ବିଦ୍ୟାଳୟରେ ସେବାଶିକ୍ଷା
ଗୋପବନ୍ଧୁ ଦାଶ
ଆମ୍ଷ୍ଟରଡ୍ୟାମ ସହରର କିଣ୍ଡଗାଟନ୍ର ଚିତ୍ର (ୱିକିମିଡ଼ିଆ କମନ୍ସ୍) ଚିତ୍ର - ଇନ୍ଫ୍ୟାଣ୍ଟସ୍ ସ୍କୁଲ (୧୮୮୦) ଚିତ୍ରକର ମାକ୍ସ ଲିବର୍ମାନ୍ - (୧୮୪୭-୧୯୩୫) |
ବିଦ୍ୟାଳୟମାନଙ୍କରେ
ଧର୍ମ ଓ ନୀତି ଶିକ୍ଷା ପ୍ରବାର୍ତ୍ତାଇବା
ନିମନ୍ତେ ଗତ କେତେକ ବର୍ଷ ହେଲା
ଏ ଦେଶରେ ଆଲୋଚନା ଲାଗିଅଛି ।
କେବଳ ବିଜ୍ଞାନ ଦର୍ଶନ ପଢ଼ି କେତେଗୁଡିଏ ପ୍ରାକୃତିକ ବା
ଆଧ୍ୟାତ୍ମିକ ସତ୍ୟ ଜାଣି ରଖିଲେ
ମନୁଷ୍ୟ ପକ୍ଷେ ଯଥେଷ୍ଟ ହେଲା
ନାହିଁ । କେବଳ ଭାଷା ଶିକ୍ଷା ତ
ଶିକ୍ଷା ନୁହେଁ । ଶିକ୍ଷାର ମୁଖ୍ୟ
ଲକ୍ଷ୍ୟ ଜୀବନର ସୁଗଠନ ଓ ବିକାଶ ।
ତାହା କେବଳ ତର୍କ ଯୁକ୍ତି ପୁରସ୍କାର
ପାଇବାରେ ନାହିଁ କିମ୍ୱା ଫୁଟବଲ
କ୍ରିକେଟ୍ରେ ପଟୁତା ଦେଖାଇ
ପୁରସ୍କାର ପାଇବାରେ ନାହିଁ । ଏ
ସବୁର ଆବଶ୍ୟକତା ଅବଶ୍ୟ ଅସ୍ୱୀକାର
କରାଯାଇ ନ ପାରେ । କିନ୍ତୁ ନୈତିକ
ଜୀବନର ବିକାଶରେ ହିଁ ମାନବର
ପ୍ରକୃତ ମାନବତ୍ୱ । ଏ ପ୍ରକାର
ଶିକ୍ଷା ଅଭାବରୁ ଆଧୁନିକ ଶିକ୍ଷାବିଧାନ
ବହୁ ଦିନ ଏ ଦେଶରେ ପ୍ରବର୍ତ୍ତିତ
ହେଲେ ସୁଦ୍ଧା ଆଜିଯାଏ ବିଶେଷ
କିଛି ଫଳ ଦେଖାଇ ପାରିନାହିଁ ।
ବହୁତ
ବକ୍ତୃତା ହେଉଅଛି,
ରାଜକୀୟ
ଅଧିକାର ବିଷୟରେ ତର୍କ ଲାଗିଛି
ବେଳେବେଳେ ତର୍କଯୁକ୍ତିପୂର୍ଣ୍ଣ
ପୁସ୍ତକ ମଧ୍ୟ ବାହାରୁଅଛି,
କିନ୍ତୁ
କାହିଁ କେଉଁଠାରେ ତ ପ୍ରାଣର ପରିଚୟ
ଦେବା ଭଳି କାର୍ଯ୍ୟ ବିଶେଷ ଦେଖାଯାଉ
ନାହିଁ । ଫଳାକଥା ମନୁଷ୍ୟ ମନୁଷ୍ୟକୁ
ଚିହି ଶିଖୁନାହିଁ । ଏ ଅଭାବ ଲୋକେ
ବୁଝିଲେଣି କିଛି ସେଥି ସଙ୍ଗେ ନ
ଯୋଡ଼ିଲେ ହେବ ନାହିଁ ଏ କଥା ମଧ୍ୟ
ସମସ୍ତେ ସ୍ଥିର କରୁଛନ୍ତି । ଯୋଡ଼ା
ହେବ କଣ ? ନୈତିକ
ଶିକ୍ଷା । ସ୍କୁଲ ନିର୍ଦ୍ଦିଷ୍ଟ
ସମୟ ମଧ୍ୟରେ ଗୋଟିଏ ସମୟ ରଖି
କେବଳ ଧର୍ମନୀତିର ପୁସ୍ତକ ପଢ଼ାଇ
ସେହି ବିଷୟରେ ବକ୍ତୃତା ଓ ଉପଦେଶ
ଦେଲେ ଏହି ଶିକ୍ଷା ହେବ ତ ?
ଆଜି ଯାଏଁ
ଯେଉଁ ସବୁ ରହି ପଢ଼ାଯାଉଥିଲା ସେ
ସବୁରେ କଣ ଅଳ୍ପାଧିକ ଏହିଭଳି
ନୀତି ଉପଦେଶ ନଥିଲା କି ?
ତେବେ
ଖାଲି ସେଥି ନିମନ୍ତେ ଗୋଟିଏ
ସ୍ୱତନ୍ତ୍ର ସମୟ ନିର୍ଦ୍ଦେଶ
କରିଦେଲେ ଯେ ବିଶେଷ କିଛି ହେବ,
ତାହା
ନୁହେଁ । ଜୀବନର ସତ୍ୟ ଶିଖିବା
ନୈତିକ ଶିକ୍ଷାର ଉଦ୍ଦେଶ୍ୟ ।
ବାଳକକୁ ପଦାର୍ଥବିଦ୍ୟା ଓ
କିଣ୍ଡରଗାର୍ଟନ ରୀତିରେ ଯେପରି
ଚତୁର୍ଦ୍ଦିଗସ୍ଥ ସାଧାରଣ ପଦାର୍ଥାଦି
ବିଷୟକ ସରଳ ସତ୍ୟ ଶିକ୍ଷା ଦିଆଯାଏ,
ବିଜ୍ଞାନର
ସତ୍ୟ ସବୁ ଶିଖିବା ପାଇଁ ଯେପରି
ବିଜ୍ଞାନମନ୍ଦିର ବା ଲାବୋରେଟରୀରେ
ପରୀକ୍ଷାଦର୍ଶନ ଦ୍ୱାରା ଶିକ୍ଷା
ଦିଆଯାଏ, ନାତିଶିକ୍ଷାରେ
ମଧ୍ୟ ସେହି ନିୟମ ଚଳିବା ଉଚିତ ।
ମାନବ ସାଧାରଣର ସମ୍ପର୍କରେ ଆସି
ସେମାନଙ୍କର ଅଭାବ ଆକାଙ୍କ୍ଷା
ରୋଗ ଦୁଃଖ ଭାବ ବିକାର ପ୍ରଭୃତି
ଅନୁଭବରେ ନ ଆଣିଲେ ଜୀବନର ସତ୍ୟ
ଶିଖିବା ଅସମ୍ଭବ । ମାନବକୁ ସ୍ନେହ
କରି ନ ଶିଖିଲେ ମାନବ ପ୍ରତି ପ୍ରାଣରେ
ସହାନୁଭୂତି ନଆସିଲେ,
ଜୀବନର
ବିକାଶ ହେବ ନାହିଁ ।
ପ୍ରକୃତ
ନୀତିଶିକ୍ଷାର ପନ୍ଥା ଲୋକସେବା ।
ଲୋକସେବା ଅଭ୍ୟାସ କରିବାରେ
ଜୀବନର ପ୍ରକୃତ ତତ୍ତ୍ୱ ଅନୁଭବରେ
ଶିକ୍ଷା ହୁଏ । ତେଣୁ ଛାତ୍ର ଜୀବନରରେ
ଏହି ଲୋକସଭା ଶିଖିବା ବିଷୟରେ
ଛାତ୍ରମାନଙ୍କୁ ଯଥୋଚିତ ପ୍ରଶୟ
ଦେବା ପ୍ରଯୋଜନ । ରୋଗୀର ଶୁଶ୍ରୁଷା,
ଦୁର୍ଭିକ୍ଷ
ପୀଡିତକୁ ଅନ୍ନଦାନ,
ଆକୁଳର
ସହାୟତା ପ୍ରଭୃତିରେ ଲୋକସେବାରେ
ପଥ ଉନୁକ୍ତ ରହିଅଛି । ଛାତ୍ରମାନଙ୍କୁ
ଏହି ସବୁର ଉତ୍ସାହ ଓ ପ୍ରଶ୍ରୟ
ଦେଲେ ସେମାନେ ଜୀବନର ତତ୍ତ୍ୱ
କାର୍ଯ୍ୟରେ ଅନୁଭବରେ ଶିଖିବାର
ସୁବିଧା ପାଇବେ ଏବଂ ଏଥିରେ
ସେମାନଙ୍କର ନୈତିକ ଜୀବନର ପ୍ରକୃତ
ବିଶ୍ୱାସ ଓ ସ୍ୱାଭାବିକ ଉନ୍ନତି
ସାଧିତ ହେବ । ସ୍କୁଲ କଲେଜରେ ନୀତି
ଶିକ୍ଷା ଦେବାକୁ ହେଲେ କର୍ତ୍ତୁପକ୍ଷଙ୍କର
ଯଥାସମ୍ଭବ ଏହି ପନ୍ଥା ଅବଲମ୍ୱନ
କରିବା ନିତାନ୍ତ ଆବଶ୍ୟକ ।
(ସତ୍ୟବାଦୀ- ପ୍ରଥମ
ଖଣ୍ଡ ୬ଷ୍ଠ ସଂଖ୍ୟା,
୧୯୧୫ଜୁନ)
No comments:
Post a Comment