍ଲେଖ ରହିଛି । ତେଣୁ ସେ ଦୃଷ୍ଟିରୁ ବୁଦ୍ଧଙ୍କ ଦିବ୍ୟଜ୍ଞାନ ପ୍ରାପ୍ତି ସମୟରେ ସାଧାରଣଭାବରେ ଗୁଡର ପ୍ରଚୁର ବ୍ୟବହାର ଥିବା ସତ୍ତ୍ୱେ ବୁଦ୍ଧ ଗୁଡ ଗ୍ରହଣ ନକରିବା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ।

ଏଥିରୁ ପରିଷ୍କାର ଅନୁମାନ କରାଯାଇ ପାରେ ଯେ ଆଖୁଚାଷ ଓ ଆଖୁରସରୁ ଗୁଡ କଥା ସିନ୍ଧୁ ସଭ୍ୟତାର କାଳରୁ ପ୍ରଚଳିତ ଥିଲେ ହେଁ ସର୍ବସାଧାରଣରେ ବ୍ୟବହୃତ ଏଇ ମିଠା ପଦାର୍ଥଟି ଧର୍ମାନୁଷ୍ଠାନରେ ଉପଲବ୍ଧ ମହୁଠାରୁ ଯଥେଷ୍ଠ ନିମ୍ନ ସ୍ଥାନରେ ରହୁଥିଲା । କହିବାକୁ ଗଲେ, ସାଧାରଣଙ୍କର ଗୁଡ ଆଉ ଅଭିଜାତଙ୍କର ମହୁ, ଏଇ ଭଳି ମାନଦଣ୍ଡରେ ଭାରତୀୟ ସମାଜରେ ମିଠାକୁ ନେଇ ଏକ ଖାଦ୍ୟ-ବର୍ଗୀକରଣ ଥିଲା । ପରେ ଦେବତାଙ୍କର ଆରାଧନାରେ ଯେଉଁ ପଞ୍ଚାମୃତର ବ୍ୟବସ୍ଥା ଆସିଲା, ସେଥିରେ ପ୍ରାଥମିକ ପବିତ୍ର ତ୍ରିମୂର୍ତ୍ତି ଦୁଗ୍ଧ, ଦହି ଓ ଘିଅ ପଛକୁ ସମାଜକୁ ସମନ୍ୱୟ କରିବା ପାଇଁ ରହିଲା ମହୁ ଓ ଗୁଡ।ଗୁଡ ହେଉଛି ସମାଜରେ ବହୁ ପ୍ରଚଳିତ ଓ ପଞ୍ଚାମୃତର ସର୍ବଶେଷ ସଞ୍ଜୋଜନ । ପଞ୍ଚାମୃତ ଦେବତାମାନଙ୍କର ସ୍ନାନବିଧିରେ ଲୋଡା ହେବା ସହ ଭାରତୀୟ ମାନଙ୍କର ଏକ ପବିତ୍ର ବସ୍ତୁ । ଭାରତୀୟ ନାରୀମାନେ ଗର୍ଭାଧାନ ସମୟରେ ଶୁଦ୍ଧପୂତ ଭାବରେ ପଞ୍ଚାମୃତ ଗ୍ରହଣ କରିଥାନ୍ତି ।

ବିଶେଷ କରି ଏହି ଉପମହାଦେଶରେ ପ୍ରାଚୀନ ଓ ବ୍ୟାପକ ଆଖୁଚାଷ ଭାରତୀୟମାନଙ୍କ ମିଠା-ଆସକ୍ତିର ପ୍ରାମାଣ୍ୟ ବୃତ୍ତାନ୍ତ । ଅନ୍ୟାନ୍ୟ ଡିଜର୍ଟ୍‌ପ୍ରେମୀ ଖାଦ୍ୟସଂସ୍କୃତିର ଦେଶ ତୁଳନାରେ ଭାରତରେ ପ୍ରାୟ ହଜାରେ ବର୍ଷ ଆଗରୁ ଆଖୁଚାଷ ପ୍ରଚଳିତ ଥିଲା । ସେ ଦୃଷ୍ଟିରୁ ଏଠିକାର ମିଠା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ଏହା ଭାରତୀୟ ମାନଙ୍କର ମାତ୍ରାଧିକ ମିଠାପ୍ରିୟତାକୁ ପ୍ରମାଣ କରେ ।

ସମ୍ପ୍ରତି ଭାରତର ଖାଦ୍ୟବିଶାରଦମାନେ ଭାରତର ସ୍ୱଚ୍ଛଳ ବର୍ଗ ତଥା ନିମ୍ନ ବର୍ଗ ଉଭୟଙ୍କର ଖାଦ୍ୟାଭ୍ୟାସକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥାନ୍ତି । ଉଚ୍ଚବର୍ଗର ସଞ୍ଜମହୀନତା ଓ ନିମ୍ନବର୍ଗର କୁପୋଷଣକୁ ନେଇ ଏହି ଚିନ୍ତା । କିନ୍ତୁ ସେ ପ୍ରସଙ୍ଗରେ ମିଠା ଭାରତୀୟମାନଙ୍କର ପ୍ରିୟ ହେଲେ ବି, ଏହା ସବୁ ସମୟର ଖାଦ୍ୟରେ, ଅର୍ଥାତ୍ ପ୍ରାତଃରାଶ, ମଧ୍ୟାହ୍ନ ଭୋଜନ କି ରାତ୍ରଭୋଜନରେ ନିଶ୍ଚିତ ଭାବରେ ସ୍ଥାନ ପାଏନାହିଁ । ମିଠା ଭାରତୀୟମାନଙ୍କର ଖାଦ୍ୟତାଲିକାରେ ସବୁବେଳେ ସ୍ୱତନ୍ତ୍ର । ଏହା କେବଳ ଯେ ଦେବତାମାନଙ୍କର ଆବାହନ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥାଏ ସେକଥା ନୁହଁ, ଭାରତୀୟ ମାନଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଏହା ଦ୍ୟୋତକ ।

ମାତ୍ରାଧିକ ମିଠା ପ୍ରବଣତା ହୁଏତ ଏଇ ଭୂଖଣ୍ଡରେ ଅର୍ଥାତ୍ ଭାରତୀୟ ମାନଙ୍କୁ ଅଧିକ ମଧୁମେହ ରୋଗୀ କରିଦେଇଥାଇପାରେ ।

ପଞ୍ଜାବର ଗୁଡ଼ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
[ଖାଦ୍ୟ ନୁହଁ କିନ୍ତୁ ଖାଦ୍ୟ-ଇତିହାସ ପ୍ରତି ମୋର ବିଶେଷ ଆକର୍ଷଣ ରହିଅଛି । କିନ୍ତୁ ଆମର ଶିକ୍ଷାଗତ ବା ପାଠ୍ୟକ୍ରମର ସିଲାବସ୍‌ର ପରିଧି ଭିତରେ ଏହାକୁ ନିଜେ ବା ପିଲାଙ୍କ ସହ ପଢିବା ସମ୍ଭବପର ହୋଇ ନଥିଲା । ଅବସର ପରେ ଆପଣମାନଙ୍କ ସହ ଏହାକୁ ପଢିବାର କିଛି ସୁଯୋଗ ମିଳୁଛି ।

ବିଶିଷ୍ଟ ଖାଦ୍ୟ ଐତିହାସିକ ମାଇକେଲ୍ କ୍ରୋନ୍ଦଲ୍‌ଙ୍କ 'ସ୍ୱିଟ୍ ଇନଭେନସନ୍: ଏ ହିଷ୍ଟୋରୀ ଅଫ୍ ଡିଜର୍ଟ୍' ପୁସ୍ତକର ଆଦ୍ୟ ଅନୁଚ୍ଛେଦର ଏକ ଅଂଶର ଏହା ଅନୁସୃଜନ ।

ଏଥିରେ ଭାରତରେ ମିଠାର ପ୍ରଚଳନର ଆଦ୍ୟ କଥା କୁହାଯାଇଛି । ଯେତେବେଳେ ବନ୍ଧନୀ ଭିତରେ ଅଧିକ କିଛି କଥା କହିବାକୁ ଜମାଟ ବାନ୍ଧେ ପ୍ରକୃତରେ କିଛି କହିହୁଏନାହିଁ ।

ନିକଟରେ ଗୋଟିଏ ମିଠା ଯୁଦ୍ଧର ଗୋଟିଏ ପର୍ବ ସରିଲା । ତାହାକୁ ନେଇ ଆମର ଅଧିକାଂଶଙ୍କ ଭିତରେ କ୍ଷୋଭ, କହିବାକୁ ଗଲେ ଅନେକ ପରିମାଣରେ ଦୁଃଖ ବି, ଯେମିତି ଆମେ ଆଉ ଗୋଟିଏ କଳିଙ୍ଗ ଯୁଦ୍ଧରେ ହାରିଗଲେ ।

ଆମେ ସାଧାରଣ ଲୋକ । ଆମ ଉତ୍ସବରେ ମିଠାଟି ଲୋଡା । ଆମ ଝିଅଟିର ଘରକୁ ପହିଲିପାଳି ଗଲା ବେଳେ ବାପଟିର ହାତରେ ରହିଥିବା ରସଗୋଲା ଠୁଙ୍ଗାଟିର ଆବେଗକୁ ମୁଁ ଦେଖେ । ମୋ ପାଇଁ ରସଗୋଲା କୌଣସି ପାଣ୍ଡବ କୌରବର ସୂଚ୍ୟଗ୍ର ମେଦିନୀ ନୁହଁ, ବରଂ ଭାରତୀୟ ଖାଦ୍ୟ ଇତିହାସର ଏକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟୟନ ।

କିନ୍ତୁ ମୋତେ ଯେଉଁମାନେ ଯୁଦ୍ଧକୁ ଟାଣିଲେ, ମୋ ତରଫରୁ ଯୁଦ୍ଧ କଲେ ଆଉ ମୋତେ ହରାଇବାର ପ୍ରେକ୍ଷାପଟଟିଏ ତିଆରି କଲେ, ସେମାନଙ୍କ ବିଷୟରେ କିଛି କହିବାକୁ ପଡିବ । କାହାକୁ ଆହତ କରିବା ମୋର ଅଭିପ୍ରାୟ ନୁହଁ ।

ଆମେ ଓଡିଶାର ବହୁ ପ୍ରସାରିତ ଖବରକାଗଜରେ ଜଣେ କବି ହୋଇ କୌଣସି ଐତିହାସିକର ଜାତୀୟବାଦୀ ମିତ୍ରଦୃଷ୍ଟି ରହିବା ଉପରେ ଉପଦେଶାବଳୀ ଦେଉ, ଇଉରୋପୀୟ ଆଉ ପ୍ରତିବେଶି ଇତିହାସକାରମାନଙ୍କର ଛଳନା ପ୍ରତାରଣାରେ ଆମର ସ୍ଥାନୀୟତା ଅବଲୁପ୍ତ ହୋଇଯାଇଥିବାରୁ ଆମର ବହିପତ୍ରରୁ ମନମୁତାବକ ନିଷ୍କର୍ଷ ନବ୍ୟପାଠ କରିବାରେ ତିରିଶ ବର୍ଷ ବିତାଇ ଦେଉ । ଏଇ ଦୀର୍ଘ ତିରିଶ ବର୍ଷର ଜୀବନଚିନ୍ତାରେ ଆମେ କେବଳ ଅପର ସହ ଦୋଷ ଖେଳ ବା ବ୍ଲେମ୍ ଗେମ୍ ରେ ମାତି ସ୍ଥାନୀୟତାର ଜୟଗାନ କରି ବିତାଇବାରେ ଆମର ଚିନ୍ତକପଣଟି ପ୍ରତିଷ୍ଠିତ କରିଥାଉ । କିନ୍ତୁ ଏଇ ଚିନ୍ତକପଣଟି ଅନ୍ୟ ପ୍ରତି ବିଦ୍ୱେଷର ପୃଷ୍ଟଭୂମି ଉପରେ ପର୍ଯ୍ୟବେସିତ ହୋଇଥିବାରୁ, ଆମେ ଆମ ରାଜ୍ୟର ସବୁକଥାକୁ ଯେମିତି ଯୁଦ୍ଧ ବୋଲି ଭାବୁଛୁ । ଏହା ନିରପେକ୍ଷ ଅଧ୍ୟୟନର ପରିସରରେ ରହୁନାହିଁ ।

କହିବା କଥା ହେଉଛି, ପଞ୍ଚତନ୍ତ୍ରର କଥାକାର ବିଷ୍ଣୁଶର୍ମା ଓଡିଶାର ବୋଲି ପ୍ରଖ୍ୟାତ ପ୍ରଫେସର୍ ଶରଚ୍ଚନ୍ଦ୍ର ବେହେରା ତାଙ୍କର ଗବେଷଣାରେ ପ୍ରତିଷ୍ଠିତ କରିଛନ୍ତି । କିନ୍ତୁ ଆମର ସାହିତ୍ୟିକ ଇଛାଶକ୍ତିର କବିତ୍ୱ ଯୋଗୁ ଆମେ ବିଷ୍ଣୁଶର୍ମାଙ୍କୁ ଭୁଲିବାକୁ ଏକ ପ୍ରକାର ବାଧ୍ୟ । ସମାନ କଥା ଚର୍ଯାପଦ ସମ୍ପର୍କରେ । ଯଦି ପ୍ରତିବେଶି ରାଜ୍ୟରେ ଚର୍ଯାପଦକୁ ନେଇ ଚର୍ଚ୍ଚା ଅବ୍ୟାହତ ରହେ, ଆଉ ଆମେ ସାମ୍ପ୍ରତିକ କବିମାନଙ୍କର କବିତାପାଠକୁ ନେଇ ଉଚ୍ଛ୍ୱସିତ ହୋଇବା ଶ୍ରେୟସ୍କର ବୋଲି ଭାବୁଥାଉ, ତେବେ ଚର୍ଯାପଦକୁ ଆମର ବୋଲି କହିବାର ଅଧିକାର ଆମର କାହିଁକି ରହିବ ? ଗଭୀର କ୍ଷୋଭର ସହ କହୁଛି, ଜୟଦେବ ଭବନ ଆଉ ଜୟଦେବ ବାଟିକା କରିଦେଲେ ଯେ ଜୟଦେବ ଆମର ହୋଇ ରହିଯିବେ, ସେଇ କଥା ଯେଉଁମାନେ ବିଚାର କରନ୍ତି, ମୁଁ ସେଥିରେ ନାହିଁ । ଜୟଦେବଙ୍କୁ ଆମର ତରୁଣ ପ୍ରଜନ୍ମ ସହ ସମ୍ପୃକ୍ତ କରାଇବାରେ ଯଦି ଆମେ ବିଫଳ, ତେବେ ଜୟଦେବ ଆମର ହୋଇ ରହିବାରେ ପ୍ରଶ୍ନଚିହ୍ନ ଲାଗିବ ।

ଯଦି ଜଣେ ପ୍ରଫେସର୍ ଆର୍ତ୍ତବଲ୍ଲଭ ମହାନ୍ତି ନିଜେ ନିଜର ଅକ୍ଳାନ୍ତ ଚେଷ୍ଟାବଳରେ ଓଡିଆ ପ୍ରାଚୀନ ସାହିତ୍ୟକୁ ପୁନରୁଦ୍ଧାର କରିପାରିଥିଲେ, ଆଉ ଯାହାଙ୍କର ସମ୍ପଦରେ ଆମେ ଓଡିଆଏ ଗର୍ବିତ, ତେବେ ଆମେ ଖବରକାଗଜରେ ତିରିଶ ବର୍ଷଧରି ଚିନ୍ତାର ଦୋଷ-ଖେଳ ଖେଳିବା ଦ୍ୱାରା କେଉଁ ଉଦ୍ଦେଶ୍ୟଟି ସାଧିତ ହେବ ବୋଲି ଆପଣମାନେ ଭାବୁଛନ୍ତି ?

ରସଗୋଲା କଥା ଉଠିଲା ବେଳେ ମୋର କହିବା କଥା ହେଉଛି, ଏହାକୁ ନେଇ ଖବର କାଗଜରେ ବିତର୍କ ହେଉଛି । ମାତ୍ର ଆମର ଏକାଡେମିକ୍ ସାର୍କଲ୍‌ରେ କେତେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ? ବଙ୍ଗଳାରେ ଅନେକ ବିଦ୍ୱାନ ଖାଦ୍ୟ ଇତିହାସ ଉପରେ ବହୁତ କାମ କରିଛନ୍ତି, ଅନ୍ୟ ପକ୍ଷରେ ଆମର ସେ ଦିଗରେ ଆଗ୍ରହ ଅଛି କି ? ଆମେ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କ ଉପରେ ସେ କାମଟି ଛାଡିଦେଇ ନିର୍ଭାର । ବଙ୍ଗଳାର ଜନପ୍ରିୟ ଲେଖକ ଶଙ୍କର ଯଦି ତାଙ୍କର ସୁବୃହତ ଉପନ୍ୟାସ ସହ ବିବେକାନନ୍ଦଙ୍କ ଜୀବନୀ ସମେତ ତିନି ଶହ ପୃଷ୍ଠାର ଏକ ଅତ୍ୟନ୍ତ ରୋଚକ ପୁସ୍ତକ ଲେଖିପାରନ୍ତି, ଯାହାର ଶୀର୍ଷକ “ରାନ୍ନାଘର, କିଚେନ୍ କିମ୍ବା ରସବତୀ (ବଙ୍ଗୀୟ ରସନାର ରସାଲୋ କାହିନୀ)” ।

ଯେଉଁମାନେ ଶଙ୍କରଙ୍କୁ ପଢିଛନ୍ତି, ସେମାନେ ଜାଣନ୍ତି ତାଙ୍କର ପଠନୀୟତା ଆଉ ଲୋକପ୍ରିୟତା କେଉଁ ପର୍ଯ୍ୟାୟର । ଶ୍ରୀଯୁକ୍ତ ଶଙ୍କର ବଙ୍ଗୀୟ ପାଠକମାନଙ୍କ ପାଇଁ ବଙ୍ଗଳାର ଖାଦ୍ୟ ବିଷୟରେ ଏହି ଐତିହାସିକ ପ୍ରେକ୍ଷାପଟଟି ପ୍ରସ୍ତୁତ କରି ସେମାନଙ୍କର ଖାଦ୍ୟ-ଜ୍ଞାନକୁ ପରିପୁଷ୍ଟ କରିଛନ୍ତି । ଆମର ଲେଖକମାନେ ସେହିଭଳି ଗୁରୁତ୍ୱହୀନ କାର୍ଯ୍ୟରେ ମନୋନିବେଶ କରି ଏଠିକାର ପାଠକମାନଙ୍କର ଆଧିଭୌତିକ ଓ ଅନ୍ୱେଷାଭିତ୍ତିକ ପୁସ୍ତକୋଚିତ ରୂପାୟନରୁ ବିଚ୍ୟୁତ ହେବାକୁ ସୃଜନଶିଳତାର ଅପବ୍ୟବହାର ବିଚାର କରି ବିଭିନ୍ନ ପଦ୍ମ-ସମ୍ପଦରେ ଭୂଷିତ ହେବାକୁ ଶ୍ରେୟସ୍କର ମଣିଥାନ୍ତି ।

ଅବଶ୍ୟ ଖବରକାଗଜର ଜୀବନଚିନ୍ତାରେ ଆମେ ଡ୍ରମ ପିଟୁଥାଉ, ଆଉ ଆମ ଆଖିରେ ଜୋରରେ ବନ୍ଧା ଅନ୍ଧପୁଟୁଳି । ଖାଲି ଶ୍ରୀଯୁକ୍ତ ଶଙ୍କର କାହିଁକି, ଶ୍ରୀମତି ଜେ. ହାଲଦାର (୧୯୧୧), ଚିତ୍ରିତା ବାନାର୍ଜୀ, ସୁଚିତ୍ରା ସାମନ୍ତ, ଇନ୍ଦିରା ଚକ୍ରବର୍ତ୍ତୀ, କେ.ଟି. ଆଚୟା ଭଳି ବହୁ ଖାଦ୍ୟ ଐତିହାସିକ ବଙ୍ଗଳାର ଖାଦ୍ୟାଭ୍ୟାସ ଉପରେ କାମ କରିଛନ୍ତି । ବଙ୍ଗଳାରେ ଖାଦ୍ୟ ସଙ୍କ୍ରାନ୍ତରେ ପ୍ରଥମ ପାକଶାସ୍ତ୍ର ପାକରାଜେଶ୍ୱର (୧୮୩୧) ଠାରୁ ଆରମ୍ଭକରି ବ୍ୟଞ୍ଜନ ରତ୍ନାକର (୧୮୭୪), ବାମାବୋଧିନୀ ପତ୍ରିକା (୧୮୭୪) ପ୍ରଭୃତିରେ ବଙ୍ଗଳା ଖାଦ୍ୟର ପ୍ରଭୂତ ବର୍ଣ୍ଣନା ରହିଛି । ବଙ୍ଗଳାରେ ପାକଶାସ୍ତ୍ରର ତାଲିକାଟି ଅତ୍ୟନ୍ତ ଦୀର୍ଘ । ଏହି ତଥ୍ୟ ଭିତ୍ତିରେ ଖାଦ୍ୟଗବେଷକମାନେ ଗବେଷଣା କରି ସେମାନଙ୍କର ଜ୍ଞାନକୁ ତାତ୍ତ୍ଵିକ ଦୃଷ୍ଟିରୁ ପରିପୁଷ୍ଟ କରିଛନ୍ତି ।

ଆମେ ଏଠି କବିତା ଲେଖୁ । ଖବରକାଗଜରେ ତିରିଶ ବର୍ଷ ଧରି ଆମର ମାଖୁନା ମୁହଁର କଳ୍ପିତ ନିଶକୁ ମୋଡୁଥାଉ ।

ବଙ୍ଗଳାରେ ସେମାନେ ନବୀନ ଚନ୍ଦ୍ର ଦାସଙ୍କୁ “ରସଗୋଲାର କଲମ୍ବସ” ବୋଲି କହନ୍ତି । ତାଙ୍କ ଦ୍ୱାରା ବଙ୍ଗାଳୀ ରସଗୋଲା ଉଦ୍ଭାବନର  ଶହେବର୍ଷ ପାଳନର ପର ବର୍ଷ ବଙ୍ଗଳାର ତତ୍କାଳୀନ କମ୍ୟୁନିଷ୍ଟ ସରକାର ସମସ୍ତ ମିଠା ଉତ୍ପାଦନରେ ଦୁଗ୍ଧର ବ୍ୟବହାରକୁ ନିଷିଦ୍ଧ କରିଦେଇଥିଲେ, କାରଣ ତାହା ଦ୍ୱାରା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଦାମ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏହାର ବ୍ୟାପକ ବିରୋଧ ହୋଇଥିଲା ଓ ବଙ୍ଗଳାର ସରକାର ଏଇ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ନବୀନ ଚନ୍ଦ୍ରଙ୍କର ବଂଶଧରମାନେ ଏଥିରେ କ୍ଷୁବ୍ଧ ହୋଇ ସ୍ମରଣୀୟ ସ୍ଥାନରେ ଥିବା ନବୀନବାବୁଙ୍କର ମିଠା ଦୋକାନକୁ ବାଙ୍ଗାଲୋର ସ୍ଥାନାନ୍ତର କରିଦେଇଥିଲେ ।

କହିବାର କଥା ହେଉଛି, ଆମର ସ୍ୱାଭିମାନକୁ ଆମର ଅଧ୍ୟୟନର ପରିସରକୁ ଆଣି ଏକ ଉତ୍ସବ ଭଳି ପାଳନ କରି ପରବର୍ତ୍ତୀ ପ୍ରଜନ୍ମ ସହିତ ଏହାର ଏକ ଅନ୍ତରଙ୍ଗତା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି, ତାହା ରସଗୋଲା ହେଉ କି ଆଉ ଯେଉଁ କଥା ହେଉ । ବିନା ପ୍ରସ୍ତୁତିରେ କୁହାଟକୁ ଶୁଣି ଡରିଯିବା ବିପକ୍ଷ ବର୍ତ୍ତମାନ ବହୁତ କମ୍ । ଆମର କୁହାଟରେ ଦାୟ । ପ୍ରସ୍ତୁତି କଥା କିଏ କାହିଁକି ଗୁରୁତ୍ୱର ସହ ନେବ ? ]

No comments:

Post a Comment