ବିଦ୍ୟାର୍ଥୀଙ୍କ ଭୋଜନ ବ୍ୟବସ୍ଥା
ଗୋପବନ୍ଧୁ ଦାଶ
ହଙ୍ଗେରୀ ଦେଶର ବୁଦାପେଷ୍ଟର ହଷ୍ଟେଲର ଚିତ୍ର (ୱିକିମିଡିଆ କମନ୍ସ୍) |
ଆଜିକାଲି
ଶିକ୍ଷାବିଧାନ ଯେପରି ହୋଇଅଛି, ସେଥିରେ
ଯାହାର ଧନ ନାହିଁ ସେ ପଢ଼ି ପାରିବ ନାହିଁ ।
ସେବ କାଳେ ଏ ଦେଶର ରୀତି ଏପରି
ନ ଥିଲା । ଶିକ୍ଷାରେ ଧନୀ ଦରିଦ୍ରର
ପାର୍ଥକ୍ୟ ନ ଥିଲା । ବିଦ୍ୟାର୍ଥ
ଗୁରୁଙ୍କ ନିକଟରେ ପହଞ୍ଚିଲେ ତାଙ୍କର
ଯେଉଁ କୌଣସି ମତେ ପଢ଼ିବାର ବ୍ୟବସ୍ଥା
ହେଉଥିଲା । ଶିକ୍ଷାର୍ଥୀମାନଙ୍କ
ଭରଣପୋଷଣ ନିମନ୍ତେ ସମାଜ ଏବଂ
ରାଜା ଆପାଣକୁ ଦାୟୀ ମନେ କରୁଥିଲେ ।
ପିତାର କର୍ତ୍ତବ୍ୟ କେବଳ ଗୁରୁଗୃହକୁ
ପଠାଇବା । ତହିଁ ପରେ ଇତିକର୍ତ୍ତବ୍ୟତା
ଗୁରୁଙ୍କ ଉପରେ ଏବଂ ସମାଜ ଉପରେ ।
ଆଜିକାଲି ଦରିଦ୍ର ଛାତ୍ରମାନଙ୍କ
ସାହାଯ୍ୟ ଉଦ୍ଦେଶ୍ୟରେ ଅନେକ
ସ୍ଥଳେ ଗରିବ-ଛାତ୍ରପାଣ୍ଠି
ବ୍ୟକ୍ତିଗତ ଭାବରେ ମଧ୍ୟ କେହି
କେହି ଧନୀ ଏବଂ ପଦସ୍ଥ ବ୍ୟକ୍ତି
ଗରିବ ଛାତ୍ରମାନଙ୍କୁ ଅର୍ଥ
ସାହାଯ୍ୟ କରିଥାଆନ୍ତି । କିନ୍ତୁ
ଏ ଶ୍ରେଣୀର ଛାତ୍ର ସଙ୍ଖ୍ୟା ଏତେ
ଅଧିକ ଯେ ଅର୍ଥ ସାହାଯ୍ୟର ଯେତେ
ପ୍ରକାର ଭିନ୍ନ ଭିନ୍ନ ପନ୍ଥା
ଫିଟପାରେ ତେତେ ଭଲ ।
ମାନ୍ଦ୍ରାଜ
ଅଞ୍ଚଳରେ ଦେଖାଯାଏ, କେତେକ
ବ୍ୟକ୍ତି ପାଳି କରି ନିଜ ନିଜ ଘରେ
ଛାତ୍ରମାନଙ୍କୁ ଖାଇବାକୁ ଦିଅନ୍ତି ।
ନଗଦ ଅର୍ଥ ସାହାଯ୍ୟ ଅପେକ୍ଷା ଏ
ପନ୍ଥା ଅନେକଙ୍କ ପକ୍ଷେ ସୁବିଧାଜନକ ।
ଘରେ ଆଠ ଦଶ ଜଣର ରୋଷେଇ ହୁଏ ।
ସେଥିରେ ଜଣେ ଦୁଇ ଜଣ ଛାତ୍ର ମାସ
ମଧ୍ୟରେ କେତେ ଦିନ ଖାଇଲେ ଜଣାପଡିବ
ନାହିଁ । କୌଣସି କୌଣସି ପରିବାରରେ
ବେହିସାବ ଖର୍ଚ୍ଚରେ ଯେତେ ନଷ୍ଟ
ହୁଏ ସେଥିରେ ନିୟମିତରୂପେ
କେତୋଟି ଅଭାବଗ୍ରସ୍ଥ ଛାତ୍ର
ସ୍ୱଚ୍ଛନ୍ଦ ଚଳିପାରନ୍ତି । ଏ ବ୍ୟବସ୍ଥା
ଦ୍ୱାରା ଛାତ୍ର ରନ୍ଧନକଷ୍ଟରୁ
ଅବ୍ୟାହତି ପାଇବ । ସେ ଯଦି କୌଣସି
ଛାତ୍ର ଦଳ ମଧ୍ୟରେ ଥାଏ, ତାହା
ହେଲେ ସାହାଯ୍ୟଧନରୁ ଚାକର ପୂଜାରୀଙ୍କ
ବେତନ ଦେବାକୁ ପଡିବ । ପୁଣି
ସାହାଯ୍ୟକାରୀଙ୍କଠାରେ ନଗଦ ପଇସା
ନ ଥିଲେ ଅନେକ ସମୟରେ ଛାତ୍ରକୁ
ବାରମ୍ବାର ଫେରିବାକୁ ପଡ଼େ । କିନ୍ତୁ
ପାରିବାରିକ ପରିସର ମଧ୍ୟରେ ଥରେ
ତାହାର ସ୍ଥାନ ଓ ସମୟ ନିରୂପିତ
ହୋଇଗଲେ ଏ ସବୁ ଅସୁବିଧା ଘଟିବ
ନାହିଁ । ଶିଳ୍ପ, ସାହିତ୍ୟ, ସମାଜ
ସଂସ୍କାର ସମସ୍ତଙ୍କ ମୂଳରେ
ଶିକ୍ଷା । ସାମାନ୍ୟ ପ୍ରାଥମିକ
ଶିକ୍ଷା ହେଉ ପଛକେ ଦେଶବାସୀ ତାହା
ପାଆନ୍ତି। ଏଥି ନିମନ୍ତେ ଯାହା
ଶକ୍ତିରେ ଯାହା ଅଛି,
ସେ
ତାହା ନ ଦେଲେ କର୍ତ୍ତବ୍ୟରେ ହାନି
ହେବ ।
(ସତ୍ୟବାଦୀ
୨ୟ ଖଣ୍ଡ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା
୧୯୧୬)
No comments:
Post a Comment